Advertisment

ସନ୍ଦେହ ଘେରରେ ନବଙ୍କ ପରିବାର, କାହିଁକି ଚାହୁଁନାହାନ୍ତି ନିରପେକ୍ଷ ତଦନ୍ତ

ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ପରିବାର ଲିଖିତ ଭାବେ ସିବିଆଇ ତଦନ୍ତ ନିମନ୍ତେ ଅନୁରୋଧ କରିବ ବୋଲି କହିଲେ । କିନ୍ତୁ ଇତିମଧ୍ୟରେ ମାସେ ବିତିବାକୁ ବସିଲାଣି । ଦୀପାଳି କିମ୍ବା ତାଙ୍କ ପରିବାର ଲିଖିତ ଭାବେ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆଗ୍ରହ ଦେଖାଇନାହାନ୍ତି ।

author-image
Ordigital Desk
undefined

Deepali Das

ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨ବର୍ଷ ପୁରିଲାଣି । କିନ୍ତୁ ହତ୍ୟା ପଛର ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇପାରୁନି? ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ କାହିଁକି ତାଙ୍କୁ ହତ୍ୟା କଲା ସେ ରହସ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଭେଦ କରିପାରିନି? ଗୋପାଳର ବ୍ୟକ୍ତିଗତ ଶତ୍ରୁତା ନବଙ୍କ ସହ ଥିଲା ନା କେହି ଷଡ଼ଯନ୍ତ୍ର କରି ଗୋପାଳଙ୍କୁ ମୋହରା କରିଛନ୍ତି? କାହିଁକି ନବଙ୍କ ପରିବାର ନିରପେକ୍ଷ ତଦନ୍ତ ପାଇଁ ପଛଘୁଂଚା ଦେଉଛି? ବ୍ୟବସାୟିକ ଓ ରାଜନୀତିକ ସାମ୍ରାଜ୍ୟକୁ ବଂଚାଇ ରଖିବା ପାଇଁ ନବଙ୍କ ପରିବାର ଏଭଳି କରୁଛି ନା ପରିବାର ପ୍ରତି କିଛି ଭୟ ରହିଛି? ଏଭଳି ନାନାଦି ପ୍ରଶ୍ନ ଏବେ ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ହେଉଛି ।

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବାର ମାର୍ଗ ଉନ୍ମୁକ୍ତ ଅଛି ବୋଲି ଆଇନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଦଳର ବରିଷ୍ଠ ବିଧାୟକମାନେ ମଧ୍ୟ ଇସାରା ଦେଲେ । ପରିବାର ସଦସ୍ୟ ଚାହିଁଲେ ମୁଖ୍ୟମନ୍ତ୍ରୀ କିମ୍ବା କୋର୍ଟଙ୍କୁ ଅବଗତ କରି ଏହି ସିବିଆଇ ତଦନ୍ତ କରାଯାଇପାରିବ ବୋଲି କହି ସରକାର ନବ ଦାସ ହତ୍ୟାକାଣ୍ଡ ପଛର ରହସ୍ୟ ଭେଦ ନିମନ୍ତେ ନିଜର ସମ୍ମତି ଜଣାଇଲେ । ଆଉ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ପରିବାର ଲିଖିତ ଭାବେ ସିବିଆଇ ତଦନ୍ତ ନିମନ୍ତେ ଅନୁରୋଧ କରିବ ବୋଲି କହିଲେ । କିନ୍ତୁ ଇତିମଧ୍ୟରେ ମାସେ ବିତିବାକୁ ବସିଲାଣି । ଦୀପାଳି କିମ୍ବା ତାଙ୍କ ପରିବାର ଲିଖିତ ଭାବେ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆଗ୍ରହ ଦେଖାଇନାହାନ୍ତି । ଓଲଟା କ୍ରାଇମବ୍ରାଂଚ ପୂର୍ବରୁ ଯେଉଁ ତଦନ୍ତ କରିଥିଲା ସେଥିରେ ପରୋକ୍ଷରେ ସମ୍ମତି ଜଣାଇଥିବା ଭଳି ପ୍ରତୀତ ହେଲାଣି ।

ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ପକ୍ଷରୁ କେହିବି ଏବେସୁଦ୍ଧା କୋର୍ଟ କି ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ନାହିଁ । ତେଣୁ ତଦନ୍ତର ସ୍କୋପ ଆଉ ରହିଲା କେଉଁଠି? ଆମେ ଖାଲି ନାଚିଲେ କ’ଣ ଲାଭ ଅଛି । ତାଙ୍କ ପରିବାର ତ ଚାହୁଁନାହାନ୍ତି ତଦନ୍ତ ହେଉ । ତାଙ୍କ ପରିବାର ଲେଖିକି ଦେଲେ ସ୍କୋପ୍ ବାହାରନ୍ତା । ତାଙ୍କ ପରିବାର ଯଦି ଲିଖିତ ଭାବେ ତଦନ୍ତରେ ଖୁସିନଥିବା ଜଣାଇବେ ନାହିଁ, ତା’ହେଲେ ସ୍କୋପ ରହିଲା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ନବ ଦାସ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେହି ଦୃଷ୍ଟିରୁ ତାଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହେବା କଥା ବୋଲି ଆମେ ବିଚାର କରୁଥିଲୁ । ହତ୍ୟା ପଛରେ କିଏ ଓ କ’ଣ କାରସାଦି ରହିଛି ତାହା ଜଣାପଡ଼ିଥାନ୍ତା । ସେସବୁ କଥା ଲୋକେ ଜାଣିବାର ଅଧିକାର ରହିଛି । ତେଣୁ ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି କରୁଛି । ବୋଧହୁଏ ନବଦାସଙ୍କ ପରିବାର ନିଜର ବ୍ୟବସାୟିକ ସ୍ୱାର୍ଥ କି ଅନ୍ୟ କ’ଣ ସବୁ ସ୍ୱାର୍ଥ ପାଇଁ ନଚେତ୍ ସେମାନଙ୍କୁ ଭୟଭୀତ କରାଯାଉଥିବାରୁ ଚୁପ୍ ରହିଥାଇପାରନ୍ତି ବୋଲି ଜୟନାରାୟଣ କହିଛନ୍ତି ।  ନବ ଦାସ କ’ଣ ଥିଲେ ଏବେ ତାହା କହିବା ଠିକ୍ ହେବନି । ସେ ଖରାପ ଦିଗକୁ ଆମେ ଯିବା ନାହିଁ । ଭଲ ଦିଗକୁ ଯାଉଛୁ । ତଦନ୍ତ ହେଲେ ସବୁ ଜଣାପଡ଼ିବ । ତଦନ୍ତ ହେଲେ ବଡ଼ମୁଣ୍ଡ ବାହାରିବେ ।

Advertisment

ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ହୋଇନି ବୋଲି ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ଓ ଶାସକ ଦଳର ଅଭିଯୋଗ ପରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମ ସମ୍ମୁଖକୁ ଆସି ଜାନୁୟାରୀ ୧୯ତାରିଖରେ ଏକ ବୟାନ ଦେଇଥିଲେ । ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଲିଖିତ ଭାବେ ଅନୁରୋଧ କରିବା ନିମନ୍ତେ ତାଙ୍କ ପରିବାର ମଧ୍ୟରେ ବିଚାରବିମର୍ଶ ଜାରି ରହିଛି ବୋଲି କହିଥିଲେ । ପରେ ଜାନୁୟାରୀ ୨୪ତାରିଖରେ ଆଉଥରେ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ, ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ତାଙ୍କ ପରିବାର ଲିଖିତ ଭାବେ ଏନେଇ ସରକାରଙ୍କୁ ଅନୁରୋଧ କରିବ । ମାତ୍ର ଇତିମଧ୍ୟରେ ସେହି ସମୟ ବିତିଯାଇଥିଲେ ମଧ୍ୟ ଦୀପାଳି ଓ ତାଙ୍କ ପରିବାର ନିରବ ରହିଛନ୍ତି । ବୋଧହୁଏ ନବଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ସୁରକ୍ଷା ପାଇଁ ହେଉ ଅବା ପରିବାରର ସୁରକ୍ଷା ନିମନ୍ତେ ଏହି ହତ୍ୟାର ପ୍ରକୃତ ଦୋଷୀଙ୍କୁ କାଠଗଡ଼ାକୁ ଆଣିବା ନିମନ୍ତେ ପରିବାର ଚାହୁଁନଥିବା ଚର୍ଚ୍ଚା ହେଉଛି ।

Naba Das Murder Deepali Das