Advertisment

ବିଡିଓଙ୍କୁ ମାଡ଼ ମାରିବା ସତ୍ତ୍ୱେ ଗିରଫ କରୁନି ପୁଲିସ, ସମ୍ପର୍କୀୟଙ୍କୁ ସୁରକ୍ଷା ଦେଉଛନ୍ତି ଚାନ୍ଦବାଲି ବିଧାୟକ

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଆଇଡ଼ ତା’ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି। ମାତ୍ର ଓଡ଼ିଶାରେ କେବେ ବି ଆଇନ ତା’ ବାଟରେ ଯାଏ ନାହିଁ ।

author-image
Ordigital Desk
BJP

BJP

ଚାନ୍ଦବାଲି ବିଡିଓ ତଥା ଜଣେ ପ୍ରଶାସନିକ ଅଫିସରଙ୍କୁ ମାଡ଼ ମାରିବାକୁ ନେଇ ଥାନାରେ ମାମଲା ଥିବା ସତ୍ତ୍ୱେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶ୍ୱଶୁର ଓ ଶାଳକଙ୍କୁ ପୁଲିସ ଗିରଫ କରୁନି । ସେମାନେ କ’ଣ ଆଇନର ଉର୍ଦ୍ଧ୍ୱରେ ବୋଲି ବିଜେପି ପ୍ରଶ୍ନ କରିବା ସହ ବିଧାୟକ ଶ୍ରୀ ରାୟଙ୍କ ଅଭଦ୍ର ଓ ଅପରାଧିକ ଆଚରଣକୁ ନେଇ ତାଙ୍କ ଉପରେ ବର୍ଷିଛି ।

Advertisment

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଆଇଡ଼ ତା’ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି। ମାତ୍ର ଓଡ଼ିଶାରେ କେବେ ବି ଆଇନ ତା’ ବାଟରେ ଯାଏ ନାହିଁ । ମମିତା ମେହେର ହତ୍ୟାକାଣ୍ଡ ହେଉ, ପରି ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ ମର୍ଡର ହେଉ, ଯେଉଁ ଯେଉଁ ଘଟଣାରେ ବିଜୁ ଜନତା ଦଳର ବିଧାୟକମାନଙ୍କର ସମ୍ପୃକ୍ତି ଥିଲା ସେ ସବୁ ଘଟଣାରେ ଆଇନ ଦୋଷୀ ବିଧାୟକମାନଙ୍କ ପାଖରେ ପହଂଚିପାରିଲା ନାହିଁ । ଲାଗିଲା ଯେମିତି ବିଜୁ ଜନତା ଦଳର ବିଧାୟକମାନେ ଆଇନର ଉପରେ, ହେଲେ ଏବେ ବିଧାୟକଙ୍କ ଶାଳକ, ଶ୍ୱଶୁରମାନେ ବି ଆଇନର ଉପରେ ହୋଇଗଲେଣି । କିଛି ଦିନ ତଳେ ଚାନ୍ଦବାଲିର ବିଡିଓଙ୍କୁ ସର୍ବସମ୍ମୁଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶାଳକ, ଶ୍ୱଶୁର ଓ ବିଜୁ ଜନତା ଦଳର ଜଣେ ଜିଲ୍ଲା ପରିଷଦ ସଭ୍ୟ ମାଡ଼ ମାରିଲେ । ଏନେଇ ପୋଲିସ ଏଫଆଇର ମଧ୍ୟ ରୁଜୁ କରିଛି ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଲଟା ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତ ସମୟରେ ଏହି ୩ ଅଭିଯୁକ୍ତ  ଭଦ୍ରକରେ ବୁଲୁଥିଲେ । ପୁଲିସ ସେମାନଙ୍କୁ ଗିରଫ କିମ୍ବା ଅଟକ ରଖିଲା ନାହିଁ । ବିଜେଡି ବିଧାୟକଙ୍କ ସର୍ମ୍ପକୀୟ ହୋଇଗଲେ ସେମାନେ କ’ଣ ଆଇନର ଉପରେ କି ବୋଲି ବିଜେପି ପ୍ରଶ୍ନ କରିଛି ।

ସେହିପରି ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଚାନ୍ଦବାଲି ବିଧାୟକ ଆଗରୁ ନିଜର ଅଭଦ୍ର ଓ ଅପରାଧିକ ଆଚ୍ଚରଣ ପାଇଁ ନିନ୍ଦିତ ହୋଇଛନ୍ତି । କିଛିଦିନ ତଳେ ବିଧାୟକ ନିଜେ ଏହି ସେହି ବିଡିଓଙ୍କୁ ଅପଦସ୍ତ କରିବା ପାଇଁ ଯାଇ ତାଙ୍କ ଚେୟାରରେ ବସିଯାଇଥିଲେ । ପରେ ସେହି ବିଡିଓଙ୍କୁ ନିଜ ସର୍ମ୍ପକୀୟଙ୍କ ଦ୍ୱାରା ମାଡ଼ ମରାଇଲେ । ୨୦୧୯ ମସିହାରେ ଚାନ୍ଦବାଲି ବିଷାକ୍ତ ମଦମୃତ୍ୟୁ ଘଟଣାରେ ୯ ଜଣ ଲୋକଙ୍କ ଜୀବନ ଯାଇଥିଲା ସେଥିରେ ବିଧାୟକଙ୍କ ସମ୍ପୃକ୍ତି ବି ଥିଲା । ସେହିପରି ୨୦୧୬ ମସିହାରେ ବିଧାନସଭା ଭିତରେ ଜାତୀୟ ସଙ୍ଗୀତ ପ୍ରତି ଅବମାନନା କରିବା ପରେ ଜେଲ ଦଣ୍ଡ ଭୟରେ ନିଜେ ବ୍ୟୋମକେଶ କ୍ଷମା ମାଗିଥିଲେ । ୨୦୨୨ ମସିହାରେ ଦିଲ୍ଲୀ ବିମାନ ବନ୍ଦରରେ ନିଜେ ବ୍ୟୋମକେଶ ରାୟ ଓ ଆଉ କିଛି ବିଜେଡି ବିଧାୟକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ହଙ୍ଗାମା କରିବାରୁ ତାଙ୍କ ପାଇଁ ଏକ ବିମାନ ଦିଲ୍ଲୀରୁ ଛାଡ଼ିବାରେ ଅଧ ଘଂଟା ବିଳମ୍ବ ହୋଇଥିଲା । ପରେ ବିମାନ ଚାଳକ ଏମାନଙ୍କୁ ସେଦିନ ଆଣିଲେ ନାହିଁ । ସେମାନଙ୍କର ଲଗେଜ ସେଦିନ ରାତିରେ ଆସିଥିଲା ହେଲେ ସେମାନେ ତାର ପରଦିନ ସକାଳେ ଆସିଲେ । ତେଣୁ ଏଭଳି କାଣ୍ଡ କାରନାମା କରୁଥିବା ବିଧାୟକ ଓ ତାଙ୍କ ସର୍ମ୍ପକୀୟମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ଭଦ୍ରକବାସୀ ପ୍ରଶ୍ନ କରୁଛନ୍ତି । ଏହି ଅବସରରେ ବିଜେପି  ମିଡିଆ ସେଲର ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

Advertisment
Bjp State Bjp