ମାତ୍ରାଧିକ ଦାବିଦାର ନା ବିଦ୍ରୋହ? କ’ଣ ପାଇଁ ଆଣ୍ଠେଇଛି ବିଜେଡି

ଏଯାଏଁ କାହିଁକି କୁଚିଣ୍ଡା, ସମ୍ବଲପୁର, ରେଢ଼ାଖୋଲ ଓ ଦେବଗଡ଼ ଆସନ ପାଇଁ ଦଳୀୟ ଟିକେଟ ଅଙ୍କ ଛିଣ୍ଡେଇ ପାରୁନି ? କେଉଁ କାରଣରୁ କେବଳ ରେଙ୍ଗାଳି, ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରାର୍ଥୀ ଘୋଷଣା କରି ଆଉ ଆଗକୁ ଯାଇପାରୁନି ଦଳ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌(ଫାଇଲ ଫଟୋ)

  • Published: Tuesday, 09 April 2024
  • , Updated: 09 April 2024, 09:08 PM IST

ପଶ୍ଚିମ ଓଡ଼ିଶାର ଅତି ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନମଣ୍ଡଳୀ ହେଉଛି ସମ୍ବଲପୁର। ଏଠାରେ ଅଧାରୁ ଅଧିକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି। ଯେଉଁଠି ସମ୍ବଲପୁର ଲୋକସଭା ପାଇଁ ଢେର ଆଗରୁ ବିଜେପି ହେଭିୱେଟ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବାକୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁରରୁ ନେଇ ସେଠି ପ୍ରାର୍ଥୀ କରିଛି। ହେଲେ ଏଯାଏଁ କାହିଁକି କୁଚିଣ୍ଡା, ସମ୍ବଲପୁର, ରେଢ଼ାଖୋଲ ଓ ଦେବଗଡ଼ ଆସନ ପାଇଁ ଦଳୀୟ ଟିକେଟ ଅଙ୍କ ଛିଣ୍ଡେଇ ପାରୁନି ? କେଉଁ କାରଣରୁ କେବଳ ରେଙ୍ଗାଳି, ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରାର୍ଥୀ ଘୋଷଣା କରି ଆଉ ଆଗକୁ ଯାଇପାରୁନି ଦଳ? କୁହାଯାଉଛି ଯେହେତୁ ବାକି ୪ ଆସନରେ ପୂଳା ପୂଳା ଆଶାୟୀ ଅଛନ୍ତି। ତେଣୁ ବିଦ୍ରୋହୀଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ କାଠିକର ପାଠ ହୋଇଥିବା ଚର୍ଚ୍ଚା ହେଉଛି।

ତେବେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଯେଉଁ ଦୁଇଟି ବିଧାନସଭା ଆସନ ବିଜେଡି ପାଇଁ ବେଶୀ ମୁଣ୍ଡବ୍ୟଥାର କାରଣ ପାଲଟିଛି, ତାହା ହେଲା ସମ୍ବଲପୁର ଓ ରେଢାଖୋଲ। ସମ୍ବଲପୁରରେ ଏଥର ବିଜେପି, ପୁଣି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଜୟନାରାୟଣଙ୍କ ନିଜସ୍ୱ ଦୃଢ଼ ସଂଗଠନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ତାଙ୍କ ପାଇଁ ଏଥର ବଡ଼ ଅସ୍ତ୍ର। ହେଲେ ତାଙ୍କୁ ଟକ୍କର ଦେବାକୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ଅଙ୍କ କଷୁଛି। ଯେହେତୁ ସେଠି ଏବେ ମାତ୍ରାଧିକ ଦାବିଦାର, ତେଣୁ ତାକୁ ନେଇ ଦଳ ଅକଳରେ ପଡିଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଉଥରେ ଟିକେଟ୍ ଦେବାକୁ ତାଙ୍କ ସମର୍ଥକ ଖୋଲାଖୋଲି ଦାବି କରୁଥିବାବେଳେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ମଧ୍ୟ ଲବିରେ ଅଛନ୍ତି।

ସେପଟେ ବର୍ତ୍ତମାନର ରେଢାଖୋଲ ବିଧାୟକ ରୋହିତ ପୂଜାରୀ ମନ୍ତ୍ରୀପଦରୁ ଯିବା ପରେ ତାଙ୍କ ପତିଆରା କମିଛି। ତାଙ୍କୁ ଆଉ ରେଢାଖୋଲରୁ ପ୍ରାର୍ଥୀ ନକରିବାକୁ ଦଳ ଚାହୁଁଛି। ତେବେ ଏଭଳି ସ୍ଥିତିରେ ରୋହିତଙ୍କୁ ରେଢାଖୋଲ ନହେଲେ ସମ୍ବଲପୁରରୁ ପ୍ରାର୍ଥୀ କରାଯାଉ ବୋଲି ଦାବି ଉଠିଲାଣି। ଅନ୍ୟପକ୍ଷରେ କିଛିଦିନ ତଳେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ସୁସ୍ଥ ହୋଇଥିବା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହା ଭିତରେ ଭିତରେ ନବୀନ ନିବାସ ଯାଇ ସାକ୍ଷାତ କରି ଫେରିଲେଣି। ତେଣୁ ତାଙ୍କୁ ଦଳ ରେଢାଖୋଲରେ ଥଇଥାନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ତେଣେ ସେହି ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀଙ୍କୁ ଛାଡ଼ି ଯୁବ ନେତା ସଂଜୀତ ମହାନ୍ତି ମଧ୍ୟ ରେସ୍‌ରେ ରହିଛନ୍ତି। ଏହା ବି ଚର୍ଚ୍ଚା ହେଉଛି, ୨୦୧୯ ନିର୍ବାଚନ ଭଳି ଏଥର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା, ଖାସ୍‌ କରି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଗୋଟିଏ ଆସନରୁ ଲଢିପାରନ୍ତି। ସେପଟେ କିନ୍ତୁ ଟିକେଟ ଅଙ୍କ ଛିଣ୍ଡୁନଥିବାରୁ ଦ୍ୱନ୍ଦ୍ୱରେ ଅଛନ୍ତି ତୃଣମୂଳସ୍ତରର କର୍ମୀ।

ସମ୍ବଲପୁର ଲୋକସଭା ଆସନ ହେଉ କି ଏହା ଅନ୍ତର୍ଗତ ୭ ବିଧାନସଭା, ସବୁଠି ମଇଦାନରେ ବିଜେପି ନିଜ ଯୋଦ୍ଧାଙ୍କୁ ଆଗୁଆ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିବା ବେଳେ, ବିଜେଡି ଅଧାରେ ଝୁଲିଛି ଓ କଂଗ୍ରେସ ଏଯାଏଁ ଖାତା ଖୋଲିନି।

Related story