/odisha-reporter/media/post_attachments/uploadimage/library/16_9/16_9_0/Congress_1689691253.jpg)
Congress
ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳ ଦୁଇ ଦିନ କାଳ ମାନସମନ୍ଥନ କରିବା ପରେ ନିଜର ନୂଆ ନାଁ ଘୋଷଣା କରିଛନ୍ତି। ଦୁଇ ଦିନିଆ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଥିସହ ବିରୋଧୀ ମେଣ୍ଟ ଏଣିକି INDIA ନାଁରେ ପରିଚୟ ହାସଲ କରିବ। କିନ୍ତୁ ଏହାର ନେତୃତ୍ୱ କିଏ ନେବେ, ତାଙ୍କ ନାଁ ବେଙ୍ଗାଲୁରୁ ବୈଠକରେ ଘୋଷଣା କରାଯାଇ ନାହିଁ।
ଆଗାମୀ ଦିନରେ ମହାରାଷ୍ଟ୍ରର ମୁମ୍ବାଇରେ ପୁଣି ବିରୋଧୀ ଦଳଗୁଡ଼ିକ ଏକାଠି ହେବେ। ଉକ୍ତ ବୈଠକରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବ। ସେହିପରି INDIAର ନେତୃତ୍ୱ କିଏ ନେବେ, ତାଙ୍କ ନାଁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଘୋଷଣା କରିବେ।
ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,“ପରବର୍ତ୍ତୀ ସମୟରେ ମୁମ୍ବାଇରେ ପୁଣି ବୈଠକ ବସିବ। ସେଠାରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବ। ଏଥିସହ ପରବର୍ତ୍ତୀ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ।”
ମହାମେଣ୍ଟର ନେତୃତ୍ୱ କିଏ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଖଡଗେ କହିଛନ୍ତି, “ମୁମ୍ବାଇ ବୈଠକରେ ମେଣ୍ଟର ଆବାହକଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ। ଏହା ଆଦୌ କୌଣସି ବଡ଼ କଥା ନୁହେଁ।
ଆମେ ସମସ୍ତେ ଏକାଠି ରହିଛୁ। ପ୍ରଚାର ପରିଚାଳନା ପାଇଁ ଗୋଟିଏ ସେକ୍ରେଟେରିଏଟ ଓ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କମିଟି ଦିଲ୍ଲୀରେ ଗଠନ କରାଯିବ। କାରଣ ଦିଲ୍ଲୀ ହେଉଛି ଦେଶର ରାଜଧାନୀ ଓ ସମସ୍ତଙ୍କ ପାଇଁ ଉକ୍ତ ସ୍ଥାନକୁ ଆସିବା ସୁବିଧା ହେବ।”
ସେ ଆହୁରି କହିଛନ୍ତି, ବୈଠକରେ ୨୬ଟି ବିରୋଧୀ ଦଳର ନେତାଙ୍କ ଆମର ନେତ୍ରୀ ସୋନିଆ ଗାନ୍ଧି ଉପସ୍ଥିତ ରହିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ।
ଲୋକଙ୍କ ସ୍ୱାର୍ଥ ପାଇଁ ଆମେ ଏକାଠି ହେବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ପୂର୍ବରୁ ଆମେ ୟୁପିଏରେ ଥିଲୁ। ଏବେ ଆମେ ୨୬ ଦଳ ମିଳିତ ଭାବେ INDIA ନାଁରେ ଏକାଠି ହେବାକୁ ରାଜି ହୋଇଛୁ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
