ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜର ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମକୁ ଭାରତ ରାଷ୍ଟ୍ର ସମିତି କରିବା ପରେ ଯେପରି ଭାବରେ ଓଡ଼ିଶା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଶ୍ରୀ ରାଓ ଜାତୀୟ ସ୍ତରରେ ଏକ ତୃତୀୟ ସାମ୍ମୁଖ୍ୟ ପାଇଁ ଉଦ୍ୟମ କରୁଥିବା ଜଣାଥିଲା। କିନ୍ତୁ ହଠାତ୍ ନିଜ ଦଳର ନାମ ପରିବର୍ତ୍ତନ କରି ତାହାକୁ ଏକ ଜାତୀୟ ଦଳର ଭାବମୂର୍ତ୍ତୀ ଦେବା ପାଇଁ ଭାରତ ରାଷ୍ଟ୍ର ସମିତି କରିବା ପଛରେ ଉଦ୍ଦେଶ୍ୟ କ’ଣ?
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଜାତୀୟ ରାଜନୀତିରେ ଠିକ୍ ଓଡ଼ିଶାର ବିଜୁ ଜନତା ଦଳ ପରି ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିଭିନ୍ନ ଭାବରେ ସମର୍ଥନ କରିଆସୁଥିଲା। ରଇତ ବନ୍ଧୁ କାର୍ଯ୍ୟକ୍ରମ ଜରିଆରେ ତେଲେଙ୍ଗାନାରେ ଚାଷୀମାନଙ୍କୁ ସେ ଆକୃଷ୍ଟ କରିବା ପରେ ନିଜର ଲୋକପ୍ରିୟତାକୁ ଦେଖି ୨୦୧୯ରେ ସ୍ୱାଭାବିକ ବିଧାନସଭା ନିର୍ବାଚନ ନକରାଇ ୬ ମାସ ଆଗରୁ ୨୦୧୮ରେ ବିଧାନସଭା ନିର୍ବାଚନ କରାଇଥିଲେ। ସେହି ନିର୍ବାଚନରେ ସେ ପୁନର୍ବାର କ୍ଷମତା ହାସଲ କଲେ ମଧ୍ୟ କଂଗ୍ରେସ ଦଳ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ଛିଡ଼ା ହୋଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ହଠାତ୍ ଦେଖାଗଲା ଯେ ବିଜେପି ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ମୁଣ୍ଡ ଟେକିଛି। ଫଳରେ ଲୋକସଭାରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ସଭ୍ୟ ସଂଖ୍ୟା କମି ୯କୁ କମିଗଲା। ବିଜେପି ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ୪ଟି ଲୋକସଭା ଆସନ ପାଇବା ସମୟରେ କଂଗ୍ରେସ ମାତ୍ର ୩ଟି ଲୋକସଭା ଆସନ ପାଇଲା। ଏକ ଉପ-ନିର୍ବାଚନରେ ମଧ୍ୟ ବିଜେପି ଆଉ ଗୋଟିଏ ଆସନ ହାସଲ କରିବା ଓ ହାଇଦ୍ରାବାଦ୍ ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ବାଚନରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ ମୁଖ୍ୟ ଟାର୍ଗେଟ୍ କରି ବିଜେପି ଅମିତ ଶାହଙ୍କ ନେତୃତ୍ୱରେ ଯେଉଁ ଅଭିଯାନ ଚଳାଇଲା ସେଥିରେ କେସିଆର୍ ଅନୁଭବ କଲେ ଯେ ବିଜେପିକୁ ରୋକା ନଗଲେ ତାଙ୍କ ପାଇଁ ବିପଦ ଆସିବ। ବାସ୍ତବରେ କେନ୍ଦ୍ରୀୟ ବିଜେପି ନେତୃତ୍ୱ କର୍ଣ୍ଣାଟକ ପରେ ତେଲେଙ୍ଗାନା ଜରିଆରେ ଦକ୍ଷିଣ ଭାରତର ଦ୍ୱିତୀୟ ରାଜ୍ୟକୁ ସଂପ୍ରସାରିତ ହେବାର ସମ୍ଭାବନା ଦେଖି ନିଜର ଅଭିଯାନକୁ ଜୋରଦାର କରିଛନ୍ତି।
ହାଇଦ୍ରାବାଦ୍ ସହରରେ ବା ତେଲେଙ୍ଗାନାରେ ମୁସଲିମମାନଙ୍କର ଉପସ୍ଥିତିକୁ ନେଇ ଏଆଇଏମ୍ଆଇଏମ୍ ସହିତ ତେଲେଙ୍ଗାନା ରାଷ୍ଟ୍ର ସମିତିର ଏକ ମେଂଟ ବରାବର ରହି ଆସିଛି। ବିଜେପି ରାଜନୈତିକ ଅଭିଯାନ ଭାବରେ ବ୍ୟବହାର କରିବା ପାଇଁ ଏହା ଏକ ସୁଯୋଗ ମଧ୍ୟ ଦେଇଛି। ଚଳିତ ବର୍ଷ ବିଧାନସଭାର ସ୍ୱାଭାବିକ ନିର୍ବାଚନ ବର୍ଷ ଶେଷବେଳକୁ ହେବ। କେସିଆରଙ୍କ ବିଚାରରେ ଜାତୀୟ ସ୍ତରରେ ସେ ଲଢ଼ିପାରିବେ ବୋଲି ବିଶ୍ୱାସ ହେଉନଥିବାରୁ ଲୋକସଭା ନିର୍ବାଚନରେ ଅନେକ ତାଙ୍କର ସମର୍ଥକ ମଧ୍ୟ ବିଜେପିକୁ ଭୋଟ ଦେଉଛନ୍ତି। ଏଣୁ ସେ ଜାତୀୟ ସ୍ତରରେ ମଧ୍ୟ ବିଜେପି ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତି କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକୁ ଭାରତୀୟ ରାଷ୍ଟ୍ର ସମିତି ସଂପ୍ରସାରିତ ହୋଇପାରିବ, ସେଥିରେ ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ବାହାରେ ଓଡ଼ିଶା ପ୍ରତି ସେ ଦୃଷ୍ଟି ଦେଇଛନ୍ତି। କାରଣ ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ ଭୋଟ ଅନେକାଂଶରେ ଧୃବୀକରଣ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ତୃତୀୟ ସ୍ଥାନ ରହିଛି। ଯେଉଁ ସ୍ଥାନଟିକୁ କଂଗ୍ରେସ ଦଳ ପୂରଣ କରିବା କଥା। କିନ୍ତୁ କଂଗ୍ରେସ ଏ ଦିଗରେ ସକ୍ରିୟତା ପ୍ରଦର୍ଶନ କରୁନଥିବାରୁ ତୃତୀୟ ସ୍ଥାନ ପାଇଁ ଥିବା ସ୍ଥାନକୁ ନେବା ପାଇଁ ଭାରତ ରାଷ୍ଟ୍ର ସମିତି ପକ୍ଷରୁ ଉଦ୍ୟମ ହୋଇଛି। କେସିଆର୍ ଜଣେ ଅଭିଜ୍ଞ ରାଜନୈତିଜ୍ଞ। ସେ ଭଲ ଭାବରେ ଜାଣିଛନ୍ତି ଯେ କଂଗ୍ରେସ ତୃତୀୟ ସ୍ଥାନ ହରାଇବା ପଛରେ ସମ୍ବଳହୀନତା ସହିତ ନେତୃତ୍ୱରେ ବିବାଦ ଓ ଦୁର୍ବଳତା ମୁଖ୍ୟ କାରଣ। ଅପରପକ୍ଷରେ ବିଜେପି ସେହି ସୁଯୋଗରୁ ଫାଇଦା ନେଇ ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଦଳରେ ପରିଣତ ହୋଇଛି।
ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ଅଂଚଳରେ ତେଲଗୁ ଭାଷାଭାଷୀଙ୍କର ଏକ ପ୍ରଭାବ ରହିଛି। କିନ୍ତୁ କେବଳ ସେହି ଭିତ୍ତିରେ କୌଣସି ଦଳ ଗଠନ ସମ୍ଭବ ନୁହେଁ। କୋରାପୁଟର ଦୁଇ ଆଦିବାସୀ ନେତା ଗିରିଧର ଗମାଙ୍ଗ ଯିଏକି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୯ ଥର ଲୋକସଭା ସଦସ୍ୟ ଏବଂ ଜୟରାମ ପାଙ୍ଗୀ, ଯିଏକି ୪ ଥର ବିଧାନସଭା ସଦସ୍ୟ ଓ ଥରେ ଲୋକସଭା ସଦସ୍ୟ, ସେମାନଙ୍କଠାରୁ ଭରସା ପାଇବା ପରେ ଓଡ଼ିଶାରେ ଦଳକୁ ସଂପ୍ରସାରଣ କରିବା ପାଇଁ ଏକ ସୁଯୋଗ ରହିଛି ବୋଲି କେସିଆର ଅନୁଭବ କରି ନବନିର୍ମାଣ କୃଷକ ସଂଗଠନ ସହିତ ଯୋଗାଯୋଗ କରିଥିଲେ। ନବ ନିର୍ମାଣ କୃଷକ ସଂଗଠନର ନେତାମାନଙ୍କ ସହିତ ଆଲୋଚନା ପରେ ତାଙ୍କର କୃଷି ଓ କୃଷକ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ସେମାନେ ଆକୃଷ୍ଟ ହୋଇ ଏହାକୁ ଓଡ଼ିଶାରେ ଉପସ୍ଥାପିତ କଲେ, ଚାଷୀମାନଙ୍କ ସମର୍ଥନ ମିଳିବ ବୋଲି ଭାବିଲେ। ବାସ୍ତବରେ ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ କେସିଆରଙ୍କ ସହିତ କଥାବାର୍ତ୍ତା ସମୟରେ ଓଡ଼ିଶାରୁ କେଉଁ ନେତାମାନଙ୍କୁ ଏହି ନୂଆ ଦଳକୁ ଅଣାଯାଇପାରିବ ତାହାର ଏକ ତାଲିକା ପ୍ରଦାନ କରିଥିଲେ। କେସିଆର୍ ସେହି ତାଲିକାକୁ ଯାଂଚ କରି ସୂଚନା ଅଧିକାର ଅଭିଯାନ ନେତା ପ୍ରଦୀପ ପ୍ରଧାନ ଓ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପରି କିଛି ନେତାମାନଙ୍କୁ ଡକାଇ ଆଲୋଚନା କରିଥିଲେ। ବାସ୍ତବରେ ନବନିର୍ମାଣ କୃଷକ ସଂଗଠନର ଉଦ୍ୟମ ସହିତ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀଙ୍କ ଉଦ୍ୟମ ଫଳରେ ଓଡ଼ିଶାରୁ ପ୍ରାୟ ୩୦୦ ନେତା ଆଜି ହାଇଦ୍ରାବାଦରେ ପହଂଚି ଆନୁଷ୍ଠାନିକ ଭାବରେ ଓଡ଼ିଶାରେ ବି.ଆର.ଏସ. ଗଠନ ପାଇଁ ଶୁଭ ପକାଇଛନ୍ତି।
ଏହା ସଂପୂର୍ଣ୍ଣ ଭାବରେ ଓଡ଼ିଶା ପାଇଁ ଏକ ନୂଆ ଦଳ। କିନ୍ତୁ ଯେଭଳି ଭାବରେ ଏମାନେ ଉଦ୍ୟମ କରୁଛନ୍ତି ଓ ଓଡ଼ିଶାର ଶାସକ ବିଜେଡିରେ ଯେଉଁପରି ଅସନ୍ତୋଷ ଦଳ ଭିତରେ ରହିଛି ତାହା ନିର୍ବାଚନ ପାଖେଇ ଆସିବା କ୍ଷଣି ବିସ୍ଫୋରିତ ହେବାର ଏକ ଆଶଙ୍କା ମଧ୍ୟ ରହିଛି। ଯଦିଓ ବିଜେପି ଏହିପରି ଏକ ସମ୍ଭାବନାକୁ ଲକ୍ଷ୍ୟ କରି ଧାମନଗର ମଡେଲ୍ କଥା କହୁଛି, ତେବେ ବି.ଆର.ଏସ୍. ମଧ୍ୟ ଏହିପରି ଏକ ସୁଯୋଗରୁ ଫାଇଦା ନେଇପାରିବ। ଏମାନେ ସାରା ଓଡ଼ିଶାରେ ବର୍ଷକ ଭିତରେ ସଂଗଠନ କରିଦେବେ ବା ରାଜ୍ୟରେ ଶାସନ କ୍ଷମତା ଦଖଲ କରିବେ, ଏପରି କୌଣସି ସମ୍ଭାବନା ନାହିଁ। କିନ୍ତୁ ତୃତୀୟ ଶକ୍ତି ଭାବରେ ଏହି ଦଳ ଯଦି ଆଶା ସୃଷ୍ଟି କରେ ଅନେକ କ୍ଷୁଦ୍ର ରାଜନୈତିକ ଦଳ ଏହି ଦଳ ସହିତ ମେଂଟ କରିବାକୁ ଆଗେଇ ଆସିପାରନ୍ତି। ଶ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟରେ କମ୍ୟୁନିଷ୍ଟ ଦଳମାନଙ୍କ ସମେତ ପ୍ରାୟ ୧୧ଟି କ୍ଷୁଦ୍ର ଦଳ ଏକାଠି ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ଓଡ଼ିଶାରେ ଅଭିଯାନ ଆରମ୍ଭ କରିବ ବୋଲି ପ୍ରସ୍ତୁତ ହେଲାଣି। ସେମାନଙ୍କର ବି.ଆର.ଏସ୍. ସହିତ କୌଣସି ଶତ୍ରୁତା ନାହିଁ, ବରଂ ମିତ୍ରତା ପରିବେଶ ଅଛି।
ବି.ଆର.ଏସ୍. ରାଜ୍ୟରେ ସଂପୂର୍ଣ୍ଣ ନୂଆ ଦଳ ହେଲେ ମଧ୍ୟ ଏହା ଏପରି ଏକ ସମ୍ଭାବନା ସୃଷ୍ଟି କରିଛି, ଯେଉଁଠାରେ ବିଜେପିରେ ବା ବିଜେଡିରେ କୋଣଠେସା ହେଉଥିବା ନେତାମାନେ ଏହାକୁ ଏକ ସୁଯୋଗ ଭାବରେ ବ୍ୟବହାର କରିପାରନ୍ତି। ସେଥିପାଇଁ ବି.ଆର.ଏସ.ର ଆବିର୍ଭାବ ପ୍ରଥମାବସ୍ଥାରେ ବିଜେପିର କ୍ଷତି କରିଥିଲେ ମଧ୍ୟ ଭବିଷ୍ୟତରେ ବିଜେଡି ଓ କଂଗ୍ରେସକୁ ମଧ୍ୟ କ୍ଷତିଗ୍ରସ୍ତ କରିପାରେ। କେସିଆରଙ୍କ ନେତୃତ୍ୱର ଆକର୍ଷଣ ନୁହେଁ, ତାଙ୍କର ସାହସ ଓ ରାଜନୀତିରେ ସମ୍ବଳ ବିନିଯୋଗ ପାଇଁ ଆଗ୍ରହ ବହୁ ନେତାଙ୍କୁ ଏହି ଦଳ ପ୍ରତି ଆକୃଷ୍ଟ କରିପାରେ। କୃଷକ କାର୍ଯ୍ୟକ୍ରମ ସହିତ କେସିଆରଙ୍କର ଦଳିତବନ୍ଧୁ କାର୍ଯ୍ୟକ୍ରମ ଓ ବୁଢ଼ାବୁଢ଼ୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଓଡ଼ିଶା ତୁଳନାରେ ପ୍ରାୟ ଦୁଇ ଗୁଣରୁ ଅଧିକ ଭତ୍ତା ଦିଆଯିବା କାର୍ଯ୍ୟକ୍ରମ ରାଜ୍ୟରେ ଏକ ନୂଆ ପରିବେଶ ସୃଷ୍ଟି କରିପାରେ। ଓଡ଼ିଶାରେ ଏକ ତୃତୀୟ ମେଂଟର ଆବଶ୍ୟକତା ନେଇ ଅନେକ ଚିନ୍ତା କରୁଥିଲେ ମଧ୍ୟ ଏ ଦିଗରେ କେହି ଆଗୁଆ ପଦକ୍ଷେପ ନେଇପାରୁ ନଥିଲେ। ଏହାକୁ ଭଲ ଭାବରେ ଅନୁଧ୍ୟାନ କରି ବି.ଆର.ଏସ ଓଡ଼ିଶାରେ ଆଗ୍ରହ ପ୍ରକାଶ କରିଛି। ଏପରିକି ବିଜେପିରୁ ଅଣଦେଖା ହୋଇଯାଇଥିବା ବିଜୟ ମହାପାତ୍ର ଓ ଅନ୍ୟ କେତେକ ସେହିଭଳି ନେତା ବି.ଆର.ଏସ୍. ପ୍ରତି କି ଆଭିମୁଖ୍ୟ ନେବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।
ରବି ଦାସ
ବରିଷ୍ଠ ସାମ୍ବାଦିକ
ଫୋ-୮୦୧୮୦୯୪୪୫୫