ଜୀବନ ପ୍ରତି ବିପଦ ଅଛି ନା ଥାଟ ଦେଖାଇବାକୁ ୪ ପିଏସଓ ନେଇଛନ୍ତି ମାନସ ମଙ୍ଗରାଜ

ଓଡ଼ିଶା ପୁଲିସର ସିକ୍ୟୁରିଟି ୱିଙ୍ଗ୍ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକ ଶେଷଥର ପାଇଁ ୨୦୨୩ ସେପ୍ଟେମ୍ବର ୧୮ତାରିଖରେ ଅନୁଷ୍ଠିତ ହୋଇ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଭିଭିଆଇପିମାନଙ୍କ ସୁରକ୍ଷା ସ୍ଥିତିର ସମୀକ୍ଷା ହୋଇଥିଲା ।

ବିଜେଡି ନେତା ମାନସ ମଙ୍ଗରାଜ(ଫାଇଲ ଫଟୋ)

  • Published: Saturday, 08 June 2024
  • , Updated: 08 June 2024, 10:11 PM IST

ଦୀର୍ଘ ୨୪ବର୍ଷର ବିଜେଡି ଶାସନକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟବାସୀ ବିଜେପିକୁ ବିପୁଳ ବିଜୟ କରିବା ପରେ ଏବେ ବିଜେଡି ନେତାମାନଙ୍କ କାରନାମା ପଦାକୁ ଆସିବାରେ ଲାଗିଛି । ମାତ୍ର ୬ବର୍ଷ ପୂର୍ବରୁ ବିଜେଡିରେ ସାମିଲ ହୋଇ ନିଜର ଗଡଫାଦର ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ମାଧ୍ୟମରେ ବିଜେଡି ସଂଗଠନରେ ହାକିମାତି ଜାହିର କରିପାରିଥିବା ମାନସ ରଞ୍ଜନ ମଙ୍ଗରାଜ ସାଧାରଣରେ ପତିଆରା ଦେଖାଇବାକୁ ରାଜ୍ୟ ପୁଲିସର ୪ଜଣ ଯବାନଙ୍କୁ ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସଓ) ଭାବେ ନିୟୋଜିତ କରିଥିବା ଜଣାପଡ଼ିଛି। ତେବେ ମାନସଙ୍କ ଜୀବନ ପ୍ରତି ବାସ୍ତବରେ ବିପଦ ଅଛି ନା କେବଳ ଥାଟ୍ ଦେଖାଇବାକୁ ୪ ପିଏସଓ ନେଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ନିଜର ଗଡ଼ଫାଦର ଡିଏସ କୁଟ୍ଟେଙ୍କ ଆଶୀର୍ବାଦରେ ୨୦୨୨ ଜୁନ୍ ମାସରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିବା ମାନସଙ୍କର ସୁରକ୍ଷାରେ ୪ଜଣ ପିଏସଓ ମୁତୟନ ହୋଇଛନ୍ତି । ରାଜ୍ୟରେ ୧୦ଜଣ ରାଜ୍ୟସଭା ସାଂସଦ ଥିଲେ ମଧ୍ୟ ରାଜ୍ୟ ସରକାର କାହାରିକୁ ଜଣେ ବି ପିଏସଓ ଦେଇନାହାନ୍ତି । କିନ୍ତୁ ମାନସ ନିଜର ପତିଆରା ଓ ଥାଟ୍ ଦେଖାଇବା ପାଇଁ ଜଣେ କି ଦୁଇଜଣ ନୁହେଁ ୪ଜଣ ପ୍ରଶିକ୍ଷଣପ୍ରାପ୍ତ ପୁଲିସ ଯବାନଙ୍କୁ ପିଏସଓ ଭାବେ ନେଇଛନ୍ତି । ତେବେ ରାଜ୍ୟ ସରକାର କେଉଁ ଆଧାରରେ ଏହି ଉଚ୍ଚ ପ୍ରଶିକ୍ଷଣପ୍ରାପ୍ତ ପୁଲିସ ଯବାନମାନଙ୍କୁ ତାଙ୍କ ସୁରକ୍ଷାରେ ମୁତୟନ କରିଥିଲେ ଓ ତାଙ୍କୁ ଏତେ ସଂଖ୍ୟକ ପିଏସଓ ଦେବା ପାଇଁ କିଏ ସୁପାରିଶ କରିଥିଲେ ତାହା ଜଣାପଡ଼ିନି ।

ଓଡ଼ିଶା ପୁଲିସର ସିକ୍ୟୁରିଟି ୱିଙ୍ଗ୍ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକ ଶେଷଥର ପାଇଁ ୨୦୨୩ ସେପ୍ଟେମ୍ବର ୧୮ତାରିଖରେ ଅନୁଷ୍ଠିତ ହୋଇ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଭିଭିଆଇପିମାନଙ୍କ ସୁରକ୍ଷା ସ୍ଥିତିର ସମୀକ୍ଷା ହୋଇଥିଲା । ତେବେ ଏହି ବୈଠକରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ପିଏସଓ ଭାବେ ୪ଜଣ ପୁଲିସ ଯବାନ ଦେବା ନେଇ କୌଣସି ନିଷ୍ପତ୍ତି ହୋଇନଥିଲା । ତାଙ୍କ ଜୀବନ ପ୍ରତି ବିପଦ କ’ଣ ପାଇଁ ଥିଲା ଓ ତା’ର ସମୀକ୍ଷା କେଉଁସ୍ତରରେ କିଏ କରିଥିଲା ଏବଂ  କାହା ନିର୍ଦ୍ଦେଶରେ ତାଙ୍କ ସୁରକ୍ଷାରେ ଏତେସଂଖ୍ୟକ ପିଏସଓ ମୁତୟନ ହୋଇଥିଲେ ତାହା କେବଳ ପୁଲିସ ଡିଜି କିମ୍ବା ଗୁଇନ୍ଦା ଡିଜି ହିଁ ଉତ୍ତର ଦେଇପାରିବେ ବୋଲି ଏହି ସୂତ୍ର କହିଛି।

ଏପଟେ ମିଳିଥିବା ସୂଚନା ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କ ସୁରକ୍ଷା ଦାୟିତ୍ୱରେ କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଯବାନ ଜେ.କେ ଭୋଳଙ୍କ ସମେତ ଜିଲ୍ଲା ପୁଲିସର ଜଣେ ଯବାନ ଓ ରାଜ୍ୟ ସ୍ପେଶାଲ ବ୍ରାଂଚ ସିକ୍ୟୁରିଟି ୱିଙ୍ଗର ୨ଜଣ ଯବାନଙ୍କୁ ମୁତୟନ କରାଯାଇଥିଲା । ତାଙ୍କର ପିଏସଓ ଭାବେ ନିୟୋଜିତ ଏହି ୪ଜଣ ଯବାନଙ୍କୁ ମାନସ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କ ପତ୍ନୀ ଓ ପୁଅ ଜିମ୍ , ମାର୍କେଟ ଓ ଅନ୍ୟାନ୍ୟ ସ୍ଥାନ ଆଦି ଯିବାବେଳେ ରାଜ୍ୟ ପୁଲିସର ଏହି ଉଚ୍ଚ ପ୍ରଶିକ୍ଷଣପ୍ରାପ୍ତ ପିଏସଓମାନେ ତାଙ୍କ ପାଖେ ଛାଇ ଭଳି ରହୁଥିଲେ । ମାନସ ନିଜର ଥାଟବାଟ ଓ ପତିଆରା ଦେଖାଇବାକୁ ଏହି ପୁଲିସ ଯବାନମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିଲେ । ଅବଶ୍ୟ ମାନସଙ୍କ ଗଡ଼ଫାଦର କୁଟ୍ଟେଙ୍କ ଭୟରେ ଏହି ପିଏସଓମାନେ ଚାକିରି ବଂଚାଇବା ପାଇଁ ମୁହଁ ଖୋଲିପାରୁନଥିଲେ ବୋଲି ସୂଚନା ମିଳିଛି।

ତେବେ ଗତ ୪ତାରିଖରେ ରାଜ୍ୟବାସୀ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପିକୁ ବିପୁଳ ବିଜୟ କରିବା ପରେ ୫ତାରିଖରେ ମାନସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ୱିଙ୍ଗର ୨ଜଣ ଯବାନ(ପିଏସଓ)ଙ୍କୁ ପ୍ରତ୍ୟାହାର କରିନିଆଯାଇଛି । ଏବେବି ତାଙ୍କର ପିଏସଓ ଭାବେ ଜିଲ୍ଲା ପୁଲିସର ଜଣେ ଯବାନ ଓ କମିଶନରେଟ ପୁଲିସ ଏସଏସବିର ଜଣେ ଯବାନ କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟର ଦୁଇ ରାଜନୀତିକ ଦଳ ବିଜେପି ଓ କଂଗ୍ରେସର ସଭାପତିଙ୍କୁ ରାଜ୍ୟ ସରକାର ମାତ୍ର ଜଣେ ଲେଖାଏଁ ପିଏସଓ ଦେଇଥିବାବେଳେ ମାନସ ଏବେବି କିଭଳି ୨ଜଣ ପିଏସଓ ରଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ମାନସଙ୍କ ଜୀବନ ପ୍ରତି କେଉଁ ବିପଦ ଆଶଙ୍କା କରି କେଉଁ ପୁଲିସ ଅଧିକାରୀ ଏତେ ସଂଖ୍ୟକ ପିଏସଓ ମୁତୟନ କରିବାକୁ ସୁପାରିଶ କରିଥିଲେ ତା’ର ଖୋଳତାଡ଼ ହେବା ର ଆବଶ୍ୟକତା ରହିଛି । ଏହାସହିତ ମାନସଙ୍କୁ ଦିଆଯାଇଥିବା ସୁରକ୍ଷାକର୍ମୀ କିଭଳି ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାରେ ମୁତୟନ ଥିଲେ ତା’ର ଖୋଳତାଡ଼ ହେବା ସହ ସମ୍ପୃକ୍ତ ଯବାନମାନଙ୍କୁ ଜେରା କରାଗଲେ ଆବଶ୍ୟକ ଉତ୍ତର ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

୨୦୧୮ ଏପ୍ରିଲ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ମାନସ ନିଜର ଗଡଫାଦର ଆଇପିଏସ୍ କୁଟ୍ଟେଙ୍କ ଆଶୀର୍ବାଦରେ ଖୁବକମ୍ ଦିନ ମଧ୍ୟରେ ବିଜେଡିରେ ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ । ପୂର୍ବରୁ କୌଣସି ନିର୍ବାଚନ ଜିତିନଥିବା ମାନସ ୨୦୨୨ ଜୁନ୍ ମାସରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଛନ୍ତି । ବିଜେଡିର ବହୁ ପୁରୁଖା ଓ ଯୋଗ୍ୟ ନେତାଙ୍କ ଅବଦାନକୁ ଅଣଦେଖା କରି ମାନସଙ୍କୁ ରାଜ୍ୟସଭା ପଠାଇବାରେ କୁଟ୍ଟେ ସକ୍ଷମ ହୋଇଥିଲେ । ବିଜେଡିକୁ ପରିଚାଳନା କରୁଥିବା ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସ ଓ ଡିଏସ କୁଟ୍ଟେ ୨୦୨୨ ମସିହାରେ ନିଜ ନିଜର ତୋଷାମଦକାରୀମାନଙ୍କୁ ରାଜ୍ୟସଭା ପଠାଇଥିଲେ । ଦଳରେ ଏନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ୩ଜଣଙ୍କ ଆକ୍ରୋଶ ଓ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେତେବେଳେ ଦଳୀୟ ନେତାମାନେ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।

Related story