Advertisment

ବବିଙ୍କ ମାଆଙ୍କୁ ମିଳିଲା ଟିକେଟ; ଏବେ ସୋଶାଲ ମିଡିଆରେ କ’ଣ ଲେଖିବେ BJD ନେତା?

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବବିଙ୍କ ସପକ୍ଷରେ ବାହାରି ଥିଲେ କିଛି ବରିଷ୍ଠ ଓ ଯୁବ ନେତା। ଆଉ ସୋଶାଲ୍‌ ମିଡ଼ିଆରେ ଲେଖିଥିଲେ ଲମ୍ୱା ପୋଷ୍ଟ। ଯାହାର ଶୀର୍ଷକ ଥିଲା “ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ”।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ପ୍ରାୟ ଦେଢ଼ ମାସ ତଳର କଥା। ଅରିନ୍ଦମ ରାୟ ବିଜେଡି ଛାଡ଼ିବା ପରେ ଦଳର ନେତାମାନେ ସୋଶାଲ୍‌ ମିଡ଼ିଆରେ ଲେଖିଥିଲେ, ...ଗୋଟିଏ ପରିବାର ଗୋଟିଏ ଟିକେଟ... ଉପାଖ୍ୟାନ। ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସପକ୍ଷରେ ଯୁକ୍ତି ବାଢ଼ି ବିଜେଡି ନେତାମାନେ ସୋଶାଲ୍‌ ମିଡିଆରେ ଏପରି ପୋଷ୍ଟ କରିଥିଲେ। ହେଲେ ଆଜି ବଦଳିଗଲା ପୂରା ଚିତ୍ର। ଆଜି ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ପ୍ରଣବଙ୍କ ମାଆ। ଅର୍ଥାତ ବବି ଓ ତାଙ୍କ ମାଆ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ। ଗୋଟିଏ ପରିବାରରୁ ମାଆ ଓ ପୁଅ ନିର୍ବାଚନ ରଣଭୂମିକୁ ଆସିବା ପରେ ଏବେ ସୋଶାଲ ମିଡିଆରେ ବିଜେଡି ନେତାମାନେ କ’ଣ ଲେଖିବେ?

Advertisment

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ ବିଜେଡିଠାରୁ ଦୂରେଇ ଯାଇଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟ। ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶିବା ପରେ ଅରିନ୍ଦମ ବିଜେଡି ବିରୋଧରେ ମନଇଚ୍ଛା ବର୍ଷିଥିଲେ। ଅରିନ୍ଦମଙ୍କ ଆକ୍ରଣାତ୍ମକ ମୁଦ୍ରାରେ ବେକ୍‌ଫୁଟ୍‌ରେ ଥିଲେ ଶାଳକ ପ୍ରଣବ ପ୍ରକାଶ ଦାସ। ସୋଶାଲ୍‌ ମିଡିଆ ୟୁଜର୍ସ ଓ ଅନ୍ୟ ରାଜନୈତିକ ଦଳର ନେତାମାନେ ବବି ଙ୍କୁ ସମାଲୋଚନା କରିଥିଲେ।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବବିଙ୍କ ସପକ୍ଷରେ ବାହାରି ଥିଲେ କିଛି ବରିଷ୍ଠ ଓ ଯୁବ ନେତା। ଆଉ ସୋଶାଲ୍‌ ମିଡିଆରେ ଲେଖିଥିଲେ ଲମ୍ୱା ଚଉଡ଼ା ପୋଷ୍ଟ। ଯାହାର ଶୀର୍ଷକ ଥିଲା “ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ”। ସେହି ପୋଷ୍ଟଗୁଡ଼ିକରେ ଲେଖାଯାଇଥିଲା, “ପ୍ରଣବ ପ୍ରକାଶ ଦାସ, ଯିଏ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଦିଅନ୍ତି ଗୁରୁତ୍ୱ। ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଂଟିବାରେ କୌଣସି ସମସ୍ୟା ନଥିଲା। ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଭାବିତ କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି। ଏହା ଆଜି ପ୍ରମାଣିତ। ଯେଉଁ ଯାଜପୁର ପୌରାଂଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡି ଦେଇଥିଲେ ବବି ଭାଇ। କାରଣ ସେ ଟ୍ରେଣ୍ଡ ସେଟ୍‌ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ। ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ । ସେ ବାର୍ତ୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡାନ୍ତ...” ଏମିତି କେତେ କ’ଣ ଲେଖିଥିଲେ ବିଜେଡି ନେତାମାନେ।

Advertisment

ତେବେ ବିଜେଡି ନେତାଙ୍କର ପୋଷ୍ଟରେ ଗୋଟିଏ କଥା ମନକୁ ଛୁଇଁଥିଲା। ତାହା ହେଲା- ବବି ଟ୍ରେଣ୍ଡ ସେଟ୍‌ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ ଡାଇଲଗ୍‌। ହେଲେ ଦେଢ଼ ମାସ ପରେ ବିଜେଡି ନେତାଙ୍କ ଏହି ଡାଇଲଗ୍‌ ଆଜି କେମିତି ଭୁଲ ପ୍ରମାଣିତ ହୋଇଛି? ବିଜେଡି ବବିଙ୍କୁ ସମ୍ୱଲପୁର ଲୋକସଭା ପ୍ରାର୍ଥୀ କରିଥିବା ବେଳେ ଆଜି ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇ(ଯାଜପୁର)ରୁ ପ୍ରାର୍ଥୀ କରିଛି। ଏମାନେ କ’ଣ ଗୋଟିଏ ପରିବାରର ନୁହଁନ୍ତି କି? କୁଆଡ଼େ ଗଲା ସେହି ସବୁ ବିଜେଡି ନେତାଙ୍କ ଗୋଟିଏ ପରିବାର ଗୋଟିଏ ଟିକେଟ ଉପାଖ୍ୟାନ? ଏବେ ସେହି ବିଜେଡି ନେତାମାନେ ବବିଙ୍କ ପାଇଁ ସୋଶାଲ୍‌ ମିଡିଆରେ କ’ଣ ଲେଖିବେ? ମାଆ ଓ ପୁଅଙ୍କ ଯୋଡ଼ି ମୈଦାନକୁ ଆସିବା ପରେ ଏବେ ଏପରି ନାନା ଚର୍ଚ୍ଚା ହେଉଛି।

Jajpur BjD Pranab Prakash Das Sambalpur