ଶ୍ରଦ୍ଧା କିଏ, ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ପର୍କ କ’ଣ, କେମିତି ମିଳିଛି ଅବାଧ ପ୍ରବେଶ ଅନୁମତି: ଜୟନାରାୟଣ

ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲାଣି । ଓଡ଼ିଶାବାସୀଙ୍କ ଟଙ୍କାରେ ଶ୍ରଦ୍ଧା ନାମ୍ନୀ ମହିଳାଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଦେଶ ଗସ୍ତରେ ଯାଇଥିଲେ ।

ନବୀନ ନିବାସ

  • Published: Wednesday, 27 September 2023
  • , Updated: 27 September 2023, 08:53 PM IST

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ସେତେ ଶାଣିତ ହେଉଛି । ଶ୍ରଦ୍ଧା ନାମ୍ନୀ ମହିଳାଜଣକ କିଏ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର କି ସମ୍ପର୍କ ରହିଛି ତଥା କେମିତି ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲାଣି । ଓଡ଼ିଶାବାସୀଙ୍କ ଟଙ୍କାରେ ଶ୍ରଦ୍ଧା ନାମ୍ନୀ ମହିଳାଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଦେଶ ଗସ୍ତରେ ଯାଇଥିଲେ । ଭାଟିକାନ୍ ସିଟିରେ ପୋପଙ୍କଠୁ ସମ୍ପୃକ୍ତ ମହିଳାଙ୍କୁ ଉପହାର ମଧ୍ୟ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ମହିଳାଙ୍କ ସମ୍ପର୍କ କ’ଣ ଓ କିଭଳି ତାଙ୍କୁ ନବୀନ ନିବାସକୁ ଅବାଧ ପ୍ରବେଶର ଅନୁମତି ମିଳିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀମାନେ ନବୀନ ନିବାସ ଯିବାକୁ ଅନୁମତି ପାଉନଥିବାବେଳେ ଶ୍ରଦ୍ଧାଙ୍କୁ କିଏ ଅନୁମତି ଦେଇଛି । ସରକାରୀ କ୍ୱାଟର୍ସ କାହିଁକି ତାଙ୍କୁ ଆବଂଟନ ହୋଇଛି । ସେ ରାଜ୍ୟ ସରକାରଙ୍କ କେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ଯେ ସବୁ ସରକାରୀ ସୁବିଧା ପାଉଛନ୍ତି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯିବା ପାଇଁ ତାଙ୍କର ଟିକେଟ୍ ରାଜ୍ୟ ରାଜକୋଷରୁ କରାଯାଇଥିଲା କି ନାହିଁ ଓ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପୋପଙ୍କୁ ସାକ୍ଷାତବେଳେ ସରକାରୀ ପ୍ରତିନିଧି ଦଳରେ ସାମିଲ ଥିଲେ କି ନାହିଁ ସେ ନେଇ କାହିଁକି ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀ ମିଶ୍ର ଆଜି ସିଧାସଳଖ ବାଚସ୍ପତିିଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଗୃହ ପରିଚାଳନା ପାଇଁ ଶାସକ ଓ ବିରୋଧୀଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ହେଉଛି । ବିରୋଧୀ ସଦସ୍ୟ ଯଦି କୌଣସି ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଉଛନ୍ତି ତା’ହେଲେ ତାକୁ ତର୍ଜମା କରାଯିବ କହି ପ୍ରିଭିଲେଜ୍ କମିଟିକୁ ବାଚସ୍ପତି ପଠାଇ ଦେଉଛନ୍ତି । ଆଉ ଶାସକ ଦଳର ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ବାଚସ୍ପତି ସଙ୍ଗେସଙ୍ଗେ ନିଷ୍ପତ୍ତି ନେଉଛନ୍ତି । ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିବା ବିରୋଧୀ ଦଳକୁ ଜନବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି କେମିତି? ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଯେ, ଗୃହରେ ହଟ୍ଟଗୋଳ ଭିତରେ କୌଣସି ବିଲ୍ ଗୃହୀତ ହୋଇପାରିବ ନାହିଁ । କିନ୍ତୁ ଏଠି ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି, ଆଉ ବିଲ୍ ପାସ୍ କରିଦେଉଛନ୍ତି । ସର୍ବଦଳୀୟ ବୈଠକ କରୁଛନ୍ତି କିନ୍ତୁ କାହାକୁ ଡାକିଲେନି । ଏଭଳି ଗୃହ ପରିଚାଳନା କରି ସମସ୍ତ ପ୍ରକାରର ବ୍ୟବସ୍ଥାକୁ ଶାସକ ଦଳ ବିପର୍ଯ୍ୟସ୍ତ କରିଦେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ନେତା ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ସରକାର ଭଲ କାମ କରୁଛନ୍ତି । ବିରୋଧୀ ଦଳ ପ୍ରସଙ୍ଗବିହୀନ ପ୍ରସଙ୍ଗ ଉଠାଉଛି ।

Related story