Advertisment

୨୫ବର୍ଷ ଧରି କିଏ ଥିଲା ବିଜେଡିର ଗର୍ବ: ଏବେ କାହିଁକି ‘ଶଙ୍ଖ ମୋ ଗର୍ବ’ କ୍ୟାମ୍ପେନ

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ‘ଶଙ୍ଖ ମୋ ଗର୍ବ’ ସ୍ଲୋଗାନ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପାଇଁ ଦଳର ସାଂସଦ-ବିଧାୟକଙ୍କଠୁ ଆରମ୍ଭ କରି ରାଜ୍ୟ-ଜିଲ୍ଲା-ବ୍ଲକସ୍ତରର ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

author-image
Ordigital Desk
BJD

BJD

ରାଜ୍ୟରେ କ୍ଷମତାସୀନ ବିଜେଡି ପକ୍ଷରୁ ‘ଶଙ୍ଖ ମୋ ଗର୍ବ’ ନାଁରେ ଏକ ଅଭିଯାନ ବା କ୍ୟାମ୍ପେନ୍ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ଦଳର ସାଂସଦ, ବିଧାୟକଙ୍କଠୁ ଆରମ୍ଭ କରି ରାଜ୍ୟସ୍ତରର ନେତା ଓ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ବିଜେଡି ଓ ବିଜେପିର ସାଇବର ଆର୍ମିଙ୍କ ମଧ୍ୟରେ ଏହି କ୍ୟାମ୍ପେନକୁ ନେଇ ଛାୟା ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ସାଧାରଣ ଲୋକେ ମଧ୍ୟ ସେଥିରେ ନିଜର ମତାମତ ରଖୁଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟର ସବୁଠୁ ସଫଳ ଆଂଚଳିକ ଦଳ ବିଜେଡି ନିଜ ଜନ୍ମର ୨୫ବର୍ଷ ପର୍ଯ୍ୟନ୍ତ କାହା ପାଇଁ ଗର୍ବ କରୁଥିଲା, କିଏ ବିଜେଡିର ଗର୍ବ ଥିଲା, କାହିଁକି ‘ଶଙ୍ଖ ମୋ ଗର୍ବ’କୁ ନେଇ ଅଚାନକ ଦଳ ପକ୍ଷରୁ ଏବେ ଅଭିଯାନ ଆରମ୍ଭ ହୋଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ‘ଶଙ୍ଖ ମୋ ଗର୍ବ’ ସ୍ଲୋଗାନ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପାଇଁ ଦଳର ସାଂସଦ-ବିଧାୟକଙ୍କଠୁ ଆରମ୍ଭ କରି ରାଜ୍ୟ-ଜିଲ୍ଲା-ବ୍ଲକସ୍ତରର ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଦଳର ଡିଜିଟାଲ ୱିଙ୍ଗ ପକ୍ଷରୁ ଏଥିପାଇଁ ଜୋରଦାର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ସମସ୍ତଙ୍କୁ ଏହି ସ୍ଲୋଗାନ ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଂଟରେ ଅପଲୋଡ୍ କରିବାକୁ ମଧ୍ୟ ତାଗିଦ୍ କରାଯାଇଛି । ସାଧାରଣ ନିର୍ବାଚନ ଆଉ ପ୍ରାୟ ୧୧ମାସ ଥିବାବେଳେ ଦଳ ପକ୍ଷରୁ ଏଭଳି କ୍ୟାମ୍ପେନ୍ ଆରମ୍ଭ କରାଯିବା ପଛରେ କିଛି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ଏବେ ନିଜର ଟ୍ରାନ୍ସଫରମେସନ, କ୍ଷମତା ହସ୍ତାନ୍ତର ଓ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାର ପ୍ରାରମ୍ଭିକ ସୋପାନରେ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ତା’ ପୂର୍ବରୁ ବିଜେଡି ନିଜେ ନିଜର ପରିଚୟ ହୋଇ ଛିଡ଼ା ହେବାକୁ ଚାହୁଁଛି । ଯେଉଁଠି ଦଳର ସୁପ୍ରିମୋ ତଥା ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକ କେବଳ ‘ପୋଷ୍ଟର ବଏ’ ହୋଇ ରହିବେ । ଆଉ ଦଳ ନୂଆ ଉତ୍ତରାଧିକାରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ ହେବ । ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳର ମାର୍ଗଦର୍ଶକ ଓ ସୁପ୍ରିମ୍ କମାଣ୍ଡର ଭଳି କେବଳ ଆଳଙ୍କାରିକ ପଦରେ ରହିବେ । ସେଥିପାଇଁ ଏବେଠୁ ସୁଚିନ୍ତିତ ରଣନୀତି ଆଧାରରେ ‘ନବୀନ ପଟ୍ଟନାୟକଙ୍କୁ’ ଦୂରେଇ ରଖି ‘ଶଙ୍ଖ’କୁ ବ୍ରାଣ୍ଡ ଭାବେ ଉପସ୍ଥାପିତ କରାଯାଉଛି । ଅର୍ଥାତ୍ ନବୀନ ପଟ୍ଟନାୟକକେନ୍ଦ୍ରିକ ବିଜେଡି ଆଉ କେବଳ ନବୀନଙ୍କ ନାଁରେ ନଚାଲି, ‘ଶଙ୍ଖ’ ପରିଚୟରେ ପରିଚିତ ହେବ ।

Advertisment

ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ସମ୍ପଦ ମହାପାତ୍ରଙ୍କ ମତରେ, ଦୀର୍ଘ ୨୫ବର୍ଷ ଧରି ବିଜେଡିକୁ ଏକ ସଫଳ ଆଂଚଳିକ ଦଳ ବା ମହାଦ୍ରୁମରେ ପରିଣତ କରିବାରେ ନବୀନ ପଟ୍ଟନାୟକଙ୍କ ‘ନିର୍ମଳ ଭାବମୂର୍ତ୍ତି ’, କଠୋର ନିଷ୍ପତ୍ତି ଓ ‘ସମୟ ଉପଯୋଗୀ ରାଜନୀତିକ ଗୋଟିଚାଳନା’ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ନବୀନଙ୍କ ବିନା ବିଜେଡିର ଅସ୍ତିତ୍ୱ ନାହିଁ ବୋଲି ଚାଲିଥିବା କଳ୍ପନା-ଜଳ୍ପନାର ଅନ୍ତ ଘଟାଇବାକୁ ‘ଶଙ୍ଖ ମୋ ଗର୍ବ’ କ୍ୟାମ୍ପେନ୍ ମାଧ୍ୟମରେ ବିଜେଡି ଏବେ ଦଳର ନବୀନଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ଅଣଦେଖା କରିବାକୁ ଚାହିଁଛି ।  ବିଜୁଙ୍କ ସ୍ୱପ୍ନ ଓ ଆଦର୍ଶ କଥା କହି କ୍ରମାଗତ ୫ଥର ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେଡି ନବୀନଙ୍କ ଯୋଗୁ ନିର୍ବାଚନୀ ସଫଳତା ପାଇଥିଲେ ମଧ୍ୟ ଦଳର ଟ୍ରମ୍ପ କାର୍ଡ ‘ନବୀନ ପଟ୍ଟନାୟକ’ଙ୍କୁ କୋଣଠେସା କରିବାର ସୁଚିନ୍ତିତ ରଣନୀତି କରିଛି । ବିଜେଡି ବିଗତ ବର୍ଷମାନଙ୍କରେ ବିଜୁଙ୍କ ଆଦର୍ଶ ଓ ସ୍ୱପ୍ନକୁ ଯେଭଳି ମାର୍କେଟିଂ କରି ବର୍ଷବର୍ଷ ଧରି କ୍ଷମତାକୁ ଆସୁଛି, ଅନୁରୂପ କ୍ୟାମ୍ପେନ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଏପର୍ଯ୍ୟନ୍ତ କରିପାରିଲା ନାହିଁ । ବିଜେଡିର ଯୁବପୀଢ଼ୀଙ୍କ ମଧ୍ୟରେ ‘ନବୀନବାଦ’ର ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ରାଜ୍ୟବ୍ୟାପୀ କର୍ମଶାଳା, ଆଲୋଚନା ଚକ୍ର ସହ ନବୀନଙ୍କ ରାଜନୀତିକ ଓ ପ୍ରଶାସନିକ ସଫଳତା,ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇବାକୁ ଦଳ ଆଗ୍ରହ ଦେଖାଇ ନାହିଁ । ଓଲଟା ବିଜୁ ସ୍ୱପ୍ନ ଓ ଆଦର୍ଶରୁ ସିଧାସଳଖ ବିଜେଡିର ନିର୍ବାଚନୀ ଚିହ୍ନ ‘ଶଙ୍ଖ’କୁ ବ୍ରାଣ୍ଡ ଭାବେ ଉପସ୍ଥାପିତ କରିବାକୁ ଦଳ ଲମ୍ଫା ଡିଆଁ ମାରିଛି । ଭବିଷ୍ୟତ ପୀଢ଼ୀ ‘ନବୀନବାଦ’ ସମ୍ପର୍କରେ ଯେଭଳି ସମ୍ପୂର୍ଣ୍ଣ ଅନଭିଜ୍ଞ ରହିବ, ସେ ନେଇ ସୁଚିନ୍ତିିତ ଉଦ୍ୟମ ହୋଇଥିବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ୨୫ବର୍ଷ ତଳେ ଜନ୍ମ ନେଇଥିବା ବିଜେଡି ଏପର୍ଯ୍ୟନ୍ତ ଓଡ଼ିଶାରେ କାହାକୁ ନେଇ ଓ କାହା ପାଇଁ ଗର୍ବ କରୁଥିଲା ? ଦଳର ସୁପ୍ରିମୋଙ୍କ ନିର୍ମଳ ଭାବମୂର୍ତ୍ତିକୁ ଆଧାର କରି ବିଜେଡି ଏପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନୀ ସଫଳତା ହାସଲ କରିଥିଲେ ମଧ୍ୟ ‘ନବୀନ’ଙ୍କ ପାଇଁ କାହିଁକି କୌଣସି କ୍ୟାମ୍ପେନ୍ ଆରମ୍ଭ କରିଲା ନାହିଁ । ଆଂଚଳିକ ଦଳ ଭାବେ ଓଡ଼ିଶାର ସ୍ୱାର୍ଥ ଓ ଆଂଚଳିକବାଦକୁ ଅଗ୍ରାଧିକାର ଦେବା କଥା କହୁଥିବା ବିଜେଡି କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ କିମ୍ବା ରାଜ୍ୟର ମହାନ କୀର୍ତ୍ତିରାଜି ଓ ବରପୁତ୍ରଙ୍କୁ ନିଜର ଗର୍ବ ବୋଲି କହି କ୍ୟାମ୍ପେନ୍ କଲାନି ।

ନବ ଦାସ ହତ୍ୟା ମାମଲାରେ ତୃତୀୟ ମହଲାର ସନ୍ଦେହଜନକ ଭୂମିକା(ବିଜୟ ମହାପାତ୍ର ଓ ବିରୋଧୀ ଦଳର ଟାର୍ଗେଟ), କ୍ରାଇମବ୍ରାଂଚ ତଦନ୍ତ ବାଟବଣା, ମମିତା ମେହେର ଓ ଗୋବିନ୍ଦ ସାହୁ ହତ୍ୟା ଅଭିଯୋଗର ତଦନ୍ତରେ ଶିଥିଳତା ଆଦି ଘଟଣାରେ ବିଜେଡିର ତଥାକଥିତ ରଣନୀତିକାରମାନଙ୍କ ସମ୍ପୃକ୍ତି ଅଭିଯୋଗ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ବିଜେଡିର ଏହି ‘ଶଙ୍ଖ ମୋ ଗର୍ବ’ କ୍ୟାମ୍ପେନ୍ ଆଳରେ ଲୋକଙ୍କ ନଜର ଏଡ଼ାଇବାକୁ ପ୍ରୟାସ ହେଉଥିବା ଚର୍ଚ୍ଚା ।

BjD Bjd Leader Bjd Mla Bjd Mp