ଦିଲ୍ଲୀ ରହଣୀବେଳେ ସରକାରୀ ଗାଡ଼ି ଚଢ଼ୁଥିଲେ ବିଜେଡି ସାଂସଦ, ସନ୍ଦେହଘେରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ

ଦିଲ୍ଲୀ ରହଣୀବେଳେ ରାଜ୍ୟ ସରକାର(ଓଡ଼ିଶା ନିବାସ)ଙ୍କ ଗାଡ଼ିକୁ ବେଧଡ଼କ ବ୍ୟକ୍ତିଗତ ଗାଡ଼ି ଭଳି ଉପଯୋଗ କରୁଥିବା ବିଜେଡି ସାଂସଦମାନଙ୍କୁ ଏବେ ‘ଗାଡ଼ି’ ଚିନ୍ତା ଘାରିଛି।

ଶଙ୍ଖଭବନ (ଫାଇଲ ଫଟୋ)

  • Published: Wednesday, 26 June 2024
  • , Updated: 26 June 2024, 10:34 PM IST

ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ବିଜେଡି ନେତାମାନେ କିଭଳି ଅୟସ କରୁଥିଲେ ତା’ର ପ୍ରମାଣ ଏବେ ଧୀରେଧୀରେ ଲୋକଲୋଚନକୁ ଆସିବାରେ ଲାଗିଛି । ଦିଲ୍ଲୀ ରହଣୀବେଳେ ରାଜ୍ୟ ସରକାର(ଓଡ଼ିଶା ନିବାସ)ଙ୍କ ଗାଡ଼ିକୁ ବେଧଡ଼କ ବ୍ୟକ୍ତିଗତ ଗାଡ଼ି ଭଳି ଉପଯୋଗ କରୁଥିବା ବିଜେଡି ସାଂସଦମାନଙ୍କୁ ଏବେ ‘ଗାଡ଼ି’ ଚିନ୍ତା ଘାରିଛି । ଦିଲ୍ଲୀରେ ଉପଯୋଗ ପାଇଁ ‘ଗାଡ଼ି’ର ଆବଶ୍ୟକତା ସମ୍ପର୍କରେ ବିଜେଡିର ଜଣେ ମହିଳା ସାଂସଦ ଗତ ଦୁଇଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ନବୀନ ଏହା ଶୁଣି ବିରକ୍ତ ପ୍ରକାଶ କରିବା ସହ ‘ଲେଟଅସ୍ ଡୁ ସମ୍ ସିରିୟସ ଡିସକ୍ସନ୍‌’ ବୋଲି କହିଥିବା ଜଣାପଡ଼ିଛି । ଏହାସହିତ ବିଜେଡି ସାଂସଦମାନଙ୍କୁ ସରକାରୀ ଗାଡ଼ି ଯୋଗାଇ ଦେବା ନେଇ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ଭୂମିକା ମଧ୍ୟ ସନ୍ଦେହଘେରରେ ରହିଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟସଭା ସାଂସଦମାନଙ୍କୁ ନବୀନ ନିବାସ ଡାକି ସଂସଦରେ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ନବୀନ ଦଳର ସାଂସଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ କଥା ହୋଇଥିଲେ । ତେବେ ଦଳର ଜଣେ ମହିଳା ସାଂସଦ ଦିଲ୍ଲୀରେ ଯାତାୟତ ପାଇଁ ଏଣିକି ଅସୁବିଧା ହେବ ଓ ପୂର୍ବଭଳି ଆଉ ‘ଓଡ଼ିଶା ନିବାସ’ରୁ ସରକାରୀ ଗାଡ଼ି ମିଳିବ ନାହିଁ ବୋଲି ନବୀନଙ୍କୁ ଅବଗତ କରାଇଥିଲେ । ତେବେ ସାଂସଦଙ୍କ ଏଭଳି କଥା ଶୁଣି ନବୀନ ବିରକ୍ତ ହୋଇ ‘ଲେଟଅସ୍ ଡୁ ସମ୍ ସିରିୟସ୍ ଡିସକ୍ସନ’ ବୋଲି କହିବା ପରେ ମହିଳା ସାଂସଦଜଣକ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ । ଜଣେ ସାଂସଦ ହୋଇ ବ୍ୟକ୍ତିଗତ ଉପଯୋଗ ପାଇଁ ଗାଡ଼ିର ବ୍ୟବସ୍ଥା ନକରି ସେହି ପ୍ରସଙ୍ଗକୁ ନବୀନଙ୍କ ସମ୍ମୁଖରେ ଉଠାଇବାକୁ ମଧ୍ୟ କିଛି ସାଂସଦ ନାପସନ୍ଦ କରିଛନ୍ତି । ଏହାସହିତ ଦିଲ୍ଲୀରେ ସରକାରୀ ଗାଡ଼ି ଚଢ଼ି ବିଜେଡି ସାଂସଦମାନେ ବୁଲିବା କଥା ମଧ୍ୟ ପ୍ରଥମଥର ପାଇଁ ନବୀନଙ୍କ ନଜରକୁ ଆସିଥିବା ଜଣାପଡ଼ିଛି । ମହିଳା ସାଂସଦଙ୍କ ସରକାରୀ ଗାଡ଼ିରେ ଏଭଳି ଦିଲ୍ଲୀବୁଲା  ପ୍ରସଙ୍ଗ ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେଡି କ୍ଷମତାରେ ଥିବାବେଳେ ଦଳର ଅଧିକାଂଶ ସାଂସଦ ଓଡ଼ିଶା ନିବାସରେ ଥିବା ସରକାରଙ୍କ ଗାଡ଼ିକୁ ନିଜସ୍ୱ କାର୍ଯ୍ୟରେ ଉପଯୋଗ କରୁଥିଲେ । ଏପରିକି ସେତେବେଳେର ଜଣେ ତଥାକଥିତ ପ୍ରଭାବଶାଳୀ ସାଂସଦ(ତୃତୀୟ ମହଲାର ଆଇପିଏସ୍ ଅଫିସରଙ୍କ ଜ୍ୱାଇଁ) ଦିଲ୍ଲୀରେ ରାଜ୍ୟ ସରକାରଙ୍କ ୨ଟି ଗାଡ଼ିକୁ ନିଜ ଉପଯୋଗ ପାଇଁ ରଖିଥିଲେ ବୋଲି ଜଣାପଡ଼ିଛି । ଲକ୍ଷଲକ୍ଷ ଟଙ୍କାର ଦରମା ଓ ଭତ୍ତା ଆଦି ପାଉଥିବା ଏହି ବିଜେଡି ସାଂସଦମାନେ(ଜଣେଦୁଇଜଣଙ୍କୁ ବାଦ୍ ଦେଲେ) ବେଶ୍ କିଛିବର୍ଷ ଧରି ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଗାଡ଼ିରେ ଅୟସ କରିଛନ୍ତି । ଦିଲ୍ଲୀ ରହଣୀବେଳେ ସେହି ଗାଡ଼ିଗୁଡ଼ିକୁ ବ୍ୟକ୍ତିଗତ  ଉପଯୋଗ କରିବାକୁ ପଛାଉନଥିଲେ ।

ତେବେ ଏଭଳି ବେଆଇନ କାର୍ଯ୍ୟ କିପରି ସମ୍ଭବପର ହେଉଥିଲା ଓ ବ୍ୟକ୍ତିଗତ ଉପଯୋଗ ପାଇଁ କିଏ ଅନୁମତି ଦେଉଥିଲା ଓ ସେମାନଙ୍କଠୁ ଭଡ଼ା ଆଦାୟ ହେଉଥିଲା କି ନାହିଁ ତାହା ଅବଶ୍ୟ ଜଣାପଡ଼ିନି । ମାତ୍ର ବିଜେଡି ସାଂସଦମାନଙ୍କୁ ସରକାରୀ ଗାଡ଼ି ବ୍ୟକ୍ତିଗତ ଉପଯୋଗ ପାଇଁ ଦେବା ପଛରେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ଭୂମିକା ସନ୍ଦେହଘେରକୁ ଆସିଛିି । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହୋଇଥିବାରୁ ଆଉ ବିଜେଡି ସାଂସଦମାନଙ୍କୁ ବ୍ୟକ୍ତିଗତ ଉପଯୋଗ ପାଇଁ ସରକାରୀ ଗାଡ଼ି ମିଳିବ ନାହିଁ । ଯାହାକି ଏହି ସାଂସଦମାନଙ୍କୁ ଚିନ୍ତାରେ ପକାଇଛି ।

ସେହିପରି ଦିଲ୍ଲୀରେ ଓଡ଼ିଶାର ଆବାସିକ କମିଶନରଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଂଟିତ ୫ଟି କ୍ୱାର୍ଟର୍ସ ମଧ୍ୟରୁ ଗୋଟିଏ କ୍ୱାର୍ଟର୍ସ ଏବେ ଜଣେ ଅଣଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜବରଦଖଲରେ ରହିଥିବା  ଜଣାପଡ଼ିଛି । ୧୯୯୬ ବ୍ୟାଚର ଏହି ଅଣଓଡ଼ିଆ ଆଇଏଏସ୍ ଅଫିସର ଏବେ ରାଜ୍ୟର ଦୁଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ ଓଡ଼ିଶାରେ ରହୁଥିଲେ ମଧ୍ୟ କାହିଁକି ଓ କାହା ଅନୁମତିରେ ଦିଲ୍ଲୀରେ ଗୋଟିଏ ସରକାର କ୍ୱାର୍ଟର୍ସକୁ ନିଜ ଦଖଲରେ ରଖିଛନ୍ତି ତାକୁ ନେଇ ଚର୍ଚ୍ଚା ।

Related story