Advertisment

କିଏ ହେବେ ଦେଶର ଉପ ରାଷ୍ଟ୍ରପତି? ପୂରା ସଂଖ୍ୟାର ଖେଳ ଉପରେ ନଜର ପକାନ୍ତୁ

ପୂର୍ବ ନିର୍ବାଚନ ଗୁଡ଼ିକ ଭଳି ଏଥର ବିଜୟ ବ୍ୟବଧାନ ଯଥେଷ୍ଟ କମ ରହିବ ବୋଲି ସ୍ପଷ୍ଟ ହୋଇଛି।

author-image
Hemant Lenka
CP

CP

ମଙ୍ଗଳବାର ଦେଶରେ ହେବ ଉପ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଉଭୟ ଶାସକ ଓ ବିରୋଧୀ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ମଙ୍ଗଳବାର ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାରର ନିଶ୍ଚିତ।

Advertisment

ହେଲେ ପୂର୍ବ ନିର୍ବାଚନ ଗୁଡ଼ିକ ଭଳି ଏଥର ବିଜୟ ବ୍ୟବଧାନ ଯଥେଷ୍ଟ କମ ରହିବ ବୋଲି ସ୍ପଷ୍ଟ ହୋଇଛି। ଖାସ ଏହି କାରଣ ପାଇଁ ଏନଡିଏ ପକ୍ଷରୁ ମେଣ୍ଟର ପ୍ରତିଟି ଭୋଟକୁ ଟ୍ରାକ କରାଯାଉଛି। ଗୋଟିଏ ହେଲେ ବି ଭୋଟ ମେଣ୍ଟ ହରାଇବାକୁ ଚାହୁଁନାହିଁ।

ଉପ ରାଷ୍ଟ୍ରପତିଙ୍କୁ ସଂସଦର ସଦସ୍ୟମାନେ ସିକ୍ରେଟ ବାଲଟ ଦ୍ୱାରା ନିର୍ବାଚିତ କରନ୍ତି। ଏହାର ଅର୍ଥ ସାଂସଦମାନେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ। ତଥାପି ଦେଶରେ ହେଉଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଦଳ କଥାରେ ଭୋଟ ଦିଅନ୍ତି। ନିର୍ବାଚନରେ କ୍ରସ ଭୋଟିଂ ମଧ୍ୟ ହୋଇଥାଏ। ପୂର୍ବରୁ ଅନେକ ଥର ଏହା ଦେଖିବାକୁ ମିଳିଛି। ଏନଡିରେ ନ ରହି ମଧ୍ୟ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସ୍‌ ଆର କଂଗ୍ରେସ ଓ ବିଆରଏସ୍‌ ସାଂସଦମାନେ ବିଜେପିକୁ ସମର୍ଥନ କରିଛନ୍ତି।

Advertisment

୨୦୨୨ରେ ଜଗଦୀପ ଧନଖଡ଼ ଦୀର୍ଘ ୩ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ବିଜୟ ଉପ ରାଷ୍ଟ୍ରପତି ନିର୍ବାଚନରେ ହାସଲ କରିଥିଲେ। ଓଡ଼ିଶାର ବିଜେଡି ଓ ଆନ୍ଧ୍ରର ୱାଇଏସ୍‌ଆର କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ପ୍ରାୟ ୭୫% ସାଂସଦଙ୍କ ସମର୍ଥନ ଧନଖଡ଼ ପାଇଥିଲେ। ଅନେକ ସାଂସଦ ଦଳ ଲାଇନରୁ ବାହାରକୁ ଯାଇ କ୍ରସ ଭୋଟିଂ କରିଥିଲେ। ଏଥିର ମଧ୍ୟ କ୍ରସ ଭୋଟିଂର ଯଥେଷ୍ଟ ସମ୍ଭାବନା ରହିଛି।

ଉପ ରାଷ୍ଟ୍ରପତି ନିର୍ବାଚନ ଓ ବିଜେପିର ସଂଖ୍ୟା

ବର୍ତ୍ତମାନ ରାଜ୍ୟସଭାରେ ୨୩୯ ଓ ଲୋକସଭାରେ ୫୪୨ ଜଣ ସାଂସଦ ରହିଛନ୍ତି। ଏମାନେ ସମସ୍ତେ ଆସନ୍ତାକାଲି ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ। କିନ୍ତୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍‌ ଭୋଟ ଦାନରୁ ଦୂରେଇ ରହିବେ ବୋଲି ଘୋଷଣା କରିଛନ୍ତି। ତେଣୁ ଏବେ ଉଭୟ ସଦନରେ ସାଂସଦଙ୍କ ସଂଖ୍ୟା ୭୭୦କୁ ଖସି ଆସିଛି। ଏହାର ଅର୍ଥ ନିର୍ବାଚନ ଜିତିବାକୁ ୩୮୬ ସାଂସଦଙ୍କ ଭୋଟ ଦରକାର।

ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ମୋଟ ୪୨୫ ଜଣ ସାଂସଦ ରହିଛନ୍ତି। ତେଣୁ ବିଜେପି ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଦେଶର ଉପ ରାଷ୍ଟ୍ରପତି ହେବା ନିଶ୍ଚିତ। ତଥାପି ଶାସକ ଦଳ ଜଗନଙ୍କ ୱାଇଏସ୍‌ଆର କଂଗ୍ରେସର ସମର୍ଥନ ହାସଲ କରିପାରେ। ରାଜ୍ୟସଭାରେ ଦଳର ୭ ଜଣ ଓ ଲୋକସଭାରେ ୪ ଜଣ ସଦସ୍ୟ ରହିଛନ୍ତି।

ଯଦି ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରାଯାଏ, ତା’ହେଲେ ବିଆରଏସ୍‌ ଓ ବିଜେଡି ବାଦ ମଧ୍ୟ ଏନଡିଏର ସାଂସଦଙ୍କ ସଂଖ୍ୟା ୪୩୬ରେ ପହଞ୍ଚିବ। ଏହାବାଦ ବି ଏନଡିଏର ସମର୍ଥନ ବଢ଼ିପାରେ।

ସ୍ୱାତୀ ମାଲିୱାଲ ହେଉଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ। କିନ୍ତୁ ଦଳ ସହ ସାଂସଦଙ୍କ ସମ୍ପର୍କ ବିଗିଡ଼ି ଯାଇଛି। ଗତବର୍ଷ ସେ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀଙ୍କ ବିରୋଧରେ ମାଡ଼ ମାରିବାର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଆପ ସହ ମାଲିୱାଲଙ୍କ ପଡ଼ୁନାହିଁ। ତେଣୁ ମଙ୍ଗଳବାର ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଲୋକସଭାରେ ଥିବା ୭ ସ୍ୱାଧୀନ ସାଂସଦଙ୍କ ଭୂମିକା ଉପରେ ମଧ୍ୟ ନଜର ରହିବ। ସେହିପରି ଅକାଳୀ ଦଳ ଓ ଜେଡପିଏମ(ମିଜୋରାମ)ର ମଧ୍ୟ ଜଣେ ଲେଖାଏ ସାଂସଦ ରହିଛନ୍ତି। ଯଦି ଏହି ସବୁ ଭୋଟ ରାଧାକ୍ରିଷ୍ଣନଙ୍କ ସପକ୍ଷରେ ଯାଏ, ତା’ହେଲେ ବିଜେପି ପ୍ରାର୍ଥୀଙ୍କ ଭୋଟ ୪୫୮ରେ ପହଞ୍ଚିଯିବ। ତଥାପି ଏହା ୩ ବର୍ଷ ତଳେ ଧନଖଡ଼ ହାସଲ କରିଥିବା ୫୨୮ଟି ଭୋଟରୁ କମ।

ଉପ ରାଷ୍ଟ୍ରପତି ନିର୍ବାଚନ ଓ କଂଗ୍ରେସ ସଂଖ୍ୟା

ସିପି ରାଧାକ୍ରିଷ୍ଣନଙ୍କୁ କାଉଣ୍ଟର କରିବା ଲାଗି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଇଣ୍ଡିଆ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ଚୟନ କରିଛି। ତେବେ ଉଭୟ ଗୃହରେ ବିରୋଧୀ ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ୩୨୪। ତେଣୁ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ। କାରଣ ୨୦୨୨ ଅପେକ୍ଷା ଏଥର ବିରୋଧୀଙ୍କ ପାଖରେ ଅଧିକ ସାଂସଦ ରହିଛନ୍ତି।

ହେଲେ ଏହା ବିଜୟ ପାଇଁ ଯଥେଷ୍ଟ ନୁହେଁ। ଯଦି ସମସ୍ତ ବିରୋଧୀ ସାଂସଦ ମଙ୍ଗଳବାର ଜଷ୍ଟିସ ରେଡ୍ଡୀଙ୍କ ସପକ୍ଷରେ ଭୋଟ କରିବେ, ତଥାପି ସେ ୧୦୦ ଓ ୧୩୫ ଭୋଟ ପଛରେ ରହିବେ। ବିଆରଏସ, ବିଜେଡି, ସ୍ୱାତୀ ମାଲିୱାଲ, ସମସ୍ତ ସ୍ୱାଧୀନ ସାଂସଦ, ଅକାଳୀ ଦଳ ଓ ଜେଡପିଏମ(ମିଜୋରାମ) ର ସାଂସଦମାନେ ଯଦି ବି ଜଷ୍ଟିସ ରେଡ୍ଡୀଙ୍କୁ ସମର୍ଥନ କରିବେ, ତଥାପି ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବେ ନାହିଁ। ଏସବୁ ସତ୍ତ୍ୱେ ଇଣ୍ଡିଆ ବ୍ଲକ ନିର୍ବାଚନ ଜିତିବା ଠାରୁ ୭୦ ଖଣ୍ଡ ଭୋଟ ପଛରେ ରହିବ।

Vice President cp-radhakrishnan