Advertisment

ରାଜ୍ୟରେ ବିଜେପି କରିବ ସରକାର; କେଉଁମାନେ ହେବେ ମନ୍ତ୍ରୀ, କାହା ନାଁକୁ ନେଇ ଚାଲିଛି ଆଲୋଚନା

ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ।

Manmohan Samal

Manmohan Samal

Advertisment

ରାଜ୍ୟରେ ସରକାର ଗଠନ କରିବ ବିଜେପି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ସେହିପରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ, ତାକୁ ନେଇ ମଧ୍ୟ ସାରା ରାଜ୍ୟରେ ଚାଲିଛି ଆଲୋଚନା। କିନ୍ତୁ ଦଳ ଏସବୁ ନେଇ ଏଯାଏଁ ମୁହଁ ଖୋଲି ନାହିଁ। ଆଜି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଆଉ ଦୁଇ ଦିନ ଧୈର୍ଯ୍ୟ ଧରନ୍ତୁ। ଏହା ସହିତ ଦଳର ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Advertisment

ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ମନ୍ତ୍ରୀ ହେବାର ଆଧାର ରହିଛି- ନିର୍ମଳ ଭାବମୂର୍ତ୍ତି, ଅପରାଧିକ ପୃଷ୍ଠଭୂମି ନଥିବ, ପ୍ରଶାସନିକ ଦକ୍ଷତା ଓ ଲୋକସଂପର୍କ। ତେବେ କେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି?

ଅଭିଜ୍ଞତା ସଂପନ୍ନ ବିଧାୟକ ଭାବେ ହେଭିୱେଟ୍ ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ ଓ ସୂରମା ପାଢ଼ୀ ଥିବା ବେଳେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁଗୁଡ଼ିକ ହେଉଛି- ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂହ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡ଼ା।

Advertisment

ଅନ୍ୟପଟେ ୧୦ ତାରିଖ ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏ ଯାଏଁ ସ୍ପଷ୍ଟ ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ। ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଅପେକ୍ଷା ବିଧାୟକ ଦଳ ବୈଠକକୁ। କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପରେ ୧୦ ତାରିଖ ସକାଳେ ବସିବ ବିଧାୟକ ଦଳ ବୈଠକ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ।

ଆଜି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ଜନତା ମୈଦାନରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ପ୍ରତିଫଳନ। ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଦଳର ସଂସଦୀୟ କମିଟି ନିଷ୍ପତ୍ତି ନେବ। ଏଯାଏଁ ସେନେଇ ନିଷ୍ପତ୍ତି ହୋଇନି । ଆଉ ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଧିକାଂଶ
ରାଜ୍ୟର ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଦଳର ଶୀର୍ଷ ନେତୃବୃନ୍ଦ ଯୋଗ ଦେବେ। ଏଥିସହ ସେ ଆଦୌ ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି ବୋଲି କହିଛନ୍ତି ମନମୋହନ।

ଅନ୍ୟପକ୍ଷରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ଜନତା ମୈଦାନରେ ଆଜି ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପାଖାପାଖି ୩୫ ହଜାର ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ ଚାଲିଛି।

Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe