Advertisment

ଶପଥ ପାଠ ପରେ ବି ଛିଡ଼ୁନି ଅଙ୍କ! କାହା ପାଖକୁ ଯିବ ଲୋକସଭା ବାଚସ୍ପତି ପଦ?

୪ର୍ଥ ଲୋକସଭାର ବାଚସ୍ପତି ଭାବେ ଏନ ସଞ୍ଜୀବ ରେଡ୍ଡୀ ନିର୍ବାଚିତ ହେବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

author-image
Hemant Lenka
PM Modi

PM Modi

ପ୍ରଥମ ଓ ଦ୍ୱିତୀୟ ନରେନ୍ଦ୍ର ମୋଦି ସରକାର ରେଜଲ୍ଟ ବାହାରିବାର ଯଥାକ୍ରମେ ୧୦ ଦିନ ଓ ୭ ଦିନରେ ଶପଥ ପାଠ କରିଥିଲେ। ଏଥର ବିଜେପି ମ୍ୟାଜିକ ନମ୍ବର ହାସଲ କରିବାରେ ବିଫଳ ହୋଇଥିବାରୁ ସହଯୋଗୀ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିଛି।

Advertisment

ବିଶେଷ କରି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ସହ ମନ୍ତ୍ରୀ ପଦ ସମ୍ପର୍କରେ ଆଲୋଚନା କରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରେଜଲ୍ଟ ବାହାରିବାର ୪ ଦିନ ପରେ ହିଁ ମୋଦି ୩.୦ ସରକାରର କ୍ୟାବିନେଟ ଗଠନ ହୋଇଛି। ୭୨ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଏନଡିଏର କେଉଁ ଦଳ ପାଖକୁ ଲୋକସଭାର ବାଚସ୍ପତି ପଦ ଯିବ, ତା’କୁ ନେଇ ସସପେନ୍ସ ଜାରି ରହିଛି। ସରକାର ଗଠନରେ କିଙ୍ଗ ମେକର ସାଜିଥିବା ଉଭୟ ଟିଡିପି ଓ ଜେଡିୟୁ ବାଚସ୍ପତି ପଦ ଉପରେ ଆଖି ରଖିଛନ୍ତି। କିନ୍ତୁ ବିଜେପି ଏହି ପଦକୁ ସହଯୋଗୀ ଦଳଗୁଡ଼ିକୁ ଦେବା ମୁଡରେ ନାହିଁ।

Advertisment

ସମ୍ବିଧାନରେ କୁହାଯାଇଛି ଯେ ନିର୍ବାଚନରେ ବସିବାକୁ ଯାଉଥିବା ଲୋକସଭା ଅଧିବେଶନର ଠିକ ପୂର୍ବରୁ ବାଚସ୍ପତି ପଦ ଖାଲି ହୋଇଯାଇ ଥାଏ। ରାଷ୍ଟ୍ରପତି ନୂଆ ସଦସ୍ୟଙ୍କ ଶପଥ ପାଠ କରାଇବା ପାଇଁ ବରିଷ୍ଠତା ଭିତ୍ତିରେ ଜଣଙ୍କୁ ପ୍ରୋଟମ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଏହାପରେ ଭୋଟ ମାଧ୍ୟମରେ ସ୍ଥାୟୀ ବାଚସ୍ପତିଙ୍କୁ ସାଂସଦମାନେ ବାଛନ୍ତି। ୨୦୧୪ ଓ ୨୦୧୯ରେ ବିଜେପି ପାଖରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଥିବାରୁ ଦଳ ବେଶ ସହଜରେ ସୁମିତ୍ରା ମହାଜନ ଓ ଓମ ବିର୍ଲାଙ୍କୁ ଲୋକସଭା ବାଚସ୍ପତି ପଦରେ ବସାଇଥିଲା। ହେଲେ ଏଥର ସ୍ଥିତି କିଛି ଭିନ୍ନ ରହିଛି। ବିଜେପି ନିଜ ଇଚ୍ଛାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇ ପାରିବ ନାହିଁ। କାରଣ ମ୍ୟାଜିକ ନମ୍ବର ପାଇଁ ସହଯୋଗୀଙ୍କ ଆବଶ୍ୟକ ପଡ଼ିବ। 

ଲୋକସଭା ବାଚସ୍ପତି ପଦ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ବାଚସ୍ପତି ହେଉଥିବା ସାଂସଦ ସବୁ ଦଳକୁ ନେଇ ଗୃହ ଚଳାଇ ଥାଆନ୍ତି। ବାଚସ୍ପତିଙ୍କୁ ସାଧାରଣତଃ ନିରପେକ୍ଷ କୁହାଯାଏ। ସେ ଯେଉଁ ଦଳରୁ ନିର୍ବାଚନ ଜିତିଥିଲେ ମଧ୍ୟ ସମସ୍ତ ସାଂସଦଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ।

୪ର୍ଥ ଲୋକସଭାର ବାଚସ୍ପତି ଭାବେ ଏନ ସଞ୍ଜୀବ ରେଡ୍ଡୀ ନିର୍ବାଚିତ ହେବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପିଏ ସାଙ୍ଗମା, ସୋମନାଥ ଚାଟାର୍ଜୀ ଓ ମୀରା କୁମାରୀ ପ୍ରମୁଖ ବାଚସ୍ପତି ହୋଇଥିଲେ ହେଁ ନିଜ ନିଜର ରାଜନୀତିକ ଦଳକୁ ଇସ୍ତଫା ଦେଇ ନଥିଲେ।

ତେପେ ୟୁପିଏ ସରକାର ବିରୋଧରେ ୨୦୦୮ରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବେଳେ ବାଚସ୍ପତି ଥିବା ସୋମନାଥ ଚାଟାର୍ଜୀ ପକ୍ଷପାତିତା କରିଥିଲେ। ଫଳରେ ସିପିଏମ ତାଙ୍କୁ ବହିଷ୍କାର କରିଥିଲା।

ମୋଦି ୩.୦ ସରକାରରେ ଥିବା ଏନ ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ହେଉଛନ୍ତି ବରିଷ୍ଠ ରାଜନେତା। ସେମାନେ ବିଜେପି ଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ନେବାକୁ ଚାହୁଁଛନ୍ତି। ଦଳ ବଦଳ ଆଇନ ବେଳେ ବାଚସ୍ପତିଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ତେଣୁ ଉଭୟ ଦଳ ଆଗକୁ କିଛି ଚିନ୍ତା କରି ବାଚସ୍ପତି ପଦ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।

PM Modi Lok Sabha Speaker Modi 3.0