Advertisment

ଯାଜପୁର ପାଇଁ ଏତେ ଅନୁକମ୍ପା କାହିଁକି? ବବିଙ୍କ ନାଲି ଆଖିକୁ ଡର ନୁହେଁ ତ!

୨୦୧୯ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାକୁ କେତେ ଜଣ ରାଜ୍ୟସଭା ସାଂସଦ କେତେ ଟଙ୍କା ଦେଇଛନ୍ତି? ତାହାର ତଥ୍ୟ ମାଗିଥିଲେ ଜଣେ ଆର୍‌ଟିଆଇ କର୍ମୀ।

ଅଦ୍ୟତନ ହୋଇଛି
BJD

BJD

Advertisment

ଯାଜପୁର ପାଇଁ ବିଜେଡି ରାଜ୍ୟସଭା ସାଂସଦମାନଙ୍କର ଏତେ ଅନୁକମ୍ପା କାହିଁକି? ସାଂସଦମାନେ ନିଜ ଇଚ୍ଛାରେ ଟଙ୍କା ଦେଇଛନ୍ତି ନା ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନାଲି ଆଖିକୁ ଡରି ଦେଇଥିଲେ? ଏହାର ଉତ୍ତର କାହା ପାଖରେ ନଥିବା ବେଳେ ଚର୍ଚ୍ଚା ହେଉଛି ଯେ ପଦବୀ ଯିବା ଭୟରେ ସାଂସଦମାନେ ବବିଙ୍କ ଶରଣ ପଶିଥିଲେ। ଆଉ ନିଜର ହାତ ପାଣ୍ଠିକୁ ବବିଙ୍କ ଦରବାରରେ ଅର୍ପଣ କରୁଥିବା ଆଲୋଚନା ହେଉଛି। ଆର୍‌ଟିଆଇ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୯-୨୪ ଆର୍ଥିକ ବର୍ଷରେ ୧୧ ଜଣ ରାଜ୍ୟସଭା ସାଂସଦ ଯାଜପୁର ଜିଲ୍ଲାକୁ ୧୪ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୧୧ ଜଣ ରାଜ୍ୟସଭା ସାଂସଦଙ୍କ ଭିତରୁ ୧୦ ଜଣ ଜିଲ୍ଲା ବାହାରର ସାଂସଦ। ତଥାପି ସେହି ଜିଲ୍ଲା ନଗଡ଼ା ପାଇଁ ଦେଶ ବିଦେଶରେ ଚର୍ଚ୍ଚାରେ ରହିଛି।

Advertisment

୨୦୧୯ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାକୁ କେତେ ଜଣ ରାଜ୍ୟସଭା ସାଂସଦ କେତେ ଟଙ୍କା ଦେଇଛନ୍ତି? ତାହାର ତଥ୍ୟ ମାଗିଥିଲେ ଜଣେ ଆର୍‌ଟିଆଇ କର୍ମୀ। ତାହାର ଉତ୍ତର ଏମିତି ଆସିଥିଲା।

ରାୟଗଡ଼ା ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଭାସ୍କର ରାଓ। ଆଦିବାସୀ ଅଧ୍ୟୁସିତ ଏହି ଜିଲ୍ଲାର ଭୋକର ଚିତ୍ର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ହେଲେ ଏହି ଜିଲ୍ଲାରୁ ରାଜ୍ୟସଭାକୁ ଯାଇଥିବା ପାୱାରଫୁଲ୍‌ ବିଜେଡି ନେତା ଭାସ୍କର ରାଓ ୨୦୧୯-୨୦ ଆର୍ଥିକ ବର୍ଷରେ ଯାଜପୁରକୁ ଦେଇଛନ୍ତି ୩୩ ଲକ୍ଷ ଟଙ୍କା। ଏହି ଅର୍ଥରେ ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ୪ଟି ପ୍ରକଳ୍ପ ହୋଇଛି। ସେମିତି ଆଉ ଜଣେ ରାଜ୍ୟସଭା ସାଂସଦ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର। ତାଙ୍କ ଘର କନ୍ଧମାଳ ଜିଲ୍ଲାରେ। ଏହି ଜିଲ୍ଲା ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରିତ। ତଥାପି ଏହି ଜିଲ୍ଲାରୁ ରାଜଧାନୀକୁ ଆସିଥିବା ଡକ୍ଟର ପାତ୍ର ୨୦୧୯-୨୦ ଓ ୨୩-୨୪ ଆର୍ଥିକ ବର୍ଷରେ ଦେଇଛନ୍ତି ୫୦୨.୫୦ ଲକ୍ଷ ଟଙ୍କା। ତାଙ୍କର ଏହି ଅର୍ଥରେ ଯାଜପୁର ଓ ଦଶରଥପୁର ବ୍ଲକରେ ହୋଇଛି ୩୬ଟି ପ୍ରକଳ୍ପ।

Advertisment

ଠିକ୍‌ ସେମିତି ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ ହେଉଛନ୍ତି ମମତା ମହାନ୍ତ। ସେ ୨୦୨୦ ମସିହାରେ ରାଜ୍ୟସଭାକୁ ଯାଇଥିଲେ। ତାଙ୍କ ଘର ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ। ସେ କୁଡୁମୀ ନେତ୍ରୀ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ। ୨୦୨୨-୨୩ ଆର୍ଥିକ ବର୍ଷରେ ମମତା ମହାନ୍ତ ଯାଜପୁର ଜିଲ୍ଲାକୁ ଦେଇଛନ୍ତତି ୧୦୦ ଲକ୍ଷ ଟଙ୍କା। ତାଙ୍କର ଏହି ଅର୍ଥରେ ଯାଜପୁର ବ୍ଲକରେ ୧୦ ପ୍ରକଳ୍ପ ହୋଇଛି। ସେହିପରି ଆଉ ଜଣେ ରାଜ୍ୟସଭା ସାଂସଦ ହେଉଛନ୍ତି ମୁନ୍ନା ଖାନ୍‌। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ଆଦିବାସୀ ଅଧ୍ୟୁସିତ ଓ ବଣ ଜଙ୍ଗଲ ଘେରା ଏହି ଜିଲ୍ଲା ଦେଖିଛି ଅନେକ ଯନ୍ତ୍ରଣା। ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‌ ୨୦୨୧-୨୨ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାକୁ ଦେଇଛନ୍ତି ୩୯ ଲକ୍ଷ ଟଙ୍କା। ତାଙ୍କର ଏହି ଅର୍ଥରେ ହୋଇଛି ହୋଇଛି ୫ଟି ପ୍ରକଳ୍ପ।

ସେହିପରି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ୨୦୧୯-୨୦ ଏବଂ ୨୩-୨୪ ଆର୍ଥିକ ବର୍ଷରେ ଦେଇଛନ୍ତି ୪୫ ଲକ୍ଷ ଟଙ୍କା। ତାଙ୍କ ହାତପାଣ୍ଠିରେ ଯାଜପୁର ବ୍ଲକରେ ହୋଇଛି ୫ଟି ପ୍ରକଳ୍ପ। ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଇଥିଲେ ୨୮ ଲକ୍ଷ ଟଙ୍କା। ତାଙ୍କର ଏହି ଅର୍ଥରେ ହୋଇଛି ୬ଟି ପ୍ରକଳ୍ପ। ବରଗଡ଼ ଜିଲ୍ଲାର ମୂଳବାସିନ୍ଦା ପ୍ରସନ୍ନ ଆଚାର୍ଯ୍ୟ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ସେ ୨୦୨୯-୨୦ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାକୁ ଦେଇଛନ୍ତି ୫୦ ଲକ୍ଷ ଟଙ୍କା। ଏହି ଅର୍ଥରେ ୫ଟି ପ୍ରକଳ୍ପ ହୋଇଛି।

ସେହିପରି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଇଛନ୍ତି ୩୦ ଲକ୍ଷ ଟଙ୍କା। ସେହି ଅର୍ଥରେ ହୋଇଛି ୩ଟି ପ୍ରକଳ୍ପ। ପଶ୍ଚିମ ଓଡ଼ିଶାର ଟାଣୁଆ ରାଜ୍ୟସଭା ସାଂସଦ ହେଉଛନ୍ତି ସୁଜିତ କୁମାର। ତାଙ୍କର ଘର କଳାହାଣ୍ଡି ଜିଲ୍ଲାରେ। ଅନେକ ସମୟରେ ଦାରିଦ୍ର୍ୟ ଓ ଅନାହାର ମୃତ୍ୟୁ ପାଇଁ ଏହି ଜିଲ୍ଲା ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥାଏ। ସେ ୨୦୨୧-୨୨ ଓ ୨୨-୨୩ ଆର୍ଥିକ ବର୍ଷରେ ଯାଜପୁରକୁ ଦେଇଛନ୍ତି ୩୧ ଲକ୍ଷ ଟଙ୍କା। ସେହି ଅର୍ଥରେ ୪ଟି ପ୍ରକଳ୍ପ ହୋଇଛି। ଏହାଛଡ଼ା ୨୦୨୧-୨୨ ଆର୍ଥିକ ବର୍ଷରେ କଟକ ବାସିନ୍ଦା ସୁବାଷ ସିଂହ ଦେଇଛନ୍ତି ୩୫ ଲକ୍ଷ ଟଙ୍କା। ସେହି ଅର୍ଥରେ ୪ଟି ପ୍ରକଳ୍ପ ହୋଇଛି।

ଯାଜପୁର ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ। ନିଜ ଜିଲ୍ଲା ପାଇଁ ହାତ ଖୋଲି ଦେଇଛନ୍ତି। ସେ ୨୦୨୨-୨୩ ଓ ୨୩-୨୪ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛନ୍ତି ୫୮୯ ଲକ୍ଷ ଟଙ୍କା। ତାଙ୍କର ସେହି ଅର୍ଥରେ ହୋଇଛି ୫୬ଟି ପ୍ରକଳ୍ପ। ଏହି ୫୬ଟି ପ୍ରକଳ୍ପ ଭିତରୁ ୫୦ଟି ପ୍ରକଳ୍ପ ଯାଜପୁର ବ୍ଲକରେ ହୋଇଛି।

୨୦୧୯-୨୪ ଆର୍ଥିକ ବର୍ଷରେ ୧୧ରୁ ୧୦ ବାହାର ଜିଲ୍ଲାର ରାଜ୍ୟସଭା ସାଂସଦ ଯାଜପୁର ଜିଲ୍ଲାକୁ ଅର୍ଥ ଦେଇଛନ୍ତି। ୧୪ କୋଟି ୮୨ ଲକ୍ଷ ୫୦ ହଜାର ଟଙ୍କା ଜିଲ୍ଲାରେ ଖର୍ଚ୍ଚ ହୋଇଛି। ଏହା ପରେ ମଧ୍ୟ ନଗଡ଼ା ପରି ଅଞ୍ଚଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସମଗ୍ର ଦେଶରେ ଯାଜପୁର ଜିଲ୍ଲାର ନିନ୍ଦାବାନା ଉଡୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ଆଉ କେତେ ଟଙ୍କା ଦେଲେ ନଗଡ଼ାର ଦୁଃଖ ଯିବ?

ସବୁଠାରୁ ମଜାଦାର କଥା ହେଉଛି, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁସିତ ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ଖରାପ। ତଥାପି ସେହି ଅଞ୍ଚଳର ସାଂସଦମାନେ ଉପକୂଳ ଓଡ଼ିଶାର ଏହି ଜିଲ୍ଲାକୁ କ’ଣ ପାଇଁ ଏତେ ଟଙ୍କା ଦେଉଥିଲେ? ଏହା ବାଧ୍ୟବାଧକତା ଥିଲା ନା ବିଜେଡିର ଗେହ୍ଲା ପୁଅ ସାଜିଥିବା ପ୍ରଣବ ପ୍ରକାଶ ଦାସଙ୍କ ନାଲି ଆଖି! ତାହାର ଉତ୍ତର କାହା ପାଖରେ ନାହିଁ। ତେବେ ଚର୍ଚ୍ଚା ହେଉଛି ଭୟରେ ଏହି ସାଂସଦମାନେ କୁଆଡେ ନିଜ ହାତ ପାଣ୍ଠିକୁ ବବିଙ୍କ ଦରବାରରେ ଅର୍ପଣ କରିଛନ୍ତି। ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ପରେ ମମତା ମହାନ୍ତ ଏପରି କିଛି ଇସାରା ଦେଇଛନ୍ତି। ଆର୍‌ଟିଆଇ ରିପୋର୍ଟରେ ମଧ୍ୟ ସେମିତି କିଛି ତଥ୍ୟ ଆସିଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ତେବେ ଏନେଇ ବିଜେଡି ସାଂସଦ ବା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଯାଜପୁରରୁ ସଞ୍ଜୀବ ନାୟକ

BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe