ଧର୍ମେନ୍ଦ୍ରଙ୍କୁ କାହିଁକି ଟାର୍ଗେଟ୍ କଲେ ପାଣ୍ଡିଆନ, କ’ଣ ରହିଛି କାରଣ?

ପ୍ରଶାସନରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ପୁରା ଆଟାକିଂ ମୋଡରେ । ନିଜର ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତରେ ସରକାରୀ ମଂଚରୁ ପାଣ୍ଡିଆନ ସିଧାସଳଖ ବିରୋଧୀ ଦଳ ଓ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି

Dharmendra Pradhan

  • Published: Thursday, 28 December 2023
  • , Updated: 28 December 2023, 10:22 PM IST

ପ୍ରଶାସନରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ପୁରା ଆଟାକିଂ ମୋଡରେ । ନିଜର ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତରେ ସରକାରୀ ମଂଚରୁ ପାଣ୍ଡିଆନ ସିଧାସଳଖ ବିରୋଧୀ ଦଳ ଓ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି । ତେବେ ସାଧାରଣ ନିର୍ବାଚନ ଆଉ ୪ମାସ ବାକି ଥିବାବେଳେ ପାଣ୍ଡିଆନ କାହିଁକି ଏଭଳି ଆକ୍ରମଣାତ୍ମକ ମୁଦ୍ରାରେ ଅଛନ୍ତି ଓ ଏହାପଛରେ କ’ଣ ରଣନୀତି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହୁଥିବାବେଳେ ପାଣ୍ଡିଆନ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ପରୋକ୍ଷରେ ବିଜେଡିର ପରିବର୍ତ୍ତିତ ନୀତି ଆଡ଼କୁ ଇଙ୍ଗିତ କରିଥିବା ଜଣାପଡ଼ିଛି ।

ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲାଗସ୍ତ ଜାରି କରିଛନ୍ତି । ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିରୋଧୀ ଦଳକୁ ‘ଆଖି ଥାଇ ବି ବିକାଶ କାର୍ଯ୍ୟ ଦେଖିପାରୁନଥିବା ଅନ୍ଧ’ ବୋଲି କହି ସମାଲୋଚନା କରିଥିଲେ । ପାଣ୍ଡିଆନଙ୍କ ଏଭଳି ସମାଲୋଚନାକୁ ବିଜେପି ଜୋରସୋରରେ ବିରୋଧ କରିଥିଲା । ମାତ୍ର ବିଜେପିର ଏହି ବିରୋଧ ଓ ସମାଲୋଚନାକୁ ଖାତିର ନକରି ପାଣ୍ଡିଆନ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ଭଦ୍ରକ ଜିଲ୍ଲା ଗସ୍ତବେଳେ ସରକାରୀ ସଭାମଂଚରୁ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନନେଇ ଟାର୍ଗେଟ୍ କରିଥିଲେ । ଆଉ ଆଜି ଦିନକ ପରେ ସିଧାସଳଖ ନାଁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆଉ ରାଜନୀତିରେ ଅଭିଜ୍ଞତା ନାହିଁ କି କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବାର ଯୋଗ୍ୟତା ତାଙ୍କର ନାହିଁ କହି ଧର୍ମେନ୍ଦ୍ରଙ୍କୁ ସିଧାସଳଖ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ।

ଅନୁଗୁଳ ଜିଲ୍ଲାର ଖମାରଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମର ସଭାମଂଚରୁ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାଇଲା କରିବା ଭଳି ୩ଟି ପ୍ରଶ୍ନ ପଚାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅନୁଗୁଳ ମାଟିର ସନ୍ତାନ । ମାଟିକୁ ନେଇ ସେ ଗର୍ବ କରିବାର କଥା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି । କେନ୍ଦ୍ରରେ ଦୀର୍ଘଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ରହିଛନ୍ତି । ନିଜ ମାଟି ଓ ଅଂଚଳ ପାଇଁ ତାଙ୍କର ଅବଦାନ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟଟିଏ କିମ୍ବା ନିଜ ପଂଚାୟତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ କରିବାରେ କାହିଁକି ସକ୍ଷମ ହୋଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶର ମନ୍ତ୍ରୀ ଅଛନ୍ତି । ଏହି ଜିଲ୍ଲାର ବ୍ଲକଗୁଡ଼ିକରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହୋଇଥିଲେ ଏହି ଅଂଚଳର ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଉନଥାନ୍ତେ । ଏମସିଏଲ୍‌, ନାଲକୋ ଓ ଏନଟିପିସି ଭଳି ସଂସ୍ଥା ଥିବାରୁ ଦକ୍ଷତା ବିକାଶ ହୋଇଥିଲେ ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଅଂଚଳର ଯୁବପୀଢ଼ୀ ଭଲ ଚାକିରି ପାଇପାରୁଥାନ୍ତା ।

ସେହିପରି ବର୍ଷକ ଭିତରେ ଧର୍ମେନ୍ଦ୍ର ୪୦ଥର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି । କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯାଉଥିବା ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବର୍ଷବର୍ଷ ଧରି ଚାଲିଛି ସରୁନି । ଓଡ଼ିଶା ଭିତରେ ସବୁ ରାସ୍ତା ଭଲ । ଏପରିକି ଭାରତ ସରକାରଙ୍କ ରାସ୍ତା ବି ଅନ୍ୟ ଅଂଚଳରେ ଭଲ ଅଛି । ଏହି ଜାତୀୟ ରାଜପଥ କାହିଁକି ୭-୮ବର୍ଷ କାମ ଚାଲିଥିଲେ ବି ସରୁନି । ଯଦି ଜିଲ୍ଲାପାଳମାନେ ରାସ୍ତା ଠିକ୍ କରିପାରୁଛନ୍ତି ତା’ହେଲେ କେନ୍ଦ୍ରମନ୍ତ୍ରୀ ନିଜ ଅଂଚଳର ରାସ୍ତା କରିବାରେ ସମସ୍ୟା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ।

ପ୍ରଥମଥର ପାଇଁ ପାଣ୍ଡିଆନ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଉ ଏଭଳି କରିବା ପଛରେ ବିଜେଡିର ସୁଚିନ୍ତିତ ରଣନୀତି ରହିଛି । ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ....

୧- କାମିୟା ଜାନି ବିବାଦରୁ ଦୃଷ୍ଟି ଏଡ଼ାଇବାକୁ ପାଣ୍ଡିଆନ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଥାଇପାରନ୍ତି । ଯାହାଫଳରେ କାମିୟା ଜାନି ପ୍ରସଙ୍ଗ ବଦଳରେ ବିଜେପି ଏବେ ଧର୍ମେନ୍ଦ୍ରଙ୍କୁ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଆଗେଇ ଆସିବ । ଆଉ ପାଣ୍ଡିଆନ ଯେଉଁ ୩ଟି ପ୍ରଶ୍ନ କରିଛନ୍ତି ତା’ର ଉତ୍ତର ମଧ୍ୟରେ ନିଜେ ଛନ୍ଦି ହୋଇଯିବ ।

୨- ପାଣ୍ଡିଆନ ଯଦିଓ ବିଜେଡିର ସାଧାରଣ କର୍ମୀ କିନ୍ତୁ ଦଳରେ ଏବେ ନବୀନ ପଟ୍ଟନାୟକଙ୍କ ପରେ ସେ ସର୍ବସର୍ବା । ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ହିଁ ଗଣମାଧ୍ୟମରେ ତାଙ୍କର ରାଜନୀତିକ ପତିଆରା ଓ ଗୁରୁତ୍ୱ ବଢ଼ିବ । ସେଥିପାଇଁ ସେ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ଜାତୀୟ ରାଜନୀତି ଓ ରାଜ୍ୟ ରାଜନୀତିକୁ ସନ୍ଦେଶ ଦେବାକୁ ଚାହିଁଛନ୍ତି ।

୩- ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ କଂଗ୍ରେସ କରୁଥିବା ଅଭିଯୋଗକୁ ନେଇ ରାଜ୍ୟବାସୀଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପାଣ୍ଡିଆନ ଏବେ ଧର୍ମେନ୍ଦ୍ରଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିଛନ୍ତି । ଯାହାଫଳରେ ନିର୍ବାଚନୀ ବର୍ଷରେ ବିଜେଡି ଓ ବିଜେପି ମଧ୍ୟରେ ତିକ୍ତତା ଆସିଲାଣି ବୋଲି ସାଧାରଣରେ ସନ୍ଦେଶ ଯିବ ।

୪- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ୍ କରିବା ପାଇଁ ସରକାରୀ ସଭାମଂଚକୁ ବ୍ୟବହାର କରିବାର ନଜିର ପ୍ରାୟତଃ ନାହିଁ । କିନ୍ତୁ ବିଜେଡିର କାର୍ଯ୍ୟଶୈଳୀରେ ଏବେ ପରିବର୍ତ୍ତନ ଆସିଛି ଓ ସରକାରୀ ସଭାମଂଚରୁ ବି ବିରୋଧୀଙ୍କୁ ଟାର୍ଗେଟ୍ କରାଯାଇପାରିବ, ଏପରିକି କେନ୍ଦ୍ରମନ୍ତ୍ରୀ ବି ସେଥିରୁ ବାଦ୍ ପଡ଼ିବେ ନାହିଁ ସେଭଳି ପ୍ରମାଣ ପାଣ୍ଡିଆନ ଦେବାରେ ସକ୍ଷମ ହୋଇଛନ୍ତି ।

Related story