Advertisment

ନବୀନଙ୍କ ବହୁ କୋଟି ଟଙ୍କାର ଫାର୍ମହାଉସ୍‌: ପୁତୁରା-ଝିଆରୀଙ୍କୁ ଦେଲେନି, ଦକ୍ଷିଣ ଭାରତୀୟଙ୍କୁ କାହିଁକି ବିକିଦେଲେ, କ’ଣ କଲେ ଟଙ୍କା

ନିଜ ମା’ ଜ୍ଞାନ ପଟ୍ଟନାୟକଙ୍କଠୁ ପାଇଥିବା ହରିଆଣାର ସୋହନା ରୋଡ ଅନ୍ତର୍ଗତ ଟିକିରିଖେଡ଼ାସ୍ଥିତ ମୂଲ୍ୟବାନ ୨୨.୭ଏକର ଫାର୍ମହାଉସ୍‌କୁ ମଧ୍ୟ ବିକ୍ରି କରିଦେଇଛନ୍ତି । ନୂଆଦିଲ୍ଲୀଠୁ ମାତ୍ର ୩୫କିମି ଦୂରରେ ଥିବା ଏହି ମୂଲ୍ୟବାନ ଫାର୍ମହାଉସ ପାଖରେ ପୁତୁରା ଅରୁଣ ପଟ୍ଟନାୟକ ଓ ଝିଆରୀ ମାୟା ପଟ୍ଟନାୟକଙ୍କ ସମେତ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ସମ୍ପତ୍ତି ଥିଲେ ମଧ୍ୟ ସେମାନଙ୍କୁ କାଣିଚାଏ ବି ଦେଇନାହାନ୍ତି ନବୀନ ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ଓଡ଼ିଶାର ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି କେତେ, ତାଙ୍କ ଆୟର ଉତ୍ସ କ’ଣ, ରାଜନୀତିରେ ପାଦ ଥାପିବା ପରେ କେତେ ସମ୍ପତ୍ତି ଆହରଣ କରିଛନ୍ତି ? ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସିବା ସ୍ୱାଭାବିକ । ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶାର ରାଜନୀତିରେ ପ୍ରବେଶ କରି ସର୍ବାଧିକ ୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନବୀନ ଏହି ଅବଧି ମଧ୍ୟରେ ନିଜେ କୌଣସି ସମ୍ପତ୍ତି କ୍ରୟ କରିନାହାନ୍ତି କିମ୍ବା ନିଜର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ାଇନାହାନ୍ତି । ବରଂ ଯାହା ଦରମା-ଭତ୍ତା ବାବଦରେ ପାଇଛନ୍ତି ସେଥିରେ ନିଜ ଖର୍ଚ୍ଚ ତୁଲାଇଛନ୍ତି । ଏପରିକି ନିଜ ମା’ ଜ୍ଞାନ ପଟ୍ଟନାୟକଙ୍କଠୁ ପାଇଥିବା ହରିଆଣାର ସୋହନା ରୋଡ ଅନ୍ତର୍ଗତ ଟିକିରିଖେଡ଼ାସ୍ଥିତ ମୂଲ୍ୟବାନ ୨୨.୭ଏକର ଫାର୍ମହାଉସ୍‌କୁ ମଧ୍ୟ ବିକ୍ରି କରିଦେଇଛନ୍ତି । ନୂଆଦିଲ୍ଲୀଠୁ ମାତ୍ର ୩୫କିମି ଦୂରରେ ଥିବା ଏହି ମୂଲ୍ୟବାନ ଫାର୍ମହାଉସ ପାଖରେ ପୁତୁରା ଅରୁଣ ପଟ୍ଟନାୟକ ଓ ଝିଆରୀ ମାୟା ପଟ୍ଟନାୟକଙ୍କ ସମେତ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ସମ୍ପତ୍ତି ଥିଲେ ମଧ୍ୟ ସେମାନଙ୍କୁ କାଣିଚାଏ ବି ଦେଇନାହାନ୍ତି ନବୀନ । ସୋହନା ରୋଡ ଅଂଚଳରେ ଜମିର ବଜାର ମୂଲ୍ୟ ଏକର ପିଛା ୩ରୁ ୩୫କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । କିନ୍ତୁ ନବୀନ ଏହି ମୂଲ୍ୟବାନ ସମ୍ପତ୍ତିକୁ କେତେ ଟଙ୍କାରେ ବିକ୍ରି କରିଛନ୍ତି ତାହା ଜଣାପଡ଼ିନି କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ଦାଖଲ କରିଥିବା ସମ୍ପତ୍ତି ବିବରଣୀର ସତ୍ୟପାଠ ଓ ୨୦୨୪ ନିର୍ବାଚନରେ ନବୀନଙ୍କ ସମ୍ପତ୍ତି ବିବରଣୀ ସତ୍ୟପାଠରେ ତାଙ୍କର ଅଚଳାଚଳ ସମ୍ପତ୍ତିର ପରିମାଣ ଯଥାକ୍ରମେ ୬୩.୮୭ କୋଟି ଟଙ୍କା ଓ ୭୧.୦୭ କୋଟି ଟଙ୍କା ରହିଛି । ନବୀନଙ୍କ ସମ୍ପତ୍ତି ଏକ ଦକ୍ଷିଣ ଭାରତୀୟ ପରିବାର କ୍ରୟ କରିଥିବା ଜଣାପଡ଼ିଛି ।

Advertisment

ବିଜୁଙ୍କ ନାତିନାତୁଣୀଙ୍କୁ ନବୀନ ଦେଲେନି ସମ୍ପତ୍ତି

ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି କେନ୍ଦ୍ରମନ୍ତ୍ରୀ ଓ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଏବେବି ରାଜ୍ୟର ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରୁଛନ୍ତି । ନବୀନ ନିଜେ କୌଣସି ସମ୍ପତ୍ତି ଆହରଣ କରିନାହାନ୍ତି । ଯାହା ତାଙ୍କୁ ପିତା ଓ ମା’ଙ୍କଠୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ୨୦୦୪ ସାଧାରଣ ନିର୍ବାଚନରେ ନବୀନ ଦେଇଥିବା ସତ୍ୟପାଠ ଅନୁସାରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ପିତାଙ୍କ ଘରରେ ତାଙ୍କର ଭାଗ ଏକଚତୁର୍ଥାଂଶ (ଯାହାର ମୂଲ୍ୟ ୨କୋଟି ଟଙ୍କା) ରହିଥିଲା । କଟକସ୍ଥିତ ଆନନ୍ଦ ଭବନ ଘରରେ ତାଙ୍କର ଏକତୃତୀୟାଂଶ (ମୂଲ୍ୟ ୧୦ଲକ୍ଷ ଟଙ୍କା), ବିଜୁଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କୁ ୧୫ଲକ୍ଷ ଟଙ୍କା ମିଳିଥିଲା । ଏହାସହିତ ତାଙ୍କର ନିଜସ୍ୱ ବ୍ୟାଙ୍କ ବାଲାନ୍ସ ୨୪ଲକ୍ଷ ଟଙ୍କା ଥିଲା । ଏଭଳି ଭାବେ ନବୀନ ୨୦୦୪ ମସିହାବେଳେ ମୋଟ ପ୍ରାୟ ଅଢ଼େଇ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ । ତେବେ ମା’ ଜ୍ଞାନ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦିଲ୍ଲୀସ୍ଥିତ ଘରର ମୋଟ୍ ୫୦ପ୍ରତିଶତ ଓ ନବୀନ ନିବାସ ଘରର ଦୁଇ ତୃତୀୟାଂଶ ଓ ହରିଆଣାର ଫରିଦାବାଦ ଜିଲ୍ଲାର ସୋହନାରୋଡଠାରେ ଥିବା ମୂଲ୍ୟବାନ ୨୨.୭ ଏକର ଫାର୍ମହାଉସ(୪୨୬୦ବର୍ଗଫୁଟର କୋଠା ସହ)ର ମାଲିକାନା ମିଳିଥିଲା । ଆଉ ପରିବାରର ସହମତିରେ ଉଭୟ ପ୍ରେମ ଓ ନବୀନ କଟକର ତୁଳସୀପୁରସ୍ଥିତ ଆନନ୍ଦଭବନକୁ ୨୦୧୫ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କୁ ଦାନ କରିଦେଇଥିଲେ ।

ତେବେ ମା’ଙ୍କଠୁ ପାଇଥିବା କୋଟିକୋଟି ଟଙ୍କାର ଫାର୍ମହାଉସକୁ ବିକ୍ରି କରିବା ନେଇ ଯଦିଓ ନବୀନ ୨୦୧୯ ସାଧାରଣ ନିର୍ବାଚନବେଳେ ଦାଖଲ ସମ୍ପତ୍ତି ବିବରଣୀ ସତ୍ୟପାଠରେ କୌଣସି ଆଭାସ ଦେଇନଥିଲେ ମାତ୍ର ମୁଖ୍ୟମନ୍ତ୍ରୀ ଭାବେ ସେ ଦାଖଲ କରିଥିବା ସମ୍ପତ୍ତି ବିବରଣୀ(୨୦୨୦ ଅଗଷ୍ଟ ୨୦ତାରିଖ)ରେ ସେ ନିଜର ଫାର୍ମହାଉସ୍ ବିକ୍ରି ବାବଦରେ ସୂଚନା ଦେଇଥିଲେ । ଏହି ଫାର୍ମହାଉସ୍ ବିକ୍ରି ପାଇଁ ୨୦୧୯ ମସିହା ସେପ୍ଟେମ୍ବର ୧୮ତାରିଖରେ ଏକ ସେଲ୍ ଡିଡ୍ ବଳରେ ସେ ୧.୨୫କୋଟି ଟଙ୍କାର ଅଗ୍ରୀମ ଆଣିଥିବା ଦର୍ଶାଇଥିଲେ । ନବୀନଙ୍କ ଫାର୍ମହାଉସ୍ ନିକଟରେ ତାଙ୍କ ପୁତୁରା,ଝିଆରୀ ଓ ବଡ଼ଭାଇ ସମ୍ପତ୍ତି ଥିଲେ ମଧ୍ୟ ସେମାନଙ୍କୁ ଦେବାକୁ ନବୀନ ଉଚିତ୍ ମଣିନାହାନ୍ତି । ବିଜୁ ପଟ୍ଟନାୟକଙ୍କ ପରିବାରର ସଦସ୍ୟମାନେ ତାଙ୍କ ସମ୍ପତ୍ତି ନିଅନ୍ତୁ ବୋଲି ନବୀନ ପରୋକ୍ଷରେ ଚାହିଁନଥିବା ସ୍ପଷ୍ଟ ହୋଇଛି ।

Advertisment

ନବୀନ କେତେ ଟଙ୍କାରେ ବିକିଲେ ସମ୍ପତ୍ତି

ସରକାରୀ ଦସ୍ତାବିଜ ଅନୁସାରେ ନବୀନ ନିଜର ମୋଟ ୨୨.୭ଏକର ସମ୍ପତ୍ତିକୁ ବିକ୍ରି କରିଦେଇଛନ୍ତି । ଏହି ସମ୍ପତ୍ତି ଚାରିପାଶ୍ୱର୍ରେ ବ୍ୟବସାୟିକ ସମ୍ପତ୍ତି ରହିଥିଲେ ମଧ୍ୟ ନବୀନ ନିଜର ସମ୍ପତ୍ତିର କିସମ ପରିବର୍ତ୍ତନ କରିନଥିଲେ । ତାହା ସେହିଭଳି ‘କୃଷି’ କିସମ ଭାବେ ରହିଥିଲା । ଶେଷଥର ପାଇଁ ଏହି ସମ୍ପତ୍ତିର ମୂଲ୍ୟର ଆକଳନ ନବୀନ ୨୦୧୭ ମାର୍ଚ୍ଚ ୩୧ରେ କରିଥିଲେ । ଯାହାକି ମୋଟ ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ଟଙ୍କା ଦର୍ଶାଇଥିଲେ । ମାତ୍ର ହରିଆଣା ସରକାରଙ୍କ ତଥ୍ୟ ଅନୁସାରେ ଏହି ବିକ୍ରିବେଳେ ଟିକରିଖେଡ଼ା ଅଂଚଳରେ ସରକାର ଦର(କୃଷି ଜମିର କିସମ ଏକରପିଛା ୫୦ଲକ୍ଷ ଟଙ୍କା), ଆବାସିକ ଜମିର କିସମ(ବର୍ଗମିଟର ପିଛା ୯୫୨୪ ଟଙ୍କା) ଓ ବ୍ୟବସାୟିକ ଜମିର କିସମ(ବର୍ଗମିଟର ପିଛା ୨୦୨୩୮ଟଙ୍କା) ରହିଥିଲା । ତେବେ ନବୀନ ନିଜର ଏହି ୨୨.୭ଏକର ସମ୍ପତ୍ତିକୁ କେତେ ଦରରେ ବିକ୍ରି କରିଛନ୍ତି ତାହା ସେ ନିଜେ ସାର୍ବଜନୀନ କରିନାହାନ୍ତି । ଯଦି ହରିଆଣା ସରକାରଙ୍କ ଏହି ଦରକୁ ହିସାବକୁ ନିଆଯାଏ ତା’ହେଲେ ନବୀନଙ୍କ ୨୨.୭ ଏକର ଫାର୍ମ ହାଉସର କୃଷି କିସମର ଦର ୧୧.୩୫କୋଟି ଟଙ୍କା, ଆବାସିକ ଜମି ଦର ୮୭.୪୯ କୋଟି ଟଙ୍କା ଓ ବ୍ୟବସାୟିକ ଜମି ଦର ୧୮୫.୯୧ କୋଟି ଟଙ୍କା ରହିଥିଲା ବୋଲି ହିସାବରୁ ଜଣାପଡ଼ିଛି। ତେବେ ଏହି ଦର ମଧ୍ୟରେ ସେହି ଜମିରେ ଥିବା ୪୨୬୦ବର୍ଗଫୁଟର କୋଠାର ଦର ସାମିଲ ନାହିଁ । ନବୀନ ନିଜର ଯେଉଁ ସତ୍ୟପାଠ ଓ ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି ସେସବୁକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ନବୀନଙ୍କ ସମ୍ପତ୍ତି ପରିମାଣ ୨୦୨୦ରୁ ୨୦୨୩ ମଧ୍ୟରେ ମାତ୍ର ୩.୦୭କୋଟି ଟଙ୍କାର ବୃଦ୍ଧି ହେଉଛି ।

ନବୀନଙ୍କ ସମ୍ପତ୍ତିର ମାଲିକାନା ଏବେ କାହା ପାଖରେ

ହରିଆଣା ସରକାରଙ୍କ ଜମିଜମା ରେକର୍ଡ ଅନୁସାରେ ନବୀନଙ୍କ ଟକିରିଖେଡ଼ାସ୍ଥିତ ୨୨.୭ଏକର ଜମିର ମାଲିକାନା ଏବେ କେ.ରାଘବନ ଶଶୀପ୍ରଭୁ, ତାଙ୍କ ପତ୍ନୀ ସାକ୍ଷୀ ଶଶୀପ୍ରଭୁ, ଝିଅ ସାଧିକା ଶଶୀପ୍ରଭୁ ଓ ପୁଅ ସଦ୍ୟାନ୍ତ ଶଶୀପ୍ରଭୁଙ୍କ ନାଁରେ ରହିଛି । କେ.ରାଘବନ ଓ ତାଙ୍କ ଝିଅ ଉଭୟ ପେଷାରେ ଓକିଲ ବୋଲି ଜଣାପଡ଼ିଛି ।  ଏହି ପରିବାର ନବୀନଙ୍କ ସମସ୍ତ ୨୨.୭ଏକର ଜମିର ମାଲିକାନା ନେଇଛନ୍ତି । ଟକିରିଖେଡ଼ାରେ ନବୀନଙ୍କ ଆଉ କୌଣସି ସମ୍ପତ୍ତି ନାହିଁ । ଯଦିଓ ସେଠାରେ ତାଙ୍କ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ, ପୁତୁରା ଅରୁଣ ପଟ୍ଟନାୟକ ଓ ଝିଆରୀ ମାୟା ପଟ୍ଟନାୟକ(ପ୍ରେମଙ୍କ ପ୍ରଥମ ପତ୍ନୀଙ୍କ ଝିଅ) ନାଁରେ ସମ୍ପତ୍ତି ରହିଛି । କିନ୍ତୁ ଅବିବାହିତ ନବୀନ ନିଜ ମା’ଙ୍କଠୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତିକୁ ନିଜ ପୁତୁରା-ଝିଆରୀଙ୍କୁ ନଦେଇ ଏହି ଦକ୍ଷିଣ ଭାରତୀୟ ପରିବାରକୁ ବିକ୍ରି କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନଙ୍କ ଅର୍ଥର କ’ଣ ଏଭଳି ଆବଶ୍ୟକତା ପଡ଼ିଲା ଯେ ସେ ଏହି ମୂଲ୍ୟବାନ ସମ୍ପତ୍ତିକୁ ବିକ୍ରି କରିଦେଲେ ସେହି ରହସ୍ୟ ଏବେବି ଅସ୍ପଷ୍ଟ । ତା’ଛଡ଼ା ଏହି ଦକ୍ଷିଣ ଭାରତୀୟ ପରିବାର ସହ ନବୀନଙ୍କ ସମ୍ପର୍କ କ’ଣ ତାହା ମଧ୍ୟ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

ନବୀନଙ୍କ ସମ୍ପତ୍ତିର ବିବରଣୀ

ମିଳିଥିବା ଦସ୍ତାବିଜ ଅନୁସାରେ ୨୦୦୪ ମସିହାରେ ନବୀନଙ୍କ ମୋଟ୍ ସମ୍ପତ୍ତି ପ୍ରାୟ ଅଢ଼େଇ କୋଟି ଟଙ୍କା ଥିବାବେଳେ ୨୦୧୯ବେଳକୁ ଏହି ସମ୍ପତ୍ତିର ପରିମାଣ ବୃଦ୍ଧି ପାଇ ୬୩.୮୭କୋଟି ଟଙ୍କାରେ ପହଂଚିଥିଲା । ୨୦୧୯ ମସିହାରେ ନବୀନଙ୍କ ସମ୍ପତ୍ତି ଭାବେ ଦିଲ୍ଲୀସ୍ଥିତ ଅବଦୁଲ କଲାମ ରୋଡଘରର ୫୦ ପ୍ରତିଶତ ଅଂଶଧନ(୩୫୧୭ବର୍ଗଫୁଟ କୋଠା ସହ)ର ପରିମାଣ ୪୩.୩୬କୋଟି ଟଙ୍କା, ନବୀନ ନିବାସ ଘରର ଦୁଇ ତୃତୀୟାଂଶ(୧୧୯୬୧ବର୍ଗଫୁଟର କୋଠା ସହ ମୋଟ ୨.୧୩୩ଏକର ଜମି)ର ପରିମାଣ ୯.୫୨କୋଟି ଟଙ୍କା ଓ ଟିକିରିଖେଡ଼ାସ୍ଥିତ ୨୨.୭ଏକର ଫାର୍ମହାଉସ (୪୨୬୦ବର୍ଗଫୁଟରକୋଠା ସହ)ର ମୂଲ୍ୟ ୧୦.୭୫କୋଟି ଟଙ୍କା ଖୋଦ୍ ନବୀନ ଦର୍ଶାଇଥିଲେ । ଏହାସହିତ ତାଙ୍କ ପାଖରେ ବ୍ୟାଙ୍କବାଲାନ୍ସ ଭାବେ ମାତ୍ର ୨୩.୨୬ଲକ୍ଷ ଟଙ୍କା ରହିଥିଲା । ଏଭଳି ଭାବେ ମୋଟ ସମ୍ପତ୍ତିର ପରିମାଣ ୬୩.୮୭କୋଟି ଟଙ୍କା ଥିଲା ।

ତେବେ ୨୦୨୪ ମସିହାର ସତ୍ୟପାଠ ଅନୁସାରେ ନବୀନଙ୍କ ମୋଟ ସମ୍ପତ୍ତିରେ ଘର ଓ ସମ୍ପତ୍ତିର ମୂଲ୍ୟ ୫୭.୦୨କୋଟି ଟଙ୍କା ଓ ବିଭିନ୍ନ ବ୍ୟାଙ୍କବାଲାନ୍ସ-ଫିକ୍ସଡ ଡିପୋଜିଟରେ ୧୪.୦୫କୋଟି ଟଙ୍କା ଏଭଳି ମୋଟ ୭୧.୦୭କୋଟି ଟଙ୍କା ରହିଥିଲା । ଏଥିରୁ ନବୀନଙ୍କ ସମ୍ପତ୍ତିରୁ ଟିକିରିଖେଡ଼ାସ୍ଥିତ ଫାର୍ମହାଉସ୍ ବାଦ୍ ପଡ଼ିଥିଲା । ଆଉ ନବୀନ ନିବାସର ସମ୍ପତ୍ତିର ପରିମାଣ ୯.୫୨କୋଟି ଟଙ୍କାରୁ ବୃଦ୍ଧି ପାଇ ୧୩.୬୬କୋଟି ଟଙ୍କା ହୋଇଥିଲା । ଅର୍ଥାତ୍ ନବୀନ ନିବାସ ଘରର ମୂଲ୍ୟରେ ୪.୧୩କୋଟି ଟଙ୍କା ବୃଦ୍ଧି ହୋଇଥିଲା । ମାତ୍ର ଦିଲ୍ଲୀସ୍ଥିତ ଘରର ମୂଲ୍ୟ ପୂର୍ବଭଳି ୪୩.୩୬କୋଟି ଟଙ୍କା ରହିଥିଲା ।   ତେଣୁ ଯେହେତୁ ୨୦୧୯ ଓ ୨୦୨୪ ମସିହା ମଧ୍ୟରେ ନବୀନଙ୍କ ସମ୍ପତ୍ତିରେ ମୋଟ ୭.୨୦କୋଟି ଟଙ୍କା ବୃଦ୍ଧି ହୋଇଥିଲା ଓ ସେଥିରେ କେବଳ ନବୀନ ନିବାସ ସମ୍ପତ୍ତିରେ ୪.୧୩କୋଟି ଟଙ୍କା ବୃଦ୍ଧି ସାମିଲ ଅଛି । ଅର୍ଥାତ୍ ମୋଟାମୋଟି ଭାବେ ନବୀନଙ୍କ ସମ୍ପତ୍ତିରେ ମାତ୍ର ୩.୦୬କୋଟି ବଢ଼ିଛି ।

ଅବଶ୍ୟ ନବୀନ ନିଜର ଟିକିରିଖେଡ଼ା ଫାର୍ମହାଉସକୁ ବିକ୍ରି ପରେ ଏଚଡିଏଫସି ବଣ୍ଡରେ ୯କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ(୧୨.୦୧.୨୧ରେ ୭ବର୍ଷ ପାଇଁ) କରିଛନ୍ତି । ଏଚଡିଏଫସି ବ୍ୟାଙ୍କରେ ୧କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍ (୨.୧୧.୨୨ରୁ ୪୫ମାସ ପାଇଁ) ଓ ପୋଷ୍ଟାଲରେ ୧.୫୦କୋଟି ଟଙ୍କା ଫିକ୍ସଡ ଡିପୋଜିଟ୍ ରଖିଛନ୍ତି ।

ସନ୍ଦେହ ଘେରରେ ନବୀନଙ୍କ ଭୂମିକା

ଯେହେତୁ ନବୀନ ହେଉଛନ୍ତି ରାଜ୍ୟର ସମ୍ପତ୍ତି, ତେଣୁ ସେ ତାଙ୍କର ସମ୍ପତ୍ତିକୁ ଠିକ୍ ଭାବେ ବିକ୍ରି କରିଛନ୍ତି ନା କାହାକୁ ଦାନ ସୂତ୍ରରେ ଦେଇଛନ୍ତି ନା ଏହାପଛରେ କିଛି ଅନ୍ୟ ରହସ୍ୟ ରହିଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ନବୀନ କେଉଁ ପରିସ୍ଥିତିରେ ନିଜର ସମ୍ପତ୍ତିକୁ ତାଙ୍କ ପରିବାରର ସଦସ୍ୟଙ୍କୁ ଦେଲେନି । ବିଜୁ ପଟ୍ଟନାୟକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ କ’ଣ ଏଭଳିସ୍ତରକୁ ଗଲାଣି ଯେ ନବୀନ ତାଙ୍କର ନିଜ ରକ୍ତ ସମ୍ପର୍କୀୟଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତି ଦେବାକୁ ଉଚିତ୍ ମଣିଲେନି ବୋଲି ପ୍ରଶ୍ନ ଉଠିଛି । ନବୀନଙ୍କ ବିଜେଡି ଏବେ ନିଜର ଉତ୍ତରାଧିକାରୀ କିଏ ହେବ ତାହା ଚୟନ କରିବାରେ ସକ୍ଷମ ହୋଇପାରୁନି । ନବୀନଙ୍କ ବୟସାଧିକ୍ୟ ତାଙ୍କୁ ଦଳୀୟ ଓ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ରଖିପାରୁନଥିବାବେଳେ ବିଜେଡି ଏବେବି ତାଙ୍କ ଉପରେ ନିର୍ଭରଶୀଳ ରହିଛି ଓ ଦଳକୁ ନେତୃତ୍ୱ ଦେବା ଭଳି ନେତାଟିଏ ତିଆରି କରିପାରିନି । ଯାହାକି ନବୀନଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିବା ସହ ଆଉ ଏକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

Naveen Patnaik