Advertisment

ଭୁବନେଶ୍ୱରରେ ବିଜେଡିରେ ଅସ୍ଥିରତା କରୁଛି କିଏ? ଅମରେଶ ସାଜିଛନ୍ତି କି ମୋହରା

ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ୍ ଓରଫ ବାଇଆ ଆଜି ଗଣମାଧ୍ୟମରେ ଦଳର ଦୁଇଜଣ ବରିଷ୍ଠ ନେତାଙ୍କ ବିରୁଦ୍ଧରେ ବୟାନ ଦେବା ସହ ଦଳୀୟ କର୍ପୋରେଟରମାନେ ବିଜେପିକୁ ଚାଲିଯିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

author-image
Ordigital Desk
BJD

BJD

ଯଦୁବଂଶ ଯେଭଳି ଧ୍ୱଂସ ପାଇଥିଲା ଠିକ୍ ସେମିତି ଚଳିତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ଅବସ୍ଥା ହୋଇଛି । ଭୁବନେଶ୍ୱରରେ ବିଜେଡିକୁ ଅସ୍ଥିର କରିବା ପାଇଁ ଖୋଦ୍ ବିଜେଡିର ସର୍ବେସର୍ବା ନିଜର କ୍ରୀତଦାସଙ୍କ ମାଧ୍ୟମରେ ଗୋଟିଚାଳନା କରିଥିବାର ଚର୍ଚ୍ଚା ଦଳୀୟ ମହଲରେ ଜୋର ଧରିଛି । ଆଉ ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କୁ ମୋହରା କରି ଦଳରେ ଅସ୍ଥିର ଓ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ ହେଉଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ୍ ଓରଫ ବାଇଆ ଆଜି ଗଣମାଧ୍ୟମରେ ଦଳର ଦୁଇଜଣ ବରିଷ୍ଠ ନେତାଙ୍କ ବିରୁଦ୍ଧରେ ବୟାନ ଦେବା ସହ ଦଳୀୟ କର୍ପୋରେଟରମାନେ ବିଜେପିକୁ ଚାଲିଯିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଟାର୍ଗେଟ୍ କରି ଅମରେଶ କହିଛନ୍ତି ଯେ, ଏହି ଦୁଇ ନେତା ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ଦଳୀୟ କର୍ପୋରେଟରମାନଙ୍କୁ ଭାଗଭାଗ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଘରକୁ ଡାକି ବେଲପତ୍ର ଛୁଆଇଁ ଭୁବନେଶ୍ୱର ମହାନଗର ନିଗମରେ ବିଭ୍ରାଟ ସୃଷ୍ଟି କରିବାକୁ କହୁଛନ୍ତି । ଯାହାକି ଆଗାମୀ ଦିନରେ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି । ଏବେ ସ୍ଥିତି ଏମିତି ହେଲାଣି ଯେ, ଦଳୀୟ କର୍ପୋରେଟରମାନେ ପରସ୍ପର ସହ ଭଲ ସମ୍ପର୍କ ମଧ୍ୟ ରଖୁନାହାନ୍ତି । ଯାହାର ଫାଇଦା ବିଜେପି ନେଇଯିବ । କିଛି କର୍ପୋରେଟର ଏବେ ବିଜେପି ସହ ସମ୍ପର୍କରେ ଥିବା ନେଇ ମଧ୍ୟ ସେ ଶୁଣିଥିବା ଅମରେଶ କହିଛନ୍ତି ।

ଅମରେଶଙ୍କ ଏହି ମନ୍ତବ୍ୟ ଉପରେ ଏକାମ୍ରର ପୂର୍ବତନ ବିଧାୟକ ଅଶୋକ ପଣ୍ଡା କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିବାବେଳେ ଭୁବନେଶ୍ୱର-ସେଂଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନା ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।  ଯଦି କେହି କହୁଛି ଯେ, ବିଜେଡି ଦୁଇଫାଳ ହୋଇଯିବ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ନିଜକୁ ନିଜେ ଖୁସି ହେବାକୁ ଏଭଳି ବୟାନ ଦେଉଛନ୍ତି । ମାତ୍ର ଦଳ ଏଠାରେ ପୁରା ସୁଦୃଢ଼ ଅଛି ଓ କର୍ପୋରେଟରମାନେ ଠିକ୍ ଅଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।

Advertisment

ତେବେ ଅମରେଶ ଗତ କିଛିମାସ ଧରି (ନିର୍ବାଚନ ପୂର୍ବରୁ ଓ ପରେ) ଖୋଲାଖୋଲି ଦଳର ସ୍ଥାନୀୟ ନେତୃତ୍ୱଙ୍କ ବିରୁଦ୍ଧରେ ଟିପ୍ପଣୀ ଦେଉଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଉଦ୍ୟମ କରିନାହିଁ ତାହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚର୍ଚ୍ଚା ଅନୁସାରେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଖାସ୍ ଅନୁଗତ ଭାବେ କର୍ପୋରେଟର ଅମରେଶ ଜେନା ଓ ବିରଂଚି ନାରାୟଣ ମହାସୁପକାର(ଲିଟୁ) ପରିଚିତ । ନିର୍ବାଚନ ପୂର୍ବରୁ ଏହି ଦୁଇ କର୍ପୋରେଟର ଦଳୀୟ ଟିକେଟ୍ ଦାବି କରି ଭୁବନେଶ୍ୱର ବିଜେଡିରେ ଅସ୍ଥିରତା ସୃଷ୍ଟି କରିଥିଲେ । କିନ୍ତୁ ଦଳ ସେମାନଙ୍କ ବିରୁଦ୍ଧରେ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନକରି ବୁଝାସୁଝା କରି ଉଭୟଙ୍କୁ ଚୁପ୍ କରାଇଥିଲା । ଏବେପୁଣି ଅମରେଶ ଦଳର ଦୁଇ ସ୍ଥାନୀୟ ନେତାଙ୍କୁ ବିରୋଧ କରି ଗଣମାଧ୍ୟମରେ ବୟାନବାଜି କରିବାକୁ ବିଜେଡି ମହଲରେ ନାପସନ୍ଦ କରାଯାଉଥିଲେ ମଧ୍ୟ ସେ ବବିଙ୍କ ଖାସ୍ ହୋଇଥିବାରୁ ତାଙ୍କ ଇସାରାରେ ଏଭଳି ଅସ୍ଥିରତା ଚାଲିଥିବା ଅନେକ ସନ୍ଦେହ କରୁଛନ୍ତି । ଏପରିକି ସାଧାରଣ ନିର୍ବାଚନବେଳେ ଭୁବନେଶ୍ୱର-ସେଂଟ୍ରାଲ ଓ ଏକାମ୍ର ଆସନରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ପରାଜିତ କରିବା ପାଇଁ ଦଳ ପକ୍ଷରୁ ଗୁପ୍ତ ରଣନୀତି ବିଜେଡିର ପାୱାର କରିଡରରୁ ହୋଇଥିଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷାକୁ ଏଡ଼ାଇବା ପାଇଁ ଏହି ପାୱାର କୋଟେରୀ ପକ୍ଷରୁ ଏଭଳି ଅସ୍ଥିରତା ନାଟକ ସୃଷ୍ଟି କରାଯାଉଥିବା ଜଣାପଡ଼ିଛି ।

BjD Bjp