ଶାଲିମାର ବାଗର ବିଜେପି ବିଧାୟକ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ପାଠ ସହ ଦିଲ୍ଲୀରେ ବିଜେପି ରାଜ ଆରମ୍ଭ ହୋଇଛି। ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ଶାସନ ଆରମ୍ଭ କରିଛି। ରେଖାଙ୍କ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ବିଜେପିର ଆଉ ୬ ଜଣ ବିଧାୟକ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।
ରାମଲୀଲା ମୈଦାନରେ ହୋଇଥିବା ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପରାମର୍ଶକ୍ରମେ ବିଜେପି ବିଧାୟକ ପରବେଶ ବର୍ମା, ଆଶୀଷ ସୁଦ, ମନଜିନ୍ଦର ସିର୍ସା, ରବୀନ୍ଦ୍ର ଇନ୍ଦ୍ରଜ ସିଂହ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂହଙ୍କୁ ଦିଲ୍ଲୀ ସରକାରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ପରେବଶ ବର୍ମା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବାକି ୫ ଜଣ କେବଳ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।
ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ହୋଇଥିବା ୬ ବିଜେପି ବିଧାୟକ କିଏ?
୧- ପରବେଶ ବର୍ମା(ନୂଆଦିଲ୍ଲୀ ବିଧାୟକ): ପରବେଶ ବର୍ମା ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ୨୦୨୫ ବିଧାନସଭା ନିର୍ବାଚନରେ ପରବେଶ ବର୍ମା ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ପରାସ୍ତ କରିଥିଲେ। ୨୦୧୩ରୁ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ୩ଥର ବିଧାୟକ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ହେଲେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ନୂଆଦିଲ୍ଲୀ ଆସନରେ ୨୦୧୩ ପୂର୍ବରୁ କଂଗ୍ରେସର ଶିଲା ଦୀକ୍ଷିତ କ୍ରମାଗତ ବିଜୟୀ ହୋଇ ଆସୁଥିଲେ। ସେ ଏଠାରୁ ଜିତିଥିବାରୁ ତାଙ୍କୁ କଂଗ୍ରେସ ୩ ଥର ମୁଖ୍ୟମନ୍ତ୍ରୀ କରିଥିଲା। ୨୦୧୩ରେ କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ଶିଲାଙ୍କୁ ହରାଇବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ଏଠାରୁ ୩ଥର ଜିତି ୩ଥର ଯାକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୨୫ରେ ପରବେଶ ବର୍ମା ୪,୦୯୮ ଖଣ୍ଡ ଭୋଟରେ କେଜ୍ରିୱାଲ ହରାଇଥିଲେ। ତେଣୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କୁହାଯାଉଥିଲା। ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ୪୭ ବର୍ଷୀୟ ବର୍ମା ଯମୁନା ସଫେଇ ଠାରୁ ଆରମ୍ଭ କରି ନିଯୁକ୍ତି, ବସ୍ତିବାସିନ୍ଦାଙ୍କୁ ଘର, ଫ୍ଲାଏଓଭର ଭଳି ଏକାଧିକ ପ୍ରତିଶ୍ରୁତି ଦେଇଥିଲେ। ପରବେଶ ବର୍ମା ପଶ୍ଚିମ ଦିଲ୍ଲୀରୁ ଦୁଇଥର ସାଂସଦ ଓ ମେହରୌଲି ଆସନରୁ ଥରେ ବିଧାୟକ ମଧ୍ୟ ହୋଇଥିଲେ। ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଆସିଥିବା ବେଳେ ବର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
୨- ଆଶୀଷ ସୁଦ(ଜନକପୁରୀ ବିଧାୟକ): ଆଶୀଷ ହେଉଛନ୍ତି ବିଜେପିର ଜଣେ ଟାଣୁଆ ନେତା। ସେ ଏକାଧିକ ଥର କାଉନସିଲର ହେବା ସହ ପୂର୍ବତନ ଦକ୍ଷିଣ ଦିଲ୍ଲୀ ପୌର ନିଗମ (ଏସଡିଏମସି)ରେ ଗୃହର ବିରୋଧୀ ଦଳ ନେତା ଭାବେ କାମ କରିଥିଲେ। ସେ ବିଜେପି ପାଇଁ ଗୋଆରେ କାମ କରିବା ସହ ଜମ୍ମ-କଶ୍ମୀରର ସହ ପ୍ରଭାରୀ ମଧ୍ୟ ରହିଥିଲେ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ଘନିଷ୍ଠ ହେଉଛନ୍ତି ଆଶୀଷ।
ସେ ୨୦୨୦ରେ ଜନକପୁରୀ ଆସନରୁ ପରାସ୍ତ ହୋଇଥିଲେ। କିନ୍ତୁ ୨୦୨୫ରେ ସେ ସମାନ ଆସନରୁ ୧୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଆଶୀଷଙ୍କ ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ସେ ଜାତୀୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ। ୨୦୦୮ରେ ବିଜେପି ଦିଲ୍ଲୀ ୟୁନିଟର ସମ୍ପାଦକ ହେବା ପରେ ଏସଡିଏମସି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। କୁହାଯାଉଛି ଯେ ଆଶୀଷଙ୍କ ପଛରେ ଆରଏସଏସ୍ର ଦୃଢ଼ ସମର୍ଥନ ରହିଛି। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଏବିଭିପିରେ ରହିଥିଲେ।
୩- କପିଲ ମିଶ୍ରା(କରୱାଲ ନଗର ବିଧାୟକ): ୪୪ ବର୍ଷୀୟ କପିଲ ମିଶ୍ରା ଏକମାତ୍ର ବିଜେପି ବିଧାୟକ ଯିଏ ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାରରେ କାମ କରିଛନ୍ତି। ସେ ବିଜେପିକୁ ଆସିବା ପୂର୍ବରୁ ଆପର ବିଧାୟକ ରହିଥିଲେ। ସେ ୨୦୧୫ରୁ ୨୦୧୭ ଯାଏ ଆପ୍ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ଆପ୍ରେ ମନ୍ତ୍ରୀ ଭାବେ କାମ କରିବା ବେଳେ ସେ କେଜ୍ରିୱାଲ ଓ ତତ୍କାଳୀନ PWD ଓ ସ୍ୱାସ୍ଥମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଆପ୍ରୁ ବହିଷ୍କାର କରାଯାଇଥିଲା। ୨୦୧୯ରେ ସେ ବିଜେପିରେ ମିଶିବା ପରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ମଡେଲ ଟାଉନ ଆସନରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ଦିଲ୍ଲୀ ରାଜନୀତିର ଚର୍ଚ୍ଚିତ ଚେହେରା କପିଲ ମିଶ୍ରା ହେଉଛନ୍ତି ପୂର୍ବ ଦିଲ୍ଲୀର ପୂର୍ବତନ ମେୟର ଅନ୍ନପୂର୍ଣ୍ଣା ମିଶ୍ରାଙ୍କ ପୁଅ। ୨୦୨୩ରେ ବିଜେପି ତାଙ୍କୁ ଦିଲ୍ଲୀର ଉପ ସଭାପତି କରିଥିଲା। ସେ ଚାଷୀ ଆତ୍ମହତ୍ୟା ଠାରୁ ଆରମ୍ଭ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହୋଇଥିବା ଦୁର୍ନୀତି ବିରୋଧରେ ପ୍ରଚାର ଅଭିଯାନ ଚଳାଇଥିଲେ।
୪- ମନଜିନ୍ଦର ସିଂହ ସର୍ସା(ରଜୌରୀ ଗାର୍ଡେନ ବିଧାୟକ): ଜଣେ ଶିଖ ନେତା ଭାବେ ଦିଲ୍ଲୀ ରାଜନୀତିରେ ସିର୍ସାଙ୍କ ବେଶ ଦବଦବା ରହିଛି। ସେ ପୂର୍ବରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ରହିଥିଲେ। ପୂର୍ବରୁ ମଧ୍ୟ ସେ ଗୋଟିଏ ଥର ରଜୌରୀ ଗାର୍ଡେନରୁ ବିଜୟୀ ହୋଇଥିଲେ। ୨୦୨୫ରେ ସେ ଏଠାରେ ଆପ୍ର ଧନବତୀ ଚାଣ୍ଡେଲାଙ୍କୁ ୧୮,୧୯୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଛନ୍ତି।
୫- ରବୀନ୍ଦ୍ର ଇନ୍ଦ୍ରଜ ସିଂହ(ବାୱାନା ବିଧାୟକ): ପୂର୍ବତନ ବିଧାୟକ ଇନ୍ଦ୍ରଜ ସିଂହଙ୍କ ପୁଅ ହେଉଛନ୍ତି ରବୀନ୍ଦ୍ର। ସେ ଉତ୍ତର ଦିଲ୍ଲୀର ବାୱାନା ଆସନରୁ ବିଜୟୀ ହୋଇଛନ୍ତି। ୨୦୨୫ରେ ତାଙ୍କୁ ୧,୧୯,୫୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବେ ଆପର ଜୟ ଭଗବାନ କେବଳ ୩୧,୪୭୫ ଖଣ୍ଡ ଭୋଟ ପାଇଥିଲେ। ତୃଣମୂଳ ସ୍ତରର ଜଣେ ଟାଣୁଆ ନେତା ଭାବେ ରବୀନ୍ଦ୍ରଙ୍କ ବେଶ ଦବଦବା ରହିଛି। ଏହା ତାଙ୍କ ବିଜୟରେ ସହାୟକ ହୋଇଥିବା କୁହାଯାଉଛି।
୬- ପଙ୍କଜ କୁମାର ସିଂହ(ବିକାଶପୁରୀ ବିଧାୟକ): ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଆସନରୁ ପଙ୍କଜ କୁମାର ସିଂହ ବିଜୟୀ ହୋଇଛନ୍ତି। ସେ ଏଠାରେ ଆପ୍ର ମହିନ୍ଦର ଯାଦବଙ୍କୁ ୧୨,୮୭୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉକ୍ତ ବିଜୟ ସହ ବିଜେପି ପୁଣିଥରେ ବିକାଶପୁରୀ ଅଞ୍ଚଳରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।