କିଏ ସମ୍ଭାଳିବ ବିଜେଡିର ମିଶନ ଶକ୍ତି ଭୋଟ୍ ମଙ୍ଗ: ହାତରୁ ଖସିଯିବ କି ମହିଳା ଭୋଟ୍ , ଚିନ୍ତାରେ ବିଜେଡି

ପ୍ରଭାବଶାଳୀ ବିଜେଡି ନେତା ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟକୁ ନେଇ ଏବେ ଉଭୟ ବିଜେଡି ଓ ପ୍ରଶାସନିକ କଳରେ କୋକୁଆ ଭୟ ଖେଳି ଯାଇଛି

Representational Image

  • Published: Friday, 03 May 2024
  • , Updated: 03 May 2024, 10:18 PM IST

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ବିଜେଡିର ନମ୍ବର-ଟୁ ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନ ମିଶନ ଶକ୍ତି ସଚିବ ପଦରୁ ବିଦା ହେବା ପରେ ବିଜେଡି ବିଚଳିତ ହୋଇପଡ଼ିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୦ଦିନ ଥିବାବେଳେ ଅଚାନକ ସୁଜାତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟ ବିଜେଡିର ସବୁ ଗଣିତକୁ ଏପଟସେପଟ କରିଦେଇଛି । ନିର୍ବାଚନବେଳେ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ମହିଳା ସଦସ୍ୟଙ୍କୁ ନିଜର ଭୋଟ ମେସିନ୍ ଭାବେ ଉପଯୋଗ କରି ଆସୁଥିବା ବିଜେଡି ଚିନ୍ତାରେ ପଡ଼ିଛି । ବିଜେପିର ତୀକ୍ଷ୍ଣ ନଜର ଓ ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ମହାକାଳପଡ଼ାରେ ଦୁଇ କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି)ଙ୍କୁ ଚାକିରିରୁ ବହିଷ୍କାର ଓ ପାୱାରଫୁଲ ଅଫିସର ସୁଜାତାଙ୍କୁ ବଦଳି ପରେ ରାଜ୍ୟରେ ବିଜେଡି ପାଇଁ କାମ କରୁଥିବା ମହିଳା ଏସଏଚଜିର କମ୍ୟୁନିଟି ଷ୍ଟାଫ ଏବେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ସ୍ଥିତିରେ ଏହି ମହିଳା ଭୋଟବ୍ୟାଙ୍କକୁ ବିଜେଡି କିଭଳି ସୁରକ୍ଷିତ ରଖିବ ଓ କାହାକୁ ମଙ୍ଗ ଧରାଇ ନିଜ ସପକ୍ଷରେ ଭୋଟ କରାଇବ ତାହା ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଭାବଶାଳୀ ବିଜେଡି ନେତା ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟକୁ ନେଇ ଏବେ ଉଭୟ ବିଜେଡି ଓ ପ୍ରଶାସନିକ କଳରେ କୋକୁଆ ଭୟ ଖେଳି ଯାଇଛି । ବିଜେଡି ସପକ୍ଷରେ ଭୋଟ କରାଉଥିବା ସରକାରୀ କଳର ନିର୍ଦ୍ଦିଷ୍ଟ ଅଫିସର ଓ କର୍ମଚାରୀମାନେ ଏବେ ନିଜ ଚାକିରି ବଂଚାଇବା ଚକ୍କରରେ ମାପିଚୁପି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ସୁଜାତାଙ୍କ ଉପରେ ଉଭୟ ବିଜେପି ଓ ନିର୍ବାଚନ କମିଶନଙ୍କ ନଜର ରହିଛି । ତେଣୁ ସୁଜାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଆଶଙ୍କା ମଧ୍ୟରେ ଥିବା ପ୍ରାୟ ୭୦ହଜାର ମହିଳା କମ୍ୟୁନିଟି ଷ୍ଟାଫଙ୍କୁ କିଏ ନେତୃତ୍ୱ ଦେବ ଓ ସେମାନେ କିଭଳି ବିଜେଡି ସପକ୍ଷରେ ଭୋଟ ହାତେଇବେ ତାକୁ ନେଇ ବିଜେଡି ରଣନୀତିକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ମିଶନ ଶକ୍ତିର ସଚିବ ଭାବେ ସୁଜାତା ଏହି ଏସଏଚଜିଗୁଡ଼ିକର ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲେ । ସୁଜାତାଙ୍କ ଯୋଗୁ ମିଶନଶକ୍ତି ବିଭାଗର ମନ୍ତ୍ରୀ ଓ ଉପଦେଷ୍ଟାମାନଙ୍କର ଗୁରୁତ୍ୱ ମଧ୍ୟ ବିଶେଷ ରହୁନଥିଲା କିମ୍ବା ବିଜେଡିର କୌଣସି ନେତାନେତ୍ରୀଙ୍କ କର୍ତ୍ତୃତ୍ୱ ମଧ୍ୟ ମହିଳା ଏସଏଚଜିଙ୍କ ଉପରେ ରହିବା ସମ୍ଭବପର ହେଉନଥିଲା । ଯାହାର ପ୍ରତିକୂଳ ପ୍ରଭାବ ଏବେ ନିର୍ବାଚନ ସମୟରେ ବିଜେଡିକୁ ଭୋଗିବାକୁ ପଡ଼ିଛି । ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଟୁକୁନି ସାହୁ ଓ ବାସନ୍ତୀ ହେମ୍ବ୍ରମଙ୍କ ସମେତ ଦୁଇ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ବି ସୁଜାତା ନିଜର ଗୁରୁତ୍ୱ ବୃଦ୍ଧି ପାଇଁ ଏହି ବିଜେଡି ନେତ୍ରୀମାନଙ୍କୁ ଏସଏଚଜିଙ୍କ ଉପରେ ପ୍ରଭାବ ବିସ୍ତାରର ସୁଯୋଗ ଦେଇନଥିବା ଜଣାଯାଇଛି।

ମହିଳା ଏସଏଚଜିଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରୁଥିଲେ ମଧ୍ୟ ନିଜର କୌଣସି ଆଗଧାଡ଼ିର ନେତା କିମ୍ବା ନେତ୍ରୀଙ୍କୁ ଏହି ଏସଏଚଜିଗୁଡ଼ିକ ସହ ଯୋଗସୂତ୍ରରେ ରହିବାର ସୁଯୋଗ ବିଜେଡି ସାଂଗଠନିକସ୍ତରରେ ବି ଦେଇନାହିଁ । ଏପରିକି ସ୍ଥାନୀୟ ବିଧାୟକମାନଙ୍କୁ ମଧ୍ୟ ନିଜ ନିଜ ଅଂଚଳର ଏସଏଚଜିଗୁଡ଼ିକ ସହ ଉତ୍ତମ ସମ୍ପର୍କ ରଖିବାର ସୁଯୋଗ ମଧ୍ୟ ମିଶନ ଶକ୍ତି ବିଭାଗ ସୃଷ୍ଟି କରିନି । ଅବଶ୍ୟ ନିର୍ବାଚନବେଳେ ଏହି ମହିଳା ଏସଏଚଜିଗୁଡ଼ିକ ମାଧ୍ୟମରେ ସମାନ୍ତରାଳ ପ୍ରଚାର, ଅନ୍ଧାରୀ ବିଜେ ଆଦି କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବାରେ ବିଜେଡି ସକ୍ଷମ ହୋଇଥାଏ ବୋଲି ବିରୋଧୀ ଅଭିଯୋଗ କରନ୍ତି । ଆଉ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ବି ମହିଳା ଏସଏଚଜିଗୁଡ଼ିକୁ ଖୁସି କରିବା ପାଇଁ ଆଖିଦୃଶିଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିବାକୁ ବିଜେଡି ସରକାର ପଛାଇ ନଥାନ୍ତି । ବିଦେଶ ବୁଲାଠୁ ଆରମ୍ଭ କରି ସୁଧମୁକ୍ତ ଋଣ,ସ୍କୁଟି ଓ ଅନ୍ୟାନ୍ୟ ସୁବିଧା ଓ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଏସଏଚଜିଙ୍କୁ ବିଜେଡି ସରକାର ତୁଷ୍ଟୀକରଣ କରିଥାନ୍ତି । ଆଉ ଖାସ୍ ଏହି କାରଣରୁ ନିର୍ବାଚନ ପ୍ରଚାରର ଶେଷ ୩-୪ଦିନରେ ଉକ୍ତ ମହିଳା ଏସଏଚଜି ସଦସ୍ୟାମାନଙ୍କୁ ବିଜେଡି ବେଶ୍ ଯୋଜନାବଦ୍ଧ ଭାବେ ଉପଯୋଗ କରି ଭୋଟ୍ ହାତେଇବାରେ ସକ୍ଷମ ହୋଇଥାଏ।

ନିଜର ପ୍ରତ୍ୟେକ ସଭାସମିତିରେ ମହିଳା ଏସଏଚଜି ସଦସ୍ୟାମାନଙ୍କୁ ଆଣି ନିଜର ପତିଆରା ଦେଖାଉଥିବା ଶାସକ ବିଜେଡିର ଏହି ମହିଳା ଭୋଟବ୍ୟାଙ୍କ ଉପରେ ବିଜେପିର ଏଭଳି ପ୍ରହାର ଦଳକୁ ବିଚଳିତ କରିଦେଇଛି । ଏବେ ନିର୍ବାଚନ କମିଶନଙ୍କ ଛାଟ ଯୋଗୁ ସୁଜାତା ଅର୍ଥ ବିଭାଗକୁ ବଦଳି ପରେ ମିଶନ ଶକ୍ତି ମହିଳା ଏସଏଚଜିଙ୍କ ସହ ଯୋଗସୂତ୍ର କିଏ ରଖିବ ତାହା ବିଜେଡିକୁ ଚିନ୍ତାରେ ପକାଇଛି । ସରକାରୀ ଅଫିସରମାନଙ୍କ ମାଧ୍ୟମରେ ଏସଏଚଜି ସଦସ୍ୟାମାନଙ୍କ ସହ ଯୋଗସୂତ୍ର ରଖିଲେ କାର୍ଯ୍ୟାନୁଷ୍ଠାନର ଭୟ ରହିଛି । ତା’ଛଡ଼ା ପୁଲିସ ମାଧ୍ୟମରେ ମହିଳା ଏସଏଚଜି କମ୍ୟୁନିଟି ଷ୍ଟାଫଙ୍କୁ ପ୍ରଭାବିତ କରିବା ବି ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ଏବେ ନୂଆ କରି ମିଶନ ଶକ୍ତି ବିଭାଗର ଦାୟିତ୍ୱ ନେଇଥିବା ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ କାର୍ଯ୍ୟ ଲଗାଇବାର ସମ୍ଭାବନା ବି କ୍ଷୀଣ । ଧାମନଗର ଉପନିର୍ବାଚନରେ ଏସଏଚଜି ସଦସ୍ୟମାନଙ୍କ କାର୍ଯ୍ୟ ଉପରେ ଲଗାମ ଦେଇ ବିଜେଡିର ଏହି ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରିବାରେ ବିଜେପି ସଫଳ ହୋଇଥିଲା । ସେହି ଫର୍ମୂଲାକୁ ଆପଣାଇ ବିଜେପି ଏବେ ରାଜ୍ୟରେ ମହିଳା ଏସଏଚଜି କମ୍ୟୁନିଟି ଷ୍ଟାଫମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି । ଏସବୁ ପରିସ୍ଥିତିକୁ ଦେଖିଲେ ବିଜେଡି ଏଥର କାହା ଉପରେ ଭରସା କରିବ ଓ କାହାକୁ ଏସଏଚଜି କମ୍ୟୁନିଟି ଷ୍ଟାଫମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବାର ମଙ୍ଗ ଧରାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇ ନିର୍ବାଚନୀ ବୈତରଣୀ ପାର ହେବ ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଲାଗି ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରାମାଂଚଳର ପ୍ରାୟ ୯୦ ପ୍ରତିଶତ ପରିବାରରେ ଏସଏଚଜି ମହିଳା ସଦସ୍ୟା ଅଛନ୍ତି । ୬ଲକ୍ଷ ମହିଳା ଏସଏଚଜି ଅଧୀନରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟା ଅଛନ୍ତି ।  ଏହି ଏସଏଚଜିଗୁଡ଼ିକର ତଦାରଖ ପାଇଁ ୭୦ହଜାର କମ୍ୟୁନିଟି ଷ୍ଟାଫ(ସିଆରପି, ଏମବିକେ, ବିଏଲଏଫ,ଜିଏଲଏଫ) ଆଦି ରହିଛନ୍ତି । ମିଶନ ଶକ୍ତି ବିଭାଗ ସିଧାସଳଖ ଏହି ମହିଳା କମ୍ୟୁନିଟି ଷ୍ଟାଫମାନଙ୍କ ମାଧ୍ୟମରେ ବିଜେଡି ସପକ୍ଷରେ ଭୋଟବ୍ୟାଙ୍କକୁ ସୁଦୃଢ଼ କରିଥାଏ ଓ ବିଜେଡି ପ୍ରାର୍ଥୀଙ୍କ ଜିତିବା ମାର୍ଗକୁ ପ୍ରଶସ୍ତ କରିଥାଏ ବୋଲି ବିରୋଧୀ ଅଭିଯୋଗ କରନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ଏହି ମହିଳା ଏସଏଚଜି ଭୋଟବ୍ୟାଙ୍କ ସହାୟତାରେ ଏକତରଫା ସଫଳତା ପାଇଥିଲା । ଚଳିତ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩, ୨୦,୨୫ ଓ ଜୁନ୍ ୧ ତାରିଖରେ ରାଜ୍ୟରେ ମତଦାନ ହେବ।

Related story