Pranab Prakash Das and Manas Mangaraj
ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଓ ବୟାନବାଜି ଦିନକୁ ଦିନ ଅଣାୟତ୍ତ ହେଉଥିବାବେଳେ ଦଳର ଗଚ୍ଛିତ ପାଣ୍ଠିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଦଳର ଘୋଷିତ ଓ ଅଘୋଷିତ ପାଣ୍ଠିକୁ ସୁରକ୍ଷିତ ରଖିବା ତଥା ନିଜ ଦଖଲରେ ରଖିବା ପାଇଁଁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ସୁଚିନ୍ତିତ ଢଙ୍ଗରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ଦୀର୍ଘ ୬-୭ବର୍ଷ ଧରି ବିଜେଡିର ଦୁଇ ବିଧାୟକ ସୁଶାନ୍ତ କୁମାର ରାଉତ ଓ ସଞ୍ଜିବ କୁମାର ମଲ୍ଲିକଙ୍କ ମାଲିକାନାରେ ଥିବା ଏକ ଟିଭି ଚ୍ୟାନେଲ ଓ ଦୈନିକ ଓଡ଼ିଆ ସମ୍ବାଦପତ୍ରର ମାଲିକାନା ହସ୍ତାନ୍ତର ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳରେ ବଢ଼ୁଥିବା ଅସନ୍ତୋଷ ଓ ଅବିଶ୍ୱାସର ବାତାବରଣକୁ ଦେଖି ଏସବୁ ସମ୍ପତ୍ତିକୁ ନିଜ ତଥା ନିଜ ଅନୁଗତଙ୍କ ଦଖଲକୁ ନେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଆଉ ଏସବୁ ମଧ୍ୟରେ ବିଜେଡିରେ ‘ମୀରଜାଫର’ ଚରିତ୍ରରେ ଉଭା ହୋଇଥିବା ନେତାଙ୍କ ସନ୍ଦେହଜନକ ଭୂମିକା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି ।
ପାଣ୍ଡିଆନଙ୍କ ଦୁଇ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କ ମାଲିକାନାରେ ଥିବା ‘ଚତୁର୍ଦ୍ଧା ଫାଉଣ୍ଡେସନ’ ଅଧୀନକୁ ବିଜେଡିର ଏହି ମିଡିଆ ହାଉସର ମାଲିକାନା ଯିବ ବୋଲି ସୂଚନା ମିଳିଛି । ଏହି ଚତୁର୍ଦ୍ଧା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଭାବେ ମାନସ ଥିବାବେଳେ ନିର୍ଦ୍ଦେଶକ ଭାବେ ବବିଙ୍କ ଭାଇ ସୌମ୍ୟପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି । ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେବାପରେ ଗତବର୍ଷ ଅକ୍ଟୋବର ମାସରେ କମ୍ପାନୀ ଆକ୍ଟ ଅଧୀନରେ ଏହି ଫାଉଣ୍ଡେସନ ଖୋଲାଯାଇଥିଲା ।
ବିଜେଡିର ଗଚ୍ଛିତ ପାଣ୍ଠି ଓ ମାଲିକାନା
ବିଜେଡି ସୂତ୍ର ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପରେ ଦଳ ପାଖରେ ମୋଟ୍ ୬୨୫.୦୭କୋଟି ଟଙ୍କା(ଘୋଷିତ) ପାଣ୍ଠି ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟଅଫିସରେ ବଣ୍ଡ-ଫିକ୍ସଡ୍ ଡିପୋଜିଟ୍ ଆକାରରେ ରହିଛି । ସେହିପରି ଦଳର ସ୍ଥାୟୀ ସମ୍ପତ୍ତି ମଧ୍ୟ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୧.୨୦କୋଟି ଟଙ୍କା ରହିଛି । ଏହି ସ୍ଥାୟୀ ସମ୍ପତ୍ତି ମଧ୍ୟରେ ୩୦.୧୮କୋଟି ଟଙ୍କାର ଶଙ୍ଖ ଭବନ, ଭୁବନେଶ୍ୱର-କଳାହାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ୧୪.୮୮ କୋଟି ଟଙ୍କାର ଜମି, ୧.୩୩କୋଟି ଟଙ୍କାର କାର୍ ସମେତ ୩କୋଟି ୨୦ଲକ୍ଷ ୬୯ହଜାର ୭୮୫ଟଙ୍କା ମୂଲ୍ୟର ପ୍ଲାଣ୍ଟ ଓ ମେସିନାରୀ ମଧ୍ୟ ରହିଛି । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବିଜେଡିର ଏହି ଘୋଷିତ ସମ୍ପତ୍ତିର ପରିମାଣ ୧୪.୮୧କୋଟି ଥିବାବେଳେ ୨୦୨୪ ମାର୍ଚ୍ଚରେ ଏହା ୫୧.୨୦କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଚଳିତବର୍ଷକୁ ହିସାବକୁ ନେଲେ ଏହି ପରିମାଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଦଳର ପାଣ୍ଠି କେଉଁଠି ଓ କେତେ ରହିଛି ତା’ର ସାମାନ୍ୟତମ ସୂଚନା ବିଜେଡିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି(ରାଜନୀତିକ ବ୍ୟାପାର କମିଟି-ପିଏସି) ହେଉ ଅବା ବିଜେଡିର ସମନ୍ୱୟ କମିଟି ଓ କୋର କମିଟି ଆଦି ପାଖରେ ନାହିଁ । ଦଳରେ ବଢ଼ୁଥିବା ଅନ୍ତଃକନ୍ଦଳ ଭିତରେ ପାଣ୍ଡିଆନ ନିଜର ଖାସ୍ ଅନୁଗତମାନଙ୍କ ମାଧ୍ୟମରେ ଦଳର ଏହି ଉଭୟ ଘୋଷିତ ଓ ଅଘୋଷିତ ପାଣ୍ଠିକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଦଳୀୟ ପାଣ୍ଠି କେଉଁଠି ଓ କେମିତି ଅଛି ତା’ର ହିସାବ ମାଗିବାକୁ ମଧ୍ୟ ଏପର୍ଯ୍ୟନ୍ତ ସାହାସ ଜୁଟାଇ ପାରିନଥିବା ଜଣାପଡ଼ିଛି ।
ବିଜେଡି ମିଡିଆ ହାଉସର ମାଲିକାନା ହସ୍ତାନ୍ତର
ଯଦିଓ ବିଜେଡି ଏପର୍ଯ୍ୟନ୍ତ ନିଜର ମାଲିକାନାରେ ଗୋଟିଏ ଟିଭି ଓ ଦୈନିକ ସମ୍ବାଦପତ୍ର ରହିଥିବା ନେଇ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନାହିଁ କିନ୍ତୁ ଦଳ ୨୦୨୩-୨୪ ଆର୍ଥିକ ବର୍ଷରେ ୩.୨୦କୋଟି ଟଙ୍କାର ପ୍ଲାଣ୍ଟ ଓ ମେସିନାରୀ କ୍ରୟ କରିଛି । ଯାହାକି ଏହି ମିଡିଆ ହାଉସରେ ଉପଯୋଗ ହୋଇଥିବା ସନ୍ଦେହ କରାଯାଉଛି । ନିଜସ୍ୱ ମିଡିଆ ହାଉସ୍ ହୋଇନଥିଲେ ଦଳ ଏତେ ପରିମାଣର ଅର୍ଥ ବିନିଯୋଗ କରିବାର ସମ୍ଭାବନା ମଧ୍ୟ କ୍ଷୀଣ । ଗତ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ବିଜେଡିକୁ କ୍ଷମତାଚ୍ୟୁତ କରିବା ପରେ ଏହି ମିଡିଆ ହାଉସର ମାଲିକାନାକୁ ହସ୍ତାନ୍ତର ନିମନ୍ତେ ଏବେ ପ୍ରୟାସ ଆରମ୍ଭ ହୋଇଛି । ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତମାନେ ଆଉ ଦଳର ଦୁଇ ବିଧାୟକ ସୁଶାନ୍ତ କୁମାର ରାଉତ ଓ ସଞ୍ଜିବ କୁମାର ମଲ୍ଲିକଙ୍କ ଉପରେ ଭରସା କରିପାରୁନଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ସେମାନଙ୍କ ମାଲିକାନାରେ ଥିବା ନନ୍ଦିଘୋଷ ନେଟୱାର୍କ ପ୍ରାଇଭେଟ୍ ଲିମିଟେଡଠାରୁ କେବଳ ସମସ୍ତ ପ୍ରକାରର ‘ଆର୍ଥିକ କ୍ଷମତା’ ଏବେ ‘ଚତୁର୍ଦ୍ଧା ଫାଉଣ୍ଡେସନ’କୁ ହସ୍ତାନ୍ତର କରିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଗତମାସରେ ଏନେଇ ଉଭୟ ନିର୍ଦ୍ଦେଶକଙ୍କ ସହମତି ଓ ଆଇନଗତ ପରାମର୍ଶ ଲୋଡ଼ାଯାଇଥିବା ମଧ୍ୟ ସୂଚନା ମିଳିଛି । ସୁଶାନ୍ତ ଓ ସଞ୍ଜିବଙ୍କୁ ପ୍ରଥମେ ଜେନେଟ୍ କେବୁଲ ଟିଭି ପ୍ରାଇଭେଟ୍ ଲିମିଟେଡ୍ ଓ ପରେ ୨୦୨୦ ମେ’ମାସରୁ ନନ୍ଦିଘୋଷ ନେଟୱାର୍କ ପ୍ରାଇଭେଟ୍ ଲିମିଟେଡରେ ନିର୍ଦ୍ଦେଶକ କରାଇ ଏହି ମିଡିଆ ହାଉସର ମାଲିକାନା ଦେଇଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେଡି କ୍ଷମତାରୁ ଯିବାର ପ୍ରାୟ ୪ମାସ ପରେ ମାନସ ଓ ବବିଙ୍କ ଭାଇଙ୍କୁ ନେଇ ଏହି ଚତୁର୍ଦ୍ଧା ଫାଉଣ୍ଡେସନ ଗଠନ ହୋଇଥିଲା । ବବି-ମାନସଙ୍କୁ ବାଦ୍ ଦେଲେ କ’ଣ ବିଜେଡିରେ କେହି ଜଣେ ବି ବିଶ୍ୱସ୍ତ ନେତା କିମ୍ବା କର୍ମୀ ନାହାନ୍ତି ଯିଏ ଦଳର ସମ୍ପତ୍ତିର କେୟାରଟେକର ହୋଇପାରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ଚତୁର୍ଦ୍ଧା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ମାନସ ମଙ୍ଗରାଜ ତାଙ୍କ ପ୍ରତିକ୍ରିୟାରେ ମଧ୍ୟ ଏହି ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ, ପ୍ରାରମ୍ଭିକ ବୈଠକ ଓ ଆଇନଗତ ପରାମର୍ଶ ଲୋଡ଼ାଯାଇଥିବା ନେଇ ସ୍ୱୀକାର କରିଛନ୍ତି ।
କୋର ଟିମର ‘ମୀରଜାଫର୍’ କିଏ?
ବିଜେଡି ସୂତ୍ର ଅନୁସାରେ, ନବୀନ ସାଂଗଠନିକ ବ୍ୟାପାର ବୁଝିବା ସ୍ଥିତିରେ ନାହାନ୍ତି କିମ୍ବା ସେଥିପାଇଁ ଆଗ୍ରହ ଦେଖାଉନାହାନ୍ତି । ବିଜେଡିର ସମସ୍ତ କାର୍ଯ୍ୟ ଏବେ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ହେଉଛି । ନିଜେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା ସହ ତାଙ୍କର ଖାସ୍ ଅନୁଗତକୁ ଦଳର ଆଗଧାଡ଼ିର ନେତାମାନଙ୍କ ସହ ଫିଟ୍ ହେବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଆଉ ଦଳର କୋର ଟିମ୍ ସଦସ୍ୟମାନଙ୍କ ସହ ଦୈନିକ ବସାଉଠା କରି ସେମାନଙ୍କର ମତିଗତି ଓ ଗୁପ୍ତ ତଥ୍ୟକୁ ସଂଗ୍ରହ କରିବାରେ ଏହି ଅନୁଗତଙ୍କ ଚାଲ୍ ଓ ‘ମୀରଜାଫର’ ଭୂମିକା ମଧ୍ୟ ବେଶ୍ କାମ ଦେଇଛି । ଏପରିକି ଦଳର ଛାତ୍ର, ଯୁବ ଓ ମହିଳା ସଭାପତି ନିଯୁକ୍ତି ହେଉ ଅବା କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସଭାପତି ଚୟନ, ୱାକଫ୍ ବିଲ୍ ଓ ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ଆଭିମୁଖ୍ୟ ସବୁକିଛି ପାଣ୍ଡିଆନ ଓ ତାଙ୍କର ଏହି ଖାସ୍ ଅନୁଗତଙ୍କ ମିଳିତ ସହଭାଗିତାରେ ହୋଇଛି । ଦଳର କୋର ଟିମ୍ , ସମନ୍ୱୟ କମିଟି ଓ ରାଜନୀତିକ ବ୍ୟାପାର କମିଟିର ଅଧିକାଂଶ ସଦସ୍ୟ ବିଳମ୍ବରେ ଏହି ‘ମୀରଜାଫର’କୁ ଚିହ୍ନଟ କରିବା ପରେ ସେମାନଙ୍କ ସହ ହୋଇଥିବା ବିଶ୍ୱାସଘାତକତାର ଅନୁଶୋଚନା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ନିଜର ମୁନୀବଙ୍କୁ ଖୁସି କରିବାକୁ ଓ ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ଏହି ‘ମିରଜାଫର’ ହିଁ ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଦଳକୁ ବଳି ପକାଇ ଦେବାକୁ ପଛାଇ ନଥିବା ଜଣାପଡ଼ିଛି । ବିଜେଡିର ଅଘୋଷିତ ପାଣ୍ଠିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଗତ ୨ମାସ ମଧ୍ୟରେ ମୁନୀବ ଓ ଅନୁଗତଙ୍କ ଏହି ‘ସିଣ୍ଡିକେଟ୍’ ଭିନ୍ନ ଭିନ୍ନ ଭାବେ ବିଦେଶ ଗସ୍ତରେ ଯାଇଥିବା ମଧ୍ୟ ସୂଚନା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757514839.jpg)