Advertisment

କେବେ ଓଡ଼ିଶା ପାଇବ ବକେୟା ଟିକସ?

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
Mines

Mines

ରୟାଲିଟି ଟିକସ ନୁହେଁ। ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଏହା ସ୍ବଷ୍ଟ କରିଦେବା ପରେ ଓଡ଼ିଶା ଭଳି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟ ପାଇଁ ବଡ଼ ଖବର ଆସିଲା ବୋଲି ବିଚାର କରାଯାଉଥିଲା। ବହୁ ବର୍ଷ ପରେ 9-ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣି କାରବାର କରୁଥିବା କମ୍ପାନୀମାନେ କେନ୍ଦ୍ର ସରକାରଙ୍କୁ ରୟାଲିଟି ଦେବା ଅର୍ଥନୁହେଁ ଯେ ରାଜ୍ୟମାନେ ଟିକସ ବା ସେସ୍ ବସାଇପାରିବେ ନାହିଁ- ତାହା ଠିକ ନୁହେଁ ବୋଲି ରାୟ ଦେଇଥିଲେ। ଯାହାକି ସାମ୍ବିଧାନିକ ଖଣ୍ଡପୀଠରେ 8-1 ମତରେ ପାସ୍ କରିଥିଲା। ଓଡ଼ିଶା ସରକାର ଅନ୍ୟ କେତେକ ରାଜ୍ୟ ଭଳି 2004ରେ Orissa Rural Infrastructure and Socio-Economic Development (ORISED) Act ତିଆରି କରିଥିଲେ। 2005ରେ ଏହି ଆଇନ ପାଇଁ ନିୟମାବଳୀ ବି କରିଥିଲେ। ଓରିସେଡ୍ ଆକ୍ଟ ଜରିଆରେ ଓଡ଼ିଶା ପଛୁଆ ଟିକସ ଆଦାୟ କରିବା କଥା। ମାତ୍ର ଏହି ଆଇନଟି ଏବେ ବି ଏକ ସିଭିଲ୍ ଅପିଲ (CA) ଆକାରରେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ବୋଲି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମାର୍ଚ୍ଚ 20 ତାରିଖରେ ବିଧାନସଭାରେ ଦର୍ଶାଇଥିଲେ। ନାଲକୋ ଓ EASTERN ZONE MINING ASSOCIATION ଅର୍ଥାତ୍ EZMAରେ ରହିଥିବା ଅନେକ ଘରୋଇ କମ୍ପାନୀ ଏହି ରାଜ୍ୟ ଆଇନକୁ 2006ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟେର ଚଳିତ ମାସ 3 ତାରିଖରେ ମଧ୍ୟ ଏହାର ଶୁଣାଣି ହୋଇଛି ଓ ପରବର୍ତ୍ତୀ ଶୁଣାଣିକୁ ଜୁଲାଇ 22 ତାରିଖକୁ ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ ଦର୍ଶାଇଥିଲେ, ଏହି ମାମଲାକୁ ସୁପ୍ରିମକୋର୍ଟରେ ଆଗେଇ ନେବା ପାଇଁ ଆଡଭୋକେଟ ଜେନେରାଲଙ୍କୁ ଅନୁରୋଧ କରାଯାଇଛି।

Advertisment

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି- ସରକାରଙ୍କ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ସରକାର ଚାହିଁଲେ ନୂଆ ସେସ୍ ବସାଇପାରିବେ। ସରକାର ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ଅଧିକ ରାଜସ୍ବ ପାଇପାରନ୍ତେ।

ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ବୃଦ୍ଧି ନଘଟିଲେ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ ନାହିଁ। ଯେମିତିକି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଅନେକ ସ୍ଥାନରେ ବିକ୍ଷୋଭ ହେଉଥିବା ଦେଖାଯାଉଛି। ସୀମାନ୍ତ ଜିଲ୍ଲାରେ କେତେକ ପଡ଼ୋଶୀ ରାଜ୍ୟ ଓଡ଼ିଶାଠାରୁ ଅଧିକ ପରିମାଣର ଭତ୍ତା ଦେଇ ଲୋକଙ୍କୁ ପ୍ରଭାବିତ କରୁଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାର ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବି ସାମ୍ବିଧିାନିକ ଖଣ୍ଡପୀଠ ଅକେଟାବର 4 ତାରିଖରେ ତାହାକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେଲେ କେବଳ ଓଡ଼ିଶା ବର୍ଷକୁ 10 ହଜାର କୋଟି ଟଙ୍କା ହିସାବରେ ପ୍ରାୟ 12 ବର୍ଷ ରାଜସ୍ବ ପାଇପାରେ ବୋଲି କୁହାଯାଉଛି। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚର ରାୟ ଆସିବା ପରେ ଝାଡ଼ଖଣ୍ଡ ସରକାର ଖଣିରୁ ଅଧିକ ରାଜସ୍ବ ପାଇବା ପାଇଁ ନୂଆ ସେସ୍ ବସାଇବାକୁ ବିଧାନସଭାରେ ବିଲ୍ ପାସ୍ କରିଛନ୍ତି। ଓଡ଼ିଶା ଚାହିଁଲେ ନୂଆ ସେସ୍ ବସାଇ ପାରିବ।

ଭୁବନେଶ୍ବରରୁ କ୍ୟାମେରାପର୍ସନ କିସନଙ୍କ ସହ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

Supreme Court Odisha Mines