/odisha-reporter/media/post_attachments/uploadimage/library/16_9/16_9_0/Pandian_1692452737.jpg)
Pandian
ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କୁ ଆଜି ପୁରୀ ଜିଲ୍ଲାର ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭାକୁ ଯିବାବେଳେ କାଳିମାଡ଼ ହୋଇଛି । ଶହଶହ ପୁଲିସ,ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତି ହଜାର ହଜାର ଲୋକଙ୍କ ସମ୍ମୁଖରେ ଶ୍ରୀ ପାଣ୍ଡିଆନଙ୍କୁ ଜଣେ ବ୍ୟକ୍ତି କାଳିମାଡ଼ କରିବା ଘଟଣା ଏବେ ରାଜ୍ୟରେ ଚହଳ ପକାଇଛି । ଏହି କାଳିମାଡ଼କୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରୁଛନ୍ତି, ମାତ୍ର ଏତେ କଡ଼ା ସୁରକ୍ଷା ମଧ୍ୟରେ ଥାଇ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଯେଉଁ କାଳିମାଡ଼ ହେଲା, ସେଥିପାଇଁ କିଏ ଦାୟୀ ଓ କାହିଁକି ସୁରକ୍ଷାରେ ଏଭଳି ଗୁରୁତର ତ୍ରୁଟି ହେଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭଟି ସଚିବ ଶ୍ରୀ ପାଣ୍ଡିଆନ ଗତ ଦୁଇଦିନ ଧରି ପୁରୀ ଜିଲ୍ଲାଗସ୍ତରେ ରହିଛନ୍ତି । ଆଜି ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭା (ଅଭିଯୋଗ ଶୁଣାଣି) କାର୍ଯ୍ୟକ୍ରମ ଥିଲା । ସଭାସ୍ଥଳକୁ ଯିବାବେଳେ ହିଁ ପଡ଼ିଆ ନିକଟରେ କଣାସ ଅଂଚଳର ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କାଳିମାଡ଼ କରିଥିଲେ । ଲୋକଙ୍କ ଗହଳି ମଧ୍ୟରେ ଥାଇ ଶ୍ରୀ ସାହୁ ଯେଉଁ କାଳି ଫୋପାଡ଼ି ଥିଲେ ତାହା ଉଭୟ ଶ୍ରୀ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ଓ ଦେହରେ ପଡ଼ିଥିଲା । ଅବଶ୍ୟ କାଳିମାଡ଼ ପରେ ପୁଲିସ ସଙ୍ଗେସଙ୍ଗେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ଗିରଫ କରିଥିଲା । ଆଉ ଉଭୟ ଅଫିସର ଚିରାଚରିତ ଢଙ୍ଗରେ ସେଠାରେ ଉପସ୍ଥିତ ଲୋକଙ୍କୁ ଭେଟିଥିଲେ । ମାତ୍ର ଏତେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଥାଇ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ କାଳିମାଡ଼ କରାଯିବାକୁ ନେଇ ରାଜ୍ୟ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରାଯିବା ପରଠୁ ତାଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଥିଲା ।
ସୂତ୍ର ଅନୁସାରେ ଶ୍ରୀ ପାଣ୍ଡିଆନ ଯେଉଁ ଜିଲ୍ଲା ଗସ୍ତରେ ଯାଇଥାନ୍ତି ତା’ର ପ୍ରାୟ ଏକ ସପ୍ତାହ ପୂର୍ବରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଟିକିନିଖି ତଦାରଖ କରିଥାନ୍ତି । ଏପରିକି ସମ୍ପୃକ୍ତ ଜିଲ୍ଲାର ଶାସକ ବିଜେଡିର ବିଧାୟକ ଓ ସାଂସଦ ବି ବନ୍ଦୋବସ୍ତର ତଦାରଖ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ କରିଥାନ୍ତି । ଶ୍ରୀ ପାଣ୍ଡିଆନ ଯେଉଁ ଜିଲ୍ଲାକୁ ଯାଇଥାନ୍ତି ତାଙ୍କ ଗାଡ଼ିକୁ ପ୍ରାୟ ୧୨ରୁ ୧୫ଟି ଗାଡ଼ିରେ ସୁରକ୍ଷାକର୍ମୀ ଏସକର୍ଟ କରିଥାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ତାଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଜିଲ୍ଲାଗସ୍ତ ବେଳେ ଅଧିକ ସୁରକ୍ଷାଘେରରେ ଶ୍ରୀ ପାଣ୍ଡିଆନ ରହିଥାନ୍ତି । କଳାପୋଷାକ ପିନ୍ଧା ଘରୋଇ ସୁରକ୍ଷାକର୍ମୀମାନଙ୍କ ସମେତ ସାଦା ପୋଷାକଧାରୀ ପୁଲିସ, ଜିଲ୍ଲା ପୁଲିସ, ରାଜ୍ୟ ପୁଲିସର ସ୍ୱତନ୍ତ୍ର ବାହିନୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଦେଇଥାନ୍ତି। ପୁଲିସ ଏସପି ଓ ସମ୍ପୃକ୍ତ ରେଞ୍ଜ ଡିଆଇଜି ଓ ଆଇଜି ମଧ୍ୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥାନ୍ତି । ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ସୁରକ୍ଷାକର୍ମୀ ମୁତୟନ ରହୁଛନ୍ତି । ଏପରିକି ପୁଲିସ ମଧ୍ୟ ନିଜର ଗୁଇନ୍ଦା ନେଟୱାର୍କ ମାଧ୍ୟମରେ ବିଶୃଙ୍ଖଳାର ସାମାନ୍ୟ ଆଭାସ ପାଇଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଗୁଆ ଅଟକ ରଖିବାର ଉଦାହରଣ ରହିଛି ।
ଯଦି ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା, ତା’ହେଲେ ସମ୍ପୃକ୍ତ ବ୍ୟକ୍ତି କିଭଳି ଏତେ ପରିମାଣର କାଳି ଥିବା ବୋତଲ ଧରି ପାଣ୍ଡିଆନଙ୍କ ସଭାକୁ ଆସିଥିଲା? କାହିଁକି ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀମାନେ ତାଙ୍କୁ ଅଟକାଇ ନଥିଲେ? ସୁରକ୍ଷା ଦୃଷ୍ଟିରୁ ସଭା ସ୍ଥଳକୁ ଆସୁଥିବା ଲୋକମାନଙ୍କର ଯାଂଚ ହେଉଥିଲା କି ନାହିଁ? ଗତ କିଛିବର୍ଷ ଧରି ପାଣ୍ଡିଆନଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଉଥିବାବେଳେ ତାଙ୍କ ଉପରକୁ କାଳିମାଡ଼ ବେଳେ ସୁରକ୍ଷାକର୍ମୀ କାହିଁକି ତତ୍ପରତା ଦେଖାଇଲେ ନାହିଁ? କାଳି ବଦଳରେ ଯଦି ଅନ୍ୟ କିଛି ଘାତକ ପଦାର୍ଥ ଥାଆନ୍ତା ତା’ହେଲେ ପରିସ୍ଥିତି କ’ଣ ହୋଇଥାନ୍ତା? ଏତେ ବଡ଼ ସୁରକ୍ଷାଜନିତ ତ୍ରୁଟି ପାଇଁ କିଏ ଦାୟୀ? ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲାରେ ଏହି ସୁରକ୍ଷାଜନିତ ତ୍ରୁଟି ଘଟିଛି । ତା’ପୁଣି ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ପ୍ରତି । ତଥାପି କାହିଁକି ସରକାର ଚୁପ୍ ବସିଛନ୍ତ? ଏହି ସୁରକ୍ଷାଜନିତ ତ୍ରୁଟି କିଭଳି ଘଟିଲା ତା’ର ଖୋଳତାଡ଼ କାହିଁକି ହେଉନି? ସମ୍ପୃକ୍ତ ବ୍ୟକ୍ତିଜଣକ ନିଜେ କାହିଁକି ଏଭଳି କାର୍ଯ୍ୟ କଲେ? ତାଙ୍କ ପଛରେ ଆଉ କାହାର ହାତ ରହିଛି କି, ତାହା ପୁଲିସ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି । ସୁରକ୍ଷାଜନିତ ତ୍ରୁଟି କେଉଁସ୍ତରରେ ହେଲା ଓ ଗୁଇନ୍ଦା ନେଟୱାର୍କ କାହିଁକି ଫେଲ୍ ମାରିଲା ତା’ର ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ।
ଉଲ୍କେଖଯୋଗ୍ୟ, ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଗତକାଲି ନିଜ ସମ୍ବାଦପତ୍ରରେ ଜନ୍ମଦିନ ଅନୁଚିନ୍ତାରେ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଆଜି ପୁରୀ ଜିଲ୍ଲାରେ ଏହି କାଳିମାଡ଼ ହୋଇଛି । ପୁରୀ ଜିଲ୍ଲା ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ,ଛକାପଞ୍ଝା ଓ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଏହା ନୁହେଁ ତ? ତେଣୁ ଏହି ସମଗ୍ର ଘଟଣାକ୍ରମର ତଦନ୍ତର ଆବଶ୍ୟକତା ରହିଛି । ସୁରକ୍ଷାଜନିତ ତ୍ରୁଟି ପାଇଁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କାହାକୁ କିଭଳି ଦଣ୍ଡିତ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
