Advertisment

ନବୀନଙ୍କର କ’ଣ ହୋଇଛି: ଭେଟିବାର ସୁଯୋଗ ପାଇଲେନି ଦଳୀୟ ନେତା, ପାଣ୍ଡିଆନଙ୍କ ଭିଡ଼ିଓ କଲରେ ହେଲେ ସନ୍ତୁଷ୍ଟ

ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ବିରୋଧୀ ଦଳ ସଦସ୍ୟ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୮ତାରିଖରେ ନିଜର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବୋଲି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ,ବିଶିଷ୍ଟ ନେତାମାନେ ଓ ବିଭିନ୍ନ ବର୍ଗର ଲୋକେ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ ।

ଅଦ୍ୟତନ ହୋଇଛି
Naveen With Pandian

Naveen and Pandian

Advertisment

ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ହସ୍ପିଟାଲରେ ନିଜର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗରୁ ବଂଚିତ ହେଲେ ବିଜେଡି ନେତାମାନେ । ଗତ ୩ଦିନ ଧରି ଡେରା ପକାଇବା ସତ୍ତ୍ୱେ କିଏ ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କୁ ଭେଟି ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି ତ ଆଉ କେହି ହସ୍ପିଟାଲର ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସହ ଫଟୋ ଉଠାଇଛନ୍ତି । ଆଉ କେହି ହସ୍ପିଟାଲ ପରିସରରେ ଗ୍ରୁପ ଫଟୋ ଉଠାଇ ମୁମ୍ବାଇ ଯାଇଥିବାର ପ୍ରମାଣ ଦେଇଛନ୍ତି । ମାତ୍ର ଜଣେ ବି ବିଜେଡି ନେତା ହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରିବାର ସୁଯୋଗ ପାଇପାରିନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଅବଶ୍ୟ ୨-୩ଦିନର କସରତ ପରେ ଆଇସିୟୁରେ ଥିବା ନବୀନଙ୍କୁ ଭେଟିବାକୁ ମୁମ୍ବାଇ ଯାଇଥିବା ଦଳୀୟ ନେତାମାନେ ବୁଧବାର ମଧ୍ୟାହ୍ନରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମୋବାଇଲ୍ ଫୋନରୁ ଏକ ଭିଡିଓ କଲ୍ ମାଧ୍ୟମରେ ନବୀନଙ୍କ ଝଲକ ଦେଖି ମନକୁ ବୁଝାଇଛନ୍ତି, ଆଉ ନିଜର ପ୍ରାୟୋଜିତ ଗଣମାଧ୍ୟମ ସଂସ୍ଥା ଜରିଆରେ ଦଳୀୟ ନେତାମାନେ ନବୀନଙ୍କୁ ପ୍ରତ୍ୟକ୍ଷ ଭେଟିଥିବାକୁ ନେଇ ଆଈମା ଗପ କହିବା ଭଳି ବୟାନ ଦେବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳୀୟ ନେତାମାନଙ୍କର ଏଭଳି ବାହାସ୍ଫୋଟ ପରେ ପ୍ରକୃତରେ ନବୀନଙ୍କ ଶରୀରରେ କେଉଁଧରଣର ଅସ୍ତ୍ରୋପଚାର ହୋଇଛି ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ କିଭଳି ରହିଛି ତାକୁ ନେଇ ଆଶଙ୍କା ଓ ସୋସିଆଲ ମିଡିଆରେ ନାନାଦି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Advertisment

ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ କାହିଁକି ଆସୁନି ନିୟମିତ ବୁଲେଟିନ୍‌

ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ବିରୋଧୀ ଦଳ ସଦସ୍ୟ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୮ତାରିଖରେ ନିଜର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବୋଲି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ,ବିଶିଷ୍ଟ ନେତାମାନେ ଓ ବିଭିନ୍ନ ବର୍ଗର ଲୋକେ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ । ନବୀନଙ୍କ ସୂଚନା ମୁତାବକ ୨୨ତାରିଖରେ ମୁମ୍ବାଇସ୍ଥିତ କୋକିଳାବେନ୍ ହସ୍ପିଟାଲରେ ତାଙ୍କର ‘ସର୍ଭିକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର’ ହୋଇଥିଲା । ଏହି ଅସ୍ତ୍ରୋପଚାର ପରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ତଥା ବିଶିଷ୍ଟ ହୃଦରୋଗ ସର୍ଜନ ରମାକାନ୍ତ ପଣ୍ଡା ମଧ୍ୟ ନବୀନଙ୍କର ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ହୋଇଥିବା ଓ ସେ ସୁସ୍ଥ ଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୨୩ତାରିଖରେ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଏକ ୩୬ସେକେଣ୍ଡର ଭିଡ଼ିଓ ବାର୍ତ୍ତା ଦେଇ ନବୀନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଓ ବାଥରୁମ୍ ପର୍ଯ୍ୟନ୍ତ ଚଲାବୁଲା କରୁଥିବାର ସୂଚନା ଦେଇଥିଲେ । ମାତ୍ର ବିଗତ ୨ଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ କୌଣସି ସୂଚନା ସାର୍ବଜନୀନ କରାଯାଉ ନାହିଁ । ଏପରିକି ତାଙ୍କ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରେସ୍ ରିଲିଜ୍ କିମ୍ବା ବୟାନ ଗଣମାଧ୍ୟମକୁ ଦିଆଯାଉନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ନବୀନଙ୍କ ଭଳି ଜଣେ ଭିଭିଆଇପିଙ୍କ ଚିକିତ୍ସା ସଂକ୍ରାନ୍ତରେ କୌଣସି ବୁଲେଟିନ୍ ଜାରି କରୁନାହାନ୍ତି। ନିଜର ପ୍ରିୟନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ନିୟମିତ ବ୍ୟବଧାନରେ ଜାଣିବାକୁ ରାଜ୍ୟବାସୀ ଚାହିଁ ରହିଥିବାବେଳେ ବିଜେଡି କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ନିରବ ରହିଛନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ କଲରେ ସନ୍ତୁଷ୍ଟ ହେଲେ ବିଜେଡି ନେତା

୨୨ତାରିଖରେ ନବୀନଙ୍କ ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ଦଳର ତଥାକଥିତ ଦୁଇନମ୍ବର ନେତା(ନବୀନଙ୍କ ଅନୁପସ୍ଥିତିରେ ସାଂଗଠନିକ ମୁଖ୍ୟ) ଦେବୀପ୍ରସାଦ ମିଶ୍ର ନିଜର ଏକ ଟିମ୍ ସହ ୨୩ତାରିଖରେ ମୁମ୍ବାଇ ଗସ୍ତ କରିଥିଲେ । ମାତ୍ର ଦୁଇଦିନ ଧରି ସେ ମୁମ୍ବାଇରେ ଡେରା ପକାଇବା ପରେ ତାଙ୍କୁ ନବୀନଙ୍କୁ ଭେଟିବାର ସୁଯୋଗ ମିଳିପାରିନଥିଲା । ଶେଷରେ ଦଳର ‘ଯୁବ ଓ ଛାତ୍ର ସଂଗଠନ ଦ୍ୱାରା ୨୫ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ’ କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ସେ ୨୪ତାରିଖ ରାତିରେ ଭୁବନେଶ୍ୱର ଫେରି ଆସିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

Advertisment

ସେହିପରି ଦଳୀୟ ବିଧାୟକ ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ନବୀନଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ ମଧ୍ୟ ୨୪ତାରିଖରେ ନବୀନଙ୍କ ବଦଳରେ ତାଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କୁ ଭେଟି ସନ୍ତୁଷ୍ଟ ହୋଇଥିଲେ ।

ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ(ବବି),ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ସଞ୍ଜିବ ମଲ୍ଲିକ, ବିଶ୍ୱରଞ୍ଜନ ମଲ୍ଲିକ, ପ୍ରଣବ ବଳନ୍ତରାୟ ପ୍ରମୁଖ ୨୪ତାରିଖ ପୂର୍ବାହ୍ନରେ ନବୀନଙ୍କୁ ଭେଟିବାକୁ ମୁମ୍ବାଇ ଗସ୍ତରେ ଯାଇଥିଲେ । ସନ୍ଧ୍ୟାରେ ଆଉ କିଛି ଦଳୀୟ ନେତା ମଧ୍ୟ ମୁମ୍ବାଇ ଯାଇଥିଲେ । କିନ୍ତୁ ନବୀନଙ୍କୁ କେହି ଭେଟିବାର ସୁଯୋଗ ପାଇଲେ ନାହିଁ । ହସ୍ପିଟାଲ ପରିସରରେ ମାତ୍ର କିଛି ସେକେଣ୍ଡର ଭିଡିଓ କଲରେ ନବୀନଙ୍କ ଝଲକ ଦଳୀୟ ନେତାମାନେ ଦେଖିଲେ । ଆଉ ନବୀନ ମଧ୍ୟ ନିଜେ ଫିଟ୍ ଥିବା କହି ଭିଡିଓ କଲ୍ ଡିସକନେକ୍ଟ କଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସବୁଠୁ ବଡ଼କଥା ହେଲା, ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ଦଳୀୟ ନେତାମାନଙ୍କ ସହ ରହି ଏହି ଭିଡିଓ କଲ୍ କରିଥିଲେ । ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ସେହିସମୟରେ ଦଳୀୟ ନେତାମାନଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ତେବେ କାହା ଫୋନକୁ ପାଣ୍ଡିଆନ ଭିଡିଓ କଲ୍ କରି ନବୀନଙ୍କ ଝଲକ ଦଳୀୟ ନେତାମାନଙ୍କୁ ଦେଖାଇଥିଲେ ତାହା ଜଣାପଡ଼ିନି । ତେବେ ପ୍ରଶ୍ନ ଉଠୁଛି,

ଯଦି ଦଳୀୟ ନେତାମାନେ ଭିଡିଓ କଲରେ ନବୀନଙ୍କୁ ଦେଖିବାର ଥିଲା, ତାହା କ’ଣ ଭୁବନେଶ୍ୱରରେ ରହି ସମ୍ଭବପର ହୋଇପାରିନଥାନ୍ତା କି ବୋଲି ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଦଳୀୟ ନେତାଙ୍କ ବୟାନବାଜି: କାହାକୁ ବୁଝାଉଛନ୍ତି

ମୁମ୍ବାଇ ଯାଇଥିବା ବିଜେଡିର ୨ଡଜନରୁ ଅଧିକ ଆଗଧାଡ଼ିର ନେତାମାନେ ବିଗତ ୩ଦିନ ଧରି ସବୁପ୍ରକାରର ପ୍ରୟାସ କରି ମଧ୍ୟ ନବୀନଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟିବାର ସୁଯୋଗ ପାଇପାରିନାହାନ୍ତି । ଆଜି ଭିଡିଓ କଲରେ ନବୀନଙ୍କ ଝଲକ ଦେଖିବା ପରେ ନିଜର ଦଳୀୟ ପ୍ରାୟୋଜିତ ମିଡିଆରେ ଯେଉଁ ବୟାନବାଜି କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳର ଏହି ବରିଷ୍ଠ ନେତାମାନେ ନିଜେ ନିଜ ମନକୁ ବୁଝାଉଛନ୍ତି ନା ନବୀନଙ୍କ ସମ୍ପର୍କରେ ଏଭଳି ବୟାନ ଦେବା ପାଇଁ କେହି ହୁଇପ୍ ଜାରି କରିଛନ୍ତି ତାହା ମଧ୍ୟ ଅସ୍ପଷ୍ଟ । ଦଳୀୟ ନେତାମାନେ ଯଦି ଭିଡିଓ କଲରେ ନବୀନଙ୍କୁ ଦେଖିବାର ଥିଲା ତା’ହେଲେ ୩ଦିନ ଧରି କାହିଁକି ସେଠାରେ ଡେରା ପକାଇଛନ୍ତି ତାହା ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳର ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ  ପ୍ରମୁଖ ମୁମ୍ବାଇରେ ଗଣମାଧ୍ୟମକୁ ବୟାନ ଦେଇ ସେମାନେ ନବୀନବାବୁଙ୍କୁ ଭେଟିଲେ ଓ ସେ ସୁସ୍ଥ ଅଛନ୍ତି ଓ ଖୁବଶୀଘ୍ର ଓଡ଼ିଶା ଫେରିବେ ବୋଲି କହିବା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନଙ୍କ ଚିକିତ୍ସା ସମେତ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ବିଜେଡିର ଅଘୋଷିତ ସର୍ବେସର୍ବା ନିଜେ ମୁମ୍ବାଇରେ ରହି ସବୁକିଛି ତଦାରଖ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ସହମତି ଆଣିବା ଦିଗରେ କାର୍ଯ୍ୟ କରୁଥିବା ମଧ୍ୟ ଜଣାପଡ଼ିଛି ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe