ଜିଲ୍ଲାପାଳଙ୍କ ସହ ବିଜେଡି ନେତାଙ୍କ ବୈଠକର ଉଦ୍ଦେଶ୍ୟ କ’ଣ? ବିଧାୟକ ହିମାଂଶୁ

ଜିଲ୍ଲାପାଳ ଓ ଏସପିଙ୍କ ସହ ବିଜେଡିର ନେତାମାନଙ୍କ ବୈଠକର ଉଦ୍ଦେଶ୍ୟ କ'ଣ ବୋଲି ହିମାଂଶୁ ପଚାରିଛନ୍ତି।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ

  • Published: Wednesday, 24 July 2024
  • , Updated: 24 July 2024, 10:54 PM IST

ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଜିଲ୍ଲାପାଳ ଓ ଏସପିଙ୍କ ସହ ବିଜେଡିର ନେତାମାନଙ୍କ ବୈଠକର ଉଦ୍ଦେଶ୍ୟ କଣ ବୋଲି ହିମାଂଶୁ ପଚାରିଛନ୍ତି।

ହିମାଂଶୁ ଅଭିଯୋଗ କରିଛନ୍ତି, ଜିଲ୍ଲାରେ ହୋଇଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା। ତେଣୁ ବିନା ଅଡିଟରେ କୌଣସି କାମର ବିଲ୍ ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ କୌଣସି ବିଲକୁ ଅନୁମୋଦନ କରି ନ ଥିଲେ। ଯାହାକୁ ନେଇ ବିଜେଡି ବିଧାୟକ ଓ ନେତାମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ସେ ଅଭିଯୋଗ କରିଥିଲେ। ବୈଠକରେ ବିଜେଡି ସହ ସମ୍ପୃକ୍ତ ଠିକାଦାରମାନେ ସାମିଲ ହୋଇଥିବା କହିଛନ୍ତି ବିଧାୟକ।

ଗତ ୧୯ ତାରିଖରେ ଯାଜପୁର ସର୍କିଟ ହାଉସରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବୈଠକ ବସିଥିଲା। ଏଥିରେ ଯାଜପୁର ବିଧାୟକ ସୁଜାତା ସାହୁ, ବିଝାଂରପୁର ବିଧାୟିକା ପ୍ରମିଳ ମଲ୍ଲିକ, ବରୀ ବିଧାୟକ ବିଶ୍ୱ ମଲ୍ଲିକ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହ ବ୍ଲକସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ଜିଲ୍ଲା ପ୍ରଶାସନ ନିରପେକ୍ଷ ଭାବେ କାମ କରିବାକୁ ଏହି ବୈଠକ କରିଥିଲୁ। ସେପଟେ ଏ ନେଇ ନେଇ ଯାଜପୁର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story