Advertisment

ମଞ୍ଚରେ ବଡ଼ ବଡ଼ ବିଜେଡି ନେତା; ସଭାରେ ଚୌକି ଖାଲି!

ନିର୍ଦ୍ଧାରିତ ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜଣେ ପରେ ଜଣେ ନେତା ଭାଷଣ ଦେଇଥିଲେ। ଆଉ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିଥିଲେ। ନବୀନ ସରକାରଙ୍କ ଯୋଜନା ସମ୍ପର୍କରେ ବଖାଣିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ମହା ଆଡମ୍ୱରେ ହୋଇଥିଲା ନିର୍ବାଚନୀ ସଭା। ମଞ୍ଚରେ ବସିଥିଲେ ବଡ଼ ବଡ଼ ବିଜେଡି ନେତା। ହେଲେ ଭାଷଣ ଶୁଣିବାକୁ କେହି ନାହାନ୍ତି। ଖାଲି ପଡ଼ିଛି ଚେୟାର! ବିଜେଡିର ଏପରି ନିର୍ବାଚନୀ ସଭା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ବିଜେଡି ଗଡ଼ ଭାବେ ପରିଚିତ ଜଗତସିଂହପୁର ଜିଲ୍ଲାରେ ଦିନେ ଏପରି ଚିତ୍ର ଦେଖିବାକୁ ମିଳିବ ବୋଲି କେହି କେବେ ଆଶା କରିନଥିଲା। ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି।

Advertisment

ଗତ ୧୯ ତାରିଖ ସନ୍ଧ୍ୟା ବେଳେ କୁଜଙ୍ଗ ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ବିଜେଡିର ନିର୍ବାଚନୀ ସଭା। ସେଥିପାଇଁ ମଞ୍ଚରେ ଲାଗିଥିଲା ବଡ଼ ବ୍ୟାନର। ଆଉ ମଞ୍ଚ ଆଗରେ ପଡ଼ିଥିଲା ଶତାଧିକ ଚେୟାର। ସଭାରେ ସାଂସଦ ତଥା ବର୍ତ୍ତମାନର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଚିରଞ୍ଜିବ ବିଶ୍ଵାଳ, ବାପି ସର୍ଖେଲ, ପ୍ରମୋଦ ଜେନା, ସନ୍ତୋଷ ପଟ୍ଟନାୟକ, ଡାକ୍ତର କୁଳମଣି ସାମଲ, ଗୋଲେଖ ନାୟକ, ମୋନିଦୀପା ସର୍ଖେଲ, ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କ ଭଳି ବଡ଼ବଡ଼ ବିଜେଡି ନେତାମାନେ ଯୋଗଦେଇଥିଲେ। ଏଥିସହ ଦୁଇ ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। କର୍ମୀ ଓ ଶ୍ରୋତାଙ୍କ ପାଇଁ ମଞ୍ଚ ଆଗରେ ଶତାଧିକ ଚେୟାର ପଡ଼ିଥିଲା।

ନିର୍ଦ୍ଧାରିତ ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜଣେ ପରେ ଜଣେ ନେତା ଭାଷଣ ଦେଇଥିଲେ। ଆଉ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିଥିଲେ। ନବୀନ ସରକାରଙ୍କ ଯୋଜନା ସମ୍ପର୍କରେ ବଖାଣିଥିଲେ। ହେଲେ ବଡ଼ ବଡ଼ ନେତାଙ୍କ ଭାଷଣ ଶୁଣିବାକୁ କେହି ନଥିଲେ। ମଞ୍ଚ ଆଗରେ ପଡ଼ିଥିବା ଚେୟାର ଖାଲି ପଡ଼ିଥିଲା। କାଁ ଭାଁ କେଉଁଠି କିଏ ବସିଥିବା ଦେଖିବାକୁ ମିଳିଥିଲା। ଆଉ ଯେଉଁମାନେ ବସିଥିଲେ, ସେମାନେ ବୋଧହୁଏ ନେତାଙ୍କ ଭାଷଣ ଶୁଣିବା ମୁଡ୍‌ରେ ନଥିଲା ପରି ଲାଗୁଥିଲେ। ଗ୍ରୀଷ୍ମ ସନ୍ଧ୍ୟାରେ ସେମାନେ ପରସ୍ପର ଭିତରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

Advertisment

ଉପକୂଳ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଜିଲ୍ଲା ହେଉଛି ଜଗତସିଂହପୁର। ଏହି ଜିଲ୍ଲାରେ ଲୋକସଭା ଓ ସବୁ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଥିଲା। ୨୦୧୯ ପରି ଏଥର କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ଥିଲା ବିଜେଡି। ହେଲେ ଗଡ଼ ଜିତିବା ବିଜେଡି ପାଇଁ ଏତେ ସହଜ ହେବନାହିଁ ବୋଲି ଚର୍ଚ୍ଚା ହେଉଛି। କାରଣ ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି। ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଦଳ ଦୁର୍ବଳ ହୋଇଛି। ଏଥର ସେ ଜଗତସିଂହପୁରରୁ ବିଜେପିରୁ ନିର୍ବାଚନ ଲଢ଼ିଥିବାରୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ଅଡୁଆ ବଢିଛି।

ଅନ୍ୟପକ୍ଷରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପୁରୀ ଜିଲ୍ଲାର କାକଟପୁର ଓ ନିମାପଡ଼ା ଆସୁଛି। ସେହି ଦୁଇ ନିର୍ବାଚନମଣ୍ଡଳୀରେ ସମୀକରଣ ବଦଳୁଥିବାରୁ ବିଜେଡି ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି ସ୍ଥିତିରେ ବିଜେଡି ଭବ୍ୟ ସଭାରେ ଚେୟା ଖାଲି ପଡ଼ିବା ନିଶ୍ଚିତ ଦଳ ପାଇଁ ଚିନ୍ତା ଜନକ ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ତେବେ ସଭାରେ ଚେୟାର ଖାଲି ପଡ଼ିବା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

BjD Jagatsinghpur General Election 2024 General Election