ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ବିଜେଡି ନେତାମାନେ କିଭଳି ଅୟସ କରୁଥିଲେ ତା’ର ପ୍ରମାଣ ଏବେ ଧୀରେଧୀରେ ଲୋକଲୋଚନକୁ ଆସିବାରେ ଲାଗିଛି । ଦିଲ୍ଲୀ ରହଣୀବେଳେ ରାଜ୍ୟ ସରକାର(ଓଡ଼ିଶା ନିବାସ)ଙ୍କ ଗାଡ଼ିକୁ ବେଧଡ଼କ ବ୍ୟକ୍ତିଗତ ଗାଡ଼ି ଭଳି ଉପଯୋଗ କରୁଥିବା ବିଜେଡି ସାଂସଦମାନଙ୍କୁ ଏବେ ‘ଗାଡ଼ି’ ଚିନ୍ତା ଘାରିଛି । ଦିଲ୍ଲୀରେ ଉପଯୋଗ ପାଇଁ ‘ଗାଡ଼ି’ର ଆବଶ୍ୟକତା ସମ୍ପର୍କରେ ବିଜେଡିର ଜଣେ ମହିଳା ସାଂସଦ ଗତ ଦୁଇଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ନବୀନ ଏହା ଶୁଣି ବିରକ୍ତ ପ୍ରକାଶ କରିବା ସହ ‘ଲେଟଅସ୍ ଡୁ ସମ୍ ସିରିୟସ ଡିସକ୍ସନ୍’ ବୋଲି କହିଥିବା ଜଣାପଡ଼ିଛି । ଏହାସହିତ ବିଜେଡି ସାଂସଦମାନଙ୍କୁ ସରକାରୀ ଗାଡ଼ି ଯୋଗାଇ ଦେବା ନେଇ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ଭୂମିକା ମଧ୍ୟ ସନ୍ଦେହଘେରରେ ରହିଥିବା ଚର୍ଚ୍ଚା ।
ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟସଭା ସାଂସଦମାନଙ୍କୁ ନବୀନ ନିବାସ ଡାକି ସଂସଦରେ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ନବୀନ ଦଳର ସାଂସଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ କଥା ହୋଇଥିଲେ । ତେବେ ଦଳର ଜଣେ ମହିଳା ସାଂସଦ ଦିଲ୍ଲୀରେ ଯାତାୟତ ପାଇଁ ଏଣିକି ଅସୁବିଧା ହେବ ଓ ପୂର୍ବଭଳି ଆଉ ‘ଓଡ଼ିଶା ନିବାସ’ରୁ ସରକାରୀ ଗାଡ଼ି ମିଳିବ ନାହିଁ ବୋଲି ନବୀନଙ୍କୁ ଅବଗତ କରାଇଥିଲେ । ତେବେ ସାଂସଦଙ୍କ ଏଭଳି କଥା ଶୁଣି ନବୀନ ବିରକ୍ତ ହୋଇ ‘ଲେଟଅସ୍ ଡୁ ସମ୍ ସିରିୟସ୍ ଡିସକ୍ସନ’ ବୋଲି କହିବା ପରେ ମହିଳା ସାଂସଦଜଣକ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ । ଜଣେ ସାଂସଦ ହୋଇ ବ୍ୟକ୍ତିଗତ ଉପଯୋଗ ପାଇଁ ଗାଡ଼ିର ବ୍ୟବସ୍ଥା ନକରି ସେହି ପ୍ରସଙ୍ଗକୁ ନବୀନଙ୍କ ସମ୍ମୁଖରେ ଉଠାଇବାକୁ ମଧ୍ୟ କିଛି ସାଂସଦ ନାପସନ୍ଦ କରିଛନ୍ତି । ଏହାସହିତ ଦିଲ୍ଲୀରେ ସରକାରୀ ଗାଡ଼ି ଚଢ଼ି ବିଜେଡି ସାଂସଦମାନେ ବୁଲିବା କଥା ମଧ୍ୟ ପ୍ରଥମଥର ପାଇଁ ନବୀନଙ୍କ ନଜରକୁ ଆସିଥିବା ଜଣାପଡ଼ିଛି । ମହିଳା ସାଂସଦଙ୍କ ସରକାରୀ ଗାଡ଼ିରେ ଏଭଳି ଦିଲ୍ଲୀବୁଲା ପ୍ରସଙ୍ଗ ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେଡି କ୍ଷମତାରେ ଥିବାବେଳେ ଦଳର ଅଧିକାଂଶ ସାଂସଦ ଓଡ଼ିଶା ନିବାସରେ ଥିବା ସରକାରଙ୍କ ଗାଡ଼ିକୁ ନିଜସ୍ୱ କାର୍ଯ୍ୟରେ ଉପଯୋଗ କରୁଥିଲେ । ଏପରିକି ସେତେବେଳେର ଜଣେ ତଥାକଥିତ ପ୍ରଭାବଶାଳୀ ସାଂସଦ(ତୃତୀୟ ମହଲାର ଆଇପିଏସ୍ ଅଫିସରଙ୍କ ଜ୍ୱାଇଁ) ଦିଲ୍ଲୀରେ ରାଜ୍ୟ ସରକାରଙ୍କ ୨ଟି ଗାଡ଼ିକୁ ନିଜ ଉପଯୋଗ ପାଇଁ ରଖିଥିଲେ ବୋଲି ଜଣାପଡ଼ିଛି । ଲକ୍ଷଲକ୍ଷ ଟଙ୍କାର ଦରମା ଓ ଭତ୍ତା ଆଦି ପାଉଥିବା ଏହି ବିଜେଡି ସାଂସଦମାନେ(ଜଣେଦୁଇଜଣଙ୍କୁ ବାଦ୍ ଦେଲେ) ବେଶ୍ କିଛିବର୍ଷ ଧରି ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଗାଡ଼ିରେ ଅୟସ କରିଛନ୍ତି । ଦିଲ୍ଲୀ ରହଣୀବେଳେ ସେହି ଗାଡ଼ିଗୁଡ଼ିକୁ ବ୍ୟକ୍ତିଗତ ଉପଯୋଗ କରିବାକୁ ପଛାଉନଥିଲେ ।
ତେବେ ଏଭଳି ବେଆଇନ କାର୍ଯ୍ୟ କିପରି ସମ୍ଭବପର ହେଉଥିଲା ଓ ବ୍ୟକ୍ତିଗତ ଉପଯୋଗ ପାଇଁ କିଏ ଅନୁମତି ଦେଉଥିଲା ଓ ସେମାନଙ୍କଠୁ ଭଡ଼ା ଆଦାୟ ହେଉଥିଲା କି ନାହିଁ ତାହା ଅବଶ୍ୟ ଜଣାପଡ଼ିନି । ମାତ୍ର ବିଜେଡି ସାଂସଦମାନଙ୍କୁ ସରକାରୀ ଗାଡ଼ି ବ୍ୟକ୍ତିଗତ ଉପଯୋଗ ପାଇଁ ଦେବା ପଛରେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ଭୂମିକା ସନ୍ଦେହଘେରକୁ ଆସିଛିି । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହୋଇଥିବାରୁ ଆଉ ବିଜେଡି ସାଂସଦମାନଙ୍କୁ ବ୍ୟକ୍ତିଗତ ଉପଯୋଗ ପାଇଁ ସରକାରୀ ଗାଡ଼ି ମିଳିବ ନାହିଁ । ଯାହାକି ଏହି ସାଂସଦମାନଙ୍କୁ ଚିନ୍ତାରେ ପକାଇଛି ।
ସେହିପରି ଦିଲ୍ଲୀରେ ଓଡ଼ିଶାର ଆବାସିକ କମିଶନରଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଂଟିତ ୫ଟି କ୍ୱାର୍ଟର୍ସ ମଧ୍ୟରୁ ଗୋଟିଏ କ୍ୱାର୍ଟର୍ସ ଏବେ ଜଣେ ଅଣଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜବରଦଖଲରେ ରହିଥିବା ଜଣାପଡ଼ିଛି । ୧୯୯୬ ବ୍ୟାଚର ଏହି ଅଣଓଡ଼ିଆ ଆଇଏଏସ୍ ଅଫିସର ଏବେ ରାଜ୍ୟର ଦୁଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ ଓଡ଼ିଶାରେ ରହୁଥିଲେ ମଧ୍ୟ କାହିଁକି ଓ କାହା ଅନୁମତିରେ ଦିଲ୍ଲୀରେ ଗୋଟିଏ ସରକାର କ୍ୱାର୍ଟର୍ସକୁ ନିଜ ଦଖଲରେ ରଖିଛନ୍ତି ତାକୁ ନେଇ ଚର୍ଚ୍ଚା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।