ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରାଯାଉଛି କି? ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି? ନା ଗୃହବିଭାଗ ଯେଉଁ ଉତ୍ତର ଦେଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି? ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଏଭଳି ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଗୃହ ବିଭାଗ କୁହାଇଛି ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବିଶେଷକରି ବୁଦ୍ଧିଜୀବୀ ମହଲରେ ଏହାକୁ ଗୃହ ବିଭାଗର ସଚିବ ଓ ଦାୟିତ୍ୱରେ ଥିବା ଅଫିସରମାନଙ୍କ ବେପରୁୱା ମନୋଭାବକୁ ପ୍ରମାଣିତ କରାଉଛି ବୋଲି ଚର୍ଚ୍ଚା।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ “ବଣ୍ଟି ଓ ବବଲିଙ୍କ କଳାସାମ୍ରାଜ୍ୟର ପର୍ଦ୍ଦାଫାଶ କେବେ ସରିବ ଓ କଳାନାଟକର ହାଇପ୍ରୋଫାଇଲ୍ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟବସାୟୀ ଓ କଳା ନାଟ୍ୟକରମାନେ କିଏ, ଏହି ଯୋଡ଼ିଙ୍କ ପଲଟିକାଲ ଲିଙ୍କ୍ ବାହାର କରିବେ କି” ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନ କରିଛନ୍ତି । ଏହି ପ୍ରଶ୍ନରେ ବିଧାୟକ ଶ୍ରୀ ସ୍ୱାଇଁ କୌଣସି ବ୍ୟକ୍ତିଙ୍କ ନାଁ କିମ୍ବା କେଉଁ ଅପରାଧ କଥା ଉଲ୍ଲେଖ କରିନାହାନ୍ତି।
ମାତ୍ର ଏହି ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘୨୦୨୪ ଡିସେମ୍ବର ୨୬ତାରିଖରେ ଦେବେନ୍ଦ୍ର କୁମାର ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଇନଫୋସିଟି ଥାନାରେ ରୁଜୁ କରାଯାଇଥିବା ଏକ ମାମଲା ଓ ଏହି ଅଭିଯୋଗର ତଦନ୍ତର ଅଗ୍ରଗତି ସମ୍ପର୍କରେ ଲିଖିତ ଭାବେ ଗୃହକୁ ଅବଗତ କରାଇଛନ୍ତି ।
ବିଧାନସଭାରେ ପ୍ରଶ୍ନକର୍ତ୍ତା ଶ୍ରୀ ସ୍ୱାଇଁଙ୍କ ପ୍ରଶ୍ନ ଓ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ଇନଫୋସିଟି ଥାନାରେ ଶ୍ରୀ ସାମଲଙ୍କ ଅଭିଯୋଗର ତାରିଖ ଏବଂ ଥାନାରେ ମାମଲା ରୁଜୁର ତାରିଖରେ କୌଣସି ତାଳମେଳ ନଥିବା ସ୍ପଷ୍ଟ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୁଇଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା କୋର୍ଟଙ୍କ ବିଚାରାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କିଭଳି ବିଧାନସଭା ଗୃହରେ ସେମାନଙ୍କ ଆତ୍ମସମ୍ମାନ ଓ ଅଧିକାରକୁ କ୍ଷୂଣ୍ଣ ହେବାଭଳି ଉତ୍ତର ଗୃହ ବିଭାଗ ରଖିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଥାନା ଅଂଚଳର ଉପେନ୍ଦ୍ର କୁମାର ସାମଲ ଯିଏକି ‘କିସ୍’ରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତ ସେ ଡିସେମ୍ବର ୨୬ତାରିଖରେ ଇନଫୋସିଟି ଥାନାରେ ଗୋଟିଏ ଅଭିଯୋଗ କରିଥିଲେ । ଆଉ ସେହି ଅଭିଯୋଗକୁ ଆଧାର କରି ଇନଫୋସିଟି ଥାନା ଡିସେମ୍ବର ୨୪ତାରିଖରେ(ଅର୍ଥାତ୍ ଦୁଇଦିନ ପୂର୍ବରୁ) ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୯-୩,୩୧୯-୨,୩୧୮-୪, ୬୨/୩(୫)ରେ ମାମଲା ରୁଜୁ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ନୟାପଲ୍ଲୀ ଅଂଚଳର ଅନୀଲ କୁମାର ମହାନ୍ତି ଓ କଳାହାଣ୍ଡିର ହଂସିତା ଅଭିଲିପ୍ସାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳିଥିଲା । ସାକ୍ଷ୍ୟପ୍ରମାଣକୁ ଆଧାର କରି ଉଭୟଙ୍କୁ ଗିରଫ କରାଯାଇଛ କୋର୍ଟରେ ପଠାଯାଇଛି । ଏବେ ସେହି ମାମଲାର ତଦନ୍ତ ଭୁବନେଶ୍ୱରର ସ୍ପେଶାଲ କ୍ରାଇମ ୟୁନିଟ୍ କରୁଛି ଓ ଉଭୟ ଆସାମୀଙ୍କ ବିରଦୁ୍ଧରେ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଏପର୍ଯ୍ୟନ୍ତ ଉକ୍ତ ମାମଲାରେ କୌଣସି ରାଜନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣାପଡ଼ୁନାହିଁ । ମାମଲାର ତଦନ୍ତ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲିଖିତ ଉତ୍ତରରେ ବିଧାନସଭାକୁ ଅବଗତ କରାଇଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଜଣେ ବିରୋଧୀ ଦଳ ବିଧାୟକ କୌଣସି ଅପରାଧ ଓ ଅପରାଧୀଙ୍କ ନା ସିଧାସଳଖ ନେଇନଥିବା ଏବଂ କେବଳ ‘ବଂଟି-ବବଲି’ଙ୍କ କଥା କହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗର ବଡ଼ବାବୁମାନେ କିଭଳି ଇନଫୋସିଟି ଥାନା ଘଟଣାକୁ ସଂଯୋଗ କରାଇଲେ । ସେମାନେ ଯେ ‘ବଂଟି-ବବଲି’ ବୋଲି କେଉଁ ତଥ୍ୟପ୍ରମାଣକୁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଗୃହ ବିଭାଗ ଏକଥା କୁହାଇଲା?
ଅଭିଯୋଗ ଡିସେମ୍ବର ୨୬ରେ ହୋଇଥିବାବେଳେ ଦୁଇଦିନ ପୂର୍ବରୁ କିଭଳି ଥାନାରେ ମାମଲା ରୁଜୁ ହୋଇଗଲା? ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୃହରେ ଉପସ୍ଥାପିତ ହେଉଥିବା ବିଧାନସଭା ପ୍ରଶ୍ନୋତ୍ତରକୁ କ’ଣ ବିଭାଗୀୟ ସଚିବ କିମ୍ବା ବରିଷ୍ଠ ଅଧିକାରୀମାନେ ଦେଖୁନାହାନ୍ତି କି? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଏସବୁ ପ୍ରତି ଆଖିବୁଜି ଦେଇଛି? ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସରଳତାକୁ ତାଙ୍କର ଦୁର୍ବଳତା ଭାବି ପ୍ରଶାସନିକ ଅଧିକାରୀମାନେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଂଚାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି କି? ଏଭଳି ଚର୍ଚ୍ଚା ପାୱାର କରିଡରରେ ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏଭଳି ବେପରୁୱା ଓ ଦାୟିତ୍ୱହୀନ ଆଚରଣ କରିଥିବା ଅଫିସରମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ଜୋର ଧରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।