Advertisment

ପ୍ରସନ୍ନଙ୍କ ଅଦଳବଦଳ ଅଙ୍କ; ୨୦୨୪ରେ ୨୦୦୯ର ପୁନରାବୃତ୍ତି

ପଶ୍ଚିମ ଓଡ଼ିଶାର ଟାଣୁଆ ଓ ବରିଷ୍ଠ ବିଜେଡି ନେତା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କୁ ଏଥର ଦଳ ସମ୍ୱଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଅର୍ଥାତ ତାଙ୍କୁ ବିଜେପିର ହେଭିୱେଟ୍‌ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା ବିଜେଡି।

author-image
Manoranjan Sial
ଅଦ୍ୟତନ ହୋଇଛି
Prasanna Acharya

Prasanna Acharya

ପଶ୍ଚିମ ଓଡ଼ିଶାର ପୁରୁଖା ନେତା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିଲାନି ସ୍ଥାୟୀ ନିର୍ବାଚନ ମଣ୍ଡଳୀ। ତେଣୁ ସେ ଏ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ମଣ୍ଡଳୀକୁ ଘୂରି ବୁଲୁଛନ୍ତି। ବିଜେଡି ତାଙ୍କୁ ନେଇ କେବଳ ଏକ୍ସପେରୀମେଣ୍ଟ କରୁଥିବା ଚର୍ଚ୍ଚା ହେଉଛି। ୨୦୦୯ ସାଧାରଣ ନିର୍ବାଚନରେ ଯାହା ଘଟିଥିଲା, ୨୦୨୪ ମସିହାରେ ତାହା ଘଟିଛି। ଅର୍ଥାତ ୨୦୦୯ ପରି ୨୦୨୪ ମସିହାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସିଟ୍‌ ବଦଳା ଯାଇଛି।

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ଓ ବରିଷ୍ଠ ବିଜେଡି ନେତା ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ତାଙ୍କୁ ଏଥର ଦଳ ସମ୍ୱଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଅର୍ଥାତ ତାଙ୍କୁ ବିଜେପିର ହେଭିୱେଟ୍‌ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା ବିଜେଡି। କିନ୍ତୁ ଏଥିରେ ଖୁସି ନଥିଲେ ପ୍ରସନ୍ନ। ସେ ଅସନ୍ତୋଷ ଝାଡ଼ି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସମ୍ୱଲପୁରରୁ ପ୍ରାର୍ଥୀ ହେବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିବା ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ସୁପ୍ରିମୋଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେବେ ପ୍ରକାଶ ପାଇଥିବା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଥିଲା ବଡ଼ ଧରଣର ଅଦଳବଦଳ। ସମ୍ୱଲପୁରରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା ବିଜେଡି। ଆଉ ରେଢ଼ାଖୋଲ ପ୍ରାର୍ଥୀ ରୋହିତ ପୂଜାରୀ ହୋଇଥିଲେ ସମ୍ୱଲପୁର ପ୍ରାର୍ଥୀ।

ସିଟ୍‌ ଅଦଳବଦଳ ହେବା ପ୍ରସନ୍ନଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ନୁହେଁ। ୨୦୦୯ ସାଧାରଣ ନିର୍ବାଚନରେ ମଧ୍ୟ ସମାନ ଘଟଣା ଘଟିଥିଲା। ପ୍ରସନ୍ନଙ୍କୁ ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ତାଙ୍କ ସିଟ୍‌ ପରିବର୍ତ୍ତନ କରାଯାଇଥିଲା। ତାଙ୍କୁ ରେଢ଼ାଖୋଲ ପ୍ରାର୍ଥୀ କରିଥିଲା ବିଜେଡି। ସେତେବେଳେ ସେ ବିଜୟୀ ହୋଇ ସ୍ୱାସ୍ଥ୍ୟ ଓ ଅର୍ଥମନ୍ତ୍ରୀ ହୋଇଥିଲେ।

Advertisment

ମନ୍ତ୍ରୀ ହେବା ପରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ଶ୍ରୀ ଆଚାର୍ଯ୍ୟ। ଭାବିଥିଲେ ୨୦୧୪ ନିର୍ବାଚନରେ ରେଢ଼ାଖୋଲରୁ ଟିକଟ ମିଳିବ। ହେଲେ ବାଜି ମାରିନେଲେ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ରୋହିତ ପୂଜାରୀ। ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା। ଆଉ ରାଜ୍ୟସଭା ଯାଇଥିଲେ ପ୍ରସନ୍ନ ଆଚାର୍ଯ୍ୟ। ହେଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ରେଢ଼ାଖୋଲ ମୋହ ଛାଡ଼ିନଥିଲା। ନିଜ ସମର୍ଥକଙ୍କୁ ଭେଟୁଥିଲେ। ଆଉ ୨୦୧୯ରେ ସେ ପ୍ରାର୍ଥୀ ହେବାକୁ ମନ ବଳାଇ ଥିଲେ। ହେଲେ ଦଳ ତାଙ୍କୁ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ବିଜେପିର ଭେଟ୍‌ରାନ୍‌ ସୁରେଶ ପୂଜାରୀଙ୍କଠାରୁ ସେ ହାରି ଯାଇଥିଲେ।

୨୦୧୯ ପରାଜୟ ପରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ନିର୍ବାଚନମଣ୍ଡଳୀକୁ ନିୟମିତ ଆସୁଥିଲେ। ନିଜ ସମର୍ଥକଙ୍କୁ ଭେଟୁଥିଲେ ଓ ସଭା ସମିତି ଆୟୋଜନ କରୁଥିଲେ। ସେପଟେ ରେଢାଖୋଲରେ ବିଧାୟକ ରୋହିତ ପୂଜାରୀ ମଧ୍ୟ ନିଜ ସମର୍ଥକଙ୍କୁ ଧରି ବୈଠକ କରୁଥିଲେ। ସଭା ସମିତିକୁ ଦେଖିଲେ ଉଭୟଙ୍କ ଭିତରେ ମତଭେଦ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ବେଳେ ପ୍ରଥମେ ରୋହିତ ପୂଜାରୀଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କରିଥିଲା ବିଜେଡି। ପ୍ରାର୍ଥୀ ଘୋଷଣା ପରେ ରୋହିତ ସଙ୍ଗଠନ ସଜାଡ଼ିବାରେ ଲାଗି ପଡ଼ିଥିଲେ। ନିଜର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ମିଶି ରଣନୀତି ପ୍ରସ୍ତୁତି କରିଥିଲେ। ଗାଁ ଗାଁରେ ବୈଠକ କରୁଥିଲେ।

ରେଢ଼ାଖୋଲ ପ୍ରାର୍ଥୀ ଘୋଷଣା ପରେ ନିରାଶ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ। ଆଉ ଯେତେବେଳେ ତାଙ୍କୁ ସମ୍ୱଲପୁର ପ୍ରାର୍ଥୀ ଘୋଷଣା କରାଯାଇଥିଲା, ସେତେବେଳେ ଅସନ୍ତୋଷ ଝାଡ଼ିଥିଲେ। ମୁଖିଆଙ୍କ ପାଖରେ ନିବେଦନ କରିଥିଲେ। ଏହା ପରେ ତାଙ୍କ ଆସନ ବଦଳା ଯାଇଥିଲା। ସେ ଫେରିଲେ ରେଢ଼ାଖୋଲ ଓ ରୋହିତ ଗଲେ ସମ୍ୱଲପୁର। ଏବେ ଦୁଇ ଜଣ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ସମୟ କହିବ ନିର୍ବାଚନ ମଇଦାନରେ କିଏ ବାଜି ମାରୁଛନ୍ତି, ଆଉ କିଏ ଲୋକଙ୍କଠାରୁ ପ୍ରତ୍ୟାଖ୍ୟାତ ହେଉଛନ୍ତି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

BjD Prasanna Acharya Loksabha Election