କିଛିଦିନର ଛକାପଞ୍ଝା ଓ ଗଣମାଧ୍ୟମରେ ତୀବ୍ର ସମାଲୋଚନା ପରେ ସୋମବାର ବିଜେଡି ନିଜର ପଦାଧିକାରୀ ତାଲିକା ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୭୧ଜଣ ନେତାଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ ଓ ୧୧ଟି ‘ଛାମୁଆ ୱିଙ୍ଗ ବା ସେଲର ଆବାହକ’ ଭାବେ ପୁରୁଖା ନେତାମାନଙ୍କୁ ‘ଆଡଜଷ୍ଟ’ କରାଯାଇଛି । ପ୍ରାୟ ୨୫ବର୍ଷ ପରେ ଦଳ ନିଜର ‘ରାଜନୀତିକ ବ୍ୟାପାର କମିଟି’ ଗଢ଼ିଥିଲେ ମଧ୍ୟ ଦଳୀୟ ସମ୍ବିଧାନକୁ ଅଣଦେଖା କରି ମନଇଚ୍ଛା କମିଟି ଗଠନ କରିବାକୁ ପଛାଇନାହିଁ । ଦଳର ୧୧ଟି ଛାମୁଆ ୱିଙ୍ଗର ‘ଆବାହକ’ ପଦବୀରେ ଅବସ୍ଥାପିତ କରାଯିବା ଆଳରେ ପୁରୁଖା ନେତାମାନଙ୍କୁ ଦଳୀୟ ସମ୍ବିଧାନ ଉଲ୍ଲେଖିତ ପଦପଦବୀରୁ ଦୂରେଇ ରଖିବାର ପ୍ରୟାସ ହୋଇଛି ।
କେବଳ ସେତିକି ନୁହେଁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଦଳର ପୁରୁଖା ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ଏୟୁ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ପାତ୍ର, ଅରୁଣ ସାହୁ, ମୁୂନ୍ନା ଖାନ, ଦେବାଶୀଷ ସାମନ୍ତରାୟଙ୍କ ଭଳି ପୁରୁଖା ନେତାମାନଙ୍କୁ ଜାଣିଶୁଣି ଅପମାନିତ କରିବାକୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ କରାଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସଙ୍କୁ ସଂଗଠନ ସମ୍ପାଦକ ପଦବୀରୁ କାଢ଼ି ଉପସଭାପତି ସହ ଦଳର ରାଜନୀତିକ ବ୍ୟାପାର କମିଟିରେ ମଧ୍ୟ ଥଇଥାନ କରାଯାଇଛି । ବିଜେଡିର ଏହି ତାଲିକା ଉପରକୁ ଠିକଠାକ୍ ଦିଶୁଥିଲେ ମଧ୍ୟ ଏଥିରେ ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ନବୀନଙ୍କ ମାଧ୍ୟମରେ ସୁଚିନ୍ତିତ ଢଙ୍ଗରେ ଦଳର କିଛି ନେତାଙ୍କ ରାଜନୀତିକ ପକ୍ଷଛେଦନର ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି । ଆଉ ବରିଷ୍ଠ ନେତାମାନଙ୍କର ଏହି ଅସନ୍ତୋଷ ଆଗାମୀ ଦିନରେ ଦଳରେ ବିଦ୍ରୋହକୁ ତୀବ୍ରତର କରାଇବା ସହ ବିଭାଜନର କାରଣ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ।
ଦେଢ଼ଶହ ଟପିବ ପଦାଧିକାରୀ ତାଲିକା
ବିଜେଡି ନିଜର ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବାର ୧୫ଦିନ ବିତିବା ପରେ ୭୧ଜଣିଆ ପଦାଧିକାରୀ ତାଲିକା ଘୋଷଣା କରିଛି । ଦଳର ୭୧ଜଣିଆ ପଦାଧିକାରୀ ତାଲିକାରେ ନବୀନ ୭ଜଣଙ୍କୁ ବରିଷ୍ଠ ଉପସଭାପତି, ୮ଜଣ ଉପସଭାପତି, ୨୦ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ୩୫ଜଣଙ୍କୁ ସାଧାରଣ ସମ୍ପାଦକ ଓ ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଭାବେ ନବୀନ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଯେଉଁ ରାଜ୍ୟ ପରିଷଦ ସଦସ୍ୟମାନେ ନବୀନଙ୍କୁ ସଭାପତି ଓ ଦଳର ୮୧ଜଣିଆ କାର୍ଯ୍ୟକାରିଣୀ ବାଛିବା କଥା ସେମାନେ କିଏ ତାହା ଆଜିସୁଦ୍ଧା ବି ଦଳୀୟ କର୍ମୀ-ନେତା ଜାଣିବାରେ ସକ୍ଷମ ହୋଇପାରିନାହାନ୍ତି । ଏପରିକି ଦଳର ୮୧ଜଣିଆ କାର୍ଯ୍ୟକାରିଣୀ ଗଠନ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହଘେରରେ ରହିଛି । ତେବେ ଦଳ ଖୁବଶୀଘ୍ର ‘ସମ୍ପାଦକ’ ଓ ‘ଯୁଗ୍ମ ସମ୍ପାଦକ’ ଭଳି ପଦବୀରେ ଆହୁରି ୮୦ରୁ ଅଧିକ ନେତାଙ୍କୁ ଥଇଥାନ କରି ପଦାଧିକାରୀ ତାଲିକାକୁ ୧୫୦ରୁ ଅଧିକ କରାଇବ ବୋଲି ଜଣାପଡ଼ିଛି ।
ପୁରୁଖା ନେତାଙ୍କୁ ଅପମାନ
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ବିରୋଧ କରିଥିବା ନେତାମାନଙ୍କୁ ସୁଚିନ୍ତିତ ଢଙ୍ଗରେ ସଂଗଠନରୁ ଦୂରେଇ ରଖାଯାଇଛି । ଦଳରେ ବିଭିନ୍ନ ସେଲ୍ ଖୋଲାଯାଇ ପୁରୁଖା ନେତାମାନଙ୍କୁ ‘ଆବାହକ’ ଭଳି ପଦବୀରେ ‘ଆଡଜଷ୍ଟ’ କରାଯାଇଥିବାର ସନ୍ଦେଶ ଦିଆଯାଇଥିଲେ ମଧ୍ୟ ବାସ୍ତବରେ ସେମାନଙ୍କ ପ୍ରତି ଏହା ଅପମାନ ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି । ସେମାନଙ୍କୁ ଗୁରୁତ୍ୱହୀନ ଦର୍ଶାଇବାକୁ ଆନୁଷ୍ଠାନିକ ସାଂଗଠନିକ ପଦପଦବୀରୁ ଦୂରେଇ ରଖାଯାଇଛି । ପ୍ରସନ୍ନ ଆଚାର୍ଯ୍ୟ, ଏୟୁ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ପାତ୍ର, ଅରୁଣ ସାହୁ, ମୁୂନ୍ନା ଖାନ, ଦେବାଶୀଷ ସାମନ୍ତରାୟଙ୍କ ଭଳି ନେତାମାନେ ମୁଖର ହୋଇ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇଥିଲେ । ୮୧ବର୍ଷୀୟ ବରିଷ୍ଠ ନେତା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଦଳର ‘ମତ୍ସ୍ୟଜୀବୀ ସେଲ’ ଆବାହକ କରାଯାଇଥିବାବେଳେ ୬୫ବର୍ଷୀୟ ଦେବାଶୀଷ ସାମନ୍ତରାୟଙ୍କୁ ଦଳର ‘ବରିଷ୍ଠ ନାଗରିକ ସେଲ’ ଆବାହକ, , ୭୫ବର୍ଷୀୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ‘କୃଷକ ସେଲ’ର ଆବାହକ, ବଦ୍ରି ପାତ୍ରଙ୍କୁ ‘ଶିକ୍ଷା ଓ ଶିକ୍ଷକ ସେଲ’ ଆବାହକ କରାଯାଇଛି । ସେହିଭଳି ଦଳର ଦୃଢ଼ ସଂଗଠକ ତଥା ମୁଖର ନେତା ଅରୁଣ ସାହୁଙ୍କୁ ‘ଓବିସି ସେଲ’ର ଆବାହକ ଭଳି ପଦବୀରେ ଥଇଥାନ କରାଯାଇଛି ।
ବିଜେଡି ସମ୍ବିଧାନରେ ଏସବୁ ସେଲଗୁଡ଼ିକର କୌଣସି ଯଥାର୍ଥତା ନାହିଁ । ଦଳର ପୁରୁଖା ନେତାମାନଙ୍କୁ ଏସବୁ ସେଲ ବା ୱିଙ୍ଗର ‘ସଭାପତି’ ନକରି ଆବାହକ ଭଳି ଦାୟିତ୍ୱ ଦେବା ଏବଂ ସମ୍ବିଧାନ ଉଲ୍ଲେôଖିତ ପଦାଧିକାରୀ ତାଲିକାରୁ ବାଦ୍ ଦେବା ଓ ଏଭଳି ଢଙ୍ଗରେ ଅପମାନ କରିବା ବିଜେଡି ନେତୃତ୍ୱଙ୍କୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା । ଏହି ନେତାମାନେ ଏଭଳି ଅପମାନ ପାଇଁ ସ୍ୱର ଉତ୍ତୋଳନ କରିବେ ନଚେତ୍ ‘ଦୁଆର କିଳି କାନ୍ଦିବା ଛଡ଼ା’ ଅନ୍ୟଗତି ନଥିବା ଭଳି ହୋଇଛି । ସେହିପରି ନବୀନ ନିବାସ ପରିସରରେ ‘ପାଣ୍ଡିଆନ ହଟାଓ’ ସ୍ଲୋଗାନ ଦେବା ଓ ୱକଫ୍ ବିଲ୍ ପ୍ରସଙ୍ଗରେ ବୟାନବାଜି ମଧ୍ୟ ମୁନ୍ନା ଖାନଙ୍କୁ ମହଙ୍ଗା ପଡ଼ିଛି । ମୁନ୍ନା ଖାନଙ୍କୁ ସଂଖ୍ୟାଲଘୁ ସେଲର ଆବାହକରୁ ଜୋନ୍ ସଂଯୋଜକ ଭଳି ପଦବୀକୁ ପଦାବନତ କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କ ଭଳି ନେତାଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯାଇଥିବାରୁ ପଦାଧିକାରୀ ତାଲିକା ପ୍ରସ୍ତୁତିରେ ପାଣ୍ଡିଆନଙ୍କ ଭୂମିକା ଥିବା ସ୍ପଷ୍ଟ ପ୍ରତୀତ ହୋଇଛି ।
ଦେବୀ ଓ ପ୍ରତାପ ଜଗିବେ ଶଙ୍ଖଭବନ
ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନାଙ୍କୁ ଏବେ ‘ଶଙ୍ଖଭବନ’ ଜଗିବା ଦାୟିତ୍ୱ ମିଳିଛି । ଦେବୀଙ୍କୁ ବରିଷ୍ଠ ଉପସଭାପତି ଓ ପ୍ରତାପଙ୍କୁ ଉପସଭାପତି ଭାବେ ଏହି ଦାୟିତ୍ୱ ନ୍ୟସ୍ତ ହୋଇଛି । ଉଭୟ ପାଣ୍ଡିଆନଙ୍କ ଖାସ୍ ଅନୁଗତ ବବିଙ୍କ ଚାଟୁକାର ଭାବେ ପରିଚିତ । ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ମଧ୍ୟ ଦେବୀ ନିଜର ଚାଟୁକାରିତା ଛାଡ଼ିନଥିଲେ । ଏବେ ତାଙ୍କର ଅବସ୍ଥା ‘ନା ଘର ନା ଘାଟ୍ କା’ ଭଳି ହୋଇଛି । ସେହିପରି ଆଗଧାଡ଼ିର ନେତା ସଞ୍ଜୟ ଦାସବର୍ମା,ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଭିତରେ ଏହି ସଦ୍ୟଘୋଷିତ ତାଲିକା ଏବେ ଫାଟ କରାଇଥିବା ଚର୍ଚ୍ଚା । ସଞ୍ଜୟଙ୍କୁ ରାଜନୀତିକ ବ୍ୟାପାର କମିଟି, ଅତନୁଙ୍କୁ ଉପସଭାପତି ଓ ଅରୁଣଙ୍କୁ ସାଂଗଠନିକ ପଦବୀରୁ ଦୂରେଇ ରଖିବାରେ ଏହି ତାଲିକା ସକ୍ଷମ ହୋଇଛି ।
ଦଳଡ଼ିଆଁଙ୍କୁ ଗୁରୁତ୍ୱ
ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଓ ମନ୍ମଥ ରାଉତରାୟଙ୍କୁ ସାଧାରଣ ସମ୍ପାଦକ ପଦବୀରେ ଥଇଥାନ କରାଯାଇଛି । କିନ୍ତୁ ଦଳରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଓ ବୈଧାନିକ ପଦବୀରେ ଥିବା ସୁଲତା ଦେଓ ଓ ସୁଲୋଚନା ଦାସଙ୍କ ଭଳି ନେତ୍ରୀଙ୍କୁ କେବଳ ‘ସାଧାରଣ ସମ୍ପାଦକ’ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ସେହିପରି ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ବିଭୂତିଭୂଷଣ ବଳବନ୍ତରାୟ,ଶ୍ରୀକାନ୍ତ ସାହୁ ପ୍ରମୁଖଙ୍କୁ କେବଳ ସାଧାରଣ ସମ୍ପାଦକ ପଦୀରେ ଥଇଥାନ କରାଯାଇଛି । ଲତିକା ପ୍ରଧାନଙ୍କୁ କୌଣସି ପଦବୀରେ ସାମିଲ କରାଯାଇ ନାହିଁ । ଦଳ ପାଇଁ କଠିନ ପରିଶ୍ରମ କରିଥିବା ଦୀର୍ଘଦିନ ଧରି ଦଳରେ ଥିବା ନେତା-ନେତ୍ରୀଙ୍କୁ ଅଣଦେଖା କରି ଦଳଡ଼ିଆଁଙ୍କୁ ଗୁରୁତ୍ୱ ଦିଆଯାଇଛି । ଅବଶ୍ୟ ଆଦିବାସୀ ନେତା ପ୍ରଦୀପ ମାଝୀଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଇଛି । ଯଦିଓ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା । ସୁବାସ ସିଂ ନିଜର କୋଷାଧ୍ୟକ୍ଷ ପଦବୀ ବଜାୟ ରଖିଛନ୍ତି ।
ଏହି ପଦାଧିକାରୀ କମିଟିରେ ସ୍ଥାନିତ ୭୧ଜଣଙ୍କ ମଧ୍ୟରୁ କେବଳ ବିଜୟ ନାୟକ, ଶ୍ରୀମୟୀ ମିଶ୍ର, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଗିରିଶ ଦାସ ଓ ପ୍ରଫୁଲ୍ଲ ସିଂ ଏଭଳି ନେତା ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିନାହାନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।