Advertisment

ଚାପ ବଢ଼ିବାରୁ ମୁହଁ ଖୋଲିଲେ ବବି ଓ ଅତନୁ: କଲେ ପାଣ୍ଡିଆନଙ୍କ ପ୍ରଶଂସା, ‘ରାଜତିଳକ’କୁ ସ୍ୱୀକୃତି

ପାଣ୍ଡିଆନଙ୍କ ରୂପାନ୍ତରିତ ଭୂମିକାକୁ ବିଭିନ୍ନ କର୍ମଚାରୀ ସଂଘ ସ୍ୱାଗତ ଜଣାଉଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସୁନଥିବାରୁ ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି ହୋଇଛି ।

undefined

VK Pandian

Advertisment

ସୋଶାଲ ମିଡିଆର ଚାପ କାମ ଦେଲା । ଶେଷରେ ମୁହଁ ଖୋଲି ପ୍ରଶଂସା ବି କଲେ ବିଜେଡିର ବରିଷ୍ଠ ନେତାମାନେ । ଆଉ ରାଜ୍ୟର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ରୂପାନ୍ତରିତ ଭୂମିକାକୁ ନେଇ ବିଜେଡି କର୍ମୀ ଓ ନେତାମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ଦୂର ପାଇଁ ବି ପ୍ରୟାସ କରିଛନ୍ତି । ଆଇଏଏସ୍ ଚାକିରି ଛାଡ଼ି ଦଶହରାରୁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରୁଥିବା ‘ପାଣ୍ଡିଆନଙ୍କ ରୂପାନ୍ତରିତ ଭୂମିକା’କୁ ନେଇ ବିଜେଡିର ବରିଷ୍ଠ ନେତାମାନଙ୍କ ନିରବତା ଉଭୟ ବିଜେଡି ଓ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ବଢ଼ାଇଥିଲା । ପ୍ରାୟ ସପ୍ତାହକ ପରେ ବିଜେଡିର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ମୁହଁ ଖୋଲି ନିଜ ନିଜ ଢଙ୍ଗରେ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି । ଆଉ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ‘ପାଣ୍ଡିଆନ ହିଁ ଗ୍ରହଣୀୟ ବ୍ୟକ୍ତିତ୍ୱ’ ବୋଲି ବିଜେଡି ନେତାମାନେ ପରୋକ୍ଷରେ ସନ୍ଦେଶ ଦେବା ସହ ଦ୍ୱନ୍ଦ୍ୱକୁ ଦୂର ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ପରଠୁ ତାଙ୍କୁ ବିଜେଡି ମିଡିଆ ସେଲ୍ କର୍ମକର୍ତ୍ତା ଓ ବିଭିନ୍ନ କର୍ମଚାରୀ ସଂଘ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ମାତ୍ର ପାଣ୍ଡିଆନଙ୍କ ‘ରୂପାନ୍ତରିତ ଭୂମିକା’କୁ ନେଇ ବିଜେଡିର ବରିଷ୍ଠ ନେତାମାନେ ସମ୍ପୂର୍ଣ୍ଣ ନିରବ ରହିଥିଲେ । ଏପରିକି ସୋସିଆଲ ମିଡିଆରେ ବି ପାଣ୍ଡିଆନଙ୍କ ନୂଆ ଭୂମିକାକୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇ ନଥିଲେ । ଯେଉଁଥିପାଇଁ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିରେ ବିଜେଡିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ (ଯଦିଓ ପାଣ୍ଡିଆନଙ୍କ ପାଇଁ ହିଁ ଏହି ଗୋଷ୍ଠୀ ପ୍ରଭାବଶାଳୀ) ଅସନ୍ତୁଷ୍ଟ ବୋଲି ସୋସିଆଲ ମିଡିଆରେ ନକରାତ୍ମକ ପ୍ରଚାର ଜୋର୍ ଧରିଲା । ଏହାକୁ ବିଜେଡି ପକ୍ଷରୁ ଖଣ୍ଡନ କରାଗଲାନି କିମ୍ବା ଦଳର ବରିଷ୍ଠ ନେତାମାନେ ମଧ୍ୟ ମୁହଁ ଖୋଲିଲେ ନାହିଁ ।

ତେବେ ପାଣ୍ଡିଆନଙ୍କ ରୂପାନ୍ତରିତ ଭୂମିକାକୁ ବିଭିନ୍ନ କର୍ମଚାରୀ ସଂଘ ସ୍ୱାଗତ ଜଣାଉଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସୁନଥିବାରୁ ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏବେ ପାଣ୍ଡିଆନଙ୍କ ନୂଆ ଭୂମିକାକୁ ପ୍ରଶଂସା କରିବାକୁ ଜଣେ ପରେ ଜଣେ ବରିଷ୍ଠ ନେତା ଆଗକୁ ଆସିଛନ୍ତି । ଏହାସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ ମଧ୍ୟ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

Advertisment

ନବୀନଙ୍କ ପରେ ବିଜେଡି ଓ ସରକାରରେ ସର୍ବମୟକର୍ତ୍ତା ଶ୍ରୀ ପାଣ୍ଡିଆନଙ୍କୁ ଦୀର୍ଘ ସପ୍ତାହ ପରେ ପ୍ରଶଂସା କରିବାକୁ ଆଗେଇ ଆସିଛନ୍ତି ବିଜେଡିର ବରିଷ୍ଠ ନେତାମାନେ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେବେଠୁ ନିରବ ଥିବାବେଳେ ଆଜି ନିଜ ସୋସିଆଲ ମିଡିଆରେ ଭିନ୍ନ ଢଙ୍ଗରେ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି। ପ୍ରଣବ ଲେଖିଛନ୍ତି ଯେ, “ମୁଁ ଓ ଦଳର ଅନ୍ୟ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ଧର୍ମଗଡ଼ ଅନାଥାଶ୍ରମ ପରିଦର୍ଶନ ଏକ ସ୍ୱତନ୍ତ୍ର ଅନୁଭବ । ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ୍ ଜଣାପଡ଼ୁଥିଲା । ୨୦୦୨ରେ ଧର୍ମଗଡ଼ ଭଳି ଦୁର୍ଗମ ଅଂଚଳର ଏହି ଅନାଥାଶ୍ରମ ଓ ଏଠାରେ ରହୁଥିବା ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନେଇଥିଲେ । ଏତେ ବର୍ଷ ହେଲା ଶ୍ରୀ ପାଣ୍ଡିଆନଙ୍କୁ ସେମାନେ ଭୁଲି ଯାଇନାହାନ୍ତି । ପ୍ରଥମ ଧର୍ମଗଡ଼ ଉତ୍ସବ ଆୟୋଜନଠୁ ଆରମ୍ଭ କରି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ ଆଗଭର ହୋଇ କାମ କରିଛନ୍ତି । ଏଥିପାଇଁ କଳାହାଣ୍ଡି ଓ ଧର୍ମଗଡ଼ବାସୀ ତାଙ୍କୁ ସେମାନଙ୍କ ନିଜ ମାଟିର ଜଣେ ଅତ୍ୟନ୍ତ ଶୁଭାକାଂକ୍ଷୀ ଭାବେ ସବୁବେଳେ ମନେ ରଖିବେ ନିଶ୍ଚୟ ।”

ସେହିପରି ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା । ଫାଇଭ-ଟି ଉପଯୋଗରେ ଓଡ଼ିଶାର ବିକାଶ ଅତି କ୍ଷିପ୍ର ଗତିରେ ଚାଲିଛି । ପାଣ୍ଡିଆନ ଓଡ଼ିଶା ସାରା ବୁଲି ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସେଥିରୁ ୮୦% ସମାଧାନ ହୋଇସାରିଲାଣି । ରାଜ୍ୟବାସୀ ମଧ୍ୟ ପାଣ୍ଡିଆନଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ପାଣ୍ଡିଆନଙ୍କୁ ଦେଇଛନ୍ତି ତାହା ନିଶ୍ଚିତ ଭାବେ ଓଡ଼ିଶାର ସାମଗ୍ରିକ ବିକାଶକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ।

ସେହିପରି ଦଳର ଅନ୍ୟ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ ଓ ଅଚ୍ୟୁତ ସାମନ୍ତ ପ୍ରମୁଖ ବିଜେଡି ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ‘ନୂଆ ନିଯୁକ୍ତି ଓ ରୂପାନ୍ତରିତ ଭୂମିକା’ ପାଇଁ ଅଭିନନ୍ଦନ ଜଣାଇବେ ବୋଲି ସୂଚନା ମିଳିଛି । ଏହାସହିତ ଦଳର ଅନ୍ୟ ନେତାମାନେ ନିୟମିତ ଭାବେ ପାଣ୍ଡିଆନଙ୍କ ସପକ୍ଷରେ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବେ ବୋଲି ଜଣାପଡ଼ିଛି । ଏଭଳି କରି ଦଳୀୟ କର୍ମୀ ଓ ନେତାମାନଙ୍କ ମନରେ ଥିବା ସମସ୍ତ ପ୍ରକାରର ଦ୍ୱନ୍ଦ୍ୱ ଦୂର ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏହାସହିତ ନବୀନଙ୍କ ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କ ‘ରାଜତିଳକ’ ନିମନ୍ତେ ବିଜେଡି ଏବେଠୁ ନିଜକୁ ପ୍ରସ୍ତୁତ କରୁଛି, ଯାହାକି ଦଳର ବରିଷ୍ଠ ନେତାମାନଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ସୂଚନା ମିଳୁଥିବା ଚର୍ଚ୍ଚା ହେଉଛି ।

BjD Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe