/odisha-reporter/media/post_attachments/uploadimage/library/16_9/16_9_0/Babu_Singh_1738682022.jpg)
Babu Singh
ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ବିରୋଧ କରି ସ୍ଥାନୀୟ ବିଧାୟକ ବାବୁ ସିଂ ଗଢ଼ିଥିବା ଠେଙ୍ଗାବାହିନୀକୁ ନେଇ ଅଡ଼ୁଆ ବଢ଼ିଛି। ଶାସକ ଦଳର ବିଧାୟକ ହୋଇ ଶ୍ରୀ ସିଂ କିଭଳି ଆଇନକୁ କିଭଳି ହାତକୁ ନେବାକୁ ଅନ୍ୟମାନଙ୍କୁ ଉସକାଉଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ବାବୁ ସିଂ ନିଜର ଆଭିମୁଖ୍ୟକୁ କୋହଳ କରିଛନ୍ତି । ଜନପ୍ରତିନିଧି ପଛରେ ଆଗ ମାଟିର ପୁଅ ଓ ସଂସ୍କୃତିକୁ ବଂଚାଇବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି କହିବା ସହ ଅଶ୍ଲୀଳତାକୁ ସବୁସ୍ତରରେ ବିରୋଧ ହେଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ଭୁବନେଶ୍ୱର-ଏକାମ୍ରର ବିଜେପି ବିଧାୟକ ବାବୁ ସିଂ ସୋମବାର ଖଣ୍ଡଗିରି ପାହାଡ଼ରେ ଥିବା ମା’ ବାରଭୁଜାଙ୍କ ମନ୍ଦିରରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଧରି ଠେଙ୍ଗା ପୂଜା କରିବା ସହ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ କରାଗଲେ ଠେଙ୍ଗାବାହିନୀ ଉଚିତ୍ ଜବାବ ଦେବ ବୋଲି ଚେତାବନୀ ଦେଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷକରି ରାଜନୀତିକ ଦଳଗୁଡ଼ିକ ଶ୍ରୀ ସିଂଙ୍କ ଏଭଳି ବୟାନ ଓ ଧମକକୁ ନିନ୍ଦା କରି ଶାସକ ଦଳର ବିଧାୟକଙ୍କର ଆଇନ ଉପରେ କାହିଁକି ଭରସା ନାହିଁ ଓ ଠେଙ୍ଗାବାହିନୀ ମାଧ୍ୟମରେ ସେ କ’ଣ ଗୁଣ୍ଡାରାଜ ଚଳାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଯୁବକଂଗ୍ରେସ ନେତା ୟାସିର ନୱାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ବିଧାୟକ ବାବୁ ସିଂ ଠେଙ୍ଗାବାହିନୀ ଧରି ଅଶ୍ଲୀଳ ନାଚ ବନ୍ଦ କରିବା ଘଟଣାକୁ କଂଗ୍ରେସ ନିନ୍ଦା କରୁଛି । ସମ୍ବିଧାନିକ ପଦପଦବୀରେ ଥାଇ ଆଇନକୁ ହାତକୁ ନେବାକୁ ବିଜେପି ବିଧାୟକ ପଛାଉ ନାହାନ୍ତି । ଯେଉଁ କାମ ପୁଲିସ ଓ ପ୍ରଶାସନ କରିବା କଥା ସେ କାମ ଶାସକ ଦଳର ବିଧାୟକ କରିବାକୁ ଯାଉଛନ୍ତି । ଯଦି ଆମେ ଡିସିପି ଅଫିସରେ ଠେଙ୍ଗା ଧରି ପଶିବୁ ତାକୁ ସରକାର ଗ୍ରହଣ କରିବେକି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ତେଣୁ ନିୟମ ସମସ୍ତଙ୍କ ପାଇଁ ସମାନ । ବାବୁ ସିଂଙ୍କ ଠେଙ୍ଗାବାହିନୀ ଗଠନ ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସେହିପରି ସିପିଆଇଏମ୍ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ, ଖଣ୍ଡଗିରି ଯାତ୍ରା ମଂଚରେ ସମ୍ଭାବ୍ୟ ଅଶ୍ଲୀଳ ନୃତ୍ୟ ଆଶଙ୍କା କରି ବିଧାୟକ ବାବୁ ସିଂଙ୍କ ଠେଙ୍ଗା ମାଡ଼ ଧମକକୁ ତାଙ୍କ ଦଳ ତୀବ୍ର ନିନ୍ଦା ଓ ପ୍ରତିବାଦ କରୁଛି । ଏହା ହିନ୍ଦୁତ୍ୱବାଦୀ ବିଚାରାଧାରା । ଅଶ୍ଲୀଳତା ବିରୋଧରେ କହିବାକୁ ଯାଇ ଆଇନକୁ ହାତକୁ ନେବାର ଅଧିକାର ବିଧାୟକ ଓ ତାଙ୍କ ସମର୍ଥକମାନଙ୍କର ନାହିଁ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସର ନିରବତା ଓ ନିଷ୍କ୍ରିୟତା ଯୋଗୁ ରାଜ୍ୟରେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆଇନର ଶାସନ ପ୍ରତିଷ୍ଠା କରିବାକୁ ସିପିଆଇଏମ୍ ଦାବି କରିଛି ।
ସେହିପରି ନାଟ୍ୟକାର ହର ବାରିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାବୁ ସିଂ ଶସ୍ତା ଲୋକପ୍ରିୟତା ପାଇଁ ଏଭଳି ଠେଙ୍ଗା ବାହିନୀ କଥା କହୁଛନ୍ତି । ରାଜ୍ୟରେ ଅଶ୍ଲୀଳତା ବନ୍ଦ ପାଇଁ ଆଇନ ଅଛି । ତାକୁ କଡ଼ାକଡ଼ି ପାଳନ କରାଯାଉ । ବିଏମସି ପକ୍ଷରୁ ତ ଅଶ୍ଲୀଳତା ବନ୍ଦ ନିମନ୍ତେ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଓ ଯାତ୍ରା ନିମନ୍ତେ ଅନୁମତି ଦେବାବେଳେ ସେସବୁ ସର୍ତ୍ତାବଳୀ ମଧ୍ୟ ରହିଛି । ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ସରକାର ତୁରନ୍ତ ଯାତ୍ରା ପାଇଁ ବିଧିବ୍ୟବସ୍ଥା କରିବାର ଆବଶ୍ୟକତା ଅଛି । ଗତବର୍ଷ ମଧ୍ୟ ଖଣ୍ଡଗିରିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯାଇନଥିଲା । ତେଣୁ ନିଜକୁ ଚର୍ଚ୍ଚାରେ ରଖିବାକୁ ବାବୁ ସିଂଙ୍କ ଏହା ପ୍ରୟାସ ବୋଲି ଶ୍ରୀ ବାରିକ କହିଛନ୍ତି ।
ଅନ୍ୟପକ୍ଷରେ ବିଧାୟକ ବାବୁ ସିଂ ମଙ୍ଗଳବାର ମଧ୍ୟ ନିଜର ଠେଙ୍ଗା ବାହିନୀ ଗଠନ ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ଜନପ୍ରତିନିଧି ହେବା ପୂର୍ବରୁ ସେ ଏହି ମାଟିର ପୁଅ । ନିଜ ପରିବାର ସହ ବସି ଅଶ୍ଲୀଳତା ଦେଖିବାକୁ କିଭଳି ସେ ବରଦାସ୍ତ କରିବେ । ସରକାର କଠୋର ଆଇନ ଆଣିବାକୁ ଯାଉଛନ୍ତି । କିନ୍ତୁ ତା’ପୂର୍ବରୁ ନଗ୍ନତା, ଅଶ୍ଲୀଳତା ବନ୍ଦ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିରେ ଆଇନ ଶୃଙ୍ଖଳାର ପ୍ରଶ୍ନ ଉଠୁନାହିଁ । କିଛି ଲୋକ ସୋସିଆଲ ମିଡିଆରେ ଆମେ ନିଶ୍ଚିତ ଅଶ୍ଲୀଳ ନାଚିବୁ କିଏ ଆମକୁ ରୋକିପାରିବ ଦେଖିବା ଭଳି ବୟାନ ଦେଉଛନ୍ତି । ସେମାନଙ୍କୁ ସତର୍କ କରାଇ ଦେବାକୁ ଏପ୍ରକାରର ଦ୍ୱିତୀୟ ଚିନ୍ତା କରାଯାଇଛି । ପୁଲିସ ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ଆମେ ଯାତ୍ରାକୁ ବିରୋଧ କରୁନାହୁଁ କି ରେକର୍ଡ ଡ୍ୟାନ୍ସକୁ ବିରୋଧ କରୁନୁ । ଖଣ୍ଡଗିରି ଯାତ୍ରା କଳାକାର, ଅପେରା ପାର୍ଟିକୁ ସ୍ୱାଗତ କରୁଛୁ । ଅଶ୍ଲୀଳତା ଓ ନଗ୍ନତାରୁ ଦୂରେଇ ରହିବାକୁ ନିବେଦନ କରିଛୁ ବୋଲି ଶ୍ରୀ ସିଂ କହିଛନ୍ତି ।
ଶ୍ରୀ ସିଂଙ୍କୁ ସମର୍ଥନ କରି ବିଶିଷ୍ଟ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି ଯେ, ଆଇନ ଅଛି କିନ୍ତୁ କାର୍ଯ୍ୟକାରୀ ହେଉନି । ଅଶ୍ଲୀଳତା ଓ ନଗ୍ନତାକୁ ବିରୋଧ କରି ପାଇଁ ଯଦି ଏଭଳି ଠେଙ୍ଗାବାହିନୀର ଆବଶ୍ୟକତା ଅଛି ସେଥିରେ ଅସୁବିଧା ରହିଲା କେଉଁଠି । ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଚାଲିଥିଲା । ଯୋଗୀ ସରକାର ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନେଲେ, ସବୁ ଠିକ୍ ହୋଇଗଲା । ତେଣୁ ସବୁ ଆଇନ ଉପରେ ଛାଡ଼ିଦେଲେ ହେବନି । ସମସ୍ତଙ୍କର ଦାୟିତ୍ୱ ସଂସ୍କୃତିକୁ ରକ୍ଷା କରିବା ଓ ଯେଉଁମାନେ ଅପସଂସ୍କୃତି କରୁଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦେବା ବୋଲି ଶ୍ରୀ ରଥ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
