Advertisment

ବିଜେପିର ଦିଲ୍ଲୀ ବିଜୟ ପରେ କ’ଣ କହିଲେ ବୈଜୟନ୍ତ, ଦେଖନ୍ତୁ ଭିଡିଓ

ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୩୬ ହୋଇଥିବା ବେଳେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ବିଜେପିକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଦଳ। ୭୦ଟି ବିଧାନସଭା ଆସନରୁ ୪୮ଟିରେ ଜିତିଛି ଦଳ। ଏହି ସଫଳତାକୁ ନେଇ ବିଜେପିର ସମସ୍ତ ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଦଳର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଖୁସି ଜାହିର କରିଛନ୍ତି।

Advertisment

ବୈଜୟନ୍ତ କହିଛନ୍ତି, ସଂକଳ୍ପ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିରୁ ବେଶୀ ସୁଫଳ ମିଳିଲା। ଗୃହ ମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ମାର୍ଗଦର୍ଶନ ପ୍ରସ୍ତୁତ କରିଥିଲେ। ଆମର ଲକ୍ଷ ଲକ୍ଷ କର୍ମକର୍ତ୍ତା ଅକ୍ଳାନ୍ତ ପରିଶ୍ରମ କରିଥିଲେ। ୧୨ ବର୍ଷ ଧରି ଚାଲିଥିବା ଭ୍ରଷ୍ଟାଚାରକୁ ବଦଳାଇବାକୁ ଚାହୁଁଥିଲେ ଲୋକେ। ସେ (ଅରବିନ୍ଦ କେଜ୍ରିୱାଲ) ପିଲାଙ୍କ ରାଣ ନେଇଥିଲେ, କିନ୍ତୁ ୪ଟି କ୍ୱାର୍ଟର୍ସ ଭାଙ୍ଗି ଶୀଶ ମହଲ କରିଥିଲେ। ୧୦ ବର୍ଷ ହେଲା କିଛି ହୋଇନି, କେବଳ ଦୁର୍ନୀତି ଚାଲିଥିଲା। ଲୋକେ ଦୁର୍ନୀତିଗ୍ରସ୍ତଙ୍କୁ ବଦଳାଇବାକୁ ମନ ସ୍ଥିର କରି ସାରିଥିଲେ। କେନ୍ଦ୍ର ସହ ଲଢ଼େଇ ପାଇଁ ନୁହେଁ, ବିକାଶ ପାଇଁ ଜନାଦେଶ ହୋଇଛି। ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର କରିବ। ଏହା ଏକ ଐତିହାସିକ ବିଜୟ।

ଅନ୍ୟପକ୍ଷରେ ଏହି ବିଜୟ ପାଇଁ ବୈଜୟନ୍ତ ପଣ୍ଡା ମଧ୍ୟ ଧନ୍ୟବାଦର ପ୍ରକ୍ରିୟା ବୋଲି କହିଛନ୍ତି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବୈଜୟନ୍ତ ପଣ୍ଡା ଦଳର ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରିଚାଳନାକୁ ସେ ବେଶ୍‌ ସୁଚାରୁ ରୂପେ କରି ପାରିଛନ୍ତି। ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି।

Advertisment

ଦିଲ୍ଲୀ ବିଧାନସଭା ପାଇଁ ଗତ ୫ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିଲା। ଆଜି ଭୋଟ୍ ଗଣତି ହୋଇଥିବା ବେଳେ ବିଜେପି ବିଜୟୀ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ୩୬ ଥିବା ବେଳେ ବିଜେପି ୪୮ଟି ଆସନ ଜିତି ପୂରା ଦୃଢ଼ ସ୍ଥିତିରେ ନିଜକୁ ରଖିଛି। ଆପ୍ ୨୨ଟି ଆସନ ଜିତିଛି। ଅନ୍ୟପକ୍ଷରେ ଗତ ଥର ଭଳି କଂଗ୍ରେସକୁ ଏଥର ମଧ୍ୟ ନିରାଶ ହେବାକୁ ପଡ଼ିଛି। ଦଳ ଗୋଟିଏ ବି ଆସନ ଜିତିପାରି ନାହିଁ। ୨୦୨୦ରେ ଆପ୍ ୬୨ଟି ଆସନ ଜିତିଥିବା ବେଳେ ବିଜେପି ୮ଟି ଆସନ ଜିତିଥିଲା।

Baijayanta Panda Baijayant Jay Panda Delhi Assembly Election