ଆପ୍‌କୁ କଂଗ୍ରେସ ସମର୍ଥନ: ତଥାପି ଦିଲ୍ଲୀ ବିଲ୍‌କୁ ପାସ୍‌ କରାଇବାକୁ ସକ୍ଷମ ହେବେ କେନ୍ଦ୍ର ସରକାର!

ଯଦି ଦୁଇ ଦଳ ବିଲ୍‌ ବିରୋଧରେ ଭୋଟ ଦିଅନ୍ତି, ତା’ହେଲେ ଯାଇ ସରକାର ଅଡ଼ୁଆରେ ପଡ଼ିବ। କିନ୍ତୁ ବିଜେଡି କିମ୍ବା ୱାଇଏସ୍‌ଆର କଂଗ୍ରେସ ସେମିତି କରିବାର ସମ୍ଭାବନା ବହୁତ କମ।

representational image

  • Published: Monday, 17 July 2023
  • , Updated: 17 July 2023, 05:17 PM IST

ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ ପାରିତ କରାଇ ନେବେ। ହେଲେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବ ତ?

ବିଲ୍‌କୁ ରାଜ୍ୟସଭାରେ ମାତ୍‌ ଦେବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସବୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି। କଂଗ୍ରେସ ମଧ୍ୟ ଆପ୍‌କୁ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ଘୋଷଣା କରିଛି।

ତେବେ କଂଗ୍ରେସ ରାଜ୍ୟସଭାରେ ଆପ୍‌କୁ ସମର୍ଥନ କରିବାକୁ କହିଥିଲେ ହେଁ କେନ୍ଦ୍ର ସରକାର ବିଲ୍‌ ପାସ୍‌ କରାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହା ପଛରେ ଉପଯୁକ୍ତ କାରଣ ମଧ୍ୟ ରହିଛି।

ରାଜ୍ୟସଭାର ସ୍ଥିତି ଦେଖିଲେ ବିଜେପିର ପଲ୍ଲାଭାରୀ ରହିଛି। ନବୀନ ପଟ୍ଟନାୟକଙ୍କ ବିଜେଡି କିମ୍ବା ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଯଦି କୌଣସି ପ୍ରକାରର ବଡ଼ ନିଷ୍ପତ୍ତି ନ ନିଅନ୍ତି, ତା’ହେଲେ ବିଲ୍‌ ରାଜ୍ୟସଭାରେ ବେଶ ସହଜରେ ପାରିତ ହୋଇଯିବ।

ଆଜି ରାଜ୍ୟସଭାକୁ ବିଜେପିର ୫ ଜଣ ଓ ଟିଏମସିର ୬ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନାମାଙ୍କନପତ୍ର ପାଇଁ ସମୟ ଶେଷ ହେବା ସହ ଦୁଇ ଦଳ ୧୧ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଛନ୍ତି।

ଏମାନଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀ ଦେଇ ନଥିଲେ। ଏବେ କଂଗ୍ରେସ ରାଜ୍ୟସଭାରେ ଗୋଟିଏ ଆସନ ହରାଇଛି। ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୩୦କୁ ଖସିଛି। ବିଜେପିର ସାଂସଦଙ୍କ ସଂଖ୍ୟାରେ ଆଉ ୧ ଯୋଡ଼ି ହୋଇଛି। ଫଳରେ ଦଳର ମୋଟ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯୩ ଛୁଇଁଛି।

ଜୁଲାଇ ୨୪ ପରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ୭ ଆସନ ଖାଲି ପଡ଼ିବ। ଜମ୍ମୁ-କଶ୍ମୀରର ୪ଟି, ୨ ଜଣ ମନୋନୀତ ସଦସ୍ୟଙ୍କ ଆସନ ଓ ଉତ୍ତର ପ୍ରଦେଶରୁ ଗୋଟିଏ ଆସନ ଖାଲି ପଡ଼ିବ।

ଏହାର ଅର୍ଥ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶ ବେଳେ ରାଜ୍ୟସଭାର ଆସନ ସଂଖ୍ୟା ୨୩୮ ରହିଥିବ। ଏଠାରେ କୌଣସି ବିଲ୍‌ ପାସ୍‌ କରିବା ପାଇଁ ୧୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।

ବିଜେପି ଓ ଏହାର ସହଯୋଗୀ ମାନଙ୍କୁ ମିଶାଇଲେ ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୧୦୫। ବିଜେପିକୁ ୫ ଜଣ ମନୋନୀତ ସଦସ୍ୟ ଓ ୨ ଜଣ ସ୍ୱାଧୀନ ସାଂସଦ ସମର୍ଥନ କରିବେ।

ତେଣୁ ସରକାରଙ୍କ ପାଖରେ ବିଲ୍‌ ସପକ୍ଷରେ ୧୧୨ ଜଣ ସାଂସଦଙ୍କ ସର୍ଥନ ରହିଛି। ଏହା ମ୍ୟାଜିକ ନମ୍ବର ଠାରୁ ୮ କମ। ସରକାରଙ୍କ ଆଶା ଯେ ବିଲ୍‌କୁ ମାୟାବତୀଙ୍କ ବିଏସ୍‌ପି, ଜେଡିଏସ୍‌ ଓ ତେଲୁଗୁ ଦେଶମ ପାର୍ଟି(ଟିଡିପି) ସମର୍ଥନ କରିବେ। ରାଜ୍ୟସଭାରେ ଏହି ଦଳ ଗୁଡ଼ିକର ଜଣେ ଲେଖାଏ ସାଂସଦ ରହିଛନ୍ତି। ଏହାକୁ ମିଶାଇଲେ ସରକାରଙ୍କ ସପକ୍ଷରେ ୧୧୫ ଜଣ ସାଂସଦ ରହିଛନ୍ତି।

ଏପରି ସ୍ଥିତିରେ ବିଲ୍‌କୁ ପାରିତ କରିବାକୁ ହେଲେ ସରକାରଙ୍କୁ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସର ସମର୍ଥନ ଆବଶ୍ୟକ। ଉଭୟ ଦଳର ୯ ଜଣ ଲେଖାଏ ସଦସ୍ୟ ରାଜ୍ୟସଭାରେ ରହିଛନ୍ତି। ବିଜେଡି ଅଧ୍ୟାଦେଶ ବଦଳରେ ଆସିବାକୁ ଥିବା ବିଲ୍‌ ଗୃହରେ ଉପସ୍ଥାପନ ହେବା ପରେ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛି। କିନ୍ତୁ ଜଗନ ରେଡ୍ଡୀ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

ଗତବର୍ଷ ଏହି ଦୁଇ ଦଳ ଗୋଟିଏ ବିବାଦୀୟ ବିଲ୍‌ ରାଜ୍ୟସଭାରେ ଉପସ୍ଥାପନ ହେବା ପରେ କକ୍ଷତ୍ୟାଗ କରିଥିଲେ। ଏହାଦ୍ୱାରା ସରକାର ବେଶ ସହଜରେ ବିଲ୍‌କୁ ପାରିତ କରିବାକୁ ସକ୍ଷମ ହୋଇଥିଲେ। ଦୁଇ ଦଳ କକ୍ଷ ତ୍ୟାଗ କରିବାରୁ ବିଲ୍‌ ପାସ୍‌ ପାଇଁ ଆବଶ୍ୟକ ସଂଖ୍ୟା ବା ମ୍ୟାଜିକ ନମ୍ବର ହ୍ରାସ ପାଇଯାଇଥିଲା। ଏହା ସରକାରଙ୍କୁ ବେଶ ସୁହାଇଥିଲା।

ଯଦି ଏଥର ମଧ୍ୟ ଉଭୟ ଦଳ ସମାନ ପଦକ୍ଷେପ ନେବେ, ତା’ହେଲେ ମ୍ୟାଜିକ ନମ୍ବର ୧୧୧କୁ ଖସି ଆସିବ। ଏପରି ସ୍ଥିତିରେ ବିଜେପି ସରକାର ବିଲ୍‌କୁ ସହଜରେ ପାରିତ କରାଇବାକୁ ସକ୍ଷମ ହେବେ।

ଯଦି ଦୁଇ ଦଳ ବିଲ୍‌ ବିରୋଧରେ ଭୋଟ ଦିଅନ୍ତି, ତା’ହେଲେ ଯାଇ ସରକାର ଅଡ଼ୁଆରେ ପଡ଼ିବ। କିନ୍ତୁ ବିଜେଡି କିମ୍ବା ୱାଇଏସ୍‌ଆର କଂଗ୍ରେସ ସେମିତି କରିବାର ସମ୍ଭାବନା ବହୁତ କମ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ଦେଖିଲେ, କେନ୍ଦ୍ରର ବିଲ୍‌ ବିରୋଧରେ ୧୦୫ ଜଣ ସାଂସଦ ରହିଛନ୍ତି।

Related story