Advertisment

ପ୍ରଦୀପଙ୍କ ବାଟ ଓଗାଳି ପାରିବ କି ବିଜେଡିର ମହିଳା କାର୍ଡ, ନା ୨୦୦୯ ଭଳି ଚକ୍‌ମା ଦେବ କଂଗ୍ରେସ

ପ୍ରଦୀପ୍ତ କୁମାର ନାଏକ ଭବନୀପାଟଣାରୁ ବିଜେପି ଟିକେଟରେ ୪ ଥର ବିଧାନସଭାକୁ ଯାଇଛନ୍ତି। ୧୯୯୫, ୨୦୦୦ ଓ ୨୦୦୪ରେ ଲଗାତାର ତିନି ଥର ସେହି ଆସନରୁ ବିଜୟୀ ହୋଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Election

Election

ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ୧୪୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ବିଜେଡି ୧୦୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ୧୧୨ଟି ଓ କଂଗ୍ରେସ ୪୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ତିନୋଟି ଯାକ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

Advertisment

ଭବାନୀପାଟଣା ବିଧାନସଭା ଆସନରୁ ବିଜେପି ତା’ର ସିଟିଂ ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ପୁଣି ଟିକେଟ ଦେଇଛି। କଂଗ୍ରେସ ମଧ୍ୟ ତା’ର ପ୍ରାର୍ଥୀଙ୍କୁ ରିପିଟ୍ କରିଛି। ଦଳ ୨୦୧୯ରେ ଏଠାରୁ ଭେଟେରାନ ନେତା ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କୁ ଟିକେଟ୍ ଦେଇଥିଲା। ଏଥର ମଧ୍ୟ ସାଗର ଟିକେଟ ପାଇଛନ୍ତି। କିନ୍ତୁ ବିଜେଡି ପ୍ରାର୍ଥୀ ବଦଳାଇଛି। ଦଳ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ଲଳିତାଙ୍କୁ ଟିକେଟ ଦେଇଛି। ଦଳ ଏଥର ମହିଳା କାର୍ଡ ଖେଳି ପ୍ରଦୀପଙ୍କୁ ମାତ୍ ଦେବାକୁ ପ୍ରୟାସ କରିଛି।

ପ୍ରଦୀପ୍ତ କୁମାର ନାଏକ ଭବନୀପାଟଣାରୁ ବିଜେପି ଟିକେଟରେ ୪ ଥର ବିଧାନସଭାକୁ ଯାଇଛନ୍ତି। ୧୯୯୫, ୨୦୦୦ ଓ ୨୦୦୪ରେ ଲଗାତାର ତିନି ଥର ସେହି ଆସନରୁ ବିଜୟୀ ହୋଇଥିଲେ। ୧୯୯୫ରୁ ଲଗାତାର ଏହି ଆସନରୁ ଜିତି ଆସୁଥିବା ପ୍ରଦୀପ୍ତ ନାଏକଙ୍କୁ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଦେଇଥିଲେ ଝଟକା। ପ୍ରଥମ ଥର ପାଇଁ ପରାସ୍ତ ହୋଇଥିଲେ ପ୍ରଦୀପ୍ତ। ୨୦୧୪ରେ ପ୍ରଦୀପ୍ତ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ। ବିଜେପି ଟିକେଟରେ ସେ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସେହି ବର୍ଷ ବିଜେପି ଏଠାରୁ ଦୟାନିଧି ନାଏକଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ। ବିଜେଡି ପ୍ରାର୍ଥୀ ଅନାମ ନାଏକ ଜିତିଥିଲେ। ୨୦୧୯ରେ ବିଜେପି ପୁଣି ଥରେ ପ୍ରଦୀପ୍ତଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ।

Advertisment

୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭବାନୀପାଟଣାରୁ ପ୍ରତିଥର ଅଲଗା ଅଲଗା ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ବିଜୟୀ ହୋଇଥିଲେ। ତା’ପୂର୍ବରୁ ତିନି ଥର ଲଗାତାର ଜିତି ଆସିଥିବା ପ୍ରଦୀପ୍ତ ନାଏକଙ୍କୁ ସେ ପରାସ୍ତ କରିଥିଲେ। ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଲୋକେ ପୁଣି ଥରେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଜିତାଇଥିଲେ। ତେଣୁ ଏଥର ଭୋଟର ମନ ପରିବର୍ତ୍ତନ କରିବେ ନା ପୁଣି ପ୍ରଦୀପ୍ତଙ୍କ ଉପରେ ଭରସା କରିବେ, ତାହା ଭୋଟ୍ ଫଳାଫଳ ଆସିବା ପରେ ଜଣାପଡ଼ିବ।

ଦୁଷ୍ମନ୍ତ ନାଏକ ଦୁଇ ଥର ପ୍ରଦୀପ୍ତଙ୍କଠାରୁ ପରାସ୍ତ ହୋଇଥିଲେ ବି ୨୦୦୯ରେ ଚକ୍‌ମା ଦେଇଥିଲେ। ଏଣୁ ୨୦୧୯ରେ ପ୍ରଦୀପ୍ତଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ଏଥର ଅଧିକ ସକ୍ରିୟ ଥିବା ସାଗର ଚରଣ ଦାସ ସେମିତି ଏକ ଚକମା ଦେଇପାରିବେ ନା ନାହିଁ, ତାହା ଫଳାଫଳ ଆସିବା ପରେ ଜଣାପଡ଼ିବ। ସାଗର ଦାସ କହିଛନ୍ତି, ଲୋକେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଆମେ ଯେଉଁଠାକୁ ଯାଉଛୁ ଲୋକେ କହୁଛନ୍ତି ଯେ ଏଥର କଂଗ୍ରେସ ଆସିବ। ପରିବର୍ତ୍ତନ ଆଣିବା ପାଇଁ ସେମାନେ ପ୍ରସ୍ତୁତ ହୋଇଗଲେଣି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂ ଦେଓ

BjD Bjp Congress Kalahandi Loksabha Election