Advertisment

ଶ୍ରୀମୟୀଙ୍କ ରାଜନୀତିକ ଭାଗ୍ୟ ନିର୍ଦ୍ଧାରଣ କରୁଛି କିଏ: ପୁଅ କହିଥିଲେ କର୍ମୀ, ବାପା କହିଲେ ଆଡ଼ଜଷ୍ଟ କରାଯିବ

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ଗଣମାଧ୍ୟମକୁ ଶ୍ରୀମୟୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ସେ ଜଣେ ଭଦ୍ର ମହିଳା ଓ ଉଚ୍ଚଶିକ୍ଷିତା। ନବୀନବାବୁ ତାଙ୍କୁ ସିଲେକ୍ଟ କରିଛନ୍ତି

author-image
Ordigital Desk
undefined

Shreemayee Mishra

ଲୋକସଭା ଟିକେଟରୁ ବଂଚିତ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଆଜି ଏକ ବଡ଼ ବୟାନ ଦେଇଛନ୍ତି । ରାଜ୍ୟ ସରକାରରେ ହଜାର ହଜାର ପୋଷ୍ଟ ଅଛି, କେଉଁଠି ଗୋଟିଏ ପଦବୀରେ ଶ୍ରୀମୟୀଙ୍କୁ ଆଡଜଷ୍ଟ କରାଯିବ ବୋଲି ସୁର କହିଛନ୍ତି । ସୁରଙ୍କ ପୁଅ  ତଥା  ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଗତ କିଛିଦିନ ତଳେ ଶ୍ରୀମୟୀଙ୍କୁ ଜଣେ ସାଧାରଣ କର୍ମୀ ବୋଲି କହି କଟାକ୍ଷ କରିଥିଲେ । ତେବେ ସୁର ଓ ତାଙ୍କ ପୁଅ ମନ୍ମଥ କାହା ଇସାରାରେ ଶ୍ରୀମୟୀଙ୍କୁ ହତାଦର କରାଯିବା ଭଳି ଟିପ୍ପଣୀମାନ ଦେଉଛନ୍ତି ତାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ମନ୍ମଥଙ୍କୁ ବିଜେଡି ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବା ପରଠୁ ଅଜ୍ଞାତବାସରେ ଥିବା ଶ୍ରୀମୟୀଙ୍କୁ ବିଜେଡି ଗତ ଦୁଇଦିନ ତଳେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ଇସ୍ତାହାର କମିଟିର ସଦସ୍ୟ ଭାବେ ସାମିଲ କରିଛି।

Advertisment

ସୂଚନା ଅନୁସାରେ, ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ଗଣମାଧ୍ୟମକୁ ଶ୍ରୀମୟୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ସେ ଜଣେ ଭଦ୍ର ମହିଳା ଓ ଉଚ୍ଚଶିକ୍ଷିତା । ନବୀନବାବୁ ତାଙ୍କୁ ସିଲେକ୍ଟ କରିଛନ୍ତି । ସରକାରରେ ହଜାର ହଜାର ପଦବୀ ଅଛି । ତାଙ୍କୁ ସେ କେଉଁଠି ଗୋଟିଏ ଆଡଜଷ୍ଟ କରିବେ”ବୋଲି କହିଛନ୍ତି । ତେବେ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀଙ୍କୁ ତାଙ୍କ ଦଳ କେଉଁଠି ଆଡଜଷ୍ଟ କରିବ କି ନାହିଁ ତାହା ସମ୍ପୃକ୍ତ ଦଳର ବ୍ୟାପାର ହୋଇଥିବାବେଳେ ସୁର କାହା ଇଙ୍ଗିତରେ ଏଭଳି ବୟାନ ଦେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୁରଙ୍କ ପୁଅ ମନ୍ମଥ ବି ପୂର୍ବରୁ ଶ୍ରୀମୟୀଙ୍କୁ ନେଇ ଶସ୍ତା ଟିପ୍ପଣୀ ଦେଇସାରିଛନ୍ତି । ଆଜି ସୁର ଏଭଳି ଟିପ୍ପଣୀ ଦେବାପରେ ଉଭୟ ପିତା-ପୁତ୍ର ସୁଚିନ୍ତିତ ଢଙ୍ଗରେ ବିଜେଡି ନେତ୍ରୀଙ୍କୁ ନିଚ୍ଚା ଦେଖାଇବାକୁ ପ୍ରୟାସ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଚର୍ଚ୍ଚା ଅନୁସାରେ, ଶ୍ରୀମୟୀଙ୍କ ସମ୍ପର୍କରେ ସୁର ଓ ମନ୍ମଥ ଏଭଳି ଟିପ୍ପଣୀମାନ ଦେଇ ସିଧାସଳଖ ଭାବେ ଶ୍ରୀମୟୀଙ୍କ ଗୁରୁତ୍ୱ ତାଙ୍କ ଦଳ ବିଜେଡିରେ ବେଶୀ ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରୁଛନ୍ତି । ଶ୍ରୀମୟୀଙ୍କୁ ବିଜେଡି ଦୀର୍ଘ ୬ମାସ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ବୁଲାଇଥିଲା । ତା’ର ପ୍ରଭାବ ଏବେ ଦଳର ପ୍ରଚାର ଅଭିଯାନ ଉପରେ ପଡ଼ୁଛି । ମନ୍ମଥଙ୍କୁ ଧରି ପ୍ରଚାରକୁ ଯିବାବେଳେ ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ସାଧାରଣ କର୍ମୀ ଓ ଭୋଟରଙ୍କ ବିଭିନ୍ନ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ୁଛି । ଏକାମ୍ରରୁ ବିଜେଡିର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ହିଁ ଶ୍ରୀମୟୀଙ୍କୁ ତାଙ୍କ ଝିଅ କହି ପରିଚିତ କରାଇବା ସହ ଦଳର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ଯେଉଁଥିପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀଙ୍କୁ ଅଣଦେଖା ଏବଂ କଥାଦେଇ ଭଣ୍ଡେଇବା ବିଜେଡିକୁ ଏବେ ମହଙ୍ଗା ପଡ଼ିବାରେ ଲାଗିଛି।

Advertisment

ଯଦିଓ ଶ୍ରୀମୟୀ ଏବେ ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଅଛନ୍ତି । ମାତ୍ର ତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମ ଓ ପ୍ରଚାରରେ ଦେଖିବାକୁ ମିଳୁନି କିମ୍ବା ସେ ସୋସିଆଲ ମିଡିଆରେ ବି ସକ୍ରିୟ ନାହାନ୍ତି । ତାଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଗଲେ ମଧ୍ୟ ସେ ଫୋନ୍ ଉଠାଉନାହାନ୍ତି । ତେଣୁ ଶ୍ରୀମୟୀଙ୍କୁ ବିଜେଡି ଏଥର ବିଧାନସଭା ଟିକେଟ୍ ଦେଇ ଥଇଥାନ କରୁଛି ନା ପୁଣି ଭଣ୍ଡେଇବା ଯୋଜନାରେ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Shreemayee Mishram