ୟୁନିୟନ ପବ୍ଲିକ ସିର୍ଭସ କମିଶନ(ୟୁପିଏସ୍ସି) ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଦକ୍ଷ ଓ ଅନୁପ୍ରାଣିତ ଭାରତୀୟ ନାଗରିକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ପ୍ରଶାସନିକ ପଦପବଦୀରେ ଲାଟେରାଲ ନିଯୁକ୍ତି ପାଇଁ ଦରଖାସ୍ତ ଦେଇ ପାରିବେ। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପ ସଚିବ ଭାବେ ୨୪ଟି ମନ୍ତ୍ରଣାଳୟରେ ସେମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟାରେ ନିଯୁକ୍ତି ମିଳିବ। ଏନେଇ ୪୫ଟି ପଦ ଖାଲି ରହିଛି।
ତେବେ ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀ ପ୍ରସଙ୍ଗ ବିତର୍କର କାରଣ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ କାଉଣ୍ଟର କରିଛନ୍ତି। କଂଗ୍ରେସ ଶାସନ ସମୟରୁ ଏପରି ଲାଟେରାଲ ଏଣ୍ଟ୍ରୀ ଧାରା ଆରମ୍ଭ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀର ଅର୍ଥ ପାରମ୍ପାରିକ ସରକାରୀ ସେବା କ୍ୟାଡର ବାହାରୁ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା। ଆଇଏଏସ୍ ହୋଇ ନଥିଲେ ମଧ୍ୟ ସରକାରୀ ବିଭାଗର ବିଭିନ୍ନ ବରିଷ୍ଠ ପଦପଦବୀରେ ନିଯୁକ୍ତି ମିଳିପାରିବ। ଏହାକୁ ଲାଟେରାଲ ଏଣ୍ଟ୍ରୀ କୁହାଯାଏ।
Lateral entry is an attack on Dalits, OBCs and Adivasis.
— Rahul Gandhi (@RahulGandhi) August 19, 2024
BJP’s distorted version of Ram Rajya seeks to destroy the Constitution and snatch reservations from Bahujans.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରୁ ବିଧିବଦ୍ଧ ଭାବେ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୮ରେ ପ୍ରଥମ ଦଫାରେ ଖାଲି ପଡ଼ିଥିବା ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ବିଭିନ୍ନ ବିଭାଗରେ କ୍ୟାଡର ଅଫିସର ପୂରଣ ହୋଇଗଲା ପରେ ବଳି ପଡ଼ୁଥିବା ଅତିରିକ୍ତ ପଦବୀରେ ଲାଟେରାଲ ଏଣ୍ଟ୍ରୀରେ ନିଯୁକ୍ତି ମିଳେ।
ଲାଟେରାଲ ପ୍ରକ୍ରିୟାରେ ନିଯୁକ୍ତି ପାଉଥିବା ବ୍ୟକ୍ତିବିଶେଷଙ୍କ ସହ ୩ରୁ ୫ ବର୍ଷ ପାଇଁ ଚୁକ୍ତି ହୋଇଥାଏ। ଏହାପରେ ସରକାରଙ୍କ ଆବଶ୍ୟକତା ଓ କାର୍ଯ୍ୟ ଦକ୍ଷତା ଆଧାରରେ ଏହାକୁ ବୃଦ୍ଧି କରାଯାଏ। ସାଧାରଣତଃ ଅଭିଜ୍ଞତା ରଖିଥିବା ଲୋକଙ୍କୁ ନିଯୁକ୍ତି ମିଳିଥାଏ।
ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀ ବ୍ୟବସ୍ଥା ନୂଆ କଥା ନୁହେଁ। ସରକାରୀ ସୂତ୍ର ଅନୁସାରେ, ଏହି ପ୍ରକ୍ରିୟା ଅନୌପଚାରିକ ଭାବେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆରମ୍ଭ କରିଥିଲା। ୨୦୦୫ରେ ୟୁପିଏ ସରକରୀ ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମିଶନ(ଏଆରସି) ଗଠନ କରିଥିଲା। ଏହାର ଅଧ୍ୟକ୍ଷ ବୀରାପ୍ପା ମୋଇଲୀ ଥିଲେ। ଭାରତୀୟ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ପ୍ରସ୍ତାବ ଦେବା ପାଇଁ ଏହି କମିଟି ଗଠନ କରାଯାଇଥିଲା।
ଦ୍ୱିତୀୟ ଏଆରସି ଲାଟେରାଲ ଏଣ୍ଟ୍ରୀ ସପକ୍ଷରେ ମତ ରଖିଥିଲା। କିଛି ସରକାରୀ କାମ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦକ୍ଷତା ରହିଥିବା ବ୍ୟକ୍ତିବିଶେଷ ଆବଶ୍ୟକ। ଯାହା ସିଭିଲ ସର୍ଭିସରେ ଥିବା କ୍ୟାଡରମାନଙ୍କ ପାଖରେ ନଥାଏ। ଏହି ସ୍ଥାନକୁ ପୂରଣ କରିବା ପାଇଁ ଏଆରସି ଘରୋଇ କ୍ଷେତ୍ର, ଏକାଡେମୀ ଓ ପିଏସ୍ୟୁରୁ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ମାଧ୍ୟମରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ରଖିଥିଲା।
ତେବେ ୟୁପିଏସ୍ସିର ବିଜ୍ଞପ୍ତି ପରେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଆରଏସଏସ ପ୍ରତି ବିଶ୍ୱସ୍ତ ହୋଇଥିବା ଅଫିସରମାନଙ୍କୁ ପଛ ଦୂଆରରେ ଏଣ୍ଟ୍ରୀ କରାଇବା ପାଇଁ ଏହା ମୋଦି ସରକାରଙ୍କ ଚାଲ। ୟୁପିଏସ୍ସିକୁ ସାଇଡ୍ କରିବା ପାଇଁ ଲାଟେରାଲ ଏଣ୍ଟ୍ରୀକୁ ବ୍ୟବହାର କରାଯାଉଛି।
ଏସ୍ସି, ଏସ୍ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ସଂରକ୍ଷଣ ନ ଦେବାକୁ ଏପରି ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଓ ଲୋକଙ୍କୁ ସରକାରୀ ଚାକିରିରୁ ବାହାରେ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।
Lateral entry
— Ashwini Vaishnaw (@AshwiniVaishnaw) August 18, 2024
INC hypocrisy is evident on lateral entry matter. It was the UPA government which developed the concept of lateral entry.
The second Admin Reforms Commission (ARC) was established in 2005 under UPA government. Shri Veerappa Moily chaired it.
UPA period ARC…
ତେବେ ବିଜେପି ଏହାକୁ କାଉଣ୍ଟ କରି ଲାଟେରାଲ ଏଣ୍ଟ୍ରୀ ବ୍ୟବସ୍ଥା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ହୋଇଥିଲା ବୋଲି କହିଛି। ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କଂଗ୍ରେସ ନେତା ବୀରାପ୍ପା ମୋଇଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଏଆରସି ହିଁ ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ହେଉଥିବା ଲାଟେରାଲ ଏଣ୍ଟ୍ରୀରେ ସଂପୂର୍ଣ୍ଣ ସ୍ୱଚ୍ଛତା ରହିଛି ଓ ଏହାକୁ ୟୁପିଏସସି ପରିଚାଳନା କରୁଛି। ଏହି ପ୍ରକ୍ରିୟା ଦ୍ୱାରା ଦକ୍ଷ ଓ ବିଶେଷଜ୍ଞମାନେ ସରକାରଙ୍କ ଉତ୍ତମ ନୀତି ପ୍ରଣୟନରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି।