OPCC President Bhakta Das And Others During Odisha Bandh
ଭୁବନେଶ୍ୱର : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଓ ୮ଟି ଦଳ ପକ୍ଷରୁ ଜୁଲାଇ ୧୭ ତାରିଖ ଗୁରୁବାର ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳିତ ହୋଇଥିଲା। ରାଜ୍ୟବ୍ୟାପୀ ‘ବନ୍ଦ’ ଯୋଗୁ ଦୋକାନବଜାର, ଗାଡ଼ି ଚଳାଚଳ ଆଂଶିକ ପ୍ରଭାବିତ ହୋଇଥିବାବେଳେ ଅଧିକାଂଶ ଅଂଚଳରେ ସ୍ଥିତି ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା। କଟକ-ଭୁବନେଶ୍ୱରରେ ବନ୍ଦର ମିଶ୍ରିତ ପ୍ରଭାବ ପଡ଼ିଥିଲା। ମୋଟାମୋଟ ଭାବେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ‘ବିଜେଡି’ ନିଜର ପ୍ରତିବାଦକୁ ଗୋଟିଏ ଜିଲ୍ଲା ମଧ୍ୟରେ ସୀମିତ ରଖିଥିବାବେଳେ କଂଗ୍ରେସ ପାଇଁ ‘ବନ୍ଦ’ କାର୍ଯ୍ୟକ୍ରମ ସଫଳ ଓ ଶାନ୍ତିପୂର୍ଣ୍ଣ ହେବା ସିଧାସଳଖ ଭାବେ ସଂଗଠନକୁ କ୍ରିୟାଶୀଳ କରିବାରେ ‘ସଞ୍ଜିବନୀ’ ଯୋଗାଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ଏଥିରେ ଉତ୍ସାହିତ ହୋଇ ନିଜର ଆନ୍ଦୋଳନକୁ ଜିଲ୍ଲାସ୍ତରକୁ ନେବ ବୋଲି ସଙ୍କେତ ଦେଇଛି।
୧୨ଟା ପରେ ପିକେଟିଂ ନାହିଁ, ପରିବହନ ସେବା ଆଂଶିକ ପ୍ରଭାବିତ
ବନ୍ଦ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର ଓ ଅନ୍ୟ ସହରାଂଚଳରେ ସାଧାରଣ ଜୀବନ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। ଦୋକାନ, ବଜାର, ସ୍କୁଲ, କଲେଜ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଓଡ଼ିଶା ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ସମସ୍ତ ଇନ୍ଧନ ବିକ୍ରୟ କେନ୍ଦ୍ର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରଖିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ସହଯୋଗୀ ଦଳଗୁଡ଼ିକର କର୍ମୀମାନଙ୍କ ପିକେଟିଂ ଏବଂ ରାସ୍ତା ଓ ରେଳ ଅବରୋଧ ଯୋଗୁଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଭଦ୍ରକ, ପୁରୀ, ଜଟଣୀ ଓ ଅନ୍ୟ ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ ଟ୍ରେନ ଚଳାଚଳକୁ ବାଧା ଦେଇଥିଲେ। ଜାତୀୟ ରାଜପଥ ଓ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଚକାଜାମ ହୋଇଥିଲା, ଯାହା ଯାତାୟାତକୁ ପ୍ରଭାବିତ କରିଥିଲା। ଟ୍ରେନଗୁଡ଼ିକ ବିଳମ୍ବରେ ଯାତାୟତ କରିଥିଲା। ତେବେ ଏହି ବନ୍ଦରୁ ଆମ୍ବୁଲାନ୍ସ, ଔଷଧ ଦୋକାନ, ମେଡିକାଲ ସେବା ଓ ଦୁଗ୍ଧ ବିକ୍ରୟ କେନ୍ଦ୍ରଗୁଡ଼ିକ ବାଦ୍ ପଡ଼ିଥିଲେ। କିଛି ସ୍ଥାନରେ କଂଗ୍ରେସ ଓ ସହଯୋଗୀ ଦଳର କର୍ମୀମାନେ ଜୋରଜବରଦସ୍ତି ଲୋକଙ୍କୁ ବନ୍ଦକୁ ସମର୍ଥନ ପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଦିନ ପ୍ରାୟ ୧୨ଟା ପରେ ପିକେଟିଂ ଦେଖିବାକୁ ମିଳିନଥିଲା।
ପୁଲିସର କାର୍ଯ୍ୟାନୁଷ୍ଠାନ, କଂଗ୍ରେସ ନେତା ଅଟକ
କଂଗ୍ରେସ ଓ ଅନ୍ୟ ଦଳର ନେତାମାନେ ବନ୍ଦ ପାଳନବେଳେ ଲୋକସେବା ଭବନକୁ ଯିବା ସମୟରେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଭୁବନେଶ୍ୱରରେ କଂଗ୍ରେସ ନେତା ଅଜୟ କୁମାର ଲାଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟ କିଛି ବରିଷ୍ଠ ନେତାମାନଙ୍କୁ ପୁଲିସ ଅଟକ କରିଥିଲା। ର।ଜ୍ୟ ସରକାର ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଓ କଟକରେ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରାଯାଇଥିଲା। ପୁଲିସ କମିଶନର ଦେବଦତ୍ତ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ବନ୍ଦ ବିଶେଷ ପ୍ରଭାବ ପକାଇ ନାହିଁ। ପୁଲିସର ତତ୍ପରତା ଯୋଗୁ ବନ୍ଦ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି ଓ କୌଣସି ହିଂସାତ୍ମକ ଘଟଣା ହୋଇନାହିଁ ବୋଲି ସେ କହିଛନ୍ତି।
କଂଗ୍ରେସ ବନ୍ଦକୁ ୮ଟି ଦଳର ସମର୍ଥନ
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳିତ ହୋଇଥିବା ଏହି ବନ୍ଦକୁ କଂଗ୍ରେସ ସମେତ ସିପିଆଇ, ସିପଏମ୍, ସିପିଆଇଏମଏଲ, ଫରୱାର୍ଡ ବ୍ଲକ, ଆରଜେଡି, ସମାଜବାଦୀ ପାର୍ଟି ଓ ଏନସିପି ଭଳି ଦଳଗୁଡ଼ିକ ସମର୍ଥନ କରିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ରାଜନୀତି ପାଇଁ ଏହି ବନ୍ଦ ନୁହେଁ, ବରଂ ଓଡ଼ିଶାର ଝିଅମାନଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଏକ ଆନ୍ଦୋଳନ। ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ବିଚାର ବିଭାଗୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ସେହିପରି ସିପିଆଇଏମ୍ ନେତା ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି ଯେ, ଏହି ବନ୍ଦ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯେଉଁଥିରେ ସାଧାରଣ ଜନତାଙ୍କ ସମର୍ଥନ ମିଳିଛି। ବନ୍ଦକୁ ସଫଳ କରିଥିବାରୁ ସମସ୍ତ ଦଳ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ବର୍ଷିଲେ ଅପରାଜିତା
ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ତି ଓ ସବୁପ୍ରକାରର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯିଏବି ଦୋଷୀ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିସାରିଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। କିନ୍ତୁ କଂଗ୍ରେସ ଓ ବିଜେଡିକୁ ଏହି ଘଟଣାକୁ ରାଜନୀତିକରଣ କରିବାକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବିରୋଧୀ ବିଜେଡି ଓ କଂଗ୍ରେସ ଏହି ଘଟଣାରେ ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି ବୋଲି ସେ କହିଛନ୍ତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ବିଜେଡି ଓ କଂଗ୍ରେସ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। ନାରୀ ହିଂସା ମାମଲାରେ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି। ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ମଧ୍ୟ ବିଜେଡି ଓ କଂଗ୍ରେସ ନେତାଙ୍କ ଦ୍ୱାରା ଅସୁରକ୍ଷିତ ଅନୁଭବ କରୁଛନ୍ତି ଓ ଏନେଇ ଭୋଗରାଇ ଥାନାରେ ଏତଲା ରୁଜୁ କରିଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752815973.jpeg)