Advertisment

ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?

ଶିବ ସେନାର ମୁଖପତ୍ର ‘ସାମନା’ରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁମାନେ ହିମାଳୟର ଛାଇ ତଳେ ବାସ କରୁଛନ୍ତି, ସେମାନେ ତା’ଠାରୁ ନିଜକୁ ବଡ଼ ବୋଲି ଚିନ୍ତା କରିବା ଉଚିତ୍ ନୁହେଁ।

Uddhav and Raj

Uddhav and Raj

Advertisment

ଏକାଠି ହେବେ କି ଉଦ୍ଧବ ଠାକରେ ଓ ରାଜ ଠାକରେ? ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ? ଉଦ୍ଧବ ଓ ରାଜ ଠାକରେ ଦେଇଥିବା କିଛି ମନ୍ତବ୍ୟ ପରେ ସ୍ୱାଭାବିକ ଭାବେ ଏଭଳି ପ୍ରଶ୍ନ ଉଠିଛି।

Advertisment

ଏକ ପୋଡକାଷ୍ଟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ କହିଛନ୍ତି, ଉଦ୍ଧବ ଓ ମୋ ଭିତରେ ଥିବା ବିବାଦ ଭାରି ମାମୁଲି। ମହାରାଷ୍ଟ୍ର ସେ ସବୁ ଜିନିଷଠାରୁ ଖୁବ୍ ବଡ଼। ଏହି ମତଭେଦଗୁଡ଼ିକ ମହାରାଷ୍ଟ୍ରର ଅସ୍ଥିତ୍ୱ ଓ ମରାଠୀ ଲୋକଙ୍କ ଉପରେ ଭାରି ପଡ଼ୁଛି। ଏକାଠି ହେବା ଏକ କଷ୍ଟକର ପାଠ ନୁହେଁ। ଏଥିପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି।

ରାଜଙ୍କ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିବାର କିଛି ସମୟ ପରେ ଉଦ୍ଧବ ଠାକରେ କହିଥିଲେ ଯେ ସେ ଏକାଠି ହେବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଏଥିପାଇଁ ତାଙ୍କର ଏକ ସର୍ତ୍ତ ରହିଛି। ଏକାଠି ହେବାକୁ ହେଲେ ରାଜ ଠାକରେଙ୍କୁ ବିଜେପିକୁ ଛାଡ଼ିବାକୁ ହେବ ବୋଲି ସେ ପରୋକ୍ଷରେ କହିଛନ୍ତି। ଏନେଇ ପ୍ରଥମେ ତାଙ୍କୁ ସ୍ପଷ୍ଟ କରିବାକୁ ହେବ ବୋଲି ଉଦ୍ଧବ କହିଛନ୍ତି। ବିଜେପିକୁ ଇଙ୍ଗିତ କରି ସେ କହିଛନ୍ତି, ଯେ କେହି ବି ମହାରାଷ୍ଟ୍ରର ସ୍ୱାର୍ଥ ବିରୋଧରେ କାମ କରିବେ, ମୁଁ ସେମାନଙ୍କୁ ଘରକୁ ସ୍ୱାଗତ କରିବିନି କି ସେମାନଙ୍କ ସହିତ ବସିବି ନାହିଁ। ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପ୍ରତି ସମର୍ଥନ ଜଣାଇଥିଲେ ରାଜ।

Advertisment

ରାଜ ଓ ଉଦ୍ଧବଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ରାଜ୍ୟସଭା ସାଂସଦ ତଥା ଉଦ୍ଧବଙ୍କ ଘନିଷ୍ଠ ସଞ୍ଜୟ ରାଉତ କହିଛନ୍ତି ଯେ ଏଯାଏଁ କିଛି ମେଣ୍ଟ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଭାବନାତ୍ମକ କଥାବାର୍ତ୍ତା ଶୁଣିବାକୁ ମିଳିଛି। ରାଜ ଠାକରେ ଓ ଉଦ୍ଧବ ଠାକରେ ଦୁଇ ଭାଇ। ବର୍ଷ ବର୍ଷ ଧରି ଆମ ମଧ୍ୟରେ ଭଲ ସଂପର୍କ ରହିଆସିଛି। ଆମ ସଂପର୍କ କେବେ ଭାଙ୍ଗି ନାହିଁ। ଦୁଇ ଭାଇ ମେଣ୍ଟ ବିଷୟରେ ନିଷ୍ପତ୍ତି ନେବେ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ଦୁଇ ଭାଇ ମେଣ୍ଟ କରିବାକୁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ତା’ ପଛର କାରଣ କ’ଣ ହୋଇପାରେ? ମହାରାଷ୍ଟ୍ରର ସ୍ୱାର୍ଥ କ’ଣ ଏକମାତ୍ର କାରଣ? ଯଦି ସତରେ ମହାରାଷ୍ଟ୍ରର ସ୍ୱାର୍ଥକୁ ନେଇ ଦୁଇ ଭାଇ ଏତେ ଚିନ୍ତିତ, ତା’ହେଲେ ବେଶ୍ ପୂର୍ବରୁ ମେଣ୍ଟ କରିପାରିଥା’ନ୍ତେ? ଏଥିପାଇଁ କାହିଁକି ୨୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା? ବିଗତ ବର୍ଷଗୁଡ଼ିକରେ କ’ଣ ମହାରାଷ୍ଟ୍ରର ସ୍ୱାର୍ଥ ରକ୍ଷା ଦିଗରେ ସବୁ କାମ ହେଉଥିଲା ଓ ଏବେ ସେଥିରେ ବିସଙ୍ଗତି ପରିଲକ୍ଷିତ ହୋଇଛି? ରାଜନୀତିକ ସମୀକ୍ଷକମାନଙ୍କ କହିବା କଥା, ଏହି ମେଣ୍ଟ ଏକ ବାଧ୍ୟବାଧ୍ୟକତା ହୋଇପାରେ। ନିଜ ନିଜର ରାଜନୀତିକ ଆବଶ୍ୟକତା ଦୃଷ୍ଟିରୁ ସେମାନେ ମେଣ୍ଟ କରିବା ପାଇଁ ଆଗଭର ହୋଇପାରନ୍ତି।

୨୦୦୬ରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଗଠନ ହୋଇଥିଲା। ୨୦୦୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ୧୩ଟି ଆସନ ଜିତିଥିଲା। ଦଳ ପାଇଁ ଏହି ଫଳାଫଳ ବେଶ୍ ଉତ୍ସାହଜନକ ଥିଲା। କିନ୍ତୁ ଏହା ସ୍ୱଳ୍ପ ସ୍ଥାୟୀ ଥିଲା। ୨୦୧୪ ନିର୍ବାଚନରେ ରାଜଙ୍କ ଏମ୍‌ଏନ୍‌ଏସ୍‌ ମାତ୍ର ଗୋଟିଏ ବିଧାନସଭା ଆସନ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୯ରେ ମଧ୍ୟ ଦଳ ଗୋଟିଏ ବିଧାନସଭା ଆସନ ଜିତିଥିଲା। କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ଦଳ ଗୋଟିଏ ବି ଆସନ ଜିତିବାକୁ ସକ୍ଷମ ହୋଇନଥିଲା। ଏହି ନିର୍ବାଚନରେ ରାଜ ନିଜ ପୁଅଙ୍କୁ ପ୍ରାର୍ଥୀ କରିଥିଲେ। କିନ୍ତୁ ସେ ଲୋକଙ୍କୁ ଆକୃଷ୍ଟ କରିପାରିଲେ ନାହିଁ। ତେଣୁ ଏମ୍‌ଏନ୍‌ଏସ୍‌ ଏବେ ତା’ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି। କେବଳ ଏମ୍‌ଏନ୍‌ଏସ୍‌ ନୁହେଁ, ଏହାର ପ୍ରତିଷ୍ଠାତା ରାଜ ଠାକରେ ମଧ୍ୟ ତାଙ୍କ ରାଜନୀତିକ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛନ୍ତି।

ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ସଙ୍କଟ ଦେଇ ଗତି କରୁଛି। ବିଶେଷ କରି ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ବୃହତ୍ତ ଗୋଷ୍ଠୀ ବିଦ୍ରୋହ କରି ଶିବ ସେନାକୁ ଭାଗ ଭାଗ କରି ଦେବା ପରେ ଉଦ୍ଧବ ଠାକରେଙ୍କ ସ୍ଥିତି ଦୁର୍ବଳ ହୋଇଯାଇଛି। ଏବେ ସେ ଶିବ ସେନା (ୟୁବିଟି)ର ନେତୃତ୍ୱ ନେଉଛନ୍ତି। ଗତ ବର୍ଷ ଲୋକସଭା ନିର୍ବାଚନରେ ତାଙ୍କ ଦଳ ୯ଟି ଆସନ ଜିତିଥିଲା। କିନ୍ତୁ ଏହା ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳକୁ ବଡ଼ ଧକ୍କା ଲାଗିଥିଲା। ୯୨ଟି ଆସନରେ ପ୍ରାର୍ଥୀ ଦେଇଥିବା ଶିବ ସେନା (ୟୁବିଟି) ମାତ୍ର ୨୦ଟିରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ବିଜେପି ସହିତ ମେଣ୍ଟ କରିଥିବା ଏକନାଥ ସିନ୍ଦେଙ୍କ ଶିବ ସେନା ୫୭ଟି ଆସନ ଜିତିଥିଲା।

ଏକାଠି ହୋଇଗଲେ ଯେ ରାଜ ଓ ଉଦ୍ଧବ କିଛି ଚମତ୍କାର କରି ଦେବେ, ତାହା ଭାବିବା ବି ଭୁଲ ହୋଇପାରେ। ତେଣୁ ଯଦି ସେମାନେ ମେଣ୍ଟ କରିବେ, ତା’ହେଲେ ତା’ ପୂର୍ବରୁ ସେମାନଙ୍କୁ ବହୁଗୁଡ଼ିଏ କଥାକୁ ବିଚାରକୁ ନେବାକୁ ହେବ। ମେଣ୍ଟ ପାଇଁ ରାଜଙ୍କୁ ବିଜେପିର ହାତ ଛାଡ଼ିବା ଭଳି ସର୍ତ୍ତ ଦେଇଥିବା ଉଦ୍ଧବଙ୍କ ସମ୍ମୁଖକୁ ମଧ୍ୟ ସେମିତି କିଛି ସର୍ତ୍ତ ଆସିପାରେ। ଉଦ୍ଧବ ଯେଉଁ ଦଳଗୁଡ଼ିକ ସହିତ ମେଣ୍ଟ କରିଛନ୍ତି,ରାଜ ହୁଏତ ସେମାନଙ୍କୁ ଗ୍ରହଣ କରି ନପାରନ୍ତି। ସେଥିରୁ ବାହାରିବାକୁ ଉଦ୍ଧବଙ୍କ ଆଗରେ ସେ ସର୍ତ୍ତ ରଖିପାରନ୍ତି। ତେଣୁ ଯଦି କେବେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହୁଏ, ତା’ହେଲେ ଅନେକ ରାଜନୀତିକ ସମୀକରଣ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିବ।

ରାଜ ଠାକରେ ଓ ଉଦ୍ଧବ ଠାକରେ ଏକାଠି ହେବା ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି, ତାହା ପ୍ରଥମ ଥର ପାଇଁ ଘଟି ନାହିଁ। ପୂର୍ବରୁ ଏକାଧିକ ଥର ଏମିତି ଆଲୋଚନା ହୋଇଛି। ତେବେ ସେହି ସବୁ ଆଲୋଚନାର ପୃଷ୍ଠଭୂମି ଓ ଏଥରର ଆଧାର ମଧ୍ୟରେ ବେଶ୍ ତଫାତ ରହିଛି। ୨୦୧୨ ଉଦ୍ଧବ ଠାକରେଙ୍କୁ ହୃଦଘାତ ହୋଇଥିଲା। ସେତେବେଳେ ବାଲ ଠାକରେ ଜୀବିତ ଥିଲେ। ଉଦ୍ଧବଙ୍କୁ ହୃଦଘାତ ହେବା ପରେ ସେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ରାଜ ଠାକରେଙ୍କୁ ଫୋନ୍ କରିଥିଲେ। ରାଜ ଠାକରେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲା। ଉଦ୍ଧବ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ରାଜ ନିଜେ ତାଙ୍କୁ ଆଣି ଘରେ ଛାଡ଼ି ଥିଲେ। ଟେଲିଭିଜନ ପରଦାରେ ଏହି ଦୃଶ୍ୟ ଦେଖିବା ପରେ ପ୍ରାୟ ସମସ୍ତେ ଭାବିଥିଲେ ସବୁ ମତଭେଦ ଭୁଲି ଦୁଇ ଭାଇ ଏକାଠି ହୋଇଯିବେ। କିନ୍ତୁ ସେମିତି କିଛି ଘଟି ନଥିଲା। ୨୦୧୨ ନଭେମ୍ବରରେ ବାଲ ଠାକରେଙ୍କର ପରଲୋକ ହୋଇଥିଲା। ଏହା ପରେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଉଦ୍ଧବ ଠାକରେ ଭାଇ ରାଜଙ୍କୁ ବୁଝାଇସୁଝାଇ ପୁଣି ଦଳକୁ ଆଣିବାକୁ ପ୍ରୟାସ କରିଥିଲେ ବୋଲି କୁହାଯାଏ। କିନ୍ତୁ ରାଜ ରାଜି ହୋଇନଥିଲେ। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ୱର୍ଲିରୁ ଲଢ଼ିଥିଲେ। ନିର୍ବାଚନ ଲଢ଼ିବାରେ ଆଦିତ୍ୟ ହେଉଛନ୍ତି ଠାକରେ ପରିବାରର ପ୍ରଥମ ବ୍ୟକ୍ତି। ସେତେବେଳେ ଆଦିତ୍ୟଙ୍କ ବିରୋଧରେ ରାଜଙ୍କ ଏମ୍‌ଏନ୍‌ସି କାହାକୁ ପ୍ରାର୍ଥୀ କରି ନଥିଲା। ଆଦିତ୍ୟ ସେହି ନିର୍ବାଚନ ଜିତିଥିଲେ। ଏହାକୁ ଲୋକେ ଭିନ୍ନ ଦୃଷ୍ଟିକୋଣରେ ଦେଖିଥିଲେ। ଉଦ୍ଧବ ଓ ରାଜ ଏକାଠି ହେବେ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ସେମିତି କିଛି ଘଟି ନଥିଲା। ଏବେ ଯେହେତୁ ଦୁଇ ଭାଇ ମେଣ୍ଟ ନେଇ ଆଗ୍ରହ ଦେଖାଇଛନ୍ତି, ତେଣୁ ଏ ଦିଗରେ କିଛି ସମ୍ଭାବନା ଥିବା କୁହାଯାଉଛି।

ରାଜଙ୍କ ସ୍ୱପ୍ନ ହୋଇଥିଲା ଚୂରମାର

ଏବେ ଯେତେବେଳେ ଉଦ୍ଧବ ଓ ରାଜ ଠାକରେ ପୁଣି ଏକାଠି ହୋଇପାରନ୍ତି ବୋଲି ଆଲୋଚନା ହେଉଛି, ସେହି ସନ୍ଦର୍ଭରେ ସେମାନେ କେମିତି ଅଲଗା ହୋଇଥିଲେ ତାହା ବି ଆଲୋଚ୍ୟର ବିଷୟ ହୋଇଛି। ବାଲ ଠାକରେଙ୍କ ପରେ ରାଜ ଠାକରେ ଶିବ ସେନାର ମୁଖ୍ୟ ହେବେ ବୋଲି ପ୍ରାୟ ସମସ୍ତେ ଭାବୁଥିଲେ। ନିଜେ ରାଜ ଠାକରେ ମଧ୍ୟ ସେହି ସ୍ୱପ୍ନ ଦେଖିଥିଲେ। କିନ୍ତୁ ୨୦୦୩ରେ ତାଙ୍କର ସେହି ସ୍ୱପ୍ନ ଚୂରମାର ହୋଇଯାଇଥିଲା। ମହାବଳେଶ୍ୱରରେ ଶିବ ସେନାର ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେଙ୍କୁ ଶିବ ସେନାର କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଥିଲା। ସେତେବେଳେ କେହି କେହି କହିଥିଲେ ଯେ ପୁତୁରାକୁ ଛାଡ଼ି ପୁଅ ଉପରେ ଅଧିକ ଭରସା କଲେ ବାଲ ଠାକରେ। ଆଉ କେହି କେହି କହିଥିଲେ ଯେ ବାଲ ଠାକରେ ପୁତ୍ରମୋହରେ ପଡ଼ି ପୁତୁରା ରାଜ ଠାକରେଙ୍କ ପ୍ରତି ଅନ୍ୟାୟ କଲେ। ସେହିପରି ଆଉ କେହି କହିଲେ ଯେ ରମେଶ କିନି ମୃତ୍ୟୁ ମାମଲାରେ ରାଜ ଠାକରେ ଛନ୍ଦି ହୋଇଯିବାରୁ ଉଦ୍ଧବ ଠାକରେ ବାଜି ମାରିନେଲେ। ଉକ୍ତ କାର୍ଯ୍ୟକ୍ରମରେ ନିଜେ ରାଜ ଠାକରେ ଭାଇ ଉଦ୍ଧବ ଠାକରେଙ୍କ ନାଁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିଥିଲେ। ଦୁଇ ଭାଇଙ୍କ ମଧ୍ୟ ମତଭେଦ ନାହିଁ ତଥା ଦଳ ଏକତ୍ର ରହିଛି ବୋଲି ଦେଖାଇବା ପାଇଁ ରାଜଙ୍କ ଦ୍ୱାରା ଉଦ୍ଧବଙ୍କ ନାମ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରାଯାଇଥିଲା। ସେହିଭଳି ଉଦ୍ଧବଙ୍କ ନାଁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିବା ବେଳେ ରାଜ ସେହିମାନଙ୍କୁ କଟାକ୍ଷ କରିଥିଲେ, ଯେଉଁମାନେ ଭାବୁଥିଲେ ଯେ ଦଳ ଭାଙ୍ଗିଯିବ। କିନ୍ତୁ ଧୀରେ ଧୀରେ ଲୋକଙ୍କ ଆଶଙ୍କା ସତ ହେଲା। ଉଦ୍ଧବ ଠାକରେ ଦଳର ଦାୟିତ୍ୱ ନେଲା ପରେ ରାଜ ଠାକରେଙ୍କ ସମର୍ଥକ ତଥା ଘନିଷ୍ଠମାନେ ଅଭିଯୋଗ କଲେ ଯେ ସେମାନଙ୍କୁ ଅଣଦେଖା କରାଯାଉଛି। ତା’ ସହିତ ଉଦ୍ଧବ ଓ ରାଜଙ୍କ ରାଜନୀତିକ ମତପାର୍ଥକ୍ୟ ବଢ଼ିଥିଲା। ଯେତେବେଳେ ରାଜ ମୁମ୍ବାଇରେ ବସବାସ କରୁଥିବା ଉତ୍ତର ଭାରତୀୟଙ୍କୁ ବିରୋଧ କରୁଥିଲେ ସେତେବେଳେ ଉଦ୍ଧବ ‘ମି ମୁମ୍ବାଇକର’ ଅଭିଯାନ ଆରମ୍ଭ କରିଥିଲେ,ଯାହା ପରସ୍ପର ବିରୋଧୀ ଥିଲା। କାରଣ ଉଦ୍ଧବ ତାଙ୍କ ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରୁ ଆସି ମୁମ୍ବାଇରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ସାମିଲ କରିଥିଲେ।

୨୦୦୫ ନଭେମ୍ବର ୨୭ ତାରିଖରେ ରାଜ ଠାକରେ ଶିବ ସେନା ଛାଡ଼ିଥିଲେ। ସେ କହିଥିଲେ, ମୁଁ ସମ୍ମାନ ଚାହିଁଥିଲି। କିନ୍ତୁ ତା’ ବଦଳରେ ମୋତେ ଅପମାନିତ ଓ ଲଜ୍ଜିତ କରାଗଲା।

ଉଦ୍ଧବଙ୍କୁ ଟାର୍ଗେଟ କରି ରାଜ କହିଥିଲେ ଯେ କିଛି ଲୋକ ବାଲ ଠାକରେଙ୍କୁ ମିଛ କଥା କହୁଛନ୍ତି। ତେବେ ତାଙ୍କ କାକା ସବୁ ବେଳେ ତାଙ୍କ ପାଇଁ ଭଗବାନ ହୋଇ ରହିବେ।

ଅନ୍ୟପକ୍ଷରେ ଉଦ୍ଧବ କହିଥିଲେ ଯେ ଭୁଲ ବୁଝାମଣାରୁ ରାଜ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ପଦକ୍ଷେପ ଦଳର ସମସ୍ତ ସଦସ୍ୟଙ୍କୁ ଦୁଃଖିତ କରିଛି। ତେବେ ଜଣେ ବ୍ୟକ୍ତିଙ୍କଠାରୁ ଦଳ ହେଉଛ ବଡ଼। ସେହିପରି ସେତେବେଳେ ଶିବ ସେନାର ମୁଖପତ୍ର ‘ସାମନା’ରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁମାନେ ହିମାଳୟର ଛାଇ ତଳେ ବାସ କରୁଛନ୍ତି, ସେମାନେ ତା’ଠାରୁ ନିଜକୁ ବଡ଼ ବୋଲି ଚିନ୍ତା କରିବା ଉଚିତ୍ ନୁହେଁ। ରାଜ ଦଳ ଛାଡ଼ିବା ପରେ ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ଉଦ୍ଧବଙ୍କ ଘନିଷ୍ଠ ସଞ୍ଜୟ ରାଉତ। କିନ୍ତୁ ତାଙ୍କ ବାଟ ଓଗାଳି ଥିଲେ ରାଜଙ୍କ ସମର୍ଥକ। ସେମାନେ ସଞ୍ଜୟଙ୍କ କାରକୁ ଭଙ୍ଗାରୁଜା କରିଥିଲେ।

Uddhav Thackeray Raj Thackeray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe