Advertisment

କିଏ ହେବେ ତୃତୀୟ ପ୍ରାର୍ଥୀ? ଆସନ୍ତାକାଲି ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ

ତୃତୀୟ ପ୍ରାର୍ଥୀଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତ ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ବେଶୀ ବଳ ଯୋଗାଇଛି।

ଅଦ୍ୟତନ ହୋଇଛି
ashwini vaishnaw

ashwini vaishnaw

Advertisment

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡିର ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି।

Advertisment

ତୃତୀୟ ପ୍ରାର୍ଥୀଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତ ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ବେଶୀ ବଳ ଯୋଗାଇଛି। ବିଜେଡି ଆଜି ନିଜର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଧାୟକଙ୍କ ଉପସ୍ଥିତିରେ ୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛି । ୨୦୧୯ ମସିହା ଭଳି ଅଶ୍ୱିନୀଙ୍କୁ ପୁଣିଥରେ ବିଜେପି ପ୍ରାର୍ଥୀ କରିପାରେ ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୪ତାରିଖରେ ଦଳୀୟ ମୁଖ୍ୟାଳୟକୁ ଯିବା ସହ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ। ରାତିରେ ରେଳବାଇ ଗେଷ୍ଟ ହାଉସରେ ରାତ୍ରୀ ଯାପନ ରହିବେ। ୧୫ ତାରିଖ ଗୁରୁବାର ସନ୍ଧ୍ୟା ୬.୪୦ରେ ଭୁବନେଶ୍ୱର ଛାଡ଼ିବେ। ତେବେ ସେହି ଦିନ ତାଙ୍କର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିନାହିଁ। କେବଳ ସ୍ଥାନୀୟ କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ ରହିଛି। ତେଣୁ ସେ ଗୁରୁବାର ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ କରିବାର ଥିବା ଚର୍ଚ୍ଚା ହେଉଛି। 

Advertisment

ବୈଷ୍ଣବଙ୍କ ଗସ୍ତ କାର୍ଯ୍ୟସୂଚୀରେ ବିଧାନସଭାକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ନେଇ କୌଣସି ଉଲ୍ଲେଖ ନଥିବା କୁହାଯାଉଛି। ତଥାପି ଅଶ୍ୱିନୀ ଓଡ଼ିଶାରୁ ପୁଣିଥରେ ରାଜ୍ୟସଭାକୁ ରିପିଟ୍ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ବିଜେଡି ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ସମ୍ଭାବ୍ୟ ମିଳିତ ପ୍ରାର୍ଥିତ୍ୱକୁ ନାପସନ୍ଦ କରୁଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୩ଟି ଯାକ ରାଜ୍ୟସଭା ଆସନ ପାଇଁ ବିଜେଡି ପାଖରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ୨ଜଣ ପ୍ରାର୍ଥୀଙ୍କ ନାଁ ଗତକାଲି ଘୋଷଣା କରିଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳର ୨ଜଣ ପ୍ରାର୍ଥୀ ଦେବାଶୀଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ(ପୁରୀର) ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବହୁ ବିଧାୟକ ମଧ୍ୟ ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତି ଥିଲେ। ଏହି ଦୁଇଜଣଙ୍କ ନାମାଙ୍କନ ପରେ ବିଜେଡି ତୃତୀୟ ପ୍ରାର୍ଥୀ ଦେଇନପାରେ ବୋଲି  ଚର୍ଚ୍ଚା ହେଉଛି । ବିଜେପି ସହ ବୁଝାମଣା ଯୋଗୁ ହୁଏତ ବିଜେଡି ଏହି ତୃତୀୟ ଆସନକୁ ଖାଲି ରଖିଥିବା ନେଇ ରାଜନୀତିକ ମହଲରେ ଆକଳନ କରାଯାଉଛି।

ଏପଟେ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିଜେପି ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି । ସେ ୨୦୧୯ ମସିହାରେ ଓଡ଼ିଶାରୁ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏବେ ସେହି ସମାନ ଢଙ୍ଗରେ ରାଜ୍ୟସଭାକୁ ପୁଣି ଯାଇପାରନ୍ତି ବୋଲି କୁହାଯାଉଛି । ଯଦିଓ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଲୋକସଭା ଲଢ଼ିବା ପାଇଁ ପୂର୍ବରୁ ବିଜେପି ପକ୍ଷରୁ ପରାମର୍ଶ ଦିଆଯାଇଥିଲା, ବୋଧହୁଏ ଅଶ୍ୱିନୀଙ୍କ କ୍ଷେତ୍ରରେ ତାହା କୋହଳ ହୋଇଛି। 

ସୂଚନାଯୋଗ୍ୟ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୫ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ବିଧାନସଭାରେ ବିଜେପିର ମାତ୍ର ୨୨ଜଣ ବିଧାୟକ ଥିବାବେଳେ ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ସର୍ବନିମ୍ନ ୩୭ଜଣ ବିଧାୟକଙ୍କ ସମର୍ଥନ ଜରୁରୀ।

BjD Bjp Ashwini Vaishnav Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe