Advertisment

ମୟୂରଭଞ୍ଜ ବିଜେପିରେ ଫାଟ? କୁଆଡ଼େ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ?

ଜି-୨୦ ସମ୍ମିଳନୀ ସମୟରେ ବୁଢ଼ାମରା-ଚାକୁଳିଆ ରେଳ ପଥର ବିକାଶ ପାଇଁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକଜୁଟ କରାଇ ଦୁଇ ରାଜ୍ୟ ଭିତରେ ଥିବା ଦ୍ଵନ୍ଦ୍ୱ ଓ ସମସ୍ୟା ସମାଧାନ ଉପରେ ଆଲୋଚନା କରାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Bishweswar Tudu

BJP

କୁଆଡ଼େ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ? ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପରିଚିତ ଶ୍ରୀ ଟୁଡୁଙ୍କୁ ୨୦୨୪ ନିର୍ବାଚନ ପରଠାରୁ ଆଉ ଦେଖିବାକୁ ମିଳୁନାହିଁ। ଏପରିକି ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ବେଳେ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାର ନେତାମାନେ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ଟୁଡୁ ଅନୁପସ୍ଥିତ ରହିଥିଲେ। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଟାଣୁଆ ନେତାଙ୍କ ଅନୁପସ୍ଥିତିକୁ ନେଇ ନିଜ ସମର୍ଥକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ଆଉ ଚର୍ଚ୍ଚା ହେଉଛି ମୟୂରଭଞ୍ଜ ବିଜେପି ଦୁଇ ଫାଳ ହୋଇଯାଇଛି।

Advertisment

ମୟୂରଭଞ୍ଜର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ବିଶେଶ୍ୱର ଟୁଡୁ। ପେସାରେ ଇଞ୍ଜିନିୟର ଥିବା ଶ୍ରୀ ଟୁଡୁ ସରକାରୀ ଛାଡ଼ି ରାଜନୀତିକୁ ଲମ୍ଫ ମାରିଥିଲେ। ପ୍ରଥମ ସୁଯୋଗରେ ହୋଇଥିଲେ ମୟୂରଭଞ୍ଜ ସାଂସଦ। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ହୋଇଥିଲେ ମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ନିଜ ଜିଲ୍ଲା ପାଇଁ ଅନେକ ଉନ୍ନୟନ କାର୍ଯ୍ୟ କରିଥିଲେ। ଘାଟି ରାସ୍ତାର ସମ୍ପ୍ରସାରଣ, ଉଡାଜାହାଜ କେନ୍ଦ୍ର କିମ୍ବା ନୂଆ ରେଳପଥ ପରି ଅନେକ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇଥିଲେ।

ଶ୍ରୀ ଟୁଡୁ ଅନେକ ଥର କେନ୍ଦ୍ରୀୟ ନେତାଙ୍କ ସହ ନିଜ ଜିଲ୍ଲାର ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ଜି-୨୦ ସମ୍ମିଳନୀ ସମୟରେ ବୁଢ଼ାମରା-ଚାକୁଳିଆ ରେଳ ପଥର ବିକାଶ ପାଇଁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକଜୁଟ କରାଇ ଦୁଇ ରାଜ୍ୟ ଭିତରେ ଥିବା ଦ୍ଵନ୍ଦ୍ୱ ଓ ସମସ୍ୟା ସମାଧାନ ଉପରେ ଆଲୋଚନା କରାଇଥିଲେ। ପ୍ରତିବର୍ଷ ରିପୋର୍ଟ କାର୍ଡ ପ୍ରକାଶ ବେଳେ ସେ ମୟୂରଭଞ୍ଜ ଜିଲ୍ଲାରେ ୩ଟି ରେଳ ପଥ ହେବାକୁ ନେଇ ନିର୍ଭର ପ୍ରତିଶ୍ରୁତି ଦେବା ସହ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ କରାଯାଇଥିବା ଉଲ୍ଲେଖ କରିଥିଲେ। ତେବେ ସେତେବେଳେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯିବା ଯୋଗୁ ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ି ପାରିନଥିଲା।

Advertisment

ଚର୍ଚ୍ଚା ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଉଦ୍ୟମ ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ରେଳ ପଥର ବିକାଶ ହୋଇପାରିଥିଲା। ତାଙ୍କ ସମୟରେ ବାଙ୍ଗରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ-କେନ୍ଦୁଝରଗଡ଼ ରେଳ ଲାଇନ୍‌ ପରି ଅନେକ ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ତାଙ୍କୁ ଟିକଟ ମିଳିନଥିଲା। ତଥାପି ତାଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ରେଳ ପ୍ରକଳ୍ପ କାର୍ଯ୍ୟ ରୂପରେଖ ପାଇଥିଲା।

ଗତ ୭ ତାରିଖରେ ସେହି ସବୁ ପ୍ରକଳ୍ପର ଶିଳାନ୍ୟାସ ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଳ କମଳରେ ହୋଇଛି। ଏଥିପାଇଁ ଆୟୋଜିତ ହୋଇଥିବା ଭବ୍ୟ ସଭାରେ ରାଷ୍ଟ୍ରପତିଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସମେତ ଜିଲ୍ଲା ଓ ଆଖପାଖ ପଡ଼ୋଶୀ ଜିଲ୍ଲାର ନେତାମାନେ ଉପସ୍ଥିତ ଥିଲେ। ହେଲେ ଦେଖିବାକୁ ମିଳିନଥିଲା ବିଶେଶ୍ୱର ଟୁଡୁଙ୍କର। ସିଏ ନା ମଞ୍ଚରେ ଥିଲେ ନା ମଞ୍ଚ ତଳେ ଥିଲେ। ଏତେ ବଡ଼ ଭବ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଟୁଡୁଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲେ ତାଙ୍କ ସମର୍ଥକ।

ସାଧାରଣରେ ଆଲୋଚନା ହେଉଛି ବାଙ୍ଗିରିପୋଷିରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଶେଶ୍ୱର ଟୁଡୁଙ୍କୁ ରେଳ ବିଭାଗ ପକ୍ଷରୁ ନିମନ୍ତ୍ରଣ ହୋଇଥିଲା। ନିମନ୍ତ୍ରଣ ପାଇ ଶ୍ରୀ ଟୁଡୁ ଦିନକ ଆଗରୁ ଦିଲ୍ଲୀରୁ ବାରିପଦା ଆସିଥିଲେ। ସେ କାର୍ଯ୍ୟକ୍ରମ ଦିନ ସକାଳେ ବାଙ୍ଗିରିପୋଷି ଯିବାର ଥିଲା। ଏହି ଖବର ପ୍ରଚାରିତ ହେବା ପରେ ନିଜର ସମର୍ଥକମାନେ ସଭା ସ୍ଥଳକୁ ଯାଉଥିଲେ। ତେବେ ହଠାତ୍‌ କ'ଣ ହେଲା ଶ୍ରୀ ଟୁଡୁ ଆଉ ବାଙ୍ଗିରିପୋଷି ଗଲେନାହିଁ। ସେ କ’ଣ ପାଇଁ ଗଲେନାହିଁ, ତାହା ଜଣାପଡ଼ି ନାହିଁ।

ସେପଟେ ବିଶେଶ୍ୱର ଟୁଡୁଙ୍କ ସମର୍ଥକ କହିଛନ୍ତି, କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାର୍ଟି ତରଫରୁ କେହି ନିମନ୍ତ୍ରଣ କରିନଥିଲେ। ଏପରିକି ତାଙ୍କ ସହ କୌଣସି ନେତା ଯୋଗାଯୋଗ କରିନଥିଲେ। ଯାହା ବିଶେଶ୍ୱର ଟୁଡୁଙ୍କୁ ବହୁତ ବାଥିତ କରିଥିଲା। ଅଭିମାନ କରି ସେ ସଭାସ୍ଥଳକୁ ଯାଇନଥିଲେ।

ଏ ନେଇ ବିଜେପିର ରାଜ୍ୟ ମୁଖପାତ୍ର କବି ବିଷ୍ଣୁ ଶତପଥୀ କହିଛନ୍ତି, ବିଶେଶ୍ୱର ଟୁଡୁ ଦଳର ଜଣେ ବରିଷ୍ଠ ନେତା। ଅତୀତରେ ତାଙ୍କର ଅନେକ ଅବଦାନ ରହିଛି। ସେ କଥାକୁ କେବେ ହେଲେ ଏଡ଼ାଯାଇପାରିବ ନାହଁ। ଦଳ ପକ୍ଷରୁ ତାଙ୍କୁ କୌଣସି ଅସମ୍ମାନ କରାଯାଇନଥିବ। ହୁଏତ କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ଅନୁପସ୍ଥିତ ରହିଥିବେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Bjp Mayurbhanj