ରାଜ୍ୟରେ ପ୍ରାୟ ସାଢ଼େ ୬ମାସ ଧରି ଦିଶାହୀନ ଓ ନେତୃତ୍ୱବିହୀନ ହୋଇପଡ଼ିଥିବା ପ୍ରଦେଶ କଂଗ୍ରେସକୁ ନିଜର ନେତା ମିଳିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ଓଡ଼ିଶାରେ ସଂଗଠନର ନେତୃତ୍ୱ ନେବା ପାଇଁ ପିସିସି ସଭାପତି ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ତେବେ ଦୀର୍ଘ ୨୫ବର୍ଷ ଧରି ରାଜ୍ୟରେ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସର ଦଶା ଓ ଦିଶାକୁ ସୁଧାରିବାରେ ଭକ୍ତଙ୍କ ନେତୃତ୍ୱ ସଫଳ ହେବ ନା ତାଙ୍କୁ ବି ଦଳର ପୂର୍ବସୂରୀମାନଙ୍କ ଭଳି ଦଶା ଭୋଗିବାକୁ ପଡ଼ିବ, ତାକୁ ନେଇ ଏବେଠୁ କଂଗ୍ରେସ ମହଲରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଓ ନେତାମାନଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ୨୦୨୪ ଜୁଲାଇ ୨୪ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ତତ୍କାଳ ପ୍ରଭାବରୁ ଏଆଇସିସି ଭାଙ୍ଗି ଦେଇଥିଲା । ସେବେଠୁ ରାଜ୍ୟରେ ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ଅଙ୍କକଷା ଓ ଲବି ଜୋର ଧରିଥିବାବେଳେ ମହମ୍ମଦ ମୋକିମ୍ , ଶ୍ରୀକାନ୍ତ ଜେନା ,ପ୍ରସାଦ ହରିଚନ୍ଦନ , ଜୟଦେବ ଜେନା ଓ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଥିଲା
ଭକ୍ତଙ୍କ ଲକ୍ଷ୍ୟ ୨୦୨୭ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ସଫଳ କରିବା
ଏସବୁ ଚର୍ଚ୍ଚା ଓ ଆକଳନକୁ ଭୁଲ୍ ପ୍ରମାଣିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଚଳିତ ବିଧାନସଭା ନିର୍ବାଚନରେ ନର୍ଲା ଆସନରୁ ପରାଜିତ ପ୍ରାର୍ଥୀ ଭକ୍ତଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି । ସେ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଏକାଠି ସାଙ୍ଗରେ ନେଇ କାମ କରିବେ ବୋଲି କହିବା ସହ ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ୨୦୨୭ ପଂଚାୟତ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରାଯିବ । ଯଦି ଆଶାନୁରୂପ ସଫଳତା ନମିଳେ ସେ ନିଜଆଡ଼ୁ ପିସିସି ସଭାପତି ପଦରୁ ଓହରିଯିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ୨୦୨୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଦଳର ହାଇକମାଣ୍ଡ ତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତାକୁ ଦେଖି ତାଙ୍କ ଉପରେ ଭରସା କରିଥିବାରୁ ସେ ଏଆଇସିସି ଅଧ୍ୟକ୍ଷ ଓ ଗାନ୍ଧି ପରିବାର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଭକ୍ତ ହେଲେ କାହିଁକି ଓ କ’ଣ ରହିଛି ଚ୍ୟାଲେଞ୍ଜ
ପଶ୍ଚିମଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଭକ୍ତ ଦାସ ପରିଚିତ । ବିଭିନ୍ନ ଜନଆନ୍ଦୋଳନ ସହ ଜଡ଼ିତ ଭକ୍ତ ମଧ୍ୟ କଂଗ୍ରେସର ଏକ ପରିଚିତ ଚେହେରା । ଦଳ ତାଙ୍କ ଉପରେ ଭରସା କରି ପ୍ରଥମଥର ପାଇଁ ପିସିସି ସଭାପତି ଦାୟିତ୍ୱ ନ୍ୟସ୍ତ କରିଛି । ମାତ୍ର ତୀବ୍ର ଗୋଷ୍ଠୀକନ୍ଦଳ, ବିଶୃଙ୍ଖଳା ଓ ଲଗାମଛଡ଼ା ଆଭିମୁଖ୍ୟ ଯୋଗୁ ରାଜ୍ୟରେ କଂଗ୍ରେସର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଭକ୍ତ ନିଜର ନେତୃତ୍ୱ ମାଧ୍ୟମରେ ଏସବୁକୁ ପ୍ରଶମିତ କରି ସଂଗଠନକୁ ପୁନଃଜୀବିତ କରିବେ ନା ସେହି ବୁଢ଼ାଆଣୀ ସୂତା ମଧ୍ୟରେ ଫସି ରହିଯିବେ ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ନିଜର ନେତୃତ୍ୱକୁ ପ୍ରତିପାଦନ କରି ସବୁ ନେତା-କର୍ମୀମାନଙ୍କୁ ସାଙ୍ଗରେ ନେଇ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିବା ନିଶ୍ଚିତ ଭାବେ ଭକ୍ତଙ୍କ ପାଇଁ କାଠିକର ପାଠ ହେବ । ଭକ୍ତଙ୍କୁ ପିସିସି ସଭାପତି ପଦରେ ଅବସ୍ଥାପିତ କରାଯିବା ପଛରେ କର୍ପୋରେଟ୍ ଲବି ରହିଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଲାଣି । ରାଜ୍ୟରେ ବିଭିନ୍ନ ଭାଗରେ ବିଭକ୍ତ କଂଗ୍ରେସର ଗୋଟିଏ ଗୋଷ୍ଠୀ ବିଜେଡି ଓ ଅନ୍ୟଗୋଟିଏ ଗୋଷ୍ଠୀ ବିଜେପି ସହ ଭିତରି ଯୋଗସୂତ୍ରରେ ରହିଥିବା ଯୋଗୁ ସାଧାରଣ ନିର୍ବାଚନରେ ଦଳକୁ ଆଖିଦୃଶିଆ ସଫଳତା ମିଳିନଥିଲା । ଭକ୍ତଙ୍କୁ ମଧ୍ୟ ସାଧାରଣ ନିର୍ବାଚନରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା କିନ୍ତୁ ସେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ରହିଥିଲେ । ନିଜେ ଓ ତାଙ୍କ ପୁଅ ଜିତିବା ଉପରେ ସେ ଅଧିକ ଗୁରୁତ୍ୱ ଦେଇ ପ୍ରଚାର ଅଭିଯାନରେ ସକ୍ରୟି ହୋଇପାରିନଥିବା ଜଣାପଡ଼ିଛି । ଭକ୍ତଙ୍କ ପୂର୍ବରୁ ସଭାପତି ଦାୟିତ୍ୱ ତୁଲାଇଥିବା ଶରତ ପଟ୍ଟନାୟକଙ୍କୁ ମଧ୍ୟ ଶେଷସମୟରେ ନିନ୍ଦା-ଅପବାଦ ମୁଣ୍ଡାଇ ସଂଗଠନରୁ ଯିବାକୁ ପଡ଼ିଥିଲା । ଶରତ ମଧ୍ୟ ଭକ୍ତଙ୍କ ପରି ସବୁ ନେତାଙ୍କୁ ନେଇ କାମ କରିବେ ବୋଲି କହି ଶେଷପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଏକାଠି କରିପାରିନଥିଲେ । ଏବେ ଭକ୍ତଙ୍କୁ ସଭାପତି ପଦରେ ନିଯୁକ୍ତି ପଛରେ ସେଭଳି ଲବି କାମ କରିଥିବା ଚର୍ଚ୍ଚା ହେଉଥିବାରୁ ସଂଗଠନକୁ କ୍ରିୟାଶୀଳ କରିବା ମାର୍ଗ ଭକ୍ତଙ୍କ ପାଇଁ ସେତେଟା ସହଜ ହୋଇନପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ଦଳର ବରିଷ୍ଠ ନେତାମାନଙ୍କ ମତ
ଭକ୍ତଙ୍କ ନିଯୁକ୍ତିକୁ ଦଳୀୟ ଶୃଙ୍ଖଳା ସୌଜନ୍ୟ ଦୃଷ୍ଟିରୁ ଦଳର ବରିଷ୍ଠ ନେତା ଜୟଦେବ ଜେନାଙ୍କଠୁ ଆରମ୍ଭ କରି ଶ୍ରୀକାନ୍ତ ଜେନା,ମହମ୍ମଦ ମୋକିମ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂ ସାଲୁଜା, ଶରତ ପଟ୍ଟନାୟକ ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ସ୍ୱାଗତ କରିଛନ୍ତି ।
ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଏହି ନିଯୁକ୍ତିକୁ ସ୍ୱାଗତ କରିବା ସହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ “ ନିଶ୍ଚିତ ଭାବେ ଏବେ ରାଜ୍ୟରେ ଏକ ପଲଟିକାଲ ସ୍ପେସ୍ ରହିଛି । ଯାହାର ଫାଇଦା କଂଗ୍ରେସ ଉଠାଇବ । ଭକ୍ତ ଦାସଙ୍କ ଭଳି ଅଭିଜ୍ଞ ବ୍ୟକ୍ତିଙ୍କୁ ନେତୃତ୍ୱ ଦାୟିତ୍ୱ ନ୍ୟସ୍ତ ହୋଇଛି ଓ ସେ ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସକୁ ପୂର୍ତ୍ତିଶୀଳ କରାଇପାରିବେ । ୨୫ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ଏବେ ନିଜର ଭାର ନିଜେ ଉଠାଇବା ସ୍ଥିତିରେ ନାହିଁ । ଦଳର ଭୋଟ୍ ଆଧାର ଯଦିଓ ଭଲ ଅଛି କିନ୍ତୁ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଯାହା ଦରକାର ସେଭଳି ବିଜେଡିଠାରେ ଦୃଶ୍ୟମାନ ହେଉନି । ସେହିପରି ବିଜେପିଠୁ ମଧ୍ୟ ରାଜ୍ୟର ଲୋକମାନେ ଖୁବକମ୍ ଦିନ ମଧ୍ୟରେ ମୁହଁ ଫେରାଇବା ଆରମ୍ଭ କରିସାରିଲେଣି । ବିଜେପିଠୁ ମୋହଭଙ୍ଗ ହେଲାଣି । ରାଜ୍ୟରେ ଲୋକେ ଏବେ କଂଗ୍ରେସକୁ ନିଜର ବିକଳ୍ପ ଭାବେ ଦେଖୁଛନ୍ତି । ଟିକେ ନିରେଖି ଦେଖିଲେ ରାଜ୍ୟରେ ରାଜନୀତିକ ବିକଳ୍ପ ମଧ୍ୟ ଆଉ ନାହିଁ । ତେଣୁ କଂଗ୍ରେସର ନେତୃତ୍ୱଙ୍କ ଉପରେ ସଂଗଠନକୁ କ୍ରିୟାଶୀଳ କରି ରାଜ୍ୟ ଓ ସଂଗଠନର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଲୋକଙ୍କ ଆସ୍ଥାଭାଜନ ହେବାର ବଡ଼ ଦାୟିତ୍ୱ ରହିବ ।”
ସେହିପରି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, “ଭକ୍ତ ଦାସ ଜଣେ ଫାଇଟର । ନିୟମଗିରି ଆନ୍ଦୋଳନଠୁ ଆରମ୍ଭ କରି ବିଭିନ୍ନ ଜନ ଆନ୍ଦୋଳନ ସହ ସେ ଜଡ଼ିତ । ତାଙ୍କର ଦୀର୍ଘ ରାଜନୀତିକ ଅଭିଜ୍ଞତା ରହିଛି । ଛତିଶଗଡ଼ରେ ସେ କଂଗ୍ରେସ ଇନଚାର୍ଜ ଥିବାବେଳେ ସେଠାରେ କଂଗ୍ରେସ କ୍ଷମତାକୁ ଆସିଥିଲା । ବିହାରରେ ଇନଚାର୍ଜ ଥିବାବେଳେ ସେଠାରେ ମଧ୍ୟ ଜେଡିୟୁ ଓ ଆରଜେଡି ସହ ମିଶି କଂଗ୍ରେସ ସରକାର କରିଥିଲା । ନିଶ୍ଚିତ ଭାବେ ସେ ସମସ୍ତଙ୍କୁ ନେଇ କଂଗ୍ରେସକୁ ଏକଜୁଟ କରିବା ସହ ଅଧିକ ଆସ୍ଥାଭାଜନ କରାଇପାରିବେ ।”
ପିସିସି ସଭାପତି ଓ ବିରୋଧାଭାସ
ଓଡ଼ିଶାରେ ଦୀର୍ଘ ଦଶନ୍ଧି ଧରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଯିଏବି ରହିଛନ୍ତି ତାଙ୍କୁ ଆରମ୍ଭରୁ ହିଁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିଛି । ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ପିସିସି ସଭାପତି ଭାବେ ଯଦିଓ ୩ଜଣ ନେତା କାର୍ଯ୍ୟ କରିଛନ୍ତି ଓ ନିଜ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଚାହିଁଛନ୍ତି ମାତ୍ର ସଂଗଠନ ଓ ନେତାମାନେ ନିଜର ଏଜେଣ୍ଡାକୁ ପ୍ରାଥମିକତା ଦେଉଥିବାରୁ କଂଗ୍ରେସକୁ ଆଶାନୁରୂପ ସଫଳତା ମିଳିପାରିନାହିଁ । ୨୦୧୪ ସାଧାରଣ ନିର୍ବାଚନ ପରେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ଦାୟିତ୍ୱ ମିଳିଥିଲା । ୨୦୧୪ ଡିସେମ୍ବରରୁ ପ୍ରାୟ ସାଢ଼େ ୩ବର୍ଷ ସେ ଦାୟିତ୍ୱ ତୁଲାଇଲେ । ସେ ସଂଗଠନକୁ କ୍ରିୟାଶୀଳ କରି ଆଗେଇ ନେଉଥିବାବେଳେ ପଂଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ଦର୍ଶାଇ ତାଙ୍କ ବିରୋଧରେ ସ୍ୱର ଉଠିଲା । ତାଙ୍କୁ ହଟାଇ ୨୦୧୮ ଏପ୍ରିଲରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ନ୍ୟସ୍ତ କରାଗଲା । ତାଙ୍କ ବିରୁଦ୍ଧରେ ତୀବ୍ର ବିରୋଧାଭାସ ଥିବା ସତ୍ତ୍ୱେ ସେ ପ୍ରାୟ ୪ବର୍ଷ ଏହି ଦାୟିତ୍ୱରେ ରହିଲେ । ତାଙ୍କ ପରେ ଶରତ ପଟ୍ଟନାୟକଙ୍କୁ ୨୦୨୨ ମେ’ମାସରେ ପିସିସି ସଭାପତି ଦାୟିତ୍ୱ ମିଳିଲା । ତାଙ୍କ ନେତୃତ୍ୱରେ ଦଳ ସାଧାରଣ ନିର୍ବାଚନ ଲଢ଼ିଲା । କିନ୍ତୁ ନିର୍ବାଚନରେ ଦଳର ଆଖିଦୃଶିଆ ପ୍ରଦର୍ଶନ ନହେବା ଓ ତାଙ୍କ ବିରୁଦ୍ଧରେ ବିଜେଡିଠୁ ଅର୍ଥ ନେଇଥିବାର ଅଭିଯୋଗ ଦଳୀୟସ୍ତରରେ ହେଲା । ଯେଉଁଥିପାଇଁ ତାଙ୍କୁ ଦଳୀୟ ନେତାମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଲା । ଶେଷରେ ଏଆଇସିସି ୨୦୨୪ ଜୁଲାଇ ମାସରେ ତାଙ୍କୁ ହଟାଇବା ସହ ପିସିସି କମିଟିକୁ ନିରସ୍ତ୍ର କରିଦେଲା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।