Advertisment

ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ପାସ୍‌

ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି।

ଅଦ୍ୟତନ ହୋଇଛି
Women

Women

Advertisment

ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷଣ ବିଲ୍‌। ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପିତ କରିଥିଲେ। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

Advertisment

କାରଣ ଦୀର୍ଘ ୩ ଦଶନ୍ଧି ଧରି ଏକାଧିକ ଥର ମହିଳା ସଂରକ୍ଷଣ ବିଲ୍‌କୁ  ପାସ୍‌ କରିବାକୁ ଲୋକସଭାରେ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଯାଏ ଏହା ପାରିତ ହୋଇ ନଥିଲା। ଅବଶ୍ୟ ୨୦୧୦ରେ ରାଜ୍ୟଭାରେ ମହିଳା ସଂରକ୍ଷିତ ବିଲ୍‌ ପାରିତ ହୋଇଥିଲା। କିନ୍ତୁ ଲୋକସଭାରେ ପ୍ରଥମଥର ପାଇଁ ସର୍ବସମ୍ମତିକ୍ରମେ ଏହା ପାରିତ ହୋଇଛି।

ଏହା ଏକ ସମ୍ବିଧାନ ସଂଶୋଧ ବିଲ୍‌ ହୋଇଥିବାରୁ ପାରିତ କରିବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର ଥିଲା। ବିଲ୍‌କୁ ତା’ଠାରୁ ଅଧିକ ସମର୍ଥନ ମିଳିଛି। ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ ପଡ଼ିଛି। 

Advertisment

ଆଜି ଦିନ ୧୧ଟାରୁ ଏହା ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି।

ବିରୋଧୀଙ୍କ ପକ୍ଷରୁ ପ୍ରଥମେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ବିଲ୍‌ ଉପରେ ନିଜର ପକ୍ଷ ରଖିଥିଲେ। ସେ ବିଲ୍‌କୁ ସମର୍ଥନ କରିଥିଲେ ମଧ୍ୟ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ। କିନ୍ତୁ ସରକାର ବିରୋଧୀଙ୍କ କୌଣସି ପ୍ରକାରର ଦାବିକୁ ଶୁଣି ନାହାନ୍ତି।

ଆଜି ବିଲ୍‌ ଉପରେ ମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପରବର୍ତ୍ତୀ ସାଧାରଣ ନିର୍ବାଚନ ସରିବା କ୍ଷଣି ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ। ଦେଶର ବିକାଶ ଓ ବଡ଼ବଡ଼ ନିଷ୍ପତ୍ତି ନେବାରେ ମହିଳାଙ୍କ ଯୋଗଦାନ କ୍ଷେତ୍ରରେ ଏହି ବିଲ୍‌ ବୁଷ୍ଟର ଭାବେ କାମ କରିବ। ତେଣୁ ସବୁ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏହାକୁ ସମର୍ଥନ କରିବା ଦରକାର ବୋଲି ଶ୍ରୀ ଶାହ ମତ କହିଥିଲେ।

ଶାହଙ୍କ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌ ଉପରେ ମତ ରଖିଥିଲେ। ଏହାପରେ ମତଦାନ ହୋଇଥିଲା। ଶେଷରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ଆସନ୍ତାକାଲି ଏହି ବିଲ୍‌ ରାଜ୍ୟସଭାରେ ଉପସ୍ଥାପନ କରାଯିବ।

ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହାର ବ୍ୟବସ୍ଥା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ।

୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।

ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

ନାରୀ ଶକ୍ତି ବନ୍ଦନ ଅଧିନିୟମରେ କୁହାଯାଇଛି ଯେ ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ସିଟ୍‌ ବଦଳିବ। ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଏଗୁଡ଼ିକ ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦ ପାଇଁ ଲାଗୁ ହେବ ନାହିଁ।

ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିବ। ତେବେ ବିଲ୍‌ରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ। ଏହି ବ୍ୟବସ୍ଥାକୁ ବିଲ୍‌ରେ ସାମିଲ କରିବାକୁ ବିରୋଧୀ ଦାବି କରିଥିଲେ ହେଁ ସରକାର ଏହାକୁ କର୍ଣ୍ଣପାତ କରି ନାହାନ୍ତି।

Women Empowerment New Parliament Building Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe