Advertisment

କବଜାରୁ ମୁକୁଳିପାରୁନାହାନ୍ତି କି ନବୀନ, କାହିଁକି ବାରମ୍ବାର ପାଣ୍ଡିଆନଙ୍କୁ ଦେଉଛନ୍ତି କ୍ଲିନଚିଟ୍

ଯଦି ବାସ୍ତବରେ ନବୀନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କରେ ସଚେତନ ରହୁଥାନ୍ତେ, ତା’ହେଲେ ରାଜ୍ୟ ଓ ନିଜ ଦଳ ସହ ଜଡ଼ିତ ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ‘ସୋସିଆଲ ମିଡିଆରେ’ ମତ ରଖିପାରୁଥାନ୍ତେ ।

naveen patnaik

naveen patnaik

Advertisment

କୋଟିଏ ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ସତରେ କ’ଣ ଚାପଗ୍ରସ୍ତ? ଦଳ ଓ ସଂଗଠନକୁ ନିୟନ୍ତ୍ରଣରେ ରଖିବା ତାଙ୍କ ଦ୍ୱାରା ଆଉ ସମ୍ଭବପର ହେଉନାହିଁ କି? ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ତାମିଲନାଡୁ ଜନ୍ମିତ ଭିକେ ପାଣ୍ଡିଆନଙ୍କୁ କାହିଁକି ବାରମ୍ବାର କ୍ଲିନଚିଟ୍ ନବୀନ ଦେଉଛନ୍ତି? ୨୪ବର୍ଷର ଶାସନର ପତନର ଖଳନାୟକଙ୍କ ମଧ୍ୟରେ ପାଣ୍ଡିଆନଙ୍କ ନାଁ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କୁ କୋଳେଇ ରଖିବାରେ ନବୀନଙ୍କ କ’ଣ ବାଧ୍ୟବାଧକତା ରହିଛି? ଦଳର ବରିଷ୍ଠ ନେତାମାନଙ୍କଠୁ ଆରମ୍ଭ କରି ଶୁଭେଚ୍ଛୁମାନେ ବିଭିନ୍ନ ମାଧ୍ୟମରେ ପାଣ୍ଡିଆନଙ୍କ ରାଜନୀତିକ ମହାତ୍ୱାକାଂକ୍ଷା ଯୋଗୁ ବିଜେଡିର ପତନ ହେଲା କହୁଥିଲେ ମଧ୍ୟ ନବୀନ କାହିଁକି ନିରବ ରହୁଛନ୍ତି? ପ୍ରାୟୋଜିତ କାହାଣୀ ମାଧ୍ୟମରେ ନବୀନଙ୍କ ମୁହଁରେ ପାଣ୍ଡିଆନଙ୍କ ପ୍ରଶଂସା କରାଇବା ପଛରେ କାହାର କେଉଁ ସ୍ୱାର୍ଥ ପୂରଣ ହେଉଛି? ନବୀନ ଓ ପାଣ୍ଡିଆନଙ୍କୁ ନେଇ ଏଭଳି ନାନାଦି ପ୍ରଶ୍ନ ବିଜେଡି ଓ ରାଜନୀତିକ ମହଲରେ ଏବେ ଉଙ୍କି ମାରୁଛି । କିନ୍ତୁ ତା’ର ଉତ୍ତର ନବୀନ ସିଧାସଳଖ ନହେଲେବି ବୁଲେଇବଙ୍କେଇ ଦେବାରେ ଲାଗିଛନ୍ତି । ଯାହାକି ବିଜେଡିକୁ ଏକ ନିଶ୍ଚିତ ବିଭାଜନ ଆଡ଼କୁ ନେଇଯାଉଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ଏକ ଇଂରାଜୀ ଜାତୀୟ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ’ରେ ଆଜି ବିଜେଡି ସଂକ୍ରାନ୍ତୀୟ ଏକ ଖବର ଦିଲ୍ଲୀରୁ ପ୍ରକାଶିତ ହୋଇଛି । ରାଜନୀତିକ ଚର୍ଚ୍ଚା ଓ ସମ୍ଭାବନାକୁ ନେଇ ପ୍ରକାଶିତ ଏହି ଖବର ଯେତିକି ଗୁରୁତ୍ୱ ବହନ କରୁନଥିଲା କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଭେରିଫାଏଡ୍ ‘ଏକ୍ସ’ ଆକାଉଣ୍ଟରୁ ଉକ୍ତ ଖବରକୁ ଖଣ୍ଡନ କରିବାପରେ ଓଡ଼ିଶାରେ ବିଭିନ୍ନ ମହଲରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ନବୀନଙ୍କ ଦଳ ବିଜେଡିର ନେତାମାନେ ମଧ୍ୟ ନବୀନଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ଓ ମତିଗତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେଣି ।

ଆଜି ସକାଳେ ଏହି ଖବର ପ୍ରକାଶ ପାଇବା ପରେ ଦିନ ୧ଟା ୩୩ ମିନିଟରେ ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ଟ୍ୱିଟ୍ କରି ଖବରକୁ ମିଥ୍ୟା,ଉଦ୍ଦେଶ୍ୟପ୍ରଣୋଦିତ, ଅପମାନସୂଚକ ଓ ବଦନାମ ପାଇଁ ଉଦ୍ଦିଷ୍ଟ ବୋଲି କହିବା ସହ ପୁଣିଥରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି । ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ସମର୍ପିତ,ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ଏଥିପାଇଁ ସେ ପରିଚିତ ଓ ସମ୍ମାନିତ ମଧ୍ୟ ବୋଲି କହିଛନ୍ତି ।

Advertisment

ନବୀନଙ୍କ ଟ୍ୱିଟ୍ ପରେ ତାଙ୍କ ଦଳ ବିଜେଡି ମଧ୍ୟ ତା’ର ଭେରିଫାଏଡ୍ ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରୁ ୨ଟା ୨୭ମିନିଟରେ ନବୀନଙ୍କ କଥାକୁ ଦୋହରାଇଛି ।

ଅବଶ୍ୟ ଇତିମଧ୍ୟରେ ‘ଇଣ୍ଡିଆନ ଏକ୍ସପ୍ରେସ’ ନିଜର ଡିଜିଟାଲ ପ୍ଲାଟଫର୍ମରୁ ଏହି ଖବରକୁ ହଟାଇ ଦେଇଛି ।

ମାତ୍ର ପ୍ରଶ୍ନ ଉଠୁଛି, ଏହି ଖବରକୁ ନେଇ ନବୀନ ଓ ତାଙ୍କ ବିିଜେଡି ସୋସିଆଲ ୱିଙ୍ଗ ଓ ଦଳର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯେଭଳି ସକ୍ରିୟ ହୋଇ ଉଠିଲେ ତାହା ଅନେକ କିଛି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।

୧- ଦୀର୍ଘ ୨୪ବର୍ଷ ମଧ୍ୟରେ ଗଣମାଧ୍ୟମରେ ସାମ୍ବାଦିକଙ୍କ ଦ୍ୱାରା ଲିଖିତ ରିପୋର୍ଟ ଉପରେ ‍ନବୀନ କେବେ କୌଣସିଦିନ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ପ୍ରତିକ୍ରିୟା ରଖିନାହାନ୍ତି । ଏପରିକି ନିର୍ବାଚନରେ ପରାଜୟ ଓ ତାଙ୍କ ସମ୍ପର୍କରେ ଅନେକ ଖବର ପ୍ରକାଶ ପାଇଥିଲେ ମଧ୍ୟ ନବୀନ କେବେ ସେନେଇ ମୁହଁ ଖୋଲିବାର ନଜିର ନାହିଁ । ମାତ୍ର ଆଜି ସେ କାହିଁକି ଏଭଳି ପ୍ରତିକ୍ରିୟା ରଖିଲେ? ତା’ପୁଣି ‘ଏକ୍ସ’ ଆକାଉଣ୍ଟ ମାଧ୍ୟମରେ । ପାଣ୍ଡିଆନଙ୍କ ଚାପ ଓ ପ୍ରରୋଚନାରେ ନବୀନ ଏଭଳି ମତ ସୋସିଆଲ ମିଡିଆରେ ରଖିନାହାନ୍ତି ତ? ପାଣ୍ଡିଆନ ନିଜକୁ ଦଳରେ ପୁଣିଥରେ ସକ୍ରିୟ କରୁଥିବାବେଳେ ନବୀନଙ୍କ ମୁହଁରେ ନିଜର ଠିପି ଥାପୁଡ଼ାଇ ଦଳକୁ କବଜାକୁ ନେବାକୁ ଗୋଟି ଚଳାଉଛନ୍ତି କି?

୨- ଯଦି ବାସ୍ତବରେ ନବୀନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କରେ ସଚେତନ ରହୁଥାନ୍ତେ, ତା’ହେଲେ ରାଜ୍ୟ ଓ ନିଜ ଦଳ ସହ ଜଡ଼ିତ ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ‘ସୋସିଆଲ ମିଡିଆରେ’ ମତ ରଖିପାରୁଥାନ୍ତେ । ମାତ୍ର ସେଭଳି କ୍ୱଚିତ୍ ଦେଖିବାକୁ ମିଳିଥାଏ । ତେଣୁ ଏହି ଖବରକୁ ନେଇ ନବୀନ ଓ ବିଜେଡି ଯେଭଳି ତତ୍ପରତା ଦେଖାଇଲେ ତାହା ପଛରେ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକା ଥିବା ଚର୍ଚ୍ଚା ହେଉଛି । ଓଡ଼ିଆରେ ଲୋକକଥା ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ଭଳି ହୋଇଛି । ପୂର୍ବରୁ ଶାସନରେ ଥିବାବେଳେ ବିଜେଡି ନିଜର କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ମାଧ୍ୟମରେ କିଛି ଖବର ପ୍ରକାଶ କରି ନିଜ ଦଳର ନେତା,ବିରୋଧୀ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟାକୁ ମାପିଥାଏ ବୋଲି ଚର୍ଚ୍ଚା ହୋଇଥାଏ ।

୩- ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଦଳରେ ନବୀନ ନେତା ରହିଥିଲେ ମଧ୍ୟ ପାଣ୍ଡିଆନ ଏବେବି ପରଦା ପଛରେ ସକ୍ରିୟ ରହି ଯେଭଳି ଢଙ୍ଗରେ ଦଳକୁ ନିୟନ୍ତ୍ରଣକୁ ନେଇଛନ୍ତି ତାକୁ ବିଜେଡିର ବୃହତ୍ ଗୋଷ୍ଠୀ ହଜମ କରିବା ମୁଡରେ ନାହିଁ । ନବୀନଙ୍କୁ କରାୟତ କରି ପାଣ୍ଡିଆନ ଯେତେ ନିଜକୁ ପ୍ରଭାବଶାଳୀ ଓ ସକ୍ରିୟ କଲେ ମଧ୍ୟ ରାଜ୍ୟରେ ସାଧାରଣ ଲୋକ ଓ କର୍ମୀ ତାଙ୍କର ‘ତାମିଲ ଲିଙ୍କ୍ ’କୁ ସହଜରେ ଗ୍ରହଣ କରିବେ ନାହିଁ । ଯାହାକି ରାଜ୍ୟରେ ବିଜେଡିକୁ ପୁଣିଥରେ ସଂଗଠିତ ହେବାରେ ପ୍ରମୁଖ ସମସ୍ୟା ସୃଷ୍ଟି କରିବ ।

୪- ଦଳର ନେତାମାନେ ଏବେ ବିଭିନ୍ନ ଫୋରମରେ ସିଧାସଳଖ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ତଥା ଅସନ୍ତୋଷ ଜାହିର କରୁଥିବାରୁ ଦଳ ଉପରେ ପୁଣିଥରେ ସମ୍ପୂର୍ଣ୍ଣ  ନିୟନ୍ତ୍ରଣ ପାଇଁ ନବୀନଙ୍କ ମୁହଁରେ ପାଣ୍ଡିଆନ ନିଜର ପ୍ରଶଂସା କରାଉନାହାନ୍ତି ତ? ନହେଲେ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନଙ୍କ ନାଁରେ ଦଳ ବିଭାଜନର ଚର୍ଚ୍ଚା ହେବାପରେ ବି ନବୀନ ତାଙ୍କୁ ପ୍ରଶଂସା କରିନଥାନ୍ତେ । କାରଣ ୨୦୧୨ ମସିହାରେ ସମାନ ଚର୍ଚ୍ଚା ଓ ଅଭିଯୋଗ ଆସିବାପରେ ନବୀନ ଅତ୍ୟନ୍ତ ହ୍ରିଂସ ହୋଇ ନିଜର ତତକାଳୀନ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କୁ ବି ତଳିତଳାନ୍ତ କରିଦେଇଥିଲେ ।

ଚର୍ଚ୍ଚା ହେଉଛି, ନବୀନ ଏସବୁ ଦିଗକୁ ବୁଝୁଥିଲେ ମଧ୍ୟ ଅଦୃଶ୍ୟ କାରଣରୁ ସେ ପାଣ୍ଡିଆନଙ୍କ ଉପରେ ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଆଉ ପାଣ୍ଡିଆନଙ୍କ ଚାପରେ  ‘ସଖିକଣ୍ଢେଇ’ସାଜି ‘ପୋଷାଶୁଆ’ ଭଳି ଗଣମାଧ୍ୟମ ଆଗରେ ବୟାନ ରଖୁଛନ୍ତି ।

Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe