Advertisment

କାହିଁକି କଂଗ୍ରେସ ପାଇଁ କାଳ ସାଜିବେ ଟିଏମସିର ଶତ୍ରୁଘ୍ନ ସିହ୍ନା?

ଦିଲ୍ଲୀ ବିଧାନସଭା ନିର୍ବାଚନ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକୁ ଛନଛତ୍ର କରି ଦେଇଛି।

author-image
Hemant Lenka
Rahul Gandhi

Rahul Gandhi

ଦିଲ୍ଲୀ ବିଧାନସଭା ନିର୍ବାଚନ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକୁ ଛନଛତ୍ର କରି ଦେଇଛି। କଂଗ୍ରେସ ଓ ଆପ୍‌ ଇଣ୍ଡିଆ ବ୍ଲକର ସଦସ୍ୟ। କିନ୍ତୁ ଦିଲ୍ଲୀ ବିଧାନସଭାରେ ଅଧିକାଂଶ ଇଣ୍ଡିଆ ବ୍ଲକର ସଦସ୍ୟ କଂଗ୍ରେସ ବଦଳରେ ଏହାର ପ୍ରତିପକ୍ଷ ଆପ୍‌କୁ ସମର୍ଥନ ଦେଇଛନ୍ତି। ଆପ୍‌ ବିରୋଧୀଙ୍କ ବଳ ପାଇ ଆହୁରି ଜୋରଦାର ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛି। ଏସବୁ ଭିତରେ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ଦଳର ସାଂସଦ ତଥା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ପାଇଁ ପ୍ରଚାର କରିବାକୁ କହିଛି।

Advertisment

ଆପ୍‌ ପାଇଁ ଶତ୍ରୁଘ୍ନଙ୍କ ପ୍ରଚାର କଂଗ୍ରେସ ପାଇଁ କାଳ ସାଜିବା ସହ ଅତ୍ୟନ୍ତ କଷ୍ଟ ଦେବ। କାରଣ କଂଗ୍ରେସର ପ୍ରମୁଖ ଚେହେରା ରାହୁଲ ଗାନ୍ଧି ହିଁ ଶତ୍ରୁଘ୍ନଙ୍କ ପାଇଁ ଦିନେ ଓକିଲାତି କରିଥିଲେ। ପ୍ରଥମେ ଶତ୍ରୁଘ୍ନ ବିଜେପିରେ ଥିଲେ। ହେଲେ ରାହୁଲ ଗାନ୍ଧିଙ୍କ ପାଇଁ ସେ କଂଗ୍ରେସକୁ ଆସିଥିଲେ। ଏହାପରେ ଦଳ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ବେଳେ ବିହାରର ପାଟନା ସାହିବରୁ ପ୍ରାର୍ଥୀ ମଧ୍ୟ କରିଥିଲା। ଶତ୍ରୁଘ୍ନଙ୍କୁ ସବୁବେଳେ ରାହୁଲ ଗାନ୍ଧିଙ୍କ ଖାସ ବୋଲି କୁହାଯାଏ। ଏବେ କିନ୍ତୁ ଶତ୍ରୁଘ୍ନ ଦିଲ୍ଲୀରେ କଂଗ୍ରେସ ବିରୋଧରେ ପ୍ରଚାର କରିବାକୁ ଆସୁଛନ୍ତି।

ଶତ୍ରୁଘ୍ନ ତାଙ୍କ ଅଗ୍ନିବର୍ଷୀ ଭାଷଣ ପାଇଁ ବେଶ ପରିଚିତ। ନିଜର ସିନେମା ଡାଏଲଗ ଖାମୋଶ ପାଇଁ ବି ସେ ଚର୍ଚ୍ଚିତ। ଏହି ଖାମୋଶ ଷ୍ଟାରଙ୍କ ଡାଏଲଗକୁ ଆପ୍‌ ନିଜ ସପକ୍ଷରେ ବ୍ୟବହାର କରି କଂଗ୍ରେସ ଓ ବିଜେପି ଚୁପ କରିବାକୁ ଯୋଜନା କରିଛି।

Advertisment

ଆପ୍‌ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଅଭିଯାନରୁ ଜନ୍ମ ନେଇଥିଲା। ଏବେ କିନ୍ତୁ ଦଳ ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ଫସିଛି। ଦଳର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଏକାଧିକ ବରିଷ୍ଠ ନେତା ଗିରଫ ହୋଇ ବେଶ କିଛି ମାସ ତିହାର ଜେଲରେ ବନ୍ଦୀ ଜୀବନ ମଧ୍ୟ କାଟିଥିଲେ। ଅବଶ୍ୟ ଏହି ମାମଲାକୁ ଆପ୍‌ ରାଜନୀତିକ ପ୍ରତିଶୋଧର ଆଖ୍ୟା ଦେଇଛି, ତଥାପି ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ ଆଣ୍ଡ କୋକୁ ଘେରିବାରେ ଲାଗିଛି।

କେଜ୍ରିୱାଲ ଗିରଫଦାରୀ ପରେ ବେଲରେ ବାହାରେ ଅଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏବେ ନିର୍ବାଚନରେ ଲୋକଙ୍କ ରାୟକୁ ଅପେକ୍ଷା କରିଛନ୍ତି। ନିର୍ବାଚନ ରେଜଲ୍ଟ କେଜ୍ରିୱାଲ ଦୁର୍ନୀତିରେ ସାମିଲ ରହିଛନ୍ତି କି ନାହିଁ, ସେକଥା ପ୍ରମାଣିତ କରିବ ବୋଲି ଆପ୍‌ କହିଛି। ଏପରି ଏକ ହାଇଭୋଲଟେଜ ନିର୍ବାଚନ ମଧ୍ୟରେ ଇଣ୍ଡିଆ ବ୍ଲକର ସଦସ୍ୟ ଥିବା ଟିଏମସି, ସପା, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ପ୍ରମୁଖ କଂଗ୍ରେସ ବଦଳରେ ଆପ୍‌ର ହାତକୁ ମଜବୁତ କରିଛନ୍ତି। ଆପ୍‌ ହିଁ କଂଗ୍ରେସକୁ ହଟାଇ ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଆପ ପୂର୍ବରୁ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀକୁ ଶାସନ କରୁଥିଲା।

ଏବେ ଆପ୍‌କୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ଓ ବିଜେପି ଲାଗି ପଡ଼ିଛନ୍ତି। କିନ୍ତୁ ଏବେ ଟିଏମସିର ସାଂସଦ ଶତ୍ରୁଘ୍ନ ଆପ ପାଇଁ ପ୍ରଚାର କରିବା ଖବର କଂଗ୍ରେସକୁ ଝଟକା ଦେଇଛି।ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ଦିଲ୍ଲୀର ଯମୁନା ଅଞ୍ଚଳରେ ବେଶ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି। କାରଣ ଏଠାରେ ପୂର୍ବାଞ୍ଚଳର ଭୋଟରଙ୍କ ସଂଖ୍ୟା ଅଧିକ। ଦିଲ୍ଲୀର ମୋଟ ଭୋଟରଙ୍କ ମଧ୍ୟରେ ପୂର୍ବାଞ୍ଚଳୀଙ୍କ ସଂଖ୍ୟା ୩୩%। ଏଥିପାଇଁ ବିଜେପି ବିହାରୀ ସେଲେବ୍ରିଟି ମନୋଜ ତିୱାରୀ ଓ ରବି କିଷନଙ୍କୁ ଏଠାରେ ଭୋଟରଙ୍କୁ ଆକୃଷ୍ଟ କରିବା କାମରେ ଲଗାଇଛି। ଏପରି ସ୍ଥିତିରେ ଆପ୍‌ ପାଇଁ ବିହାରୀ ବାବୁ ଆସୁଛନ୍ତି।

ସୂତ୍ର ଅନୁସାରେ ଶତ୍ରୁଘ୍ନ ସିହ୍ନା ଆପ୍‌ ପାଇଁ ଫେବୃଆରୀ ୧ ଓ ୨ରେ ମୋଟ ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ଆସନସୋଲର ସାଂସଦ ସିହ୍ନା ସମ୍ଭବତଃ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ ଆତିଶୀ ପ୍ରାର୍ଥୀ ହୋଇଥିବା କାଲକାଜୀ ଓ ଭେଟରାନ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିବା ଜଙ୍ଗପୁରାରେ ପ୍ରଚାର କରିବେ।

କେବଳ ଟିଏମସି ନୁହେଁ, ଇଣ୍ଡିଆ ବ୍ଲକର ସଦସ୍ୟ ଅଖିଲେଶ ଯାଦବଙ୍କ ସପା ମଧ୍ୟ କିଛି ସାଂସଦଙ୍କୁ ଆପ ପାଇଁ ପ୍ରଚାର କରିବାକୁ ପଠାଇବ। କିନ୍ତୁ ଆପ ପାଇଁ ଶତ୍ରୁଘ୍ନଙ୍କ ପ୍ରଚାର ବିଜେପି ତୁଳନାରେ କଂଗ୍ରେସକୁ ଅଧିକ କଷ୍ଟ ଦେବ। କାରଣ ସିହ୍ନା ହେଉଛନ୍ତି କଂଗ୍ରେସର ପୂର୍ବତନ ସଦସ୍ୟ।

କଂଗ୍ରେସ ୨୦୧୯ରେ ତାଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରିଥିଲେ ହେଁ ଶତ୍ରୁଘ୍ନଙ୍କୁ ବିଜେପିର ରବି ଶଙ୍କର ପ୍ରସାଦଙ୍କ ଠାରୁ ୨.୮୪ ଲକ୍ଷ ଭୋଟରେ ହାରିବାକୁ ପଡ଼ିଥିଲା। ୨୦୨୨ରେ ସେ କଂଗ୍ରେସ ଛାଡ଼ି ଟିଏମସିରେ ମିଶିଥିଲେ। କଂଗ୍ରେସରେ ଥିବା ବେଳେ ଶତ୍ରୁଘ୍ନ କଂଗ୍ରେସକୁ ଭାରତର ରାଜନୀତିକ ଭବିଷ୍ୟତ ବୋଲି କହୁଥିଲେ। ହେଲେ ଟିଏମସିରେ ମିଶିବା ପରେ ତାଙ୍କ ସ୍ୱର ବଦଳି ଯାଇଥିଲା। ଏବେ ସେ କଂଗ୍ରେସ ବିରୋଧରେ ସିଧାସଳଖ ପ୍ରଚାର କରିବାକୁ ମଧ୍ୟ ଦିଲ୍ଲୀ ଆସୁଛନ୍ତି।

Congress TMC Shatrughan Sinha AAP Delhi Election