Advertisment

ଦକ୍ଷତା ନା ଚାଟୁକାରିତା; କାହିଁକି ଗୋଟିଏ ଲେଖାଏଁ ବିଭାଗକୁ ବର୍ଷ ବର୍ଷ ଧରି ମାଡ଼ି ବସିଛନ୍ତି OAS ଅଧିକାରୀ?

ପଞ୍ଚାୟତିରାଜ ବିଭାଗରେ କାମ କରୁଥିବା ଦୁଇ ଓଏଏସ ଅଧିକାରୀ କୁଳମଣି ମିଶ୍ର ଓ ସ୍ୱୟଂପ୍ରଭା ମହାନ୍ତି। କୁଳମଣି ୧୧ ବର୍ଷ ଆଉ ସ୍ୱୟଂପ୍ରଭା ୧୨ ବର୍ଷ ହେଲା ସେହି ଗୋଟିଏ ବିଭାଗରେ ଅଛନ୍ତି। କୁହାଯାଉଛି ସ୍ୱୟଂପ୍ରଭାଙ୍କ ହାତରେ ରହିଛି ବିଡିଓ ଏଷ୍ଟାବ୍ଲିସମେଣ୍ଟ।

author-image
Manoranjan Sial
OAS Officer

OAS Officer

IAS ଓ IPS ଅଫିସରଙ୍କ ପରି ଲୋକସେବା ଭବନରେ ଓଏଏସ୍‌ ଅଫିସରଙ୍କ ରାଜ୍‌ ଚାଲିଛି। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ ଆଉ କିଏ ୧୦ ବର୍ଷରୁ ଅଧିକ ସମୟରେ ଗାଦି ମାଡ଼ି ବସିଛନ୍ତି। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ମଧ୍ୟ ବଦଳୁନି। ବିଜେଡି ଶାସନ ସମୟରେ ଖାଲି ଅଣଓଡ଼ିଆ IAS ଅଧିକାରୀ ପାୱାରଫୁଲ୍ ନଥିଲେ କିଛି OAS ଅଫିସର ମଧ୍ୟ ଶାସକ ଦଳର ହାତବାରିସୀ ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି।

Advertisment

ସେହି ତାଲିକାରେ ଅଛନ୍ତି ରବି ସେଠୀ। ସିଏ ହେଉଛନ୍ତି ଯାଜପୁର ପୂର୍ବତନ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ। ସେ ପ୍ରଥମେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଥାଇ ନଭେମ୍ବର ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର OSD ଭାବେ ବଦଳି ହୋଇଥିଲେ। ହେଲେ ୨୦୧୬ରେ ରବି ସେଠୀ ଅନୌପଚାରିକ ଭାବେ ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରି ଆସୁଥିଲେ। ଏହାଛଡ଼ା ଦଳୀୟ ବ୍ୟାପାର କଥା ମଧ୍ୟ ବୁଝୁଥିବା ଅଭିଯୋଗ ରହିଛି।

ସେହପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ଆଦିତ୍ୟ ମହାପାତ୍ର। ଶୁଣାଯାଉଛି ନିର୍ବାଚନ ଫଳାଫଳ ପରେ ବିନା ନୋଟିଫିକେସନରେ ଆଉ ତୃତୀୟ ମହଲାକୁ ନଯାଇ ସାଧାରଣ ପ୍ରଶାସନ ବିଭାଗରେ ବସୁଛନ୍ତି। ଲୋକସେବା ଭବନରେ ଆଉ ଜଣେ ପାୱାରଫୁଲ ଓଏଏସ ହେଉଛନ୍ତି ନିବେଦିତା ପୃଷ୍ଟି। ୬ ବର୍ଷ ହେଲା ଗୃହ ବିଭାଗ ଯୁଗ୍ମ ସଚିବ ପଦବିରେ ଅଛନ୍ତି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରେ ଅନେକ ବର୍ଷ ଧରି ରହିଥିଲେ। ନଗର ଉନ୍ନୟନ ବିଭାଗର ଓଏଏସରୁ ପ୍ରମୋଟ ହୋଇ ଆଇଏଏସ ହୋଇଥିବା ସଂଗ୍ରାମଜିତ ନାୟକ ପ୍ରାୟ ୧୪ ବର୍ଷରୁ ସେହି ବିଭାଗରେ ରହି ଆସିଛନ୍ତି।

Advertisment

ପଞ୍ଚାୟତିରାଜ ବିଭାଗରେ କାମ କରୁଥିବା ଦୁଇ ଓଏଏସ ଅଧିକାରୀ କୁଳମଣି ମିଶ୍ର ଓ ସ୍ୱୟଂପ୍ରଭା ମହାନ୍ତି। କୁଳମଣି ୧୧ ବର୍ଷ ଆଉ ସ୍ୱୟଂପ୍ରଭା ୧୨ ବର୍ଷ ହେଲା ସେହି ଗୋଟିଏ ବିଭାଗରେ ଅଛନ୍ତି। କୁହାଯାଉଛି ସ୍ୱୟଂପ୍ରଭାଙ୍କ ହାତରେ ରହିଛି ବିଡିଓ ଏଷ୍ଟାବ୍ଲିସମେଣ୍ଟ। ଯାହା ଶାସକ ଦଳକୁ ବେଶ ସାହାଯ୍ୟ କରିଥିଲା। ସେହିପରି ସ୍ୱାସ୍ଥ୍ୟ ବିଭାଗରେ ୧୦ ବର୍ଷ ହେଲା କାମ କରି ଆସୁଛନ୍ତି ଓଏଏସ ଶୁଭାନନ୍ଦ ମହାପାତ୍ର। ଆଉ ୭ ବର୍ଷ ହେଲା ଗୋଟିଏ ବିଭାଗରେ ଅଛନ୍ତି ଅତିରିକ୍ତ ସଚିବ ସୁମିତ୍ରା ସେନାପତି। ଏହାଛଡ଼ା ଅର୍ଥ ବିଭାଗର ଗେହ୍ଲା ପୁଅ ଭଳି ୯ ବର୍ଷ ହେଲା ଅତିରିକ୍ତ ସଚିବ ଭାବେ କାମ କରୁଛନ୍ତି ଶାନ୍ତନୁ ସାହୁ।

ସେହିପରି ସଂସଦୀୟ ବ୍ୟାପାର ବିଭାଗରେ ୨୦ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ କୁନା ବାରିକ। ଗୃହ ବିଭାଗରେ ୧୨ ବର୍ଷ ହେଲା ଅଛନ୍ତି ଅତିରିକ୍ତ ସଚିବ ପ୍ରଫୁଲ୍ଲ ପ୍ରଧାନ। ଅବସର ପରେ ତାଙ୍କୁ ବର୍ଷେ ଏକ୍ସଟେନସନ କରିଛନ୍ତି ସରକାର। ତାଙ୍କ ପରି ସାଧାରଣ ପ୍ରଶାସନ ବିଭାଗରେ ୧୩ ବର୍ଷ ହେଲା କାମ କରୁଛନ୍ତି ଗଣେଶ ପାତ୍ର। ବର୍ଷେ ହେଲା ଅବସର ପରେ ମଧ୍ୟ ସେ ଅତିରିକ୍ତ ସଚିବ ଅଛନ୍ତି। ରାଜସ୍ୱ ବିଭାଗରେ ୧୫ ବର୍ଷ ରହିଥିବା ଅଭୟ ନାୟକ, ଅବସର ପରେ ବି ୨ ବର୍ଷ ହେଲା ସେହି ବିଭାଗରେ ଅଛନ୍ତି।

ଅନ୍ୟପକ୍ଷରେ ୧୦ ବର୍ଷ ହେଲା ରାଜସ୍ୱ ବିଭାଗରେ କାମ କରୁଛନ୍ତି ଯୁଗ୍ମ ସଚିବ ଏଲୋରା ସାମଲ। ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ ଅଫିସର୍ ଭାବେ ୬ ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ମାନସ ସାମଲ। ସରକାରୀ ନିୟମ କହୁଛି ୩ ବର୍ଷରେ ଥରେ ବଦଳି ହେବା କଥା। ହେଲେ ଏଠି ପ୍ରଶ୍ନ ଉଠୁଛି, କେମିତି ଏହି ବାବୁମାନେ ଏତେ ବର୍ଷ ଧରି ଗୋଟିଏ ଗୋଟିଏ ବିଭାଗରେ ରହି ଆସୁଛନ୍ତି? ଜଣେ ଅଧିକାରୀ ଦୀର୍ଘ ବର୍ଷ ଧରି ଗୋଟିଏ ବିଭାଗରେ ରହିବାର ଆଧାର କଣ? ତେବେ ଏ ସଂପର୍କରେ ସଂପୃକ୍ତ OAS ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

କୁହାଯାଉଛି ଦିଲ୍ଲୀରୁ ଫେରିବା ପରେ ପୂରା ପ୍ରଶାସନର ନବକଳେବର କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯେଉଁଥିରେ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସହ ଲୋକସେବା ଭବନରେ ଗାଦି ମାଡି ବସିଥିବା ଅଧିକାରୀମାନେ ହଟି ପାରନ୍ତି।

BjD Bjp Lokaseva Bhaban OAS Officers