Advertisment

Bihar Election: ନୀତୀଶ କୁମାର ‘୨ ଲକ୍ଷ’ ପ୍ରତିଶ୍ରୁତି ପୂରଣ କଲେ ରାଜନୀତି ଛାଡ଼ି ଦେବେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋରଙ୍କ ଦଳ ବିହାରର ୨୪୩ଟି ଆସନରୁ ୨୩୮ଟିରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଦଳ ଗୋଟିଏ ହେଲେ ଆସନରେ ଜିତିବାକୁ ସକ୍ଷମ ହୋଇନାହିଁ।

PK

ପ୍ରଶାନ୍ତ କିଶୋର

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election)ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କି‌ଶୋର ଆଜି ପ୍ରଥମଥର ଗଣମାଧ୍ୟମର ସାମ୍ନା କରିଛନ୍ତି। ବିହାରରେ ସରକାର ବଦଳାଇବାରେ ସେ କିମ୍ବା ତାଙ୍କ ଦଳ ସକ୍ଷମ ହୋଇ ନଥିବାରୁ ସେ ଗୋଟିଏ ଦିନ ମୌନ ଉପବାସ କରିବେ ବୋଲି କହିଛନ୍ତି।

Advertisment

ଏଥିସହ ନିର୍ବାଚନ ପୂର୍ବରୁ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ଦେଇଥିବା ୨ ଲକ୍ଷ ଟଙ୍କାର ଋଣ ପ୍ରତିଶ୍ରୁତି ଯଦି ପୂରଣ କରିବ, ତା’ହେଲେ ପ୍ରଶାନ୍ତ କିଶୋର ରାଜନୀତି ଛାଡ଼ି ଦେବେ ବୋଲି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସାମ୍ନା କରିବା ବେଳେ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ପ୍ରଶାନ୍ତ କିଶୋର ନିଜକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଆମ ପକ୍ଷରୁ ଆମେ ବେଶ ସକାରାତ୍ମକ ଢଙ୍ଗରେ ଉଦ୍ୟମ କରିଥିଲୁ। ଆମେ ସରକାର ବଦଳାଇବାରେ ବିଫଳ ହୋଇଛୁ। ଆମେ ଆମ ପକ୍ଷରୁ ସବୁ କିଛି ଚେଷ୍ଟା କରିଥିଲୁ। କିନ୍ତୁ ଲାଗୁଛି କେଉଁଠି ଗୋଟିଏ ତ୍ରୁଟି ରହିଗଲା। ମୁଁ ସବୁ ଦୋଷ ନିଜ ମୁଣ୍ତକୁ ନେଉଛି। ମୁଁ ଲୋକଙ୍କୁ ବୁଝାଇବାରେ ବିଫଳ ହୋଇଛି। ଆମେ ପରାଜୟର ସମୀକ୍ଷା କରିବୁ। ଆମ ଉଦ୍ୟମରେ ବିଫଳତା ମିଳିଥିବାରୁ ମୁଁ ଦୁଃଖ ପ୍ରକାଶ କରୁଛି। ମୁଁ ଗୋଟିଏ ଦିନ ପୂରା ମୌନ ଉପବାସ କରିବି।”

Advertisment

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋରଙ୍କ ଦଳ ବିହାରର ୨୪୩ଟି ଆସନରୁ ୨୩୮ଟିରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଦଳ ଗୋଟିଏ ହେଲେ ଆସନରେ ଜିତିବାକୁ ସକ୍ଷମ ହୋଇନାହିଁ। ଏନଡିଏ(ବିଜେପି ୮୯ ଓ ଜେଡିୟୁ ୮୫) ୨୦୨ଟି ଆସନ ଜିତିଥିବା ବେଳେ ମହାଗଠବନ୍ଧନ କେବଳ ୩୫ଟି ଆସନ ପାଇଛି। ବାକି ଆସନ ଅନ୍ୟାନ୍ୟ ଦଳଗୁଡ଼ିକ ପାଖକୁ ଯାଇଛି।

ପ୍ରଶାନ୍ତ କିଶୋର କିଶୋର କହିଛନ୍ତି, “ଆମେ ପୂରା ସ୍ୱଚ୍ଛତାର ସହ ଉଦ୍ୟମ କରିଥିଲୁ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ‍ବିଫଳ ହୋଇଛି। ଏହାକୁ ସ୍ୱୀକାର କରିବାରେ କୌଣସି ଭୁଲ ନାହିଁ। ଆମେ ବ୍ୟବସ୍ଥା କ’ଣ , ସରକାରରେ ପରିବର୍ତ୍ତନ କରିପାରି ନାହୁଁ। ହେଲେ ଆମେ ବିହାର ରାଜନୀତିରେ କିଛି ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛୁ। ଆମ ଉଦ୍ୟମରେ ନିଶ୍ଚିତ ଭାବେ କିଛି ତ୍ରୁଟି ରହିଗଲା। ଲୋକମାନେ ଆମକୁ ନିର୍ବାଚିତ କଲେ ନାହିଁ। ଯଦି ଲୋକମାନେ ଆମ ଉପରେ ବିଶ୍ୱାସ ଦେଖାଉ ନାହାନ୍ତି, ତା’ହେଲେ ସେଥିପାଇଁ ମୁଁ ଦାୟୀ।”

ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର(Prashant Kishor) ରାଜନୀତି ଏଯାଏ ଛାଡ଼ି ନଥିବା ସ୍ପଷ୍ଟ କରିଛନ୍ତି। ଯଦି ଜେଡିୟୁ ୨୫ଟି ଆସନ ଜିତିବ, ତା’ହେଲେ ସେ ରାଜନୀତି ଛାଡ଼ି ଦେବେ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ। ଜେଡିୟୁ ୮୫ଟି ଆସନ ଜିତିଥିଲେ ହେଁ ପିକେ ରାଜନୀତି ଛାଡ଼ି ନାହାନ୍ତି। ଏବେ ରାଜନୀତି ଛାଡ଼ିବା ନେଇ ସେ ନୂଆ ସର୍ତ୍ତ ଲାଗୁ କରିଛନ୍ତି।

ନିର୍ବାଚନ ପୂର୍ବରୁ ଶାସକ ଦଳ ପ୍ରତିଶ୍ରୁତି ମୁତାବକ ୧.୫ କୋଟି ମହିଳାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଯଦି ଦେବ, ତା’ହେଲେ ସେ ରାଜନୀତିକୁ ବିନା କୌଣସି ପ୍ରଶ୍ନରେ ଛାଡ଼ି ଦେବେ ବୋଲି ଘୋଷଣା କରିଛନ୍ତି। 

ସେ କହିଛନ୍ତି, “ସମାନ ଶକ୍ତିର ସହ ଆମେ ପୁଣି ଛିଡ଼ା ହେବୁ। ଯେଉଁମାନେ ଭାବୁଛନ୍ତି ଯେ ମୁଁ ବିହାର ଛାଡ଼ିଦେବି, ସେମାନେ ଭୁଲ। ଆପଣ ପରତ୍ୟାଗ ନ କରିବା ଯାଏ ହାରି ନାହାନ୍ତି। ଜେଡିୟୁର ୨୫ ସିଟ ଜିତିବା ନେଇ ମୁଁ ଦେଇଥିବା ବୟାନ ଉପରେ ଲୋକମାନେ ଅନେକ କିଛି କହୁଛନ୍ତି। ଏବେ ବି ମୁଁ ମୋ ବୟାନରେ କାଏମ ରହିଛି। ଯଦି ନୀତୀଶ କୁମାର ପ୍ରତିଶ୍ରୁତି ମୁତାବକ ୧.୫ କୋଟି ମହିଳାଙ୍କୁ ୨ ଲକ୍ଷ ଲେଖାଏ ପଠାଇବେ ଓ ଭୋଟ କିଣି ଜିତି ନାହାନ୍ତି ବୋଲି ପ୍ରମାଣ କରିଦେବେ, ତା’ହେଲେ ମୁଁ ବିନା କୌଣସି ପ୍ରଶ୍ନରେ ରାଜନୀତି ଛାଡ଼ି ଦେବି।” 

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି, “ସ୍ୱାଧୀନ ଭାରତରେ ପ୍ରଥମଥର ବିଶେଷ କରି ବିହାରରେ ଗୋଟିଏ ସରକାର ଲୋକଙ୍କ ପାଇଁ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରତିଶ୍ରୁତି ଦେଇଥିଲା। ଖାସ ଏହି କାରଣ ପାଇଁ ଏନଡିଏ ଏତେ ବଡ଼ ଜନାଦେଶ ପାଇଛି। ଏଠାକାର ଲୋକମାନେ ସେମାନଙ୍କ ଭବିଷ୍ୟତ କିମ୍ବା ପିଲାଙ୍କ ଭବିଷ୍ୟତ ବିକ୍ରି କରିପାରିବେ ନାହିଁ।

ଏହାକୁ ନେଇ ବିତର୍କର ଆବଶ୍ୟକତା ନାହିଁ। କିଛି ଲୋକ ନିର୍ବାଚନ କମିଶନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେସବୁ ସେମାନଙ୍କ ପ୍ରସଙ୍ଗ। କିନ୍ତୁ ପ୍ରତି ନିର୍ବାଚନ ମଣ୍ଡଳୀରେ ୬୦ରୁ ୬୨ ହଜାର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା। ସେମାନଙ୍କୁ ୨ ଲକ୍ଷ ଟଙ୍କାର ଋଣ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏନଡିଏ କ୍ଷମତାକୁ ଆସିଲେ ସେମାନଙ୍କୁ ଋଣ ଟଙ୍କା ମିଳିବ ବୋଲି ସରକାରୀ ଅଧିକାରୀମାନେ ବୁଲିବୁଲି ଲୋକଙ୍କୁ ଜଣାଇଥିଲେ। ଏଥିପାଇଁ ଜୀବିକା ଦିଦିଙ୍କୁ କାମରେ ଲଗା ଯାଇଥିଲା।”

Bihar Election Prashant Kishor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe