/odisha-reporter/media/post_attachments/uploadimage/library/16_9/16_9_0/pandian_1756132873.jpg)
Pandian
ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବାପରଠୁ ଦଳ ଓ ସଂଗଠନରେ କନ୍ଦଳ ଥମିବାର ନାଁ ଧରୁନି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା, ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ ଓ ମାତ୍ରାଧିକ ନିର୍ଭରଶୀଳତା ଫାଇଦା ଉଠାଇ ଦଳକୁ ଜବରଦଖଲ କରିବାରେ ଅବସରପ୍ରାପ୍ତ ଆଇଏଏସ୍ ତଥା ତାମିଲନାଡୁର ଭିକେ ପାଣ୍ଡିଆନ ସଫଳ ହୋଇଛନ୍ତି । ପାଣ୍ଡିଆନଙ୍କ ମାମଲାତିକୁ ନେଇ ଦଳରେ ପ୍ରତ୍ୟେକ ଦିନ ବରିଷ୍ଠ ନେତାମାନେ ନିଜର କ୍ଷୋଭ ବ୍ୟକ୍ତ କରିବାରେ ଲାଗିଥିବାବେଳେ ନିଜର ସ୍ଥିତିକୁ ଜାହିର କରିବା ନିମନ୍ତେ ପାଣ୍ଡିଆନ ମଧ୍ୟ କିଛି ଦଳଡ଼ିଆଁ ନେତା ଓ ଚାଟୁକାରଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି । ତେବେ ରାଜ୍ୟର ସର୍ବାଧିକ ସଫଳ ଆଂଚଳିକ ଦଳ ବିଜେଡିର ଏଭଳି ସ୍ଥିତିକୁ ନେଇ ତୃଣମୂଳସ୍ତରରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ପାଣ୍ଡିଆନଙ୍କ ଏପର୍ଯ୍ୟନ୍ତ ଚେତା ପଶିପାରିନି ଓ ବିଜେଡିକୁ ସମ୍ପୂର୍ଣ୍ଣ ତଳିତଳାନ୍ତ କରିବା ମିଶନରେ ସେ ଲାଗି ପଡ଼ିଥିବା ବିଜେଡି ମହଲରେ ଚର୍ଚ୍ଚା ।
ପାଣ୍ଡିଆନଙ୍କୁ ନେଇ କ୍ଷୋଭ ବଢ଼ୁଛି
ଦଳର ସାଂଗଠନିକ ପରିଚାଳନାକୁ ନେଇ ନେତାମାନେ କ୍ଷୁବ୍ଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ଦଳୀୟ କାର୍ଯ୍ୟରେ ଅନାଗ୍ରହ ମଧ୍ୟରେ ପାଣ୍ଡିଆନଙ୍କ ହାକିମାତି କ୍ରମାଗତ ଭାବେ ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟ କରୁଥିଲେ ମଧ୍ୟ ବିକଳ୍ପ ନଥିବାରୁ ଦଳରେ ମୁହଁ ମାଡ଼ି ରହିବାକୁ ବାଧ୍ୟ ହୋଇଛନ୍ତି । କେବଳ ଏହି କାରଣରୁ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ଏନ ଭାସ୍କରରାଓ ଓ ତାଙ୍କ ସହଯୋଗୀମାନେ ବିଜେଡିକୁ ବାଏବାଏ କରି ସାରିଥିବାବେଳେ ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରି ନାରାୟଣ ପାତ୍ର ଓ ଅରୁଣ ସାହୁଙ୍କ ଭଳି ନେତାମାନେ ବୁଲେଇବଙ୍କେଇ ବିଜେଡିରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଆଉ ଦୁଇ ପାଦ ଆଗେଇ ଯାଇ ମହାଭାରତ ଉପାଖ୍ୟାନ କଥା କହି ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି । ତେବେ ଦଳର ଏହି ନେତାମାନେ ସମସ୍ତେ ବୁଲେଇବଙ୍କେଇ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିଲେ ମଧ୍ୟ ସେମାନଙ୍କୁ ଡାକି ଦଳୀୟ ଫୋରମରେ ଆଲୋଚନା କରିବା ପରିବର୍ତ୍ତେ ଏହି ବରିଷ୍ଠ ନେତାମାନଙ୍କୁ କିଭଳି ଢଙ୍ଗରେ ଅପମାନିତ କରିହେବ ସେନେଇ ପରଦା ପଛରେ ରହି ପାଣ୍ଡିଆନ ହିଁ ରଣନୀତି କରୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଦଳର ସାଂଗଠନିକ ପରିଚାଳନାକୁ ନେଇ ଏବେ ରାଜ୍ୟର ବିଭିନ୍ନ ଭାଗରୁ ନିର୍ବାଚିତ ଲୋକପ୍ରତିନିଧିମାନେ ଇସ୍ତଫା ଦେବାରେ ଲାଗିଛନ୍ତି ।
ଦଳଡ଼ିଆଁ ଓ ଚାଟୁକାର କରୁଛନ୍ତି ପାଣ୍ଡିଆନଙ୍କ ଗୁଣଗାନ
୨୦୨୪ ସାଧାରଣ ନିର୍ବାଚନରେ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି,ଔଦ୍ଧତ୍ୟ ଓ ହାକିମାତି ଯୋଗୁ ୨୪ବର୍ଷର ବିଜେଡି ଶାସନର ପତନ ହେଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଏହା ସତ୍ତ୍ୱେ ବିଜେଡି ଏହି ପରାଜୟର ଏପର୍ଯ୍ୟନ୍ତ ସମୀକ୍ଷା କରିପାରିଲା ନାହିଁ । ଏପରିକି କିଛି ଦଳୀୟ ନେତା ଏହି ସମୀକ୍ଷା ପାଇଁ ନବୀନଙ୍କ ନିକଟରେ ଦାବି କରି ମଧ୍ୟ କୌଣସି ସୁଫଳ ପାଇଲେ ନାହିଁ । ପ୍ରାୟ ଏକବର୍ଷ ଧରି ଚୁପଚାପ ବସି ରହି ସଂଗଠନକୁ ନବୀନଙ୍କ ମାଧ୍ୟମରେ ନିୟନ୍ତ୍ରଣ କରୁଥିବା ପାଣ୍ଡିଆନ ପୁଣିଥରେ ବିଜେଡିରେ ସକ୍ରିୟ ହୋଇଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । ବିଜେଡିର ଯୁବ,ଛାତ୍ର ଓ ମହିଳା ସଂଗଠନର ସଭାପତି ନିଯୁକ୍ତିଠୁ ଆରମ୍ଭ କରି ଦଳର ରାଜନୀତିକ ବ୍ୟାପାର କମିଟି ଓ ଅନ୍ୟାନ୍ୟ ପଦାଧିକାରୀ ଚୟନ ସବୁକିଛି ପାଣ୍ଡିଆନ ହିଁ କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେଡି ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ ନିଜର ଦାୟିତ୍ୱ ତୁଲାଇବାରେ ସକ୍ଷମ ହେଉନଥିବା ଓ ଉପରେ ପଡ଼ି ବିଜେପି ପାଖରେ ଆତ୍ମସର୍ମପଣ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେବାକୁ ଦଳର ବରିଷ୍ଠ ନେତାମାନେ ସହଜରେ ହଜମ କରିପାରୁନାହାନ୍ତି । ଆଉ ନିଜର ଅପକର୍ମ ଲୁଚାଇବା ପାଇଁ ପାଣ୍ଡିଆନ ହିଁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ସହ ଅଘୋଷିତ ବୁଝାମଣା କରିଥିବା ଚର୍ଚ୍ଚା ବି ହେଉଛି । ଦଳର ଏଭଳି ସ୍ଥିତିକୁ ନେଇ ଯଦି କୌଣସି ନେତା କିଏ ମୁହଁ ଖୋଲୁଛନ୍ତି ପାଣ୍ଡିଆନ ନିଜର ଚାଟୁକାର ନେତା ଓ ଦଳଡ଼ିଆଁ(ଅନ୍ୟ ଦଳରୁ ଆସିଥିବା) ନେତାଙ୍କୁ ଲଗାଇ ସେମାନଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ପଛାଉନଥିବା ଜଣାପଡ଼ିଛି । ପ୍ରତାପ ଜେନା, ମନ୍ମଥ ରାଉତରାୟ ଓ ଲେନିନ୍ ମହାନ୍ତିଙ୍କ ଭଳି କିଛି ଚାଟୁକାରଙ୍କ ସମେତ ଯୁବ,ଛାତ୍ର ଓ ମହିଳା ବିଜେଡିର ପଦାଧିକାରୀଙ୍କୁ ବାଦ୍ ଦେଲେ ବିଜେଡିର ଅନ୍ୟ କୌଣସି ନେତା ଏବେ ପାଣ୍ଡିଆନଙ୍କ ଗୁଣଗାନ କରିବାକୁ ଆଗେଇ ଆସୁନଥିବା ଦେଖିବାକୁ ମିଳୁଛି ।
ହରିଶଙ୍କରଙ୍କ ଇସ୍ତଫା ଓ ପ୍ରଫୁଲ୍ଲଙ୍କ ଚେତାବନୀ
ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ତଥା ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ସେ ବିଜେଡି ସହିତ ରହି କଠିନ ପରିଶ୍ରମ କରି ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିଥିଲେ ମଧ୍ୟ ସେ ପାଣ୍ଡିଆନଙ୍କ ଚାଟୁକାର ହୋଇନଥିବାରୁ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ସ୍ୱାଭିମାନୀ ଓଡିଆ କେବେ ବି ଅଣଓଡ଼ିଆ ପାଣ୍ଡିଆନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ଭାଙ୍ଗୁଛି । ଆଗାମୀ ସମୟରେ ବିଜେଡି ଭବିଷ୍ୟତ ଅନ୍ଧାର ବୋଲି କହିବା ପାଣ୍ଡିଆନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ।
ସେହିପରି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ବିଜେଡିକୁ ତାଗିଦ୍ କରିଛନ୍ତି । ସେ କହିଛନ୍ତି ଯେ, ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ସେ ଦଳ ଠାରୁ ଦୂରେଇଯିବେ । ଏବେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି । ଆଗକୁ ଯଦି ଦଳ ଠିକ ନଚାଲେ ଦଳଠୁ ଦୂରେଇ ଯିବି । ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାର ଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । ରାଜନୀତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତିି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି । ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି । ଏବେ୍ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡ଼ିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ ।
ଅନ୍ୟପକ୍ଷରେ ବରିଷ୍ଠ ନେତା ଶ୍ରୀ ମଲ୍ଲିକଙ୍କ ବୟାନକୁ କାଉଣ୍ଟର କରିବା ପାଇଁ ଆଗକୁ ଆସିଛନ୍ତି ପାଣ୍ଡିଆନଙ୍କ ଚାଟୁକାର ଭାବେ ପରିଚିତ ବିଜେଡି ନେତା ପ୍ରତାପ ଜେନା । ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ଶ୍ରୀ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ଶତବ୍ଦୀର ବଡ଼ ସୁବିଧାବାଦୀ । ପ୍ରଫୁଲ୍ଲ ବାବୁଙ୍କ ବୟସ ୮୦ବର୍ଷ ପାର ହେଲାଣି । ନବୀନ ବାବୁଙ୍କ ସରକାର ରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିଲେ । ସେତେବେଳେ ସେ ନବୀନ ବାବୁଙ୍କୁ ଓ ଦଳକୁ ଭୂରି ଭୂରି ପ୍ରଶଂସା କରୁଥିଲେ । ଏବେ କିନ୍ତୁ ଯେତେବେଳେ ଦଳ କ୍ଷମତା ରେ ନାହିଁ ସେ ଏଭଳି ମନ୍ତବ୍ୟ ରଖୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।
ତେବେ ପ୍ରଫୁଲ୍ଲ ମଲ୍ଲିକ ଦଳର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ପ୍ରତାପ ଜେନାଙ୍କ ଭଳି ନେତା ତାଙ୍କୁ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କରିବା ପଛରେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ‘ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ’ ଉପାଖ୍ୟାନ କହି ଯେଉଁ ଟାର୍ଗେଟ୍ କରିଥିଲେ ଏବେ ତାଙ୍କୁ ମଧ୍ୟ ଦଳର କିଛି ଟ୍ରୋଲରଙ୍କୁ ଲଗାଇ ସମାଲୋଚନା କରାଯାଉଥିବା ଜଣାପଡ଼ିଛି । ଏପରିକି ପାଣ୍ଡିଆନ ଫ୍ୟାନ୍ କ୍ଲବ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏବେ ଏହି ‘ଧୃତରାଷ୍ଟ୍ର’ ଉପାଖ୍ୟାନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର ସହ ଯୋଡ଼ିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ପାଣ୍ଡିଆନ ଯଦି ପ୍ରକୃତରେ ବିଜେଡିର ଉତଥାନ ଓ ଭଲ ଚାହୁଁଥାନ୍ତେ ସିଏ ନିଜଆଡ଼ୁ ହିଁ ଦୂରେଇ ଯାଇଥାନ୍ତେ । ମାତ୍ର କ୍ଷମତା ନିଶାରୁ ସେ ନିଜକୁ ଦୂରେଇ ପାରୁନଥିବାରୁ ବିଜେଡି ତଳିତଳାନ୍ତ ହେବାରେ ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
