Advertisment

ଆପ୍‌ ବନାମ ବିଜେପି ବନାମ କଂଗ୍ରେସ: ଦିଲ୍ଲୀ ଜିତିବାକୁ କେଉଁ ଦଳ କ’ଣ ପ୍ରତିଶ୍ରୁତି ଦେଇଛନ୍ତି?

ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ହେବାକୁ ଥିବା ବେଳେ ୮ରେ ରେଜଲ୍ଟ ପ୍ରକାଶ ପାଇବ। ଏହା ପୂର୍ବରୁ ୩ ପ୍ରମୁଖ ଦଳ ବିଜୟୀ ହେଲେ, କ’ଣ ସବୁ ଦିଲ୍ଲୀ ପାଇଁ କରିବେ, ତା’ର ଚିଠା ଲୋକଙ୍କୁ ଦେବାରେ ଲାଗିଛନ୍ତି।

author-image
Hemant Lenka
AAP

AAP

ଦିଲ୍ଲୀ ଦଖଲ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଚରମସୀମାରେ। କ୍ଷମତାସୀନ ଆପ୍‌, ବିରୋଧୀ ବିଜେପି ଓ କଂଗ୍ରେସ ଫେବୃଆରୀ ୫ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।

Advertisment

ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ହେବାକୁ ଥିବା ବେଳେ ୮ରେ ରେଜଲ୍ଟ ପ୍ରକାଶ ପାଇବ। ଏହା ପୂର୍ବରୁ ୩ ପ୍ରମୁଖ ଦଳ ବିଜୟୀ ହେଲେ, କ’ଣ ସବୁ ଦିଲ୍ଲୀ ପାଇଁ କରିବେ, ତା’ର ଚିଠା ଲୋକଙ୍କୁ ଦେବାରେ ଲାଗିଛନ୍ତି।

ସବୁ ଦଳ ଦିଲ୍ଲୀ ଭୋଟରଙ୍କୁ ନିଜ ପାଖକୁ ଆଣିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଯଥା ମାଗଣା ବିଜୁଳି, ମହିଳାଙ୍କୁ ନଗଦ ଟଙ୍କା ଓ ମାଗଣା ସ୍ୱାସ୍ଥ୍ୟ ସେବାର ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତେ ଦିଲ୍ଲୀକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି କହି ଚାଲିଛନ୍ତି।

Advertisment

ଦିଲ୍ଲୀରେ ତ୍ରିପାକ୍ଷିକ ଲଢ଼େଇ

ଦୀର୍ଘ ୨୭ ବର୍ଷ ହେଲାଣି ବିଜେପି ଦିଲ୍ଲୀକୁ ଦଖଲ କରିବାରେ ସକ୍ଷମ ହୋଇନାହିଁ। ଏଥର ଦଳ ଆପ୍‌ ଠାରୁ ଦିଲ୍ଲୀକୁ ଛଡ଼ାଇ ଆଣିବାକୁ ଜୋରଦାର ଉଦ୍ୟମ କରୁଛି। ୨୦୧୫ରୁ ଆପ ଦିଲ୍ଲୀରେ ଶାସନ କରୁଛି। ୨୦୧୫ ଓ ୨୦୨୦ରେ ବିଜେପି ଯଥାକ୍ରମେ ୩ଟି ଓ ୮ଟି ଆସନ ଜିତି ପାରିଥିଲା। ଆପ୍‌ ସମସ୍ତଙ୍କୁ ସାଫ କରି ୨୦୧୫ରେ ରେକର୍ଡ ୭୦ଟି ବିଧାନସଭା ଆସନରୁ ୬୭ଟି ଓ ୨୦୨୦ରେ ୬୨ଟି ଆସନ ଜିତିଥିଲା।

କଂଗ୍ରେସ ଦିଲ୍ଲୀରେ ସମସ୍ତଙ୍କୁ ନିରାଶ କରିଥିଲା। ଦଳ ୨୦୧୫ ଭଳି ୨୦୨୦ରେ ମଧ୍ୟ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା। ଏହାପୂର୍ବରୁ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀକୁ ଶାସନ କରି ଚାଲିଥିଲା। ୨୦୦୮ରେ କଂଗ୍ରେସ ୪୩ଟି ଆସନ ଜିତିବା ସହ ଦଳର ଭୋଟ ଶେୟାର ୪୦.୩% ରହିଥିଲା। କିନ୍ତୁ ୨୦୨୦ରେ ଦଳ ଭୋଟ ହାର ୪.୩%କୁ ଖସି ଆସିଥିଲା।

କେଉଁ ଦଳ କ’ଣ ଦିଲ୍ଲୀବାସୀଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେଇଛନ୍ତି?

ସବୁ ଦଳ ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଇସ୍ତହାର ଜାରି କରାଯାଇ ସାରିଛି। ଇସ୍ତାହାରଗୁଡ଼ିକୁ ଦେଖିଲେ ଲାଗୁଛି ଲୋକଙ୍କୁ ମାଗଣା ସବୁ ସେବାର ଫାଇଦା ଯୋଗାଇ ଦେବା ପାଇଁ ୩ ପ୍ରମୁଖ ଦଳ ମଧ୍ୟରେ ସତେ ଯେମିତି ପ୍ରତିଯୋଗିତା ହେଉଛି। କିଏ କେତେ ମାଗଣା ସେବା ଲୋକଙ୍କୁ ଯୋଗାଇ ପାରିବେ, ସେକଥା ନିଜ ନିଜର ଇସ୍ତାହାରରେ ଉଲ୍ଲେଖ କରିଛନ୍ତି।

ଆମ ଆଦମୀ ପାର୍ଟି(ଆପ୍‌): ଦଳ ପକ୍ଷରୁ ଜାରି ନିର୍ବାଚନୀ ଇସ୍ତାହାରର ନାଁ ‘କେଜ୍ରିୱାଲଙ୍କ ଗ୍ୟାରେଣ୍ଟୀ’ ରଖାଯାଇଛି। ଏଥିରେ ଆପ୍‌ ୧୫ଟି ପ୍ରତିଶ୍ରୁତି ଦେଇଛି। ଏହା ମଧ୍ୟରେ ନିଯୁକ୍ତି ସୃଷ୍ଟି, ମହିଳାଙ୍କୁ ନଗଦ ଟଙ୍କା, ମଗଣାରେ ବରିଷ୍ଠ ନାଗରିକଙ୍କ ଚିକିତ୍ସା ଭଳି ଯୋଜନା ରହିଛି। ଏହାବାଦ ଦିଲ୍ଲୀରେ ୨୪ ଘଣ୍ଟିଆ ବିଜୁଳି ଭଳି ଲୋକଙ୍କୁ ୨୪ ଘଣ୍ଟିଆ ପାଣି ମିଳିବ। ଯମୁନା ନଦୀକୁ ଆପ ଏଥର ସଫା କରିବ ଓ ବିଦେଶରେ ପଢ଼ିବାକୁ ଥିବା ଦଳିତ ଶିକ୍ଷାର୍ଥୀଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଆପ୍‌ କ୍ଷମତାକୁ ଆସିଲେ ଯୋଗାଇ ଦେବ। ଶିକ୍ଷାର୍ଥୀମାନଙ୍କୁ ମାନଙ୍କୁ ଆପ ମାଗଣା ବସ ଓ ମେଟ୍ରୋ ସେବା ଯୋଗାଇବା ସହ ଦିଲ୍ଲୀରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ ବୋଲି କହିଛି।

ଦିଲ୍ଲୀର ଲୋକଙ୍କ ପାଇଁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟୀ

୧- ରୋଜଗାରର ଗ୍ୟାରେଣ୍ଟୀ

୨- ପ୍ରତି ମାସରେ ମହିଳାଙ୍କୁ ୨୧୦୦ ଟଙ୍କା ମିଳିବ

୩- ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ସଞ୍ଜିବନୀ

୪- ବର୍ଦ୍ଧିତ ପାଣି ବିଲ୍‌ ମାଫ

୫- ଯମୁନାକୁ ସଫା କରାଯିବ

୬- ପ୍ରତି ଘରକୁ ୨୪ ଘଣ୍ଟିଆ ପିଇବା ପାଣି

୭- ରାସ୍ତା ସବୁ ୟୁରୋପୀୟ ସ୍ତରର ହେବ

୮- ଡକ୍ଟର ଆମ୍ବେଦକର ବୃତ୍ତି(ଦଳିତ ଶିକ୍ଷାର୍ଥୀଙ୍କ ପାଇଁ)

୯- ଶିକ୍ଷାର୍ଥୀଙ୍କୁ ମାଗଣାରେ ବସ୍‌ ସେବା ଓ ମେଟ୍ରୋରେ ଅଧା ଭଡ଼ା ଦେବାକୁ ପଡ଼ିବ

୧୦- ପୂଜାରୀ ମାନଙ୍କୁ ପ୍ରତି ମାସରେ ୧୮ ହଜାର ଟଙ୍କାର ଗ୍ୟାରେଣ୍ଟୀ

୧୧- ଭଡ଼ାଟିଆଙ୍କୁ ମାଗଣା ବିଜୁଳି ଓ ପାଣି

୧୨- ପୁରୁଣା ସ୍ୱରେଜ ଲାଇନକୁ ଯୁଦ୍ଧକାଳୀନ ଭିତ୍ତିରେ ବଦଳା ଯିବ

୧୩- ନୂଆ ରାସନ କାର୍ଡ ପ୍ରସ୍ତୁତ ହେବ

୧୪- ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷର ବୀମା, ଝିଅ ବାହାଘର ପାଇଁ ୧ ଲକ୍ଷ ଟଙ୍କା ଓ ପିଲାମାନଙ୍କ ପାଇଁ ମାଗଣା କୋଚିଂ

୧୫- ଆବାସିକ ଅଞ୍ଚଳରେ ସିକ୍ୟୁରିଟି ଗାର୍ଡ ମୁତୟନ କରିବା ପାଇଁ ସରକାର ଟଙ୍କା ଦେବେ

ଭାରତୀୟ ଜନତା ପାର୍ଟି(ବିଜେପି): ଦୀର୍ଘ ୨୭ ବର୍ଷ ହେଲା କ୍ଷମତା ବାହାରେ ଥିବା ବିଜେପି ପକ୍ଷରୁ ଦିଲ୍ଲୀ ପାଇଁ ‘ବିକଶିତ ଦିଲ୍ଲୀ ସଂକଳ୍ପ ପତ୍ର’ ଜାରି କରାଯାଇଛି। ଏଥିରେ ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପକ୍ଷରୁ ମହିଳା ସମୃଦ୍ଧି ଯୋଜନାରେ ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା, ଆୟୁଷ୍ମାନ ଭାରତ ଯୋଜନାର ସଂପ୍ରସାରଣ, ବରିଷ୍ଠ ନାଗରିକ ଓ ଆର୍ଥିକ ପଛୁଆ ବର୍ଗରଙ୍କ ଲୋଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କାର ସବସିଡି ଓ ହୋଲି ଏବଂ ଦୀପାବଳିରେ ମାଗଣେ ସିଲିଣ୍ଡର ମିଳିବ ବୋଲି କୁହାଯାଇଛି।

ବିଜେପିର ନିର୍ବାଚନୀ ଇସ୍ତାହାର

୧- ବିନା କୌଣସି ବାହାନା ଦେଖାଇ ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଦିଲ୍ଲୀବାସୀଙ୍କ ସମସ୍ୟାର ସମାଧାନ କରାଯିବ

୨- ଆପ୍‌ ସରକାରର କୁଶାସନ ଓ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ ଓ ତଦନ୍ତ ପାଇଁ ଏସଆଇଟି ଗଠନ ହେବ

୩- ସରକାରୀ ଶିକ୍ଷାନୁଷ୍ଠାନରେ ଅଭାବୀ ଶିକ୍ଷାର୍ଥୀଙ୍କୁ କେଜିରୁ ପିଜି ଯାଏ ମାଗଣା ଶିକ୍ଷା ଯୋଗାଇ ଦିଆଯିବ

୪- ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା

୫- ବୈଷୟିକ ଓ ବ୍ୟବସାୟିକ ପାଠ୍ୟକ୍ରମ ପାଇଁ ଅନୁସୂଚିତ ଜାତି ଶିକ୍ଷାର୍ଥୀଙ୍କୁ ବିଆର ଆମ୍ବେଦକର ଷ୍ଟାଇପେଣ୍ଡ ଯୋଜନା ଅଧୀନରେ ମାସିକ ୧ ହଜାର ଟଙ୍କାର ଷ୍ଟାଇପେଣ୍ଡ ମିଳିବ।

୬- ଅଟୋ ଓ ଟ୍ୟାକ୍ସ ଚାଳକଙ୍କ ପାଇଁ କଲ୍ୟାଣକାରୀ ବୋର୍ଡ, ୧୦ ଲକ୍ଷର ଜୀବନ ବୀମା, ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଓ ସେମାନଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି।

୭- ଘରୋଇ କର୍ମଚାରୀଙ୍କ ପାଇଁ ୱେଲଫେୟାର ବୋର୍ଡ, ୧୦ ଲକ୍ଷର ଜୀବନ ବୀମା, ୫ ଲକ୍ଷର ଦୁର୍ଘଟଣା ବୀମା, ପିଲାଙ୍କ ପାଇଁ ଛାତ୍ର ବୃତ୍ତି ଓ ୬ ମାସର ପେଡ୍‌ ପ୍ରସବକାଳୀନ ଛୁଟି।

୮- ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଲଭାର୍ଥୀଙ୍କ ସଂଖ୍ୟା ୨ ଗୁଣ କରାଯିବ

୯- ସୁରକ୍ଷା ପାଇଁ ସହରର ସବୁ କୋଣରେ ସିସିଟିଭି ଲଗାଯିବ

୧୦- ଦିଲ୍ଲୀରେ ପ୍ରଥମ ଥର ପାଇଁ ମହିଳା ପୁଲିସ ୟୁନିଟ ଗଠନ କରାଯିବ। ଝଲକାରୀ ବାଇ ବାଟାଲିୟନ କେନ୍ଦ୍ର ସହ ମିଶି ସୃଷ୍ଟି ହେବ।

କଂଗ୍ରେସ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ୨୦୨୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଏଥର ଦଳ ଭଲ ପ୍ରଦର୍ଶନ ସହ ଦିଲ୍ଲୀ ଦଖଲ କରିବା ମୁଡରେ ରହିଛି। ବିଜେପି ଭଳି କଂଗ୍ରେସ ମଧ୍ୟ ପ୍ୟାରୀ ଦିଦି ଯୋଜନାରେ ମହିଳା ମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବ ବୋଲି କହିଛି।

ବିଜେପି ଓ ଆପ୍‌କୁ ମାତ ଦେଇ କଂଗ୍ରେସ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ଦେବ ବୋଲି କହିଛି। ସ୍ୱାସ୍ଥ୍ୟ ସେବା ପାଇଁ କଂଗ୍ରେସ ଜୀବନ ରକ୍ଷା ଯୋଜନା ଅଧୀନରେ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବ। ବିଜେପି ଭଳି କଂଗ୍ରେସ ମଧ୍ୟ ଏଲପିଜି ସିଲିଣ୍ଡରରେ ୫୦୦ ଟଙ୍କାର ସବସିଡି ଦେବ ବୋଲି କହିଛି।

ଦିଲ୍ଲୀ ପାଇଁ କଂଗ୍ରେସର ଯୁବା ଉଡ଼ାନ ଯୋଜନା

ଯୁବଗୋଷ୍ଠୀଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସଂସ୍ଥାରେ ଇଟର୍ଣ୍ଣଶିପ କରିବାର ସୁଯୋଗ ମିଳିବ। ଏଥିପାଇଁ ସେମାନେ ମାସିକ ୮,୫୦୦ ଟଙ୍କା ପାଇବେ।

ମାଗଣା ବିଜୁଳିକୁ କେଉଁ ଦଳ କ’ଣ ପ୍ରତିଶ୍ରୁତି ଦେଇଛନ୍ତି?

ଆପ୍‌ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଯୋଗାଇ ଦେବା ସହ ଏହି ସୀମା ଅତିକ୍ରମ କଲେ ୫୦% ସବସିଡି ଦେବ। ଭଡ଼ାଟିଆଙ୍କ ପାଇଁ ଦଳ ସ୍ୱତନ୍ତ୍ର ମିଟର ବ୍ୟବସ୍ଥା କରିବ। ବିଜେପି ଦିଲ୍ଲୀରେ ଆପ୍‌ର ୨୦୦ ୟୁନିଟ ମାଗଣା ବିଜୁଳି ସେବା ବ୍ୟବସ୍ଥାକୁ କାଏମ ରଖିବ ବୋଲି କହିଥିବା ବେଳେ କଂଗ୍ରେସ ୩୦୦ ୟୁନିଟ ଯାଏ ଲୋକଙ୍କୁ ମାଗଣାରେ ବିଜୁଳି ଦେବ ବୋଲି କହିଛି।

ମହିଳାଙ୍କୁ ଟଙ୍କା ପାଇଁ କିଏ କ’ଣ ଘୋଷଣା କରିଛନ୍ତି?

ଆପ୍‌ ପକ୍ଷରୁ ମହିଳା ସମ୍ମାନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ମହିଳାଙ୍କୁ ମାସିକ ୨୧ଶହ ଟଙ୍କା ମିଳିବ। ଆପ୍‌ର ଜାତୀୟ ଆବାହକ ପୂର୍ବରୁ କହି ସାରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ମହିଳାମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ୧୦୦୦ରୁ ୨୧୦୦କୁ ବୃଦ୍ଧି କରାଯିବ। ବିଜେପିର ମହିଳା ସମୃଦ୍ଧି ଯୋଜନାରେ ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ମାସିକ ୨୫ ଶହ ଟଙ୍କା ଓ ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା ଦିଆଯିବ। କଂଗ୍ରେସ ପ୍ୟାରୀ ଦିଦି ଯୋଜନାରେ ୨୫୦୦ ଟଙ୍କା ଦେବ ବୋଲି କହିଛି।

ସ୍ୱାସ୍ଥ୍ୟ ସେବା ଓ ପେନସନ ସମ୍ପର୍କରେ କ’ଣ ଘୋଷଣା ହୋଇଛି?

ସଞ୍ଜିବନୀ ଯୋଜନାରେ ଆପ୍‌ ବରିଷ୍ଠ ନାଗରିକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବ। ଏଥିସହ ପେନସନ ବାବଦରେ ୨୦୦୦ରୁ ୨୫୦୦ ଟଙ୍କା ଦେବ। ୬୦ରୁ ୬୯ ବର୍ଷୀୟ ଲୋକଙ୍କୁ ମାସିକ ୨୦୦୦ ଟଙ୍କାର ପେନସନ ଓ ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ୨୫୦୦ ଟଙ୍କା ପେନସନ ମିଳିବ। ଏସ୍‌ସି/ଏସଟି ଓ ସଂଖ୍ୟାଲଘୁ ହିତାଧିକାରୀ ୬୦ରୁ ୬୯ ବର୍ଷ ବୟସର ହୋଇଥିଲେ ମଧ୍ୟ ୨୫୦୦ ଟଙ୍କା ପେନସନ ପାଇବେ।

ଆୟୁଷ୍ମାନ ଭାରତ ଯୋଜନାରେ ବିଜେପି ବରିଷ୍ଠ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବ। ପେନସନ ବାବଦରେ ଦଳ ୩୦୦୦ ଟଙ୍କା ଦେବ। କଂଗ୍ରେସ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଲାଗୁ କରିବ ବୋଲି କହିଛି। କିନ୍ତୁ ପେନସନ ବାବଦରେ ଦଳ କୌଣସି ପ୍ରକାରର ପ୍ରତିଶ୍ରୁତି ଦେଇନାହିଁ।

Bjp Congress AAP Delhi Election