Jagdeep Dhankhar
ସମସ୍ତଙ୍କୁ ଚକିତ କରି ସୋମବାର ରାତି ୯.୨୫ରେ ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିଲେ। ସେ ସ୍ୱାସ୍ଥ୍ୟଗତ କାରଣରୁ ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଉପ ରାଷ୍ଟ୍ରପତି ପଦ ଛାଡ଼ୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ବାସ୍ତବରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ନା ଆଉ କିଛି ଅଦୃଶ୍ୟ କାରଣ ପାଇଁ ଜଗଦୀପ ଧନଖଡ଼ ଏପରି ପଦକ୍ଷେପ ନେଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
କୁହାଯାଉଛି ଯେ କେନ୍ଦ୍ର ସହ ତିକ୍ତତା କାରଣରୁ ଧନଖଡ଼ ରାଗରେ ଉପ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି। ସୋମବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବିରୋଧୀମାନେ ମିଳିତ ଭାବେ ଜଣେ ବିଚାରପତିଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ନିକଟରେ ଉକ୍ତ ବିଚାରପତିଙ୍କ ଘରୁ ପୁଳାପୁଳା ନଗଦ ଟଙ୍କା ଜବତ ହୋଇଥିଲା। ବିରୋଧୀଙ୍କ ଏହି ପ୍ରସ୍ତାବକୁ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଧନଖଡ଼ ଗ୍ରହଣ କରି ନେଇଥିଲେ। ଏହାପରେ ଘଟିଥିବା ଘଟଣା କାରଣରୁ ସେ ରାତି ସମୟରେ ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।
ଉପ ରାଷ୍ଟ୍ରପତିଙ୍କ ଅପ୍ରତ୍ୟାଶିତ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦ୍ର ପକ୍ଷରୁ ଆସିଥିବା ଗୋଟିଏ ଫୋନ କଲ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଏହି ଫୋନ କଲ ପରେ ଧନଖଡ଼ଙ୍କ ପାଖରେ ଇସ୍ତଫା ଛଡ଼ା ଆଉ କୌଣସି ବିକଳ୍ପ ନଥିଲା। ସୂତ୍ରରେ ଏହା ମଧ୍ୟ ସଙ୍କେତ ମିଳିଛି ଯେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ତାଙ୍କୁ ସରକାର ସମର୍ଥିତ ଅନାସ୍ଥା ପ୍ରସ୍ତାବ ଅପମାନରୁ ମଧ୍ୟ ବଞ୍ଚାଇ ଦେଇଛି। ଏହି କାରଣ ପାଇଁ ସ୍ୱାସ୍ଥ୍ୟକୁ ଆଳ ଦେଖାଇ ପଦ ଛାଡ଼ୁଥିବା ସେ କହିଛନ୍ତି।
ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ମିଳିଥିବାରୁ ତାଙ୍କୁ ବହିଷ୍କାର କରିବାକୁ ବିରୋଧୀ ଚାହୁଁଛନ୍ତି। ସୋମବାର ରାଜ୍ୟସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଏନେଇ ଗୋଟିଏ ନୋଟିସ ଆଗତ କରିଥିଲେ। ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଧନଖଡ଼ ଏହାକୁ ଗ୍ରହଣ କରିବା ସହ ଗୃହର ସେକ୍ରେଟାରୀ ଜେନେରାଲଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
ହେଲେ ଧନଖଡ଼ଙ୍କ ଏପରି ପଦକ୍ଷେପକୁ କେନ୍ଦ୍ର ସରକାର ସହଜରେ ଗ୍ରହଣ କରି ନଥିଲେ। ଉପ ରାଷ୍ଟ୍ରପତି ଯେହେତୁ ବିରୋଧୀ ସମର୍ଥିତ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି, ତେଣୁ ସେମାନେ କେନ୍ଦ୍ରକୁ ନ୍ୟାୟପାଳିକାରେ ଚାଲିଥିବା ଦୁର୍ନୀତିକୁ ପ୍ରସଙ୍ଗରେ ଘେରିବାକୁ ସୁଯୋଗ ପାଇ ଯାଇଛନ୍ତି। ବିରୋଧୀଙ୍କ ନୋଟିସକୁ ଗ୍ରହଣ କରିଥିବାରୁ ଉପ ରାଷ୍ଟ୍ରପତିଙ୍କୁ କେନ୍ଦ୍ର ପକ୍ଷରୁ ଫୋନ କରାଯାଇଥିଲା ଓ ତାଙ୍କ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ଧନଖଡ଼ ଏଥିରେ ଆଦୌ ବିଚଳିତ ହୋଇ ନଥିଲେ ଓ କଡ଼ା ଜବାବ ଦେଇଥିଲେ। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ମଧ୍ୟରେ ଉପ ରାଷ୍ଟ୍ରପତି ଧନଖଡ଼ ନିଜ ଅଫିସ ଓ ପଦର କ୍ଷମତା ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ଜଣାଇ ନେଇଥିଲେ।
ଧନଖଡ଼ଙ୍କ ଏପରି ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ପୂରା ରାଗି ଯାଇଥିଲେ। ଏଥିପାଇଁ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଚାର କରି ଦେଇଥିଲେ। ଏହାର ୬ ମାସ ପୂର୍ବରୁ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଁ ସରକାରଙ୍କ ଯୋଗୁ ସେ ଆସ୍ଥା ରଖିବାକୁ ସକ୍ଷମ ହୋଇଥିଲେ। ଏବେ ସରକାର ଅନାସ୍ଥା ଆଣିବାକୁ ଚାହୁଁଥିବାରୁ ଭେଟରାନ ରାଜନେତା ଧନଖଡ଼ ଅପମାନିତ ହେବାର ଆଶଙ୍କା ଥିଲା। ସରକାରଙ୍କ ବିରୋଧରେ ଯିବା ବଦଳରେ ଶ୍ରୀ ଧନଖଡ଼ ଇସ୍ତଫା ଦେବାକୁ ଶ୍ରେୟସ୍କର ମନେ କରିଥିଲେ।
ସୋମବାର ରାତି ୯.୨୫ରେ ଉପରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରୁ ଇସ୍ତଫା ସମ୍ପର୍କରେ ଘୋଷଣା କରାଯାଇଥିଲା। ଆଜି ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ଧନଖଡ଼ ରାଜ୍ୟସଭାରେ ଆଜି ବିଦାୟକାଳୀନ ଭାଷଣ ଦେଇ ନାହାନ୍ତି। ସେ ରାଜ୍ୟସଭାର ଅଧ୍ୟକ୍ଷତା କରି ନାହାନ୍ତି କିମ୍ବା ଗୃହକୁ ଆସି ନାହାନ୍ତି।
୭୪ ବର୍ଷୀୟ ଧନଖଡ଼ ମାତ୍ର ୧୦ ଦିନ ତଳେ କହିଥିଲେ ଯେ ସେ ଠିକ ସମୟ ଅର୍ଥାତ ୨୦୨୭ ଅଗଷ୍ଟରେ ଅବସର ନେବେ। ହେଲେ ୧୦ ଦିନ ପରେ ଅପ୍ରତ୍ୟାଶିତ ଢଙ୍ଗରେ ସେ ଇସ୍ତଫା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1753170282.jpg)