Advertisment

କଂଗ୍ରେସକୁ ଫେରିବେ କି ପ୍ରଫୁଲ୍ଲ ଓ ଭୂପିନ୍ଦର

ନବନିଯୁକ୍ତ ପିସିସି ସଭାପତି ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରି ନେବା ପରେ ଆଜି କଂଗ୍ରେସ ଭବନକୁ ଆସିଥିଲେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ।

ଅଦ୍ୟତନ ହୋଇଛି
Prafulla and Bhupinder

Prafulla and Bhupinder

Advertisment

ପ୍ରାୟ ସାଢ଼େ ୬ ମାସ ଧରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱବିହୀନ ରହିଥିବା ବେଳେ ଚାରି ଦିନ ତଳେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖିଆ। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ସେ ସଭାପତି ହେବା ପରେ ଗତକାଲି ନେଇଛନ୍ତି ଏକ ବଡ଼ ପଦକ୍ଷେପ। ରାଜ୍ୟର ଯେଉଁ କଂଗ୍ରେସ ନେତାଙ୍କୁ କୌଣସି କାରଣରୁ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ସେ ପ୍ରତ୍ୟାହାର କରି ନେଇଛନ୍ତି। ସେହିପରି ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ।

Advertisment

ପିସିସି ସଭାପତି ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେବା ପରେ ଆଜି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନକୁ ଆସିଥିଲେ ବରିଷ୍ଠ ନେତା ସୁରେଶ କୁମାର ରାୟଉତରାୟ। ୯ ମାସ ପରେ ସେ କଂଗ୍ରେସ ଭବନକୁ ଆସିଥିଲେ। ସୁରଙ୍କ ଘର ବାହୁଡ଼ା ବେଳେ ତାଙ୍କ ସହିତ ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିଥିବାରୁ ସେ ଭାବବିହ୍ୱଳ ହୋଇଯାଇଥିଲେ ଓ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୁର କହିଥିଲେ, ୯ ମାସ ବହୁତ ଯନ୍ତ୍ରଣାରେ ରହିଥିଲି। କିଛି କୁଚକ୍ରୀ ଷଡ଼ଯନ୍ତ୍ର କରି ମୋତେ ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ମୁଁ ଫେରିଲି। ମୁଁ ବହୁତ ଖୁସି ଅଛି। ଆଉ କନ୍ଦଳ ରହିବନି। ଆମେ ମିଳିମିଶି ସଂଗଠନ ପାଇଁ କାମ କରିବୁ।

Advertisment

ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କିଛି ନେତା ପୁଣି ଦଳକୁ ଫେରିବା ନେଇ ପରୋକ୍ଷରେ ଇସାରା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ପ୍ରଫୁଲ ମାଝୀ। 

ଡାକ୍ତର ମାଝୀ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କଲା। ହେଲେ କୌଣସି ପ୍ରତିଶ୍ରୁତି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲି। ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା। ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ। ଏହି ଦଳର ଭବିଷ୍ୟତ କିଛି ନାହିଁ। ଏଠି ଫୋନ୍‌ କଲେ ଉଠାନ୍ତି ନାହିଁ। ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି। ସେ ଦଳକୁ ପୁର୍ନଜୀବିତ କରିପାରିବେ। ଘରକୁ ଫେରିବି କି ନ ଫେରିବି ଏବେଠୁ କହିପାରିବି ନାହିଁ।

ସେହିପରି କଂଗ୍ରେସକୁ ଫେରିବା ନେଇ ଭୂପିନ୍ଦର ସିଂହ ସିଧାସଳଖ ହଁ ଭରି ନଥିଲେ ହେଁ, ମନା ମଧ୍ୟ କରି ନାହାନ୍ତି। ସେ ସମୟକୁ ଅପେକ୍ଷା କରିବାକୁ କହିଛନ୍ତି। ଏହା ସହିତ ଭକ୍ତ ଦାସଙ୍କ ପଦକ୍ଷେପ ନେଇ କହିଛନ୍ତି ଯେ ସବୁ ଦଳ ସଂଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ କଥା।

କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ୨୦୨୪ରେ ବଲାଙ୍ଗିର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ସୁରେନ୍ଦ୍ର ସିଂହ ଭୋଇ ମଧ୍ୟ ତାଙ୍କର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଦଳର (ବିଜେଡିର) ଖରାପ ସମୟରେ ଏହାକୁ ଛାଡ଼ି ଯିବା ଠିକ୍ ହେବ ନାହିଁ।

କଂଗ୍ରେସ ଟିକେଟରେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ର ସିଂହ ଭୋଇ। ଦୁଇ ଥର ସଇଁତଳାରୁ ଓ ଥରେ ଟିଟିଲାଗଡ଼ ଆସନରୁ ସେ ବିଧାନସଭାକୁ ଯାଇଥିଲେ। କିନ୍ତୁ ଗତ ନିର୍ବାଚନ ବେଳେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ଲୋକସଭା ପାଇଁ ଲଢ଼ିଥିଲେ। ସେହିପରି ତିନି ଥର ବିଧାୟକ ହୋଇଥିବା ଡାକ୍ତର ପ୍ରଫୁଲ ମାଝୀ ୨୦୨୧ ଡିସେମ୍ବର ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ୨୦୨୪ରେ ବିଜେଡି ତାଙ୍କୁ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରି ନଥିଲା। ଦଳ ଭବାନୀ ଶଙ୍କର ଭୋଇଙ୍କୁ ରିପିଟ୍ କରିଥିଲା ଓ ସେ ବିଜୟୀ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ବେଳେ ତତ୍‌କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅପ୍ରତ୍ୟାଶିତ ଢଙ୍ଗରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନର୍ଲାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଭୂପିନ୍ଦର ୨୦୧୯ରେ ବିଜେଡି ଟିକେଟରେ ନର୍ଲାରୁ ଜିତିଥିଲେ। କିନ୍ତୁ ୨୦୨୪ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା, ଯାହା ଏହି ବରିଷ୍ଠ ନେତାଙ୍କୁ ଏକ ବଡ଼ ଧକ୍କା ଥିଲା। 

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ନେତାଙ୍କ ତାଲିକାରେ ଆହୁରି ଅନେକ ଅଛନ୍ତି। ୨୦୨୧ରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ ପ୍ରଦୀପ ମାଝୀ। ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଦଳ ୨୦୨୪ ନିର୍ବାଚନରେ ତାଙ୍କୁ ନବରଙ୍ଗପୁର ଲୋକସଭା ଆସନରେ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ହାରି ଯାଇଥିଲେ। ଚିରଞ୍ଜୀବ ବିଶ୍ୱାଳ ଗତ ନିର୍ବାଚନ ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ସେହିପରି ଗଣେଶ୍ୱର ବେହେରା ଗତ ନିର୍ବାଚନ ବେଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ଓ ଦଳ ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଗତ ନିର୍ବାଚନ ବେଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡି ଟିକେଟରେ ଖରିଆର ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ଭୂପିନ୍ଦର ସିଂହ, ପ୍ରଦୀପ ମାଝୀ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସ୍ଥିତି ବର୍ତ୍ତମାନ ବିଜେଡିରେ କ’ଣ, ସେମାନେ କଂଗ୍ରେସକୁ ଫେରିବେ ନା ନାହିଁ, ତାହା ତ ଜଣାପଡ଼ିନି, କିନ୍ତୁ ଗଣେଶ୍ୱର ଓ ଅଧିରାଜ ଏବେ ଫେରିଲା ଭଳି ଲାଗୁନି। କାରଣ ସେମାନେ ବିଜେଡି ଟିକେଟରେ ଜିତି ବିଧାୟକ ହୋଇଛନ୍ତି।

Congress Bhupinder Singh Prafulla Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe